ଡାଲି ଜାତୀୟ ଶସ୍ୟ ସଂଗ୍ରହ ନିମନ୍ତେ ଚାଷୀଙ୍କ ପଞ୍ଜୀକରଣ ସମୟସୀମା ବୃଦ୍ଧି


ଭୁବନେଶ୍ୱର: ଚଳିତ ରବି ଋତୁ ୨୦୧୯-୨୦ ବର୍ଷରେ ରାଜ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ଜରିଆରେ ଚାଷୀମାନଙ୍କଠାରୁ ମୁଗ, ବିରି, ଚିନାବାଦାମ, ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯାଉଛି। ଏଥି ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣର ସମୟସୀମାକୁ ଜୁଲାଇ ୩୦ ତାରିଖକୁ ବୃଦ୍ଧି କରାଯାଇଛି। କୋରୋନା ଭୂତାଣୁ(କୋଭିଡ୍-୧୯) ସଂକ୍ରମଣ ଯୋଗୁ ସାରା ରାଜ୍ୟରେ ଲକ୍‌ଡାଉନ୍‌ ବଳବତ୍ତର ରହିଥିବା ପରିପ୍ରେକ୍ଷୀରେ ଚାଷୀମାନଙ୍କ ନାମ ପଞ୍ଜୀକରଣକୁ ସୁଗମ କରିବା ନିମନ୍ତେ ସମୟସୀମା ମେ’ ୭ ତାରିଖରୁ ଜୁଲାଇ ୩୦ ତାରିଖକୁ ବୃଦ୍ଧି କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।

ପ୍ରକୃତ ଚାଷୀମାନଙ୍କୁ ଚିହ୍ନଟ କରି ସେମାନଙ୍କର ନାମ ପଞ୍ଜୀକରଣ କରାଯିବ। ଚାଷୀ ଚିହ୍ନଟ ଓ ପଞ୍ଜୀକରଣ ନିମନ୍ତେ ଆଧାର କାର୍ଡ କିମ୍ବା ଅନ୍ୟ କୌଣସି ପରିଚୟ ପତ୍ର ଯଥା ବ୍ୟାଙ୍କ୍‌ ପାସ୍‌ବୁକ୍‌ର ପ୍ରଥମ ପୃଷ୍ଠା, ଚାଷ ଜମିର ଦଲିଲ ଏବଂ ଜମି ପରିମାଣର କାଗଜପତ୍ର ଆବଶ୍ୟକ। ପ୍ରକୃତ ଚାଷୀମାନଙ୍କୁ ଚିହ୍ନଟ କରି ସେମାନଙ୍କର ନାମ ପଞ୍ଜୀକରଣ ନିମନ୍ତେ ସମବାୟ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ରାଜ୍ୟରେ ମେ’ ୭ ତାରିଖରୁ ମାର୍କଫେଡ୍ ଦ୍ବାରା ସରକାରଙ୍କ ମୂଲ୍ୟ ସହାୟକ ଯୋଜନା (ପିଏସ୍ଏସ୍) ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀମାନଙ୍କଠାରୁ ଡାଲି ଓ ତୈଳବୀଜ ସଂଗ୍ରହ କରାଯିବ। ନାଫେଡ୍ ପକ୍ଷରୁ ରାଜ୍ୟରେ ମାର୍କଫେଡ୍ ବିଭିନ୍ନ ପ୍ୟାକ୍ସ, ଲ୍ୟମ୍ପସ୍, ନିୟନ୍ତ୍ରିତ ବଜାର କମିଟି ଜରିଆରେ ଏହାକୁ ସଂଗ୍ରହ କରିବ। ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ଚଳିତ ମେ’ ୭ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିକ ଉତ୍ପାଦନ ହେଉଥିବା ରାଜ୍ୟର ୧୬ଟି ଜିଲ୍ଲାରେ ପଞ୍ଜୀକୃତ ଚାଷୀମାନଙ୍କଠାରୁ ଡାଲି, ତୈଳବୀଜ ସଂଗ୍ରହ କରାଯିବ।
 
ଚାଷୀମାନଙ୍କ ଅବଗତି ନିମନ୍ତେ ସଂଗ୍ରହ କେନ୍ଦ୍ର ଓ ସଂଗ୍ରହ ତାରିଖ ତଥା ସମୟ ବାବଦରେ ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ଗୁରୁତ୍ୱ ଦିଆଯାଇଛି। କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଚାଷୀମାନଙ୍କ ନାମ ପଞ୍ଜୀକରଣ ଏବଂ ସଂଗ୍ରହ କେନ୍ଦ୍ରରେ ସାମାଜିକ ଦୂରତ୍ୱ ଏବଂ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକାଗୁଡ଼ିକ କଡ଼ାକଡ଼ି ଭାବରେ ପାଳନ କରିବା ନିମନ୍ତେ ନିର୍ଦେଶ ଦିଆଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ