ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ମିଳିବ ୪ ମାସର ଅଗ୍ରୀମ ଦରମା


ଭୁବନେଶ୍ବର: ରାଜ୍ୟରେ କୋରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରୀ ସ୍ବାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀଙ୍କୁ ଆଗୁଆ ଚାରିମାସର ଦରମା ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସ୍ବାସ୍ଥ୍ୟ ସେବା ସହିତ ଜଡ଼ିତ କର୍ମଚାରୀଙ୍କୁ ‘ଫାଷ୍ଟ୍‌ ଲାଇନ୍‌ ଅଫ୍‌ ଡିଫେନ୍ସ’ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କ କାର୍ଯ୍ୟ ଓ ତ୍ୟାଗର ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ୍-୧୯ ଜଟିଳ ପରିସ୍ଥିତିରେ ଡାକ୍ତର, ପାରାମେଡ଼ିକ୍ସ ଓ ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ତ୍ୟାଗ, ନିଷ୍ଠା ଓ ସେବା ମନୋବୃତ୍ତିର ପରିଚୟ ଦେଇ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।

ଏପରି ଅସାଧାରଣ ପରିସ୍ଥିତିରେ ସେମାନଙ୍କ ଉତ୍ସାହକୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ସେବାକାର୍ଯ୍ୟ ନିମନ୍ତେ ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟସେବା ସମ୍ପୃକ୍ତ କର୍ମଚାରୀଙ୍କୁ ଅପ୍ରେଲ୍‌, ମେ’, ଜୁନ୍‌ ଓ ଜୁଲାଇ ମାସର ବେତନ ଅଗ୍ରୀମ ଆକାରରେ ଆସନ୍ତା ଅପ୍ରେଲ୍ ମାସରେ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏଥିସହ ସ୍ବାସ୍ଥ୍ୟସେବାରେ ସମ୍ପୃକ୍ତ କର୍ମଚାରୀମାନଙ୍କୁ ଅସହଯୋଗ କିମ୍ବା ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। ସେମାନଙ୍କୁ ଅଗ୍ରୀମ ବେତନ ସହ ସୁରକ୍ଷା ଦେବାକୁ ଘୋଷଣା କରିଛନ୍ତି। ଏଥି ସହିତ ଲୋକେ ଯେଭଳି ଡାକ୍ତର, ପାରାମେଡିକ୍ସ ଓ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଶ୍ରଦ୍ଧା ଓ ସମ୍ମାନର ସହ ବ୍ୟବହାର କରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଲୋକେ ସେମାନଙ୍କ କାମରେ ବାଧା ସୃଷ୍ଟି କରନ୍ତୁ ନାହିଁ। ସେମାନେ ସବୁ ସୁଖ ତ୍ୟାଗ କରି ଦିନରାତି କଠିନ ପରିଶ୍ରମ କରୁଛନ୍ତି। ସେମାନଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ। ଯେଉଁମାନେ ଡାକ୍ତର କିମ୍ବା ଅନ୍ୟ କର୍ମଚାରୀମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ୍‌କୁ ନିର୍ଦେଶ ଦେଇଛନ୍ତି। ଏଥି ସହିତ ଡାକ୍ତର ଓ ସ୍ୱାସ୍ଥ୍ୟସେବାରେ ଜଡ଼ିତ କର୍ମଚାରୀଙ୍କ ସହିତ ଦେଶବାସୀ ଓ ସମସ୍ତ ଲୋକ ଥିବାରୁ ସେମାନେ ସେବା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ