ବୀମା ନବୀକରଣ ପାଇଁ ଉପଭୋକ୍ତାଙ୍କୁ ଅତିରିକ୍ତ ମହଲତ ଦେବାକୁ ନିର୍ଦେଶ


ବର୍ତ୍ତମାନ ସମୟରେ କୋରୋନା ଭୂତାଣୁଜନିତ ବିଭୀଷିକା ଜାରି ରହିଥିବା ବେଳେ ଜୀବନ ବୀମା କମ୍ପାନୀମାନଙ୍କୁ ସେମାନଙ୍କ ଉପଭୋକ୍ତାଙ୍କୁ ଅତିରିକ୍ତ ମହଲତ ଦେବା ସକାଶେ ବୀମା ନିୟାମକ ଉନ୍ନୟନ ପ୍ରାଧିକରଣ (ଆଇଆର୍‌ଡିଏ) ପକ୍ଷରୁ ନିର୍ଦେଶ ଦିଆଯାଇଛି। କମ୍ପାନୀମାନେ ଅତି କମ୍‌ରେ ନିଜ ନିଜର ଉପଭୋକ୍ତାଙ୍କୁ ୩୦ ଦିନର ମହଲତ ଦେବାକୁ ଏହି ନିର୍ଦେଶନାମାରେ କୁହାଯାଇଛି। କୋରୋନା ଭୂତାଣୁ ତା’ର କାୟା କ୍ରମଶଃ ବୃଦ୍ଧି କରିଚାଲିଥିବାରୁ ଏହାକୁ ନିୟନ୍ତ୍ରଣ କରିବା ସକାଶେ କେନ୍ଦ୍ର ଓ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି। ଏହି ପଦକ୍ଷେପ ସ୍ବରୂପ ଅଧିକାଂଶ ରାଜ୍ୟରେ ଏବେ ଲକ୍‌ଡାଉନ୍‌ ଘୋଷଣା କରାଯାଇସାରିଛି। ତେଣୁ ଉପଭୋକ୍ତାମାନଙ୍କୁ ଏପରି ପରିସ୍ଥିତିରେ ଜୀବନ ବୀମା କମ୍ପାନୀମାନେ ସାମାନ୍ୟ ଆଶ୍ବସ୍ତି ଦେବାର ଆବଶ୍ୟକତା ରହିଛି ବୋଲି ଆଇଆର୍‌ଡିଏ ପକ୍ଷରୁ କୁହାଯାଇଛି। ବିଶେଷକରି ସ୍ବାସ୍ଥ୍ୟ ବୀମା ଉପଭୋକ୍ତାଙ୍କୁ ସେମାନଙ୍କ ପଲିସି ନବୀକରଣ ପାଇଁ ଏହି ମହଲତ ଦେବା ସକାଶେ କୁହାଯାଇଛି।

ଏ କ୍ଷେତ୍ରରେ ସାଧାରଣତଃ ବୀମା କମ୍ପାନୀମାନେ ଏକ ନିର୍ଦ୍ଦିଷ୍ଟ ସମୟର ଗ୍ରେସ୍‌ ପିରିୟଡ୍‌ ଦେଇଥାନ୍ତି। କିନ୍ତୁ ଏହି ଗ୍ରେସ୍‌ ପିରିୟଡ୍‌ ବ୍ୟତୀତ ଉପଭୋକ୍ତାଙ୍କୁ ଆହୁରି ଅଧିକ ୩୦ ଦିନର ମହଲତ ଦେବାକୁ କୁହାଯାଇଛି। ବର୍ତ୍ତମାନର ଅସ୍ବାଭାବିକ ପରିସ୍ଥିତିରେ ଯେଉଁ ଉପଭୋକ୍ତା ଅଧିକ ସମୟ ମାଗିବେ, ସେମାନଙ୍କୁ ଏହି ଅତିରିକ୍ତ ସମୟ ଉପଲବ୍ଧ କରିବା ସକାଶେ ଆଇଆର୍‌ଡିଏ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଏହି ସମୟ ମଧ୍ୟରେ ଉକ୍ତ ଉପଭୋକ୍ତାଙ୍କ ପଲିସି ମଧ୍ୟ ଜାରି ରହିବ ଓ ତାଙ୍କୁ ମିଳିବାକୁ ଥିବା ସମସ୍ତ ସୁବିଧାସୁଯୋଗକୁ ମଧ୍ୟ ଜାରି ରଖିବାକୁ ନିର୍ଦେଶ ଦିଆଯାଇଛି। ଏହାଛଡ଼ା ସମସ୍ତ ଜୀବନ ବୀମା କମ୍ପାନୀ ସେମାନଙ୍କ ୱେବ୍‌ସାଇଟ୍‌ରେ କାର୍ଯ୍ୟାଳୟର ପରିଚାଳନା ତଥା ପ୍ରିମିୟମ୍‌ ପଇଠ ନେଇ ହୋଇଥିବା ଆବଶ୍ୟକ ପରିବର୍ତ୍ତନ, ନବୀକରଣ, କ୍ଲେମ୍‌ ସେଟଲ୍‌ମେଣ୍ଟ୍‌ ଓ ଅନ୍ୟାନ୍ୟ ସେବା ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିବାକୁ ପ୍ରାଧିକରଣ ପକ୍ଷରୁ ନିର୍ଦେଶ ଦିଆଯାଇଛି। ସେହିପରି ଜୁନ୍‌ ୩୦ ତାରିଖ ଭିତରେ ହେବାକୁ ଥିବା ବୀମା କମ୍ପାନୀମାନଙ୍କର ବୈଠକକୁ ଭିଡିଓ କନ୍‌ଫରେନ୍ସିଂ ଅବା ଅଡିଓ-ଭିଜୁଆଲ୍‌ ବ୍ୟବସ୍ଥା ମାଧ୍ୟମରେ ଆୟୋଜନ କରିବାକୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ