ବଢ଼ୁଛି ଅନ୍‌ଲାଇନ ଶପିଂର ଚାହିଦା: ରୁହନ୍ତୁ ସତର୍କ, ପାଇବେ ଫାଇଦା


ବଜାର ନ ଯାଇ କରାଯାଉଛି ଶପିଂ। ଯୁବବର୍ଗଙ୍କ ପାଇଁ ଅନ୍‌ଲାଇନ ଶପିଂର ଆକର୍ଷଣ କାହିଁରେ କ’ଣ। ଏଥିରେ ବଜାର ଯିବାର କଷ୍ଟରୁ ମୁକ୍ତି ମିଳିବା ସହିତ ଅଲଗା ଅଲଗା ୱେବସାଇଟ୍‌ ଓ ପ୍ରଡକ୍ଟ ସହିତ ବିଭିନ୍ନ ପ୍ରକାର ଡିସକାଉଣ୍ଟ ମିଳିପାରିଥାଏ। କିନ୍ତୁ ନିର୍ଦ୍ଦିଷ୍ଟ କେତେକ ପ୍ରସଙ୍ଗ ପ୍ରତି ଦୃଷ୍ଟି ନ ଦେଲେ ଶସ୍ତାରୁ ହିନସ୍ତା ହେବା ହିଁ ସାର ହୋଇଥାଏ। କିଣାକିଣି  କଲା ବେଳେ ଆମକୁ କ’ଣ ସବୁ ସତର୍କତା ନେବାକୁ ପଡ଼ିବ, ଆସନ୍ତୁ ଜାଣିବା।

ସୁରକ୍ଷିତ ୱେବସାଇଟ୍‌ ବାଛନ୍ତୁ
ଡିସକାଉଣ୍ଟ ମିଳୁଛି ବୋଲି ଲୋଭର ବଶବର୍ତ୍ତୀ ହୋଇ ତରବରରେ ଯେ କୌଣସି ୱେବସାଇଟ୍‌ରେ ଅର୍ଡର କରିଦିଅନ୍ତୁ ନାହିଁ। ବିଶ୍ବସନୀୟ ସାଇଟକୁ ଚୟନ କରନ୍ତୁ। ଶସ୍ତାରେ ଦ୍ରବ୍ୟ ବା ସାମଗ୍ରୀ ମିଳୁଛି ବୋଲି ଅଜଣା ଅଶୁଣା ୱେବସାଇଟ୍‌କୁ ଯାଆନ୍ତୁ ନାହିଁ।

ପ୍ରଡକ୍ଟର ରିଭ୍ୟୁ କରନ୍ତୁ

ଏବେ ଅନେକ ପ୍ରଡକ୍ଟର ଚାକଚକ୍ୟ ବିଞାପନ ଦେଖିବାକୁ ମିଳୁଛି। ଲୋଭନୀୟ ବିଞାପନ ଦେଖି ପ୍ରଡକ୍ଟ କିଣନ୍ତୁ ନାହିଁ। ଏଭଳି କଲେ ଆପଣ ଠକାମିର ଶିକାର ହୋଇପାରନ୍ତି। କେଉଁ ଉତ୍ପାଦ କିଣିବାକୁ ସ୍ଥିର କରିଛନ୍ତି ଜାଣିବା ପରେ ତାହାର ଏକ ତାଲିକା ପ୍ରସ୍ତୁତ କରନ୍ତୁ। ଉତ୍ପାଦ ବିକ୍ରି କରୁଥିବା କମ୍ପାନୀ ଓ ଏହାର ରିଭ୍ୟୁ ପଢ଼ନ୍ତୁ। ଏଥିରୁ ଆପଣ ବିଶ୍ବସନୀୟତାର ପ୍ରମାଣ ପାଇପାରିବେ। ଯଦି ରିଭ୍ୟୁ ଠିକ୍‌ ନ ଲାଗେ ତେବେ ଆଦୌ ରିସ୍କ ନିଅନ୍ତୁ ନାହିଁ। ଆପଣ ଚାହୁଁଥିବା ଉତ୍ପାଦ କ୍ରୟ ପାଇଁ ଦ୍ବିତୀୟ ପସନ୍ଦ ଖୋଜନ୍ତୁ।

ଏକ୍ସପାଏରୀ ଡେଟ୍‌
ଅନ୍‌ଲାଇନ ଶପିଂରେ ସବୁଠୁ ଅଧିକ ଡର ଥାଏ ଏକ୍ସପାଏରୀ ହୋଇଯାଇଥିବା ସାମଗ୍ରୀର ବିକ୍ରି। ଏଥିରୁ ରକ୍ଷା ପାଇବା ପାଇଁ ଅର୍ଡର କରିବା ପୂର୍ବରୁ ଏକ୍ସପାଏରୀ ଡେଟ୍‌ ଯାଞ୍ଚ କରିନିଅନ୍ତୁ। ଯଦି କୌଣସି ପ୍ରଡକ୍ଟର ଏକ୍ସପାଏରୀ ଡେଟ୍‌ ଲେଖାଯାଇନି, ତେବେ ଏହାକୁ ମଗାଇବାର ରିସ୍କ ନିଅନ୍ତୁ ନାହିଁ।

ଅଫରର ଚକ୍କରରେ ପଡ଼ନ୍ତୁନି
ଗୋଟିଏ ନେଲେ ୬ଟି ଫ୍ରି, ୨୦୦ରେ ୭ଟି କମ୍ବୋ ଅଫର... ଏଭଳି ଅଫରର ଚକ୍କରରେ ପଡ଼ନ୍ତୁ ନାହିଁ। ଯଦି ପ୍ରଡକ୍ଟ ଉଚ୍ଚତମ ଗୁଣାତ୍ମକ ମାନର, ତେବେ କୌଣସି କମ୍ପାନୀ କେବେ ବି ଏଭଳି ଅଫର ଦେଇ ନ ଥାନ୍ତି। କ୍ରୟମୂଲ୍ୟ ଉପରେ ଡିସକାଉଣ୍ଟ ଓ ଅଫର ସେହିମାନେ ଦେଇଥାନ୍ତି, ଯେଉଁମାନେ ବଜାରକୁ ନୂଆ ପ୍ରବେଶ କରିଥାନ୍ତି ବା ସେମାନଙ୍କ ପ୍ରଡକ୍ଟ ଅନ୍ୟ ପ୍ରତିଷ୍ଠିତ ପ୍ରଡକ୍ଟ ଠାରୁ ଭଲ ନୁହେଁ ବୋଲି ସେମାନେ ଜାଣିଥାନ୍ତି।

ସର୍ତ୍ତାବଳୀ ପଢ଼ନ୍ତୁ
ପ୍ରଡକ୍ଟ ରିଟର୍ଣ୍ଣ ଠାରୁ ଆରମ୍ଭ କରି ଡେଲିଭରି ପର୍ଯ୍ୟନ୍ତ ସଂଶ୍ଲିଷ୍ଟ ଟର୍ମ ଆଣ୍ଡ କଣ୍ଡିସନ ନିଶ୍ଚିତ ପଢ଼ନ୍ତୁ। ଏହା ଏଥିପାଇଁ ଜରୁରୀ ଯେ ସାମଗ୍ରୀ ଆପଣଙ୍କ ନିକଟକୁ କୌଣସି ସେକେଣ୍ଡ କିମ୍ବା ଥାର୍ଡ ସୋର୍ସରୁ ଆସିଥାଏ। ଯଦି ସାମଗ୍ରୀ ଠିକ୍‌ ଭାବେ ଆପଣଙ୍କ ନିକଟକୁ ପହଞ୍ଚିଲା ନାହିଁ, ତେବେ ଆପଣ ତ୍ରୁଟିପୂର୍ଣ୍ଣ ଯୋଗାଣ ପାଇଁ ସର୍ତ୍ତାବଳୀ ଅନୁସାରେ ଆଇନଗତ ପଦକ୍ଷେପ ନେଇପାରିବେ।

ଏବେ ବିଶ୍ବସାରା କୋରୋନା ଭାଇରସର ଆତଙ୍କ। ଲୋକେ ଘର ବାହାରକୁ ବାହାରୁ ନାହାନ୍ତି। ସ୍କୁଲ, କଲେଜ, ଜିମ୍‌, ମଲ, ସିନେମା ହଲ ସବୁ ବନ୍ଦ। ଭାଇରସ କାରଣରୁ ଇ-କମର୍ସ କମ୍ପାନୀ ଗୁଡ଼ିକର ଡିମାଣ୍ଡ ବଢ଼ିବାରେ ଲାଗିଛି। ଅନ୍‌ଲାଇନ ଶପିଂ ପ୍ଲାଟଫର୍ମରେ ଏବେ ଅଚାନକ କୋଳାହଳ। ଅଚାନକ ଚାହିଦା ଦେଖିବା ପରେ ଆମେରିକାର ଆମାଜନ କମ୍ପାନୀ ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ପାଇଁ ବିଞପ୍ତି ପ୍ରକାଶ କରିଛି। ଲୋକେ ଘରେ ବସି ସାମଗ୍ରୀ ମଗାଉଛନ୍ତି। ସାନିଟାଇଜର, ମାସ୍କ, ସାବୁନ, ଡେଟ୍‌ଲ, ଆଫ୍ଟର ଶେଭ ସାମଗ୍ରୀ ଗୁଡ଼ିକର ଚାହିଦା ଗୁଣିତକ ଭାବେ ବଢ଼ିଛି। କମ୍ପାନୀ ତା’ର କର୍ମଚାରୀଙ୍କୁ ଘଣ୍ଟା ପ୍ରତି ୧୧୦୮ ଟଙ୍କା ପାରିଶ୍ରମିକ ଦେଉଛି। ଏଭଳି ସ୍ଥିତିରେ ଉପଭୋକ୍ତାମାନେ ଅଧିକ ସତର୍କ ହେବାର ଆବଶ୍ୟକତା ରହିଛି। ଯଦି ଆପଣ ବ୍ୟବହୃତ ହୋଇଥିବା ସାମଗ୍ରୀ ଅନଲାଇନରେ କିଣିବାକୁ ଚାହୁଁଛନ୍ତି, ତେବେ ଟିକେ ଅଧିକ ସତର୍କ ହେବାକୁ ପଡ଼ିବ। କୌଣସି ଲିଙ୍କ ଉପରେ ଆପଣ କ୍ଲିକ କରିବା ପୂର୍ବରୁ ଦୁଇଥର ଭାବନ୍ତୁ। କୌଣସି ଓଟିପି ଶେୟାର କରନ୍ତୁ ନାହିଁ। ଅଗ୍ରୀମ ଅର୍ଥ କୌଣସି ସ୍ଥିତିରେ ଦିଅନ୍ତୁ ନାହିଁ। ଯଦି ବ୍ୟବହୃତ ସାମଗ୍ରୀ କିଣୁଛନ୍ତି, ତେବେ ନିଜ ଆଖିରେ ଉତ୍ପାଦକୁ ଦେଖନ୍ତୁ। ଯାଞ୍ଚ କରନ୍ତୁ ଏବଂ କିଣନ୍ତୁ। ନ ହେଲେ ଆପଣ ଶସ୍ତା କିଣିବାକୁ ଯାଇ ହିନସ୍ତା ହେବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ