ଆଜି ଭାଲେଣ୍ଟାଇନ୍ସ୍‌ ଡେ’: ଶାଶ୍ବତ ପ୍ରେମର ବାର୍ତ୍ତାବହ


ବିଶ୍ବର ସବୁ ଧର୍ମ ଗ୍ରନ୍ଥ ଓ ସାହିତ୍ୟରେ ପ୍ରେମ ଶବ୍ଦର ସ୍ଥାନ ସ୍ବତନ୍ତ୍ର। ପ୍ରେମ ଏକ ଶାଶ୍ୱତ ଅନୁଭବ। ଦୁଇଟି ମନର ପବିତ୍ର ସମ୍ପର୍କ। ଦୁଇଟି ଅକ୍ଷରର ଏହି ଶବ୍ଦ ଦୁଇଟି ଭିନ୍ନ ମଣିଷଙ୍କୁ ଏକାଠି କରିଥାଏ। ଏହାର ଅର୍ଥ ବ୍ୟାପକ। ଏହା ଅସୀମ ଓ ଅନନ୍ତ। ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବ୍ରୁଆରୀ ୧୪ରେ ଭାଲେଣ୍ଟାଇନ୍ସ୍‌ ଡେ’ ପାଳିଥାନ୍ତି ପ୍ରେମୀଯୁଗଳ କିମ୍ବା ଦମ୍ପତିମାନେ। ବିଶେଷକରି ଯୁବପିଢ଼ି ଏହି ଦିନଟିକୁ ବେଶ୍‌ ଉତ୍ସାହର ସହ ପାଳନ କରିଥାନ୍ତି। ଫେବ୍ରୁଆରୀ ୭ ତାରିଖରୁ ଆରମ୍ଭ ହୋଇଥିବା ପ୍ରେମ ସପ୍ତାହର ବିଭିନ୍ନ ସୋପାନ ଯଥା ରୋଜ୍‌ ଡେ’, ପ୍ରପୋଜ୍‌ ଡେ’, ଚକୋଲେଟ୍‌ ଡେ’, ଟେଡ୍ଡି ଡେ’, ପ୍ରୋମିଜ୍‌ ଡେ’, ହଗ୍‌ ଡେ’, କିସ୍‌ ଡେ’ ସରିଥିବା ବେଳେ ଆଜି ହେଉଛି ସବୁଠୁ ଖୁସିର ଦିନ ଭାଲେଣ୍ଟାଇନ୍ସ୍‌ ଡେ’।

ଏହି ଦିନ ନିଜ ମନର ମଣିଷକୁ ହୃଦୟର କଥା କହିଥାନ୍ତି ପ୍ରେମୀ। ଏଥିପାଇଁ କିଏ କେତେ ପ୍ରକାର ଯୋଜନା ମଧ୍ୟ କରିଥାଏ। ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ଭାଲେଣ୍ଟାଇନ୍‌ ଡେ’ର ବହୁତ କ୍ରେଜ୍‌। ଏହି ଦିନ ପାର୍କ, ରେସ୍ତୋରାଁରେ ଅଧିକାଂଶ ପ୍ରେମୀ ଯୁଗଳଙ୍କୁ ଦେଖିବାକୁ ମିଳିଥାଏ। ଏହି ଦିନ ପ୍ରେମୀଯୁଗଳ ପରସ୍ପରକୁ ମନ ପସନ୍ଦର ଉପହାର ଦେଇଥାନ୍ତି। କୁହାଯାଏ, ପ୍ରେମ କେବେ ବି ଜାତି, ଧର୍ମ, ବୟସ, ରଙ୍ଗ କିଛି ଦେଖି ନ ଥାଏ। ଏହାକୁ ମନ ସହ ମନର ମିଳନ ବୋଲି କୁହାଯାଏ। ଭାଲେଣ୍ଟାଇନ୍ସ ଡେ’ କିମ୍ବା ପ୍ରେମ ଦିବସ ଏହା ଏକ ପାଶ୍ଚାତ୍ୟ ପରମ୍ପରା, ହେଲେ ଧୀରେ ଧୀରେ ଏହି ଦିନକୁ ସମସ୍ତେ ଆପଣାଇ ନେଲେଣି। ଆମ ଦେଶରେ ଅନେକ ବର୍ଷ ହେବ ଏହାକୁ ପାଳନ କରାଯାଇଆସୁଛି। ତେବେ ଭାଲେଣ୍ଟାଇନ୍ସ୍‌ ଡେ’ ପାଳନ ସମ୍ପର୍କରେ କେତୋଟି ମତ ରହିଛି।

ଏହି ଦିନ ସେଣ୍ଟ୍‌ ଭାଲେଣ୍ଟାଇନ୍‌ଙ୍କୁ ସମର୍ପିତ। ଏହି ଦିନରେ ସେଣ୍ଟ୍‌ ଭାଲେଣ୍ଟାଇନ୍‌ ଧର୍ମରକ୍ଷା ପାଇଁ ପ୍ରାଣ ହରାଇଥିବା ଉଲ୍ଲେଖ ରହିଛି। ପୋପ୍‌ ଜିଲାସିଅସ୍‌ ଫେବ୍ରୁଆରୀ ୧୪ କୁ ସେଣ୍ଟ୍‌ ଭାଲେଣ୍ଟାଇନ୍ସଙ୍କ ଦିବସ ଭାବେ ଘୋଷିତ କରିଥିଲେ। କିମ୍ବଦନ୍ତୀ ତଥା ଇତିହାସରେ ଏକାଧିକ ସେଣ୍ଟ୍‌ ଭାଲେଣ୍ଟାଇନ୍‌ଙ୍କ ଉଲ୍ଲେଖ ଥିବାରୁ ପ୍ରକୃତରେ କେଉଁ ସନ୍ଥଙ୍କ ପାଇଁ ଏହାର ପାଳନ ଆରମ୍ଭ ହୋଇଥିଲା, ତାହାର ନିର୍ଦ୍ଦିଷ୍ଟ ଭାବେ ଜଣାନାହିଁ। କୁହାଯାଏ, ରୋମ୍‌ରେ କ୍ଲାଉଡିୟସ୍‌ ଦ୍ବିତୀୟ ନାମକ ଜଣେ ରାଜା ଶାସନ କରୁଥିଲେ। ସେ ପ୍ରେମ ଓ ବିବାହକୁ ପସନ୍ଦ କରୁ ନ ଥିଲେ। ପ୍ରେମ ଓ ବିବାହ କାରଣରୁ ଯୋଦ୍ଧାମାନେ ତାଙ୍କ ଲକ୍ଷ୍ୟ ପୂରଣ କରିପାରନ୍ତି ନାହିଁ ବୋଲି ସେ ଭାବୁଥିଲେ। ଏଥିପାଇଁ ରୋମାନ୍‌ ସୈନ୍ୟମାନେ ପ୍ରେମ କିମ୍ବା ବିବାହ କରିପାରିବେ ନାହିଁ ବୋଲି ନିର୍ଦେଶ ଦେଇଥିଲେ। ସେହି ରାଜ୍ୟରେ ଭାଲେଣ୍ଟାଇନ୍‌ ନାମକ ସନ୍ଥ ବି ରହୁଥିଲେ। ସେ ରାଜାଙ୍କ ନିର୍ଦେଶକୁ ବିରୋଧ କରି ପ୍ରଜା ଓ ସୈନ୍ୟମାନଙ୍କୁ ପ୍ରେମ କରିବା ଲାଗି ପ୍ରେରିତ କରୁଥିଲେ। ଏପରିକି ସେମାନଙ୍କ ବାହାଘର ମଧ୍ୟ କରୁଥିଲେ। ଏହା ଜଣାପଡ଼ିବା ପରେ ରାଜାଙ୍କ କ୍ରୋଧର ଶିକାର ହୋଇଥିଲେ ସେଣ୍ଟ୍‌ ଭାଲେଣ୍ଟାଇନ୍‌। ତାଙ୍କୁ ବନ୍ଦୀ କରାଯାଇଥିଲା। ନିଜର ଅଲୌକିକ ଶକ୍ତି ବଳରେ ଭାଲେଣ୍ଟାଇନ୍‌ ବନ୍ଦୀଶାଳାର ମୁଖ୍ୟ ଅଷ୍ଟେରିୟସ୍‌ଙ୍କ ଅନ୍ଧୁଣୀ କନ୍ୟା ଜୁଲିଆଙ୍କ ଦୃଷ୍ଟିଶକ୍ତି ଫେରାଇ ଆଣିଥିଲେ। ବିସ୍ମିତ ଅଷ୍ଟେରିୟସ୍‌ଙ୍କ ପରିବାରର ସମସ୍ତ ସଦସ୍ୟ ଏବଂ କିଛି କାରାଗାରରକ୍ଷୀ ତାଙ୍କ ଦ୍ବାରା ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ ହୋଇଥିଲେ। ତେବେ ସମ୍ରାଟ ଏଥିରେ ପ୍ରଭାବିତ ନ ହୋଇ ସେଣ୍ଟ୍‌ ଭାଲେଣ୍ଟାଇନ୍‌ଙ୍କୁ ଫାଶୀଦଣ୍ଡ ଦେଇଥିଲେ। ମୃତ୍ୟୁ ପୂର୍ବରୁ ସେ ଜୁଲିଆଙ୍କୁ ଏକ ପତ୍ର ଲେଖିଥିବା ମଧ୍ୟ କୁହାଯାଏ। ସେଥିରେ ଲେଖାଥିଲା, ଇତି ତୁମର ଭାଲେଣ୍ଟାଇନ୍‌। ତେବେ ଭାଲେଣ୍ଟାଇନ୍‌ ପ୍ରେମ ନା ଶ୍ରଦ୍ଧା ଯୋଗୁ ଏହା ଲେଖିଥିଲେ, ତାହା ମଧ୍ୟ ଅଜଣା।

ପ୍ରେମର ପରିଭାଷା ମଣିଷଙ୍କଠାରୁ ଆରମ୍ଭ କରି ପ୍ରାଣୀଜଗତ ସବୁଠାରେ ପରିଲକ୍ଷିତ ହୋଇଥାଏ। ସ୍ନେହ ପ୍ରେମରେ ସାରା ଦୁନିଆକୁ ଜୟ କରାଯାଇପାରେ ବୋଲି ବୁଦ୍ଧିଜୀବୀ ମତ ଦେଇଥାନ୍ତି। ତେଣୁ ତ କୁହାଯାଇଥାଏ ହିଂସା ପ୍ରଣୋଦିତ ତରବାରୀ ଦ୍ୱାରା କରାଯାଇଥିବା ଜୟ ପ୍ରକୃତ ଜୟ ନୁହେଁ। ସ୍ନେହ ପ୍ରେମ ଦ୍ୱାରା ହୋଇଥିବା ହୃଦୟର ଜୟ ହିଁ ପ୍ରକୃତ ଜୟ। ଏହା ଭାଲେଣ୍ଟାଇନ୍ସ୍‌ ଡେ’ ବା ପ୍ରେମ ଦିବସର ପ୍ରକୃତ ଉଦ୍ଦେଶ୍ୟ। ଫେବୃୟାରୀ ୧୪କୁ ପୃଥିବୀ ବ୍ୟାପି ଭାଲେଣ୍ଟାଇନ୍ସ୍‌ ଡେ’ ଭାବେ ପାଳନ କରାଯାଇଥାଏ। ଦୀର୍ଘ ସାଢ଼େ ୧୭ ଶହ ବର୍ଷ ଧରି ଏହି ଦିନଟି ପୃଥିବୀବାସୀଙ୍କୁ ‘ପ୍ରେମ ହିଁ ଜୀବନ’ ବାର୍ତ୍ତା ଦେଇ ଚାଲିଛି। ଏହି ଦିନଟି ଯୁବବର୍ଗଙ୍କ ପାଇଁ ବିଶେଷ ମହତ୍ତ୍ୱ ରଖୁଥିଲେ ମଧ୍ୟ ସମାଜର ପ୍ରତିବର୍ଗର ଲୋକେ ନିଜ ନିଜ ମଧ୍ୟରେ ଥିବା ଭଲ ପାଇବାକୁ ପରିପ୍ରକାଶ କରିଥାନ୍ତି। ତୃତୀୟ ଶତାବ୍ଦୀରୁ ଏହି ଦିବସ ପାଳିତ ହୋଇ ଆସୁଛି।

ଭାଲେଟାଇନ୍ସ ଡେ’କୁ ଦୃଷ୍ଟିରେ ରଖି ରାଜଧାନୀରେ ବିଭିନ୍ନ ଫୁଲ ଦୋକାନରେ ଗୋଲାପ ଫୁଲର ପସରା ମେଲିଛି। ପ୍ରେମର ପ୍ରତୀକ କୁହା ଯାଉଥିବା ନାଲି ଗୋଲାପର ଚାହିଦା ଅଧିକ ରହିଛି। ଗୋଟିଏ ଗୋଲାପର ଦାମ ୩୦ ଟଙ୍କା ରହିଥିବା ବେଳେ ରୋଜ୍‌ ବୁକେର ଅଲଗା ଅଲଗା ଦର ରହିଛି। ସେହିପରି ପ୍ରେମୀ ଯୁଗଳଙ୍କ ପାଇଁ ରାଜଧାନୀ ଭୁବନେଶ୍ବର ସୁରକ୍ଷିତ ନ ଥିବା ପୂର୍ବରୁ ରେକର୍ଡ ରହିଛି। କେତେବେଳେ କଳିଙ୍ଗ ସେନା କିମ୍ବା ବଜରଙ୍ଗୀ ଦଳର କର୍ମୀମାନେ ପ୍ରେମୀଯୁଗଳମାନଙ୍କୁ ଅସ୍ତବ୍ୟସ୍ତ କରିଦେଇଛନ୍ତି ତ ଆଉ କେତେବେଳେ ଅନ୍ୟ ସାମାଜିକ କର୍ମୀମାନେ ଏହାକୁ ପାଶ୍ଚାତ୍ୟ ସଭ୍ୟତା କହି ବିରୋଧ କରିଛନ୍ତି। ସେଥିପାଇଁ ପ୍ରେମୀଯୁଗଳମାନେ ସହର ବାହରକୁ ଯିବା ପାଇଁ ପ୍ଲାନିଂ କରିଛନ୍ତି। କିନ୍ତୁ ଚଳିତ ବର୍ଷ ପ୍ରେମୀ ଯୁଗଳଙ୍କ ବିରୋଧ ନ କରି ସେମାନଙ୍କୁ ସଚେତନ କରିବା ବୋଲି କଳିଙ୍ଗସେନା ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ସମ୍ବିଧାନ ଅଧିକାରକୁ ସମ୍ମାନ ଦେବା କଥା କହିଛନ୍ତି ପୋଲିସ୍‌ କମିଶନର। ଆମ ସମ୍ବିଧାନରେ ସମସ୍ତଙ୍କ ସମାନ ଅଧିକାର ରହିଛି। ତେଣୁ ସମସ୍ତଙ୍କର ପ୍ରେମ ଦିବସ ପାଳନ କରିବାର ଅଧିକାର ରହିଛି। ସମସ୍ତେ ନିଜ ମୁତାବକ ଏହାକୁ ଅଭିବ୍ୟକ୍ତ କରିପାରିବେ। ସମ୍ବିଧାନ ପ୍ରତିଷ୍ଠାକୁ ବଜାୟ ରଖିବା ସମସ୍ତଙ୍କର ଦାୟିତ୍ବ ରହିଛି ବୋଲି ସେ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ