ଅପରାଧୀଙ୍କୁ ଟିକେଟ୍‌ ଦେବା ପଛର କାରଣ ସ୍ପଷ୍ଟ କର: ସୁପ୍ରିମ୍‌କୋର୍ଟ


ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ରାଜନୈତିକ ଦଳମାନେ ଦିନକୁ ଦିନ ଅଧିକ ସଂଖ୍ୟାରେ ଅପରାଧ ପୃଷ୍ଠଭୂମିସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ଟିକେଟ୍‌ ଦେଉଥିବା ପରିଲକ୍ଷିତ ହେଉଛି। ତେବେ ଆଗାମୀ ଦିନରେ ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ବଚ୍ଛ ଓ ଉତ୍ତରଦାୟୀ କରିବା ସକାଶେ ସୁପ୍ରିମ୍‌କୋର୍ଟ ରାଜନୈତିକ ଦଳମାନଙ୍କୁ ଏ ସଂକ୍ରାନ୍ତରେ ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି। କେଉଁ କାରଣ ପାଇଁ ରାଜନୈତିକ ଦଳମାନେ ଏପରି ଅପରାଧୀମାନଙ୍କୁ ଟିକେଟ୍‌ ଦେଇ ନିର୍ବାଚନରେ ପ୍ରାର୍ଥୀ କରୁଛନ୍ତି, ତାହାର କାରଣ ସ୍ପଷ୍ଟ କରିବା ସକାଶେ ସୁପ୍ରିମ୍‌କୋର୍ଟ ନିର୍ଦେଶ ଦେଇଛନ୍ତି। ସମ୍ପୃକ୍ତ ରାଜନୈତିକ ଦଳମାନେ ଏନେଇ କାରଣ ସେମାନଙ୍କ ୱେବ୍‌ସାଇଟ୍‌ରେ ଉପସ୍ଥାପନ କରିବା ସକାଶେ ନିର୍ଦେଶ ଦିଆଯାଇଛି। ଅପରାଧ ପୃଷ୍ଠଭୂମି ସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ନିର୍ବାଚନରେ ପ୍ରାର୍ଥୀ କରି ସେମାନଙ୍କ ଅପରାଧକୁ ଢାଲ କରି ନିର୍ବାଚନ ଜିତିବା କଦାପି ସ୍ପୃହଣୀୟ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।

ଏ ସଂକ୍ରାନ୍ତରେ ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ କୌଣସି ଅପରାଧ ପୃଷ୍ଠଭୂମି ସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ନିର୍ବାଚନରେ ପ୍ରାର୍ଥୀ କରୁଥିବା ଦଳ ଉକ୍ତ ବ୍ୟକ୍ତିବିଶେଷଙ୍କ ଅପରାଧ ସମ୍ପର୍କରେ ଗଣମାଧ୍ୟମ ଓ ସୋସାଲ୍‌ ମିଡିଆରେ ପ୍ରକାଶ କରିବା ଜରୁରୀ। କୌଣସି ଏକ ସ୍ଥାନୀୟ ଗଣମାଧ୍ୟମ ଏବଂ ଫେସ୍‌ବୁକ୍‌ ଓ ଟ୍ବିଟର୍‌ ପରି ସୋସାଲ୍‌ ମିଡିଆରେ ଉକ୍ତ ଅପରାଧ ପୃଷ୍ଠଭୂମି ସମ୍ପନ୍ନ ବ୍ୟକ୍ତିଙ୍କ ଅପରାଧ ସମ୍ପର୍କରେ ସୂଚନା ଦିଆଯିବାର ଆବଶ୍ୟକତା ରହିଛି ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଏହାଛଡ଼ା ସମ୍ପୃକ୍ତ ରାଜନୈତିକ ଦଳ ଉକ୍ତ ଅପରାଧୀ ପ୍ରାର୍ଥୀଙ୍କ ଅପରାଧ ସମ୍ପର୍କରେ ନିର୍ବାଚନ କମିଶନ୍‌ଙ୍କଠାରୁ ଏକ ଅନୁମତି ପତ୍ର ମଧ୍ୟ ହାସଲ କରିବେ ଓ ତାହାକୁ ଗଣମାଧ୍ୟମ କିମ୍ବା ସୋସାଲ୍‌ ମିଡିଆରେ ଉପସ୍ଥାପିତ କରିବେ। ଅନୁମତି ପତ୍ରଟି ଯଦି ନିର୍ବାଚନ କମିଶନ୍‌ଙ୍କ ଦ୍ବାରା ପୂରଣ ହୋଇ ନ ଥାଏ, ତା’ହେଲେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତ ୪ଟି ନିର୍ବାଚନରେ ଅପରାଧିକ ରେକର୍ଡ ସମ୍ପନ୍ନ ବ୍ୟକ୍ତିବିଶେଷମାନଙ୍କ ସଂଖ୍ୟା ନିର୍ବାଚନରେ କ୍ରମଶଃ ବଢ଼ି ବଢ଼ି ଚାଲିଥିବା ସୁପ୍ରିମ୍‌କୋର୍ଟ ହୃଦୟଙ୍ଗମ କରିବା ପରେ ଏହା ଉପରେ ସ୍ବତନ୍ତ୍ର ନିର୍ଦେଶନାମା ଜାରି କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ