ଶାସକ-ବିରୋଧୀ ଛକାପଞ୍ଝା, ସାମାଜିକ କ୍ଷେତ୍ର ଉପରେ ନଜର


କେନ୍ଦ୍ର ସରକାର ୨୦୨୦-୨୧ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିସାରିଛନ୍ତି। ଫେବ୍ରୁଆରୀ ୧୪ରୁ ଓଡ଼ିଶା ବିଧାନସଭାରେ ଆରମ୍ଭ ହେବାକୁ ଯାଉଛି ବଜେଟ ଅଧିବେଶନ। ରାଜ୍ୟ ସରକାର ଫେବ୍ରୁଆରୀ ୧୮ରେ ରାଜ୍ୟ ବଜେଟ ଉପସ୍ଥାପିତ କରିବେ। ପାରମ୍ପରିକ ଭାବେ ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ ବଜେଟ ଅଧିବେଶନକୁ ସମ୍ବୋଧିତ କରିବେ। ଫେବ୍ରୁଆରୀ ୧୪ରୁ ଆରମ୍ଭ ହେଉଥିବା ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହୋଇ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। କିନ୍ତୁ ସବୁ ଅଧିବେଶନ ପରି ଏହି ଅଧିବେଶନ ମଧ୍ୟ ଶେଷ ପର୍ଯ୍ୟନ୍ତ ଚାଲି ନ ପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି। ବଜେଟ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଫେବ୍ରୁଆରୀ ୧୩ରେ ବିଜେପି ନିଜ ବିଧାୟକ ଦଳର ବୈଠକରେ ରଣନୀତି ପ୍ରସ୍ତୁତ କରିଥିବା ବେଳେ କଂଗ୍ରେସର ନବଗ୍ରହ ଅର୍ଥାତ୍‌ ୯ ଜଣ ନିର୍ବାଚିଚ ବିଧାୟକ ବିଧାନସଭାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ। ଶାସକ ଦଳ ମଧ୍ୟ ଏ ଦିଗରେ ପ୍ରସ୍ତୁତ ରହିଛି। ଦିଲ୍ଲୀ ନିର୍ବାଚନରେ ଉଭୟ କଂଗ୍ରେସ ଓ ବିଜେପି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆଞ୍ଚଳିକ ଦଳର ବିଜୟରେ ଉତ୍‌ଫୁଲ୍ଲିତ ରହିଛି। ଦଳ ଦିଲ୍ଲୀ ନିର୍ବାଚନରେ ଜାତୀୟ ଦଳ ଗୁଡ଼ିକର ବିଫଳତାକୁ ଦର୍ଶାଇ କାଉଣ୍ଟର ଆଟାକ ମୁଡ୍‌ରେ ରହିଛି। ଶେଷରେ ଯଦି ବିରୋଧୀଙ୍କୁ ଚୁପ୍‌ କରା ନ ଯାଇ ପାରେ ତେବେ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଧାନସଭାକୁ ଅଧାରୁ ମୁଲତବି ରଖିବା ଦିଗରେ ଶାସକ ଦଳ କୌଶଳ ପ୍ରୟୋଗ କରିପାରେ।

ବଜେଟ ଅଧିବେଶନରେ ଭାଜପା ମୁଖ୍ୟତଃ ରାଜ୍ୟରେ ନାରୀ ନିର୍ଯାତନା, ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା, ଚାଷୀଙ୍କ ଦୁର୍ଦ୍ଦଶା ଓ ଗଞ୍ଜାମ ବିଦ୍ୟୁତ୍‌ ତାର ଲାଗି ୧୦ ଯାତ୍ରୀଙ୍କ ମୃତ୍ୟୁ ଘଟରାରେ ତିନୋଟି ବିାଗର ପରସ୍ପରକୁ ଦୋଷ ଲଦିବା ଘଟଣା ପ୍ରମୁଖ ଅସ୍ତ୍ର ହେବ। ଭାଜପା ଓ କଂଗ୍ରେସର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଗତ ଦୁଇଟି ଅଧିବେଶନରେ କଂଗ୍ରେସର ୯ ଜଣ ବିଧାୟକ ଯେଭଳି ଢଙ୍ଗରେ ଜୋରଦାର ଆକ୍ରମଣ କରିଥିଲେ, ଅନୁରୂପ ଆକ୍ରମଣ ବଜେଟ ଅଧିବେଶନରେ ଦେଖିବାକୁ ମିଳିବ। ଦଳ ବିଜେଡି ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ଼ ପୋଲିସର ଗିରଫ ଘଟଣା, ବ୍ରହ୍ମପୁରରେ ବିଜେଡି ନେତ୍ରୀଙ୍କ ଏସ୍‌ପି ଅଫିସ ଆଗରେ ଆତ୍ମହତ୍ୟା ଉଦ୍ୟମ, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ସୂଚନା ଅଧିକାର କର୍ମୀଙ୍କ ହାତ୍ୟା ଘଟଣା ଭଳି ପ୍ରସଙ୍ଗ ଗୁଡ଼ିକରେ ଶାସକ ଦଳକୁ ଘେରିବ। ବଜେଟରେ ସାମାଜିକ କ୍ଷେତ୍ରରେ ନବୀନ ସରକାରଙ୍କ ପ୍ରାବଧାନ ଓ ବିକାଶ ଅପହଞ୍ଚତାକୁ ନେଇ ଏଥରର ବିଧାନସଭା ସରଗରମ ରହିବ। ବର୍ଷ ବର୍ଷ ଧରି ବ୍ୟାପକ ଅନୁଦାନ ସତ୍ତ୍ବେ ଓଡ଼ିଶାର ବିକାଶ କାହିଁକି ପଡ଼ୋଶୀ ରାଜ୍ୟଗୁଡ଼ିକ ସହିତ ସମକକ୍ଷ ହୋଇପାରୁ ନାହିଁ, ଏବଂ ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, ଜୀବିକା, ରୋଜଗାର ଦିଗରେ ଓଡ଼ିଶାର ପ୍ରଗତି କାହିଁକି ସନ୍ତୋଷଜନକ ହୋଇପାରୁ ନାହିଁ, ତାକୁ ନେଇ ଚର୍ଚ୍ଚା ଜୋର ଧରିବାର ଅନୁମାନ କରାଯାଉଛି।

ବିଧାନସଭାରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଅପେକ୍ଷାକୃତ ଶାନ୍ତ ସ୍ବଭାବର ଏବଂ ଜୋରଦାର ଆକ୍ରମଣ ପାଇଁ ସେ ପ୍ରସ୍ତୁତ ନ ଥିବାରୁ ବିଗତ ଦୁଇଟି ଅଧିବେଶନରେ କଂଗ୍ରେସ ମୁଖ୍ୟ ବିରୋଧୀଦଳର ଭୂମିକା ତୁଲାଇଛି। ଚଳିତ ଥର ରାଜ୍ୟ ବିଜେପିକୁ ନୂଆ ସଭାପତି ମିଳିଛି। ସମୀର ମହାନ୍ତି ଅପେକ୍ଷାକୃତ ଟିକେ ଏଗ୍ରେସିଭ କାରଣରୁ ବିଜେପି ତାର ରଣନୀତି ବଦଳାଇ ଜୋରଦାର ଆକ୍ରମଣ କରିପାରେ। କଂଗ୍ରେସ ଚାଷୀଙ୍କ ଧାନ କିଣାରେ ସରକାରୀ ଅବହେଳା, ନାରୀ  ନିର୍ଯାତନା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଆଦି ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରିପାରେ।

ଫେବ୍ରୁଆରୀ ପ୍ରଥମ ସପ୍ତାହରେ କେନ୍ଦ୍ର ସରକାର ଯେଉଁ ବଜେଟ ଉପସ୍ଥାପିତ କରିଛନ୍ତି, ତାହା ଓଡ଼ିଶା ପାଇଁ ଉତ୍ସାହଜନକ ନୁହେଁ ବୋଲି ବିଜେଡି କହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ କାଉଣ୍ଟର କରି ଚଳିତ ବର୍ଷର ସାଧାରଣ ବଜେଟ ଦ୍ବାରା ପଛୁଆବର୍ଗ, ଜନଜାତି ଓ ଦଳିତ ବର୍ଗର ଲୋକମାନେ ଅଧିକ ଲାଭାନ୍ବିତ ହେବେ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି। ତେଣେ ଶିଶୁ ମୃତ୍ୟୁହାର, ମାତୃ ମୃତ୍ୟୁହାର, ଅପପୁଷ୍ଟି, ରକ୍ତହୀନତା, ଗୁଣାତ୍ମକ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ଆଦି ପ୍ରାଥମିକ ସମସ୍ୟା ଭଳି ପ୍ରସଭ୍ଗ ଗୁଡ଼ିକୁ ବଜେଟରେ ପ୍ରାବଧାନ ଦିଆଯାଇ ନାହିଁ ବେଲି କଂଗ୍ରେସ କହିଛି। ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ କ୍ରମେ କେନ୍ଦ୍ର ବଜେଟର ମୋଟ ପରିମାଣରୁ ରାଜ୍ୟମାନଙ୍କୁ ୪.୧% ଅର୍ଥ ବ୍ୟବସ୍ଥା ରହିଛି ଯାହା ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସ ଠାରୁ ୧% କମ୍‌ ରହିଛି। ଅର୍ଥ କମିଶନଙ୍କ ଅନୁଯାୟୀ ଆନ୍ତଃ ରାଜ୍ୟ ଅର୍ଥ ଆବଣ୍ଟନରେ ଓଡ଼ିଶାକୁ ମିଳିବାକୁ ଥିବା ଭାଗରେ ୧୦୨ କୋଟି ଟଙ୍କା କମ୍‌ ରହିବ। ସାମାଜିକ କ୍ଷେତ୍ରରେ ମୋଟ କାର୍ଯ୍ୟକ୍ରମ ବ୍ୟୟ ବରାଦକୁ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଓ କେନ୍ଦ୍ର ଯୋଜନା ବାବଦକୁ ଅର୍ଥ ୨୦୧୭-୧୮ ଆର୍ଥିକ ବର୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୬୧.୮% ରୁ ୪୯.୨୮ ପ୍ରତିଶତକୁ କମିଛି। ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ବୋଲି କୁହାଯାଉଥିବା ବେଳେ ଆଗାମୀ ୧୮ ତାରିଖରେ ଉପସ୍ଥାପିତ ହେଉଥିବା ଓଡ଼ିଶା ବଜେଟ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଗୁରୁବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବିଜେଡି ବିଧାୟକ ଦଳ ବୈଠକ ୫.୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିବା ବେଳେ ବିଜେପି ଓ କଂଗ୍ରେସର ବିଧାୟକମାନେ ମଧ୍ୟ ଏକାଠି ବସି ରଣନୀତି ପ୍ରସ୍ତୁତ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍କାଘର ଯୋଜନା ଏବଂ ଓବିସି ଗଣନାକୁ ନେଇ ମଧ୍ୟ ଶାସକ ଦଳକୁ ଘେରିବେ ବିରୋଧୀ। ରେଳ ବଜେଟରେ ରାଜ୍ୟ ପ୍ରତି ଅବହେଳା ପ୍ରସଙ୍ଗକୁ କଂଗ୍ରେସ ଉଠାଇପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ