ଏସ୍‌ପି ଅଫିସ୍‌ ସମ୍ମୁଖରେ ନିଜକୁ ଜାଳିଦେଲେ ବିଜେଡି ନେତ୍ରୀ


ପୁଅକୁ ଏକ ମିଥ୍ୟା ମାମଲାରେ ପୋଲିସ୍‌ ଗିରଫ କରି ନେବାରୁ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଲେ ବ୍ରହ୍ମପୁର ବିଜେଡି କାର୍ଯ୍ୟକାରିଣୀ ସଦସ୍ୟା ମୀନାକ୍ଷୀ ମିଶ୍ର। ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର ରାଜ୍ୟ ମୀନାକ୍ଷୀ ମିଶ୍ର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ବୈଦ୍ୟନାଥପୁର ଥାନା ପୋଲିସ୍‌ ୩୧/୨୦ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ୍‌ ଘଟଣାସ୍ଥଳରୁ ମୀନାକ୍ଷୀଙ୍କ ପୋଡ଼ି ଯାଇଥିବା ଶାଢ଼ି, ଏକ ବ୍ୟାଗ୍‌ ଓ କିରାସିନି ଡବା ଜବତ କରିଛି।

ସୂଚନାଯୋଗ୍ୟ ସୂଚନା ଅନୁସାରେ, ଗତ ୨୮ ତାରିଖରେ ମିନାକ୍ଷୀଙ୍କ ଘର ସାମ୍ନାରେ ଏକ ପାର୍କିଂକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହି ଘଟଣାକୁ ନେଇ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିଲେ ମିନାକ୍ଷୀ ମିଶ୍ର ଏବଂ ତାଙ୍କ ପୁଅ ରାଜା ମିଶ୍ର। ଏହି ମାମଲାରେ ପୋଲିସ୍‌ ୫ ଜଣଙ୍କୁ ଗିରଫ କରିଥିଲା। ରାଜା ମିଶ୍ରଙ୍କ ସମେତ  ଆଶିଷ ମହାରଣା, ପିଣ୍ଟୁ ବେହେରା, ସୁନୀଲ ମହାରଣା, କାଳିଆ ସାହୁଙ୍କୁ ଗିରଫ କରିଥିଲା ପୋଲିସ୍‌। ମୀନାକ୍ଷୀ ଏହାକୁ ଗ୍ରହଣ କରି ପାରି ନ ଥିଲେ। ପୁଅକୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ୍‌ ଗିରଫ କରି ନ ଥିବାବେଳେ ତାଙ୍କ ପୁଅକୁ ଆକ୍ରୋଶମୂଳକ ଭାବେ ମିଥ୍ୟା ମାମାଲାରେ ଫସାଇ ଗିରଫ କରା ଯାଇଥିବା ଅଭିଯୋଗ ଆଣିଥିଲେ। ଏହି ଘଟଣାକୁ ନେଇ ମିନାକ୍ଷୀ ବୁଧବାର ଏସ୍‌ପିଙ୍କୁ ଭେଟିବାକୁ ଆସିଥିଲେ। ଏସ୍‌ପି କୌଣସି କାମରେ ବ୍ୟସ୍ତ ଥିବାରୁ ତାଙ୍କୁ ମୀନାକ୍ଷୀ ଭେଟି ପାରି ନ ଥିଲେ। ଏଏସ୍‌ପିଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ତାଙ୍କଠାରୁ ନ୍ୟାୟ ନ ପାଇବାରୁ ମୀନାକ୍ଷୀ ଏକ ବ୍ୟାଗରେ ଧରି ଆସିଥିବା କିରୋସିନ ଦେହରେ ଢାଳି ନିଆଁ ଲଗାଇ ଦେଇଥିଲେ। ସେ ହୁତ୍‌ ହୁତ୍‌ ଜଳୁଥିବା ଦେଖି ନିକଟରେ ଥିବା କିଛି କର୍ମଚାରୀ ଦୌଡ଼ି ଯାଇ ନିଆଁ ଲିଭାଇଥିଲେ ଏବଂ ମୀନାକ୍ଷୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ। ଅନ୍ୟପଟେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ବଡ ମେଡିକାଲରେ ପହଞ୍ଚି ଡାକ୍ତରଙ୍କଠାରୁ ମୀନାକ୍ଷୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ