ଡବଲ୍‌ ମର୍ଡର ମାମଲାରେ ବିଜେଡି ନେତା ଅନୁପ ସାଏ ଗିରଫ


ଝାରସୁଗୁଡ଼ା: ଏକ ଡବଲ୍‌ ମର୍ଡର ମାମଲାରେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଛି ଛତିଶଗଡ଼ ପୋଲିସ୍‌। ରାୟଗଡ଼ ପୋଲିସ୍‌ ବୁଧବାର ରାତିରେ ଅନୁପଙ୍କୁ ଏକ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଉଠାଇ ନେଇଥିଲା। ବର୍ତ୍ତମାନ ପୋଲିସ୍‌ ଅନୁପଙ୍କୁ ରାୟଗଡ଼ା ଜିଲ୍ଲାର ଚକ୍ରଧରନଗର ଥାନାରେ ରଖି ପଚରାଉଚରା କରୁଛି। ବର୍ତ୍ତମାନ ରାଜ୍ୟ ପଣ୍ୟଗାର ନିଗମର ଅଧ୍ୟକ୍ଷ ଅଛନ୍ତି ଅନୁପ କୁମାର ସାଏ। ଅନୁପ କୁମାର ସାଏ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ତିନି ତିନି ଥର ବିଧାୟକ ଥିଲେ। କଂଗ୍ରେସ ଟିକେଟ୍‌ରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ରୁ ସେ ବିଜେଡିରେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, ୨୦୧୬ରେ ବ୍ରଜରାଜ ନଗରର ଜନୈକ ମହିଳା କଳ୍ପନା ଦାସ(୩୨) ଏବଂ ତାଙ୍କ ଝିଅ ବବ୍‍ଲି ଓରଫ ପ୍ରଭାତି(୧୫)ଙ୍କୁ ହତ୍ୟା କରାଯାଇଥିଲା। ପରେ ଛତିଶଗଡ଼ର ରାୟଗଡ଼ା ଜିଲ୍ଲାର ଏକ ଜଙ୍ଗଲରୁ ପୋଲିସ୍‌ ଉଭୟଙ୍କର ଶବ ଜବତ କରିଥିଲା। ଏହାକୁ ନେଇ ବିଭିନ୍ନ ଥାନାରେ ତଦନ୍ତ କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ଭେଟି କିଛି ଗୋପନୀୟ ତଥ୍ୟ ସଂଗ୍ରହ କରିଥିଲା ପୋଲିସ୍‌। ତେବେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ସନ୍ଦେହ କରି ଛତିଶଗଡ଼ ପୋଲିସ୍‌ ଅନୁପ ସାଏଙ୍କୁ ଗିରଫ କରିଛି। ସ୍ଥାନୀୟ ବିଜେପି ବିଧାୟକ ରାଧାରାଣୀ ପଣ୍ଡା ବି ଏହି ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ଅନୁପ କୁମାର ସାଏ ସମ୍ପୃକ୍ତ ଥିବା ଅଭିଯୋଗ ଆଣି ତାଙ୍କର ଗିରଫ ଦାବି କରିଥିଲେ। ଶତିଶଗଡ଼ର ରାୟଗଡ଼ ଜିଲ୍ଲାର ଚକ୍ରଧରନଗର ଥାନା ପୋଲିସ୍‌ ବୁଧବାର ରାତି ପ୍ରାୟ ୯ଟା ୨୩ ମିନିଟ୍‌ ସମୟରେ ବ୍ରଜରାଜ ନଗରର ଶିରିଡ଼ିସାଇ ମନ୍ଦିର ନିକଟରୁ ଅନୁପ କୁମାର ସାଏଙ୍କୁ ଉଠାଇ ନେଇଥିଲା। ଅନୁପଙ୍କୁ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଉଠାଇ ନେଇ ପୋଲିସ୍‌ ପଚରାଉଚୁରା କରିବା ପରେ ଗିରଫ କରିଥିବା ଜଣାଯାଇଛି। ଅନୁପଙ୍କ ପରିବାରକୁ ବି ତାଙ୍କୁ ଉଠାଇ ନିଆଯିବା ଓ ଚକ୍ରଧରନଗର ଥାନାରେ ରଖାଯାଇଥିବା ବିଷୟରେ ଜଣାଇଥିଲା ଛତିଶଗଡ଼ ପୋଲିସ୍‌।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ