ଦିନିକିଆରେ ପୁଣି ହାରିଲା ଭାରତ: ସିରିଜ୍‌ ପୋଛିନେଲା ନ୍ୟୁଜିଲାଣ୍ଡ୍‌


ଚଳିତ ଦିନିକିଆ ସିରିଜ୍‌ରେ ଭାରତର ପରାଜୟ ଧାରା ଜାରି ରହିବା ଫଳରେ ଘରୋଇ ନ୍ୟୁଜିଲାଣ୍ଡ୍‌ ଟି-୨୦ ସିରିଜ୍‌ର ବଦ୍‌ଲା ନେଇପାରିଛି। ପୂର୍ବରୁ ୨ଟି ମ୍ୟାଚ୍‌ ଜିତି ନ୍ୟୁଜିଲାଣ୍ଡ୍‌ ଦିନିକିଆ ସିରିଜ୍‌ ଉପରେ କବ୍‌ଜା କରିସାରିଥିବା ବେଳେ ମଙ୍ଗଳବାର ଖେଳାଯାଇଥିବା ସିରିଜ୍‌ର ତୃତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍‌କୁ ୫ ୱିକେଟ୍‌ରେ ଜିତିନେଇଛି। ଫଳରେ ଦଳ ୩-୦ରେ ସିରିଜ୍‌ ପୋଛିନେଇଛି। ପ୍ରଥମେ ବ୍ୟାଟିଂ ପାଇ ଭାରତ ୭ ୱିକେଟ୍‌ ବିନିମୟରେ ୨୯୬ ରନ୍‌ କରିଥିବା ବେଳେ ଜବାବରେ ନ୍ୟୁଜିଲାଣ୍ଡ୍‌ ହାତରେ ୫ଟି ୱିକେଟ୍‌ ଓ ୧୭ଟି ବଲ୍‌ ବାକି ଥିବା ବେଳେ ଲକ୍ଷ୍ୟସ୍ଥଳରେ ପହଞ୍ଚିଯାଇଥିଲା। ଓପନର ହେନ୍‌ରୀ ନିକୋଲ୍ସ ମ୍ୟାନ୍‌ ଅଫ୍ ଦ ମ୍ୟାଚ୍‌ ଓ ଭେଟେରାନ୍‌ ବ୍ୟାଟ୍ସମ୍ୟାନ୍‌ ରସ୍‌ ଟେଲର୍‌ ମ୍ୟାନ୍‌ ଅଫ୍ ଦ ସିରିଜ୍ ବିବେଚିତ ହୋଇଛନ୍ତି। ଉଭୟ ଦଳ ମଧ୍ୟରେ ଆସନ୍ତା ୨୧ରୁ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ସିରିଜ୍‌ ୱେଲିଂଟନ୍‌ଠାରେ ଆରମ୍ଭ ହେବ।

ଭାରତ ପକ୍ଷରୁ ଓପନର ମୟଙ୍କ ଅଗରୱାଲ୍‌ ପୁଣି ଥରେ ବିଫଳ ହୋଇ ମାତ୍ର ୧ ରନ୍ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ମାତ୍ର ୯ ରନ୍‌ କରିଥିଲେ। ଅନ୍ୟତମ ଓପନର ପୃଥ୍ବୀ ଶ’ ୪୨ ବଲ୍‌ ଖେଳି ୩ଟି ଚୌକା ଓ ୨ଟି ଛକା ସହ ୪୦ ରନ୍‌ କରିବା ପରେ ଆଉଟ୍‌ ହୋଇଯିବାରୁ ଭାରତ ମାତ୍ର ୬୨ ରନ୍‌ ମଧ୍ୟରେ ୩ ଜଣ ଖେଳାଳିଙ୍କୁ ହରାଇଥିଲା। ଏହି ସମୟରେ ଶ୍ରେୟସ୍‌ ଆୟର୍‌ ଓ ଲୋକେଶ ରାହୁଲ୍‌ ୧୦୦ ଏବଂ ରାହୁଲ୍‌ ଓ ମନୀଷ ପାଣ୍ଡେଙ୍କ ମଧ୍ୟରେ ୧୦୭ ରନ୍‌ର ଭାଗିଦାରୀ ହେବା ଫଳରେ ଭାରତ ଏକ ଚାଲେଞ୍ଜ୍‌ପୂର୍ଣ୍ଣ ଟାର୍ଗେଟ୍‌ ଦେବାରେ ସକ୍ଷମ ହୋଇଥିଲା। ରାହୁଲ୍‌ ୧୧୩ ବଲ୍‌ ଖେଳି ୯ଟି ଚୌକା ଓ ୨ଟି ଛକା ସହ ୧୧୨ ରନ୍‌ କରିଥିବା ବେଳେ ଆୟର୍‌ ୬୩ ବଲ୍‌ରେ ୯ ଚୌକା ସହ ୬୨ ରନ୍‌ କରିଥିଲେ। ଏହାଛଡ଼ା ପାଣ୍ଡେ ୨ଟି ଚୌକା ସହ ୪୨ ରନ୍‌ କରିଥିଲେ। ନ୍ୟୁଜିଲାଣ୍ଡ୍‌ ପକ୍ଷରୁ ହାମିଶ୍‌ ବେନିଟ୍‌ ୪ଟି ୱିକେଟ୍‌ ନେଇଥିଲେ।

ନ୍ୟୁଜିଲାଣ୍ଡ୍‌ ପାଇଁ ଦୁଇ ଓପନର ଚଳିତ ସିରିଜ୍‌ରେ ପୁଣି ଏକ ମଜବୁଭ ଭାଗିଦାରୀ ଗଢ଼ିଥିଲେ। ଉଭୟ ୧୦୬ ରନ୍‌ ଯୋଡ଼ିବା ପରେ ମାର୍ଟିନ୍‌ ଗପ୍ଟିଲ୍‌ ୪୬ ବଲ୍‌ରେ ୬ଟି ଚୌକା ଓ ୪ଟି ଛକା ସହ ୬୬ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାପରେ ନ୍ୟୁଜିଲାଣ୍ଡ୍‌ ନିୟମିତ ଭାବେ ଭାଗିଦାରୀ କରି ଭାରତ ହାତକୁ ମ୍ୟାଚ୍‌କୁ ଖସାଇ ନେଇଥିଲା। ଷଷ୍ଠ ୱିକେଟ୍‌ ପାଇଁ କଲିନ୍‌ ଡି’ ଗ୍ରାଣ୍ଡ୍‌ହୋମ୍‌ ଓ ଟମ୍‌ ଲାଥାମ୍‌ ଅବିଭାଜିତ ୮୦ ରନ୍‌ କରି ଦଳୀୟ ସ୍କୋର୍‌କୁ ୫ ୱିକେଟ୍‌ରେ ୩୦୦ରେ ପହଞ୍ଚାଇଦେଇଥିଲେ। ଗ୍ରାଣ୍ଡ୍‌ହୋମ୍‌ ମାତ୍ର ୨୮ ବଲ୍‌ ଖେଳି ୬ଟି ଚୌକା ଓ ୩ଟି ଛକା ସହ ୫୮ ରନ୍ କରିଥିଲେ। ସେହିପରି ନିକୋଲ୍ସ ଆଉଟ୍‌ ହେବା ପୂର୍ବରୁ ୧୦୩ ବଲ୍‌ରେ ୯ଟି ଚୌକା ସହ ୮୦ ରନ୍‌ କରିଥିଲେ। ଏହାଛଡ଼ା ଲାଥାମ୍‌ ୩୪ ବଲ୍‌ରେ ୩ଟି ଚୌକା ସହ ୩୨ ରନ୍‌ କରିଅ ପରାଜିତ ରହିଥିଲେ। ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ୍‌ ୩ଟି ୱିକେଟ୍‌ ନେଇଥିଲେ। ଟେଷ୍ଟ୍‌ ସିରିଜ୍‌ ପୂର୍ବରୁ ଭାରତ ଆସନ୍ତା ୧୪ରୁ ଚଳିତ ଗସ୍ତର ଏକମାତ୍ର ଅଭ୍ୟାସ ମ୍ୟାଚ୍‌ ନ୍ୟୁଜିଲାଣ୍ଡ୍‌ ଏକାଦଶ ବିପକ୍ଷରେ ଖେଳିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ