ଭଡ଼ା ବୃଦ୍ଧି ବଢ଼ାଇବ ରେଳବାଇର ଆୟ

ଟିକେଟ୍‌ ବିକ୍ରିରୁ ୬୧ ହଜାର କୋଟି ଓ ପରିବହନ ଭଡ଼ାରୁ ୧.୪୭ ଲକ୍ଷ କୋଟି ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ

ଆଗାମୀ ଆର୍ଥିକ ବର୍ଷ ପାଇଁ ଟିକେଟ୍‌ ବିକ୍ରିରୁ ଭାରତୀୟ ରେଳବାଇ ପୂର୍ବ ବର୍ଷ ତୁଳନାରେ ୧୨ ଗୁଣା ଅଧିକ ଅର୍ଥ ପାଇବାର ଲକ୍ଷ୍ୟ ସ୍ଥିର କରିଛି। ଗତବର୍ଷ ରେଳବାଇ ଟିକେଟ୍‌ ବିକ୍ରିରୁ ୫ ହଜାର କୋଟି ଟଙ୍କା ପାଇଥିବା ବେଳେ ଏବେ ଏହା ମାଧ୍ୟମରେ ୬୧ ହଜାର କୋଟି ଟଙ୍କା ସଂଗ୍ରହ କରାଯିବାର ଲକ୍ଷ୍ୟ ରଖାଯାଇଛି। ଦ୍ରବ୍ୟ ପରିବହନ ବାବଦ ଭଡ଼ା ମଧ୍ୟ ୪ ହଜାର କୋଟିରୁ ୧.୪୭ ଲକ୍ଷ କୋଟି ଟଙ୍କା ପାଇଁ ଲକ୍ଷ୍ୟ ରଖାଯାଇଛି। ଏ ସମ୍ପର୍କିତ ତଥ୍ୟ ରେଳ ମନ୍ତ୍ରାଳୟ ପକ୍ଷରୁ ସଂସଦରେ ଉପସ୍ଥାପିତ ପିଙ୍କ୍‌ ବୁକ୍‌ରେ ଦର୍ଶାଯାଇଛି।

ଭାରତୀୟ ରେଳବାଇ ଏପ୍ରିଲରୁ ଆରମ୍ଭ ହେଉଥିବା ୨୦୨୦-୨୧ ଆର୍ଥିକ ବର୍ଷରେ ଟ୍ରେନ ଟିକେଟ୍‌ ବିକ୍ରି କରି ହେବାକୁ ଥିବା ଆମଦାନିର ଲକ୍ଷ୍ୟକୁ ବୃଦ୍ଧି କରାଯାଇଛି। ଆଗାମୀ ଆର୍ଥିକ ବର୍ଷରେ ଟିକେଟ୍‌ ବିକ୍ରି ଜରିଆରେ ଆମଦାନି ୫ ହଜାର କୋଟି ଟଙ୍କାରୁ ୬୧ ହଜାର କୋଟି ଟଙ୍କାକୁ ବୃଦ୍ଧି ଲକ୍ଷ୍ୟ ସହିତ ମାଲ୍‌ ପରିବହନ ଭଡ଼ା ବାବଦକୁ ଆଦାୟ ଅର୍ଥ ୪ ହଜାର କୋଟିରୁ ବୃଦ୍ଧି କରି ୧.୪୭ ଲକ୍ଷ କୋଟି ଟଙ୍କାର ନୂଆ ଲକ୍ଷ୍ୟ ରଖାଯାଇଛି। ସୂଚନାଯୋଗ୍ୟ, ରେଳ ମନ୍ତ୍ରାଳୟ ପକ୍ଷରୁ ଉପସ୍ଥାପିତ ପିଙ୍କବୁକ୍‌ରେ ଆୟ ଓ ବ୍ୟୟର ସମ୍ପୂର୍ଣ୍ଣ ହିସାବ ଓ ବ୍ୟାଖ୍ୟା ପ୍ରଦତ୍ତ କରାଯାଇଥାଏ। କେଉଁ ପ୍ରକଳ୍ପ କେବେ ଆରମ୍ଭ ହେବ ଏବଂ ଏଥିପାଇଁ କେତେ ଅର୍ଥ ବ୍ୟୟ ବରାଦ ହୋଇଛି ପିଙ୍କ ବୁକ୍‌ରେ ଦର୍ଶାଯାଇଥାଏ।

ଡିସେମ୍ବର ମାସରେ ରେଳ ମନ୍ତ୍ରାଳୟ ଯାତ୍ରୀଭଡ଼ା ବୃଦ୍ଧି କରିବା ପାଇଁ ଘୋଷଣା କରିଛି। ୧ ଜାନୁଆରୀ ୨୦୨୦ ଠାରୁ ଯାତ୍ରୀ ଭଡ଼ା ପ୍ରତି କିଲୋମିଟର ପିଛା ୧ରୁ ୪ ପଇସା ବଢ଼ାଯାଇଛି। ସ୍ଲିପର କ୍ଲାସରେ ପ୍ରତି କିଲୋମିଟର ପିଛା ୨ ପଇସା ବୃଦ୍ଧି କରାଯାଇଛି। ଶୀତତାପ ନିୟନ୍ତ୍ରିତ ଶ୍ରେଣୀରେ କିମି ପ୍ରତି ୪ ପଇସା ବୃଦ୍ଧି କରାଯାଇଛି। ଯାତ୍ରୀଭଡ଼ା ବୃଦ୍ଧି ଫଳରେ ରେଳବାଇର ୨,୩୧୬.୩୬ କୋଟି ଟଙ୍କାର ଅତିରିକ୍ତ ଆୟର ସମ୍ଭାବନା ସୃଷ୍ଟି ହୋଇଛି। ରେଳବାଇ ସୂଚିତ କରାଇଛି ଯେ ଆର୍ଥିକ ମାନ୍ଦାବସ୍ଥା କାରଣରୁ ସିମେଣ୍ଟ ଏବଂ କୋଇଲା ଉତ୍ପାଦନରେ ହ୍ରାସ ଘଟିଛି। ମାନ୍ଦାବସ୍ଥା ସତ୍ତ୍ବେ ରେଳବାଇ କିଭଳି ଲାଭଜନକ ସଂସ୍ଥାର ମାନ୍ୟତା ବଜାୟ ରଖିବ ସେ ଦିଗରେ ପ୍ରୟାସ କରିଚାଲିଛି।

ବଜେଟ୍‌ରେ ବଡ଼ ଘୋଷଣା

ରେଳବାଇ ମାଲିକାନାରେ ରେଳଧାରଣା ପାର୍ଶ୍ବରେ ବ୍ୟାପକ ଖାଲି ଜମି ରହିଛି। ଏହିସବୁ ଜମିରେ ସୌରଶକ୍ତି ସମ୍ପନ୍ନ ପ୍ୟାନେଲ ବସିବ ଏବଂ ଏଥିରୁ ଶକ୍ତି ଉତ୍ପାଦନ କରାଯାଇ ରେଳବାଇରେ ବ୍ୟବହାର କରାଯିବ। ବଡ଼ ବଡ଼ ସୌରଶକ୍ତି କ୍ଷମତାସଂପନ୍ନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ପିପିପି ମୋଡ୍‌ରେ ୪ଟି ଷ୍ଟେସନ ଏବଂ ୧୫୦ ଯାତ୍ରୀବାହୀ ଟ୍ରେନର ସଞ୍ଚାଳନା କରାଯିବ। ତେଜସ ଭଳି ଆହୁରି ଅନେକ ଟ୍ରେନକୁ ଦେଶର ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ଯୋଡ଼ାଯିବ। ମୁମ୍ବାଇରୁ ଅହମଦାବାଦ ମଧ୍ୟରେ ହାଇସ୍ପିଡ ଟ୍ରେନକୁ ସକ୍ରିୟ ଭାବେ ଚଳାଯିବ। ଏହା ସହିତ ୧୮,୬୦୦ କୋଟି ଟଙ୍କା ବ୍ୟୟରେ ୧୪୮ କିମି ଲମ୍ବ ବେଙ୍ଗାଳୁରୁ ଉପନଗରୀୟ ପରିବହନ ପ୍ରକଳ୍ପ ଆରମ୍ଭ କରାଯିବ। ଯାହାର ଭଡ଼ା ମେଟ୍ରୋ ମଡେଲ ଭଳି ହେବ। କେନ୍ଦ୍ର ସରକାର ୨୦ ପ୍ରତିଶତ ପାଣ୍ଠି ଦେବେ ଏବଂ ବାହାରୁ ୬୦ ପ୍ରତିଶତ ଯୋଗାଡ଼ କରାଯିବ। ୧୦୦ ଲକ୍ଷ କୋଟି ଟଙ୍କାର ଜାତୀୟ ଭିତ୍ତିଭୂମି ପାଣ୍ଠି ନିର୍ମାଣ କରାଯିବ। ଜାତୀୟ ଗ୍ୟାସ ଗ୍ରୀଡର ଅୟମାରମ୍ଭ କରାଯିବ। ୨୭ ହଜାର କିଲୋମିଟର ରେଳଧାରଣାକୁ ବିଦ୍ୟୁତକରଣ କରାଯିବ। ପାୱାର ଏନର୍ଜି ପାଇଁ ୨୨ ହଜାର କୋଟି ଟଙ୍କାର ପ୍ରାବଧାନ ସହିତ ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇ-ବେଙ୍ଗାଳୁରୁ ଏକ୍ସପ୍ରେସର କାମ ତୁରନ୍ତ ସମ୍ପୂର୍ଣ୍ଣ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରେଳ ବଜେଟ୍‌ ଉପସ୍ଥାପିତ କରି ସଫାସୁତୁରା, ସୁରକ୍ଷିତ ଏବଂ ସମୟାନୁବର୍ତ୍ତିତା ରେଳଯାତ୍ରାର ମନ୍ତ୍ର ବୋଲି ଦୋହରାଇଥିଲେ। ରେଳବାଇ ଭିତ୍ତିଭୂମିକୁ ୨୦୧୮ରୁ ୨୦୩୦ ମଧ୍ୟରେ ୫୦ କୋଟି ଟଙ୍କାର ନିବେଶର ଆବଶ୍ୟକତା ରହିବ। ଏଥିପାଇଁ ଘରୋଇ ଭାଗିଦାରିତା ବୃଦ୍ଧି କରାଯିବ।

ଓଡ଼ିଶାକୁ କ’ଣ ମିଳିଲା?

ଗତ ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ସରକାର ସଂସଦରେ ଆଗତ କରିଥିବା ରେଳ ବଜେଟ୍‌ରେ ଓଡ଼ିଶାକୁ ଦୁଇଟି ନୂଆ ପ୍ରକଳ୍ପ ମିଳିଛି। ସମ୍ବଲପୁର-ଗୋପାଳପୁର ଓ ବଡ଼ବିଲ-କିରିବୁର ମଧ୍ୟରେ ନୂତନ ରେଳପଥ ନିର୍ମାଣ ପ୍ରସ୍ତାବ ସହିତ ରାୟଗଡ଼ା ରେଳ ଡିଭିଜନ ଭିତ୍ତିଭୂମି ନିର୍ମାଣ ପାଇଁ ୭୦୫.୧୭ କୋଟିର ବ୍ୟୟ ବରାଦ ଓ ଖୋର୍ଦ୍ଧା-ବଲାଙ୍ଗିର ପ୍ରକଳ୍ପକୁ ୫୨୦ କୋଟିର ଅନୁଦାନ ଘୋଷଣା କରାଯାଇଛି। ତେବେ ଗତ ଆର୍ଥିକ ବର୍ଷର ବଜେଟ୍‌ ତୁଳନାରେ ଚଳିତ ବର୍ଷ ଓଡ଼ିଶାକୁ ୧୬୨୦ କୋଟି ଟଙ୍କାର (ଏନ୍‌ଟିପିସିର ୧୪୦୦ କୋଟି ଟଙ୍କାର ଅନୁଦାନ ସମେତ) ଅନୁଦାନ କମିଛି। ଗତ ଆର୍ଥିକ ବର୍ଷରେ ବଜେଟ୍‌ରେ ଓଡ଼ିଶାକୁ ମୋଟ ୫,୯୯୩ କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା ହୋଇଥିଲା। ଏଥର ବଜେଟ୍‌ରେ ଓଡ଼ିଶାକୁ ୪,୩୭୩ କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା କରାଯାଇଛି।

ତେବେ ଗତ ବଜେଟ୍‌ରେ ଝାରସୁଗୁଡ଼ା-ବରପାଲି କୋଲ କରିଡରରେ ରେଳପଥ ନିର୍ମାଣ ପାଇଁ ଏନ୍‌ଟିପିସି ପକ୍ଷରୁ ୧୪୦୦ କୋଟି ଟଙ୍କାର ଅନୁଦାନ ଥିଲା। ଏହି ପ୍ରକଳ୍ପ ସରିଯାଇଛି। ଏନ୍‌ଟିପିସି ପକ୍ଷରୁ ଆଉ କୌଣସି ନୂଆ ପ୍ରକଳ୍ପ ପାଇଁ ଅନୁଦାନ ଘୋଷଣା ହୋଇନାହିଁ। ତେଣୁ ଏହି ପ୍ରକଳ୍ପକୁ ବାଦ୍‌ ଦେଲେ ଓଡ଼ିଶା ଗତ ବଜେଟ୍‌ ତୁଳନାରେ ୨୨୦ କୋଟି କମ୍‌ ଅନୁଦାନ ପାଇଛି ବୋଲି କୁହାଯାଉଛି।

ଓଡ଼ିଶାର ବିକାଶ ଘଟିବ
ପ୍ରସ୍ତାବିତ ସମ୍ବଲପୁର-ଗୋପାଳପୁର ରେଳପଥ ଓଡ଼ିଶାର ସମ୍ବଲପୁର, ସୋନପୁର, ବୌଦ୍ଧ, ଫୁଲବାଣୀ ଓ ଗଞ୍ଜାମ ଜିଲାରେ ନିର୍ମାଣ କାର୍ଯ୍ୟ କରାଯିବ। ଏଥିରେ ୨୯୫୭.୪୪ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ବଡ଼ବିଲ-କିରିବୁର ପ୍ରକଳ୍ପ ପାଇଁ ୭୦୫.୧୭ କୋଟି ଟଙ୍କାର ବ୍ୟୟ ମଞ୍ଜୁର ହୋଇଛି। ଫଳରେ କେନ୍ଦୁଝରର ବଡ଼ବିଲ ଠାରୁ କିରିବୁରୁ ସଂଯୋଗୀକରଣ ସମ୍ଭବ ହେବ। ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ପାଇଁ ଚଳିତ ବର୍ଷ ଓଡ଼ିଶା ୪ ହଜାର ୩୭୩ କୋଟି ଟଙ୍କା ପାଇବ। ଏହି ଅନୁଦାନ ଅର୍ଥରେ ରାଜ୍ୟରେ ରେଳ ଭିତ୍ତିଭୂମି ଓ ରେଳ ସଂଯୋଗ ସ୍ଥାପନକୁ ସୁଦୃଢ଼ କରିବ।  ଗୋପାଳପୁର-ଫୁଲବାଣୀ ରେଳ ପ୍ରକଳ୍ପ ଜନଜାତିଙ୍କ ଅର୍ଥନୀତିକୁ ସମୃଦ୍ଧ କରିବ। ମୋଦି ସରକାର ସମୟରେ ଓଡ଼ିଶାକୁ ୨୯,୧୨୧ କୋଟି ଟଙ୍କାର ଅନୁଦାନ ମିଳିଥିବା ବିଜେପି ନିଜ ପ୍ରତିକ୍ରିୟାରେ କହିଥିବା ବେଳେ ଓଡ଼ିଶାକୁ ଏ କ୍ଷେତ୍ରରେ ଉପେକ୍ଷା କରାଯାଇଥିବା ବିରୋଧୀଦଳ ଅଭିଯୋଗ କରିଛି। ଓଡ଼ିଶା ବାର୍ଷିକ ୧୫ରୁ ୨୦ ହଜାର କୋଟି ଟଙ୍କା ରେଳବାଇକୁ ଦେଉଥିବା ବେଳେ ନୂଆ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ଦୃଷ୍ଟି ଦିଆଯାଇ ନ ଥିବା କଂଗ୍ରେସ କହିଛି। ତେବେ ଭାରତୀୟ ରେଳ ଯେ ପ୍ରଗତିର ଧାରଣା ଉପରେ ଆଗକୁ ଅଗ୍ରଗତି କରି ଚାଲିଛି, ଏହା ପ୍ରମାଣିତ ହୋଇସାରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ