ପ୍ରିୟଙ୍କାଙ୍କୁ ମନେରଖିବ ସାରା ଦୁନିଆ: ଦୁଇଟି ପିଣ୍ଡରେ ଭରି ଦେଇଗଲେ ପ୍ରାଣ

ପରିବାର ଲୋକଙ୍କ କଠିନ ନିଷ୍ପତ୍ତି ଅଙ୍ଗଦାନ ସଚେତନତା ପାଇଁ ପାଲଟିଛି ଦୃଷ୍ଟାନ୍ତ

ମର୍ତ୍ତ୍ୟରେ ଯିଏ ଜନ୍ମ ନିଏ, ସିଏ ନିଶ୍ଚିତ ମୃତ୍ୟୁବରଣ କରେ। ହେଲେ ଏ ଦୁନିଆରେ ଏମିକି ଅନେକ ମଣିଷ ଅଛନ୍ତି, ଯାହାଙ୍କ ମହତ କାର୍ଯ୍ୟ ଓ ମାନବିକତା ତାଙ୍କୁ ଚିର ଅମର କରିଦିଏ। ଯିଏ ନିଜେ ଜଳି ଅନ୍ୟକୁ ଆଲୋକ ଦେଖାଏ, ସେ ହିଁ ଲୋକଙ୍କ ହୃଦୟରେ ଚିରଦିନ ଲାଗି ସ୍ଥାନ ପାଇଥାଏ। ଓଡ଼ିଶାରେ ଏଭଳି ଦୁଇ ଦୁଇଟି ଉଦାହରଣ ଦେଖିବାକୁ ପାଇଛନ୍ତି ସମଗ୍ର ଦେଶବାସୀ। ପ୍ରଥମେ ସୂରଜ ଓ ଏବେ ପ୍ରିୟଙ୍କା। ମୃତ୍ୟୁ ପରେ ବି ଏ ଦୁହେଁ ଏବେ ଅମର। ଫେବ୍ରୁଆରୀ ୪ ତାରିଖରେ ମୃତ୍ୟୁ ପରେ ଅଙ୍ଗଦାନ କରି ଦୁଇ ଦୁଇଟି ଅମୂଲ୍ୟ ଜୀବନ ବଞ୍ଚାଇଛନ୍ତି ପ୍ରିୟଙ୍କା। ମୃତ୍ୟୁପରେ ମୃତକଙ୍କ ଶରୀରକୁ କ୍ଷତିବିକ୍ଷତ କରିବା ବା ଏଥିରେ ହାତ ଲଗାଇବାକୁ ନେଇ ଅନେକ ପଛଘୁଞ୍ଚା ଦେଉଥିବା ବେଳେ ଏମିତି ଏକ ମହତ କାମ କରି ପ୍ରଶଂସାର ପାତ୍ର ପାଲଟିଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାର ଲୋକେ। ଏଥିସହିତ ଅନ୍ୟମାନଙ୍କ ପାଇଁ ମଧ୍ୟ ପାଲଟିଛନ୍ତି ପ୍ରେରଣାର ଉତ୍ସ।

ସୋମବାର ଅପରାହ୍ନ ୬ଟାରୁ ମଙ୍ଗଳବାର ସକାଳ ସାଢେ ୮ଟା। ଏହି ସାଢେ ୧୪ ଘଣ୍ଟାର ଅବଧି ଭିତରେ ହିଁ ଲେଖାଯାଇଥିଲା ଇତିହାସ। ଏହି ସମୟ ଗୋଟିଏ ପରିବାର ପାଇଁ ମହନୀୟ ତ୍ୟାଗ ଓ ସାହସିକ ନିଷ୍ପତ୍ତି ଥିବାବେଳେ ଅନ୍ୟ ଦୁଇଟି ପରିବାର ପାଇଁ ଥିଲା ଆଶାର ଆଲୋକ। ଏହାରି ଭିତରେ ହିଁ ସମ୍ପାଦିତ ହୋଇଥିଲା ଦୁଇ ଦୁଇଟି ଡାକ୍ତରୀ ଟିମ୍‌ର ଜଟିଳ ପରିଶ୍ରମ, ସରକାରୀ ବିଧିବ୍ୟବସ୍ଥା ନେଇ ବ୍ୟାପକ ବିଚାରବିମର୍ଶ ଏବଂ ଯାବତୀୟ ସତର୍କତା। ଏହି ୧୪ ଘଣ୍ଟାର ଅବଧି ଶେଷ ହେବାପରେ ଲେଖା ହେଲା ନୂଆ ଇତିହସ। ରଙ୍ଗ ଆଣିଲା ପ୍ରିୟଙ୍କା ଏବଂ ତାଙ୍କ ପରିବାରର ତ୍ୟାଗ ଏବଂ ଦୁଇଟି ପିଣ୍ଡରେ ସଞ୍ଚାର ହେଲା ନୂଆ ଜୀବନ।

କ’ଣ ଥିଲା ପୁରା ଘଟଣା
ଗତ ୨୭ ତାରିଖରେ ବ୍ରହ୍ମପୁରରୁ ଏକ ବିବାହ ଭୋଜିରୁ ଫେରୁଥିବା ବେଳେ ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ପୂର୍ବତନ କାଉନ୍‌ସିଲର ଭି.ଧର୍ମରାଜୁଙ୍କ ପରିବାର ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ଧର୍ମରାଜୁଙ୍କ ସ୍ତ୍ରୀ, ପୁଅ ସନ୍ଦୀପ, ବୋହୂ ପ୍ରିୟଙ୍କା, ନାତି ଓ ନାତୁଣୀ ଗୁରୁତର ହୋଇଥିଲେ। ସମସ୍ତଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପ୍ରିୟଙ୍କାଙ୍କୁ ଛାଡ଼ି ବାକି ସମସ୍ତେ ସୁସ୍ଥ ହୋଇଯାଇଥିଲେ। ପ୍ରିୟାଙ୍କର ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହେଉ ନ ଥିବା ବେଳେ ସୋମବାର ସନ୍ଧ୍ୟା ୫ଟାରେ ତାଙ୍କର ବ୍ରେନ୍‌ ଡେଡ୍‌ ଘୋଷଣା କରାଯାଇଥିଲା। ଝିଅର ମୃତ୍ୟୁ ସୂଚନା ପାଇବା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ ମଧ୍ୟ ପ୍ରିୟଙ୍କାଙ୍କ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ। ଆପୋଲ କର୍ତ୍ତୃପକ୍ଷ ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ। ସଙ୍ଗେସଙ୍ଗେ ଏଥିପାଇଁ ତତ୍ପରତା ପ୍ରକାଶ ପାଇଥିଲା। ଅଙ୍ଗ ସଂଗ୍ରହ ସମ୍ବନ୍ଧରେ ତୁରନ୍ତ କଟକ ଏସ୍‌ସିବି ମେଡିକାଲ ସ୍ଥିତ ରାଜ୍ୟ ଅଙ୍ଗ ତନ୍ତୁ ପ୍ରତିରୋପଣ ସଂସ୍ଥା (ସୋଟ୍ଟୋ)କୁ ଅବଗତ କରାଯାଇଥିଲା। ସୋଟ୍ଟୋର ଯୁଗ୍ମ ନିର୍ଦେଶକ ଥିବା ଡାକ୍ତର ରୁଦ୍ରାଶିତ ସାମଲ୍‌ ନୋଟ୍ଟୋ ଗାଇଡ୍‌ଲାଇନ ଅନୁଯାୟୀ ଆପୋଲୋ ହସ୍ପିଟାଲ୍‌ ଏବଂ ଏସ୍‌ସିବି ଏମ୍‌ସିଏଚ୍‌ର ୱେଟିଂ ତାଲିକାରେ ଥିବା ରୋଗୀଙ୍କ ମଧ୍ୟରୁ ୨ ଜଣ ଯୋଗ୍ୟ ଅଙ୍ଗ ଗ୍ରହଣକରୀଙ୍କୁ ଚିହ୍ନଟ କରିଥିଲେ।

କାଡ଼ାଭେରିକ୍‌ ଟ୍ରାନ୍ସପ୍ଲାଣ୍ଟ୍‌କୁ ନେଇ ଏସ୍‌ସିବି ମେଡିକାଲର ୟୁରୋଲୋଜି ବିଭାଗ, ନେଫ୍ରୋଲୋଜି ବିଭାଗ, ଡିଏମ୍‌ଇଟି ଓ କୋଲକାତାସ୍ଥିତ ରିଜିଓନାଲ୍‌ ଆର୍ଗାନ୍‌ ଆଣ୍ଡ୍‌ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ୍‌ ଆର୍ଗାନାଇଜେସନ୍‌ (ରୋଟୋ) ମଧ୍ୟରେ ଆଇନଗତ ଦିଗ ସମ୍ପର୍କରେ ବିଚାରବିମର୍ଶ ବି କରାଯାଇଥିଲା। କିପରି ମୃତକଙ୍କଠାରୁ ଜୀବିତ ଅଙ୍ଗ ସଂଗ୍ରହ କରାଯାଇ ଅନ୍ୟ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯିବ, ସେନେଇ ପ୍ରସ୍ତୁତ ହୋଇଥିଲା ବ୍ଲୁପ୍ରିଣ୍ଟ୍‌। ଅପରାହ୍ନ ସାଢ଼େ ୫ଟାରୁ ରାତି ସାଢ଼େ ୧୦ଟା ମଧ୍ୟରେ ସରକାରୀ ସ୍ତରରେ ସମସ୍ତ ଅନୁମତି ମିଳିଯିବା ପରେ, ଅପରେସନ୍‌ ପାଇଁ ପ୍ରସ୍ତୁତି କରିଥିଲା ଏସ୍‌ସିବି ୟୁରୋଲୋଜି ବିଭାଗ। ବିଳମ୍ବିତ ରାତିରେ ଏସ୍‌ସିବି ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା ଓ ତାଙ୍କ ଟିମ୍‌ ଆପୋଲୋ ହସ୍ପିଟାଲ୍‌ରେ ପହଞ୍ଚି ମୃତକଙ୍କଠାରୁ କିପରି କିଡ୍‌ନୀ ସଂଗ୍ରହ କରାଯିବ ଏବଂ ତାହାକୁ କିପରି ତୁରନ୍ତ ସୁରକ୍ଷିତ ସ୍ୱତନ୍ତ୍ର ପଦ୍ଧତିରେ ସଂରକ୍ଷିତ କରି ଅଣାଯାଇ ଏସ୍‌ସିବି ୟୁରୋଲିଜି ବିଭାଗରେ ପହଞ୍ଚାଯିବ, ସେନେଇ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିଥିଲେ। ଆପୋଲୋ ହସ୍ପିଟାଲ ଓ ଏସ୍‌ସିବି ଡାକ୍ତରଖାନାରେ ଥିବା ଉଭୟ ଟିମ୍‌ ମଧ୍ୟରେ ସମନ୍ୱୟ ରଖାଯାଇ ସମାନ୍ତରାଳ ଭାବେ ଚାଲିଥିଲା ପ୍ରସ୍ତୁତି। ଶେଷରେ ଭୋର୍‌ ୪ଟା ୧୦ ମିନିଟ୍‌ରେ ସରିଥିଲା କିଡ୍‌ନୀ ଉଦ୍ଧାର। ଭୋର୍‌ ପ୍ରାୟ ୫ଟା ୧୫ରେ ଏସ୍‌ସିବି ୟୁରୋଲୋଜି ବିଭାଗରେ ପହଞ୍ଚିଥିଲା ପ୍ରିୟଙ୍କାଙ୍କ ଜୀବିତ ତଥା ସକ୍ରିୟ କିଡ୍‌ନୀ। ଏହାପରେ ସଫଳତାର ସହ ପ୍ରିୟଙ୍କାଙ୍କ କିଡ୍‌ନୀକୁ ପ୍ରତିରୋପଣ କରାଯାଇଥିଲା ଫିରୋଜ ସାହୁଙ୍କ ଦେହରେ। ଆଉ ତାଙ୍କର ଅନ୍ୟ କିଡ୍‌ନୀଟିକୁ ପ୍ରତିରୋପଣ କରାଯାଇଥିଲା ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଘନଶ୍ୟାମ ଜେନାଙ୍କ ଶରୀରରେ। ଏଥିସହ ପ୍ରିୟଙ୍କାଙ୍କ ପରିବାର ତାଙ୍କର ଦୁଇଟି ଚକ୍ଷୁକୁ ମଧ୍ୟ ଦାନ କରିଦେଇଥିବା ଜଣାପଡ଼ିଛି।

ନୂଆ ଜୀବନ ପାଇଲେ ଫିରୋଜ ଏବଂ ଘନଶ୍ୟାମ
କିଡ୍‌ନୀ ଖରାପ ହୋଇଯାଇଥିବାରୁ ଦୀର୍ଘ ବର୍ଷ ଧରି ଜୀବନ-ମୃତ୍ୟୁର ଦୋଛକିରେ ଥିଲେ ବରଗଡ଼ ଜିଲ୍ଲା ଅତାବିରା କୁରୁଣ୍ଡା ଅଞ୍ଚଳର ଫିରୋଜ ସାହୁ। ଫିରୋଜ ପ୍ରାୟ ୨ ବର୍ଷ ହେବ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଫିରୋଜଙ୍କ ବ୍ଲଡ୍‌ ଗ୍ରୁପ ସହିତ କୌଣସି ସମ୍ପର୍କୀୟଙ୍କର ଗ୍ରୁପ୍‌ ମେଳ ଖାଉ ନ ଥିବାରୁ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ୍‌ ହୋଇପାରୁ ନ ଥିଲା। ଫିରୋଜ ଏସ୍‌ସିବି ମେଡିକାଲର ନେଫ୍ରୋଲୋଜି ଓ ୟୁରୋଲୋଜି ବିଭଗରେ ଚିକିତ୍ସିତ ହେଉଥିବା ବେଳେ ନିୟମିତ ବ୍ୟବଧାନରେ ଡାଏଲିସିସ କରାଉଥିଲେ। ଯାହା ଫଳରେ ଫିରୋଜଙ୍କ ଭବିଷ୍ୟତକୁ ନେଇ ଦୁଃଖରେ ରହିଥିଲେ ପରିବାର। ଫିରୋଜ ଅଧିକ ଅସୁସ୍ଥ ହୋଇପଡ଼ିବାରୁ ପ୍ରାୟ ୧୭ ଦିନ ହେବ ମୂତ୍ରଶଲ୍ୟ ବିଭାଗରେ କିଡ୍‌ନୀ ପ୍ରତିରୋପଣ ପାଇଁ ଭର୍ତ୍ତି ହୋଇଥିଲେ। ଏହାପରେ ସୋମବାର ରାତିରେ ମିଳିଥିଲା ଏକ ସୁଃଖଦ ଖବର। ତାଙ୍କ ଦେହରେ କିଡ୍‌ନୀ ଲଗାଯିବା ନେଇ ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା। ପ୍ରିୟଙ୍କାଙ୍କ କିଡ୍‌ନୀକୁ ବାହାର କରାଯାଇ ସୁରକ୍ଷିତ ଭାବେ ମଧ୍ୟରାତ୍ରରେ କଟକ ବଡ ଡାକ୍ତରଖାନାକୁ ଅଣାଯାଇ ଫିରୋଜ ସାହୁଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ବଞ୍ଚିଥିବା ପର୍ଯ୍ୟନ୍ତ ଏହି ଋଣକୁ କେବେ ବି ଭୁଲିପାରିବି ନାହିଁ ବୋଲି କହିଛନ୍ତି ଫିରୋଜଙ୍କ ବାପା। ସେହିପରି ଅନୁରୂପ ଭାବେ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଘନଶ୍ୟାମ ଜେନାଙ୍କ ଶରୀରରେ ପ୍ରିୟାଙ୍କାଙ୍କ ଅନ୍ୟ କିଡ୍‌ନୀକୁ ପ୍ରତିରୋପଣ କରାଯାଇଛି। ମୃତ୍ୟୁ ପରେ ବି ପ୍ରିୟଙ୍କା ସବୁଦିନ ପାଇଁ  ଏହି ଦୁଇ ଜଣଙ୍କ ଶରୀରରେ ବଞ୍ଚି ରହିଛନ୍ତି।

ଇତିହାସ ରଚିଛି କଟକ ବଡ଼ ଡାକ୍ତରଖାନା

ରାତିର ଅନ୍ଧକାରରେ ଭୁବନେଶ୍ବରରୁ କଟକ ଜାତୀୟ ରାଜପଥ ହୋଇଥିଲା ଶୂନ୍‌ଶାନ୍‌।  ଆଉ ଏହି ଅନ୍ଧାରରେ କ୍ଷୀପ୍ର ବେଗରେ ଆଗକୁ ଦୌଡ଼ୁଥିଲା ଆମ୍ବୁଲାନ୍‌ସ। ଯେଉଁ ଆମ୍ବୁଲାନ୍‌ସରେ ଥିଲା ଜୀବନର ଯାତ୍ରା। ଜଣେ ମୃତ ରୋଗୀର କିଡ୍‌ନୀ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରୁ ଯାଇ କଟକ ଏସସିବିରେ ଭର୍ତ୍ତି ହୋଇଥିବା ଅନ୍ୟ ଜଣେ ରୋଗୀଙ୍କଠାରେ ପ୍ରତିରୋପଣ କରାଯାଇଥିଲା। ଆଉ ନୂଆ ଇତିହାସ ରଚିଥିଲା କଟକ ବଡ଼ ଡାକ୍ତରଖାନା। ସଫଳ ହୋଇଛି ବହୁ ପ୍ରତୀକ୍ଷିତ ଓଡ଼ିଶାର ପ୍ରଥମ ‘କାଡାଭେରିକ୍‌ ଟ୍ରାନ୍ସପ୍ଲାଣ୍ଟ୍‌’। ଦୀର୍ଘ ୧୬ ଘଣ୍ଟାର ଏ ଲମ୍ବା ଅଭିଯାନ ଓ ‘ଅଙ୍ଗଦାନ-ପ୍ରତିରୋପଣ ପ୍ରକ୍ରିୟା’ ରାଜ୍ୟର ଚିକିତ୍ସା ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି।  ଏସ୍‌ସିବି ଓ ଆପୋଲୋ ପାଇଁ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ବର ସ୍ଥିତ ଆପୋଲୋ ହସ୍ପିଟାଲ୍‌ ଏବଂ କଟକ ସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ମାରାଥନ ପ୍ରୟାସ ଦ୍ବାରା ୨ ଜଣ ବ୍ୟକ୍ତିଙ୍କୁ ଦିଆଯାଇପାରିଛି ଜୀବନର ଅମୂଲ୍ୟ ଉପହାର। ପ୍ରଥମ ଥର ପାଇଁ କୌଣସି ମୃତ ବ୍ୟକ୍ତିଙ୍କ ଅଙ୍ଗ ଅନ୍ୟ ଜଣଙ୍କଠାରେ ପ୍ରତିରୋପଣ କରି ଏ ଦିଗରେ ଓଡ଼ିଶା ଏବେ ପୂର୍ବ ଭାରତରେ ଦ୍ବିତୀୟ ରାଜ୍ୟ ପାଲଟିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‌ କରି ଡାକ୍ତରୀ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି।

ପୂର୍ବରୁ ଅଙ୍ଗଦାନ କରି ଅମର ହୋଇଥିଲେ ସୂରଜ
ସେହିଭଳି କିଛି ମାସ ତଳେ ସୁରତରେ ରହୁଥିବା ଓଡ଼ିଆ ପୁଅ ସୂରଜ ବେହେରାଙ୍କ ମୃତ୍ୟୁ ପରେ ତାଙ୍କ ଅଙ୍ଗକୁ ଦାନ କରାଯାଇଥିଲା। ଦଧିଚିଙ୍କ ଭଳି ସେ ଦାନ କରିଦେଲେ ତାଙ୍କ ଶରୀରର ୫ଟି ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ଆଉ ବଞ୍ଚାଇ ଦେଲେ ୬ ଜଣ ମଣିଷଙ୍କ ଜୀବନ। ଏଭଳି ମହାନ କାମ କରିଥିଲେ ସୁରତ ସହରରେ ରହୁଥିବା ଗଞ୍ଜାମ ଜିଲ୍ଲାର ସୂରଜ ଓ ତାଙ୍କ ପରିବାର। କେବଳ ହୃତ୍‌ପିଣ୍ଡ ନୁହେଁ, ଦୁଇଟି ଆଖି, କିଡ୍‌ନୀ, ଲିଭର୍ ଆଦି ଅଙ୍ଗଦାନ କରି ୬ ଜଣଙ୍କୁ ନୂଆ ଜୀବନ ଦେଇଥିଲେ ସୂରଜ ସେଠୀ। କାହା ଶରୀରରେ ହୃତ୍‌ପିଣ୍ଡ ହୋଇ ତ ଆଉ କାହା ପାଖରେ ଆଖି ହୋଇ ବଞ୍ଚି ରହିଛନ୍ତି ସୂରଜ।  ସୂରତରେ ଏକ କପଡ଼ା କାରଖାନାରେ କାମ କରୁଥିଲେ ସୂରଜ। ଗତ ଅକ୍ଟୋବର ୨୯ ତାରିଖରେ ଏକ ଦୁର୍ଘଟଣାର ଶିକାର ହେବା ପରେ ସେ ବ୍ରେନ୍‌ଡେଡ୍ ଅବସ୍ଥାକୁ ଚାଲିଯାଇଥିଲେ। ଏହାପରେ ସୂରଜଙ୍କ ସକ୍ରିୟ ଥିବା ହୃତପିଣ୍ଡ ସହ ଆଖି, କିଡ୍‌ନୀ ଏବଂ ଲିଭର ଆଦି ଅଙ୍ଗପ୍ରତ୍ୟଙ୍ଗକୁ ଅନ୍ୟମାନଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଆଉ ନୂଆ ଜୀବନ ପାଇଥିଲେ ୬ ଜଣ ମଣିଷ।

ଚାରିଆଡ଼ୁ ପ୍ରଶଂସାର ସୁଅ
ପୁରୀ ସ୍ବର୍ଗଦ୍ବାରରେ ଜଳୁଥିଲା ପ୍ରିୟଙ୍କାଙ୍କ ଚିତା। ସେ ସିନା ଚାଲି ଯାଇଛନ୍ତି। ହେଲେ ଯିବା ପୂର୍ବରୁ ଅନ୍ୟ ଦୁଇ ଜଣଙ୍କୁ ଜୀବନ ଦାନ କରି ସବୁଦିନ ପାଇଁ ଅମର ହୋଇଯାଇଛନ୍ତି। ଝିଅର ଅଙ୍ଗଦାନ ଭଳି ଏକ ମହତ କାମକରି ତାଙ୍କ ପରିବାର ଯେଉଁ ବାର୍ତ୍ତା ଦେଇଛନ୍ତି, ତାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ। ସେପଟେ ଏବେ ବି  ପ୍ରିୟଙ୍କାଙ୍କ ଛୋଟ ଝିଅ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ପ୍ରିୟଙ୍କାଙ୍କ ପରିବାରର ଏହି ମହତକାମ ପାଇଁ ଏବେ ଚାରିଆଡୁ ଭୂରି ଭୂରି ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି ପ୍ରିୟକାଙ୍କ ପରିବାରକୁ ପ୍ରଶଂସା କରିବା ସହ ଡାକ୍ତରୀ ଦଳକୁ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ପ୍ରିୟାଙ୍କାଙ୍କ ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ସହିତ ପ୍ରିୟଙ୍କାଙ୍କ ପରିବାରକୁ ‘ସୂରଜ ଯୋଜନା’ରେ ସମ୍ମାନିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ପ୍ରେରଣାର ଉତ୍ସ ସୂରଜ ଓ ପ୍ରିୟଙ୍କାଙ୍କ ପରିବାର
ରକ୍ତଦାନ ଭଳି ଅଙ୍ଗଦାନ ଅଭିଯାନ ଏବେ ଏକ ଆନ୍ଦୋଳନରେ ପରିଣତ ହୋଇଛି। ଅଙ୍ଗଦାନ ଓ ଶରୀରର ଦାନ ନେଇ ଲୋକଙ୍କ ମନରେ ଥିବା ଅନ୍ଧବିଶ୍ବାସ ଦୂର ହୋଇଛି। ପ୍ରଥମେ ସୂରଜଙ୍କ ପରିବାର, ଏବେ ପ୍ରିୟଙ୍କାଙ୍କ ପରିବାର ଏବେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଅକାଳ ମୃତ୍ୟୁରେ ପରିବାରବର୍ଗ ମ୍ରିୟମାଣ ଥାଇ ମଧ୍ୟ ଏଭଳି ମହତ ନିଷ୍ପତ୍ତି ନେବା କ୍ବଚିତ୍‌ ମଣିଷଙ୍କ ଠାରେ ଦେଖିବାକୁ ମିଳିଥାଏ। ଯାହାକୁ ସୂରଜ ଓ ପ୍ରିୟଙ୍କାଙ୍କ ପରିବାର କରି ଦେଖାଇଛନ୍ତି। ଯେଉଁଥିପାଇଁ ଆଜି ସେମାନେ ଅନ୍ୟମାନଙ୍କଠାରୁ ଭିନ୍ନ ହୋଇପାରିଛନ୍ତି। ତାଙ୍କର ଏହି ତ୍ୟାଗ ଓ ନିଷ୍ଠା ସମାଜକୁ ନିଶ୍ଚିତ ଭାବେ ଦିଗ୍‌ଦର୍ଶନ ଦେବ ବୋଲି ଆଶା କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୧୨ ମସିହାରେ ଭାରତ ଶରୀର ଅଙ୍ଗଦାନ ସମିତି ପକ୍ଷରୁ ଅଙ୍ଗଦାନ ଓ ଶରୀର ଦାନ ସଚେତନତା ଅଭିଯାନ ଆରମ୍ଭ କରାଯାଇଥିଲା। ଅଙ୍ଗଦାନ ପାଇଁ ଭାରତରେ ଏଯାବତ୍‌ ୨୩ ହଜାର ସତ୍ୟପାଠ ଓ ଶରୀର ଦାନ ପାଇଁ ୨ ହଜାର ସତ୍ୟପାଠ ଦାଖଲ ହୋଇସାରିଲାଣି। ମଣିଷ ପାଇଁ ମଣିଷର ଏଭଳି ଦୁଃଲଭ ଦାନ ଅଭିଯାନ ଆଗକୁ ଆହୁରି ସୁ-ସଂଗଠିତ ଆଉ ସଶକ୍ତ ହେବ ବୋଲି ବିଶ୍ବାସ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ