କଲ୍ୟାଣମଣ୍ଡପ ସିଲ୍‌ ଅଭିଯାନ ପ୍ରଶ୍ନବାଚୀ: ଅନୁରୂପ କାର୍ଯ୍ୟାନୁଷ୍ଠାନ ହେଉନି କାହିଁକି?

ଜନସାଧାରଣଙ୍କୁ ତୁରନ୍ତ ବିକଳ୍ପ ସୁବିଧା ଯୋଗାଇଦେବାକୁ ଉଠୁଛି ଦାବି

ସୋମବାର ଠାରୁ କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀରେ ବେଆଇନ କଲ୍ୟାଣମଣ୍ଡପ ସିଲ୍‌ ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୮ଟି କଲ୍ୟାଣମଣ୍ଡପ/ ବିବାହ ମଣ୍ଡପ ସିଲ୍‌ କରାଯାଇଛି। ବିନା ବିଲ୍ଡିଂ ପ୍ଲାନ ଅନୁମୋଦନରେ କୋଠା ନିର୍ମାଣ, ବିନା ଟ୍ରେଡ୍‌ ଲାଇସେନ୍ସରେ ବ୍ୟବସାୟ, ହୋଲ୍ଡିଂ ଟିକସ ଫାଙ୍କି, ପାର୍କିଂ ସୁବିଧା ନ ଥିବା କଲ୍ୟାଣମଣ୍ଡପ ଓ ବିବାହ ମଣ୍ଡପକୁ ଏଭଳି ସିଲ୍‌ କରାଯିବା ଯଥାର୍ଥ ବୋଲି କେତେକ କହୁଥିବା ବେଳେ ସହରରେ ବର୍ଦ୍ଧିତ ଜନସଂଖ୍ୟାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିବାହ ମଣ୍ଡପ ଓ କମ୍ୟୁନିଟି ସେଣ୍ଟର ନିର୍ମାଣ ନ କରି ହୋଟେଲ ମାଲିକମାନଙ୍କ ସ୍ବାର୍ଥ ପୂରଣ କରିବା ପାଇଁ ଏଭଳି ସିଲ୍‌ କାର୍ଯ୍ୟ ଚାଲିଛି ବୋଳି ନାଗରିକ ସମାଜ ଗୁରୁତର ଅଭିଯୋଗ କରିଛି।

ବିଏମ୍‌ସିର ପଦକ୍ଷେପ ପରେ ବିଡିଏ ଦ୍ବାରା ମଣ୍ଡପ ସିଲ୍‌ ପ୍ରକ୍ରିୟା ଆରମ୍ଭ ହେବ। ବିଡିଏ ଦ୍ବାରା ଅନ୍‌ ଅଥରାଇଜ୍‌ଡ ପ୍ରୋସିଡିଂ ନାମରେ ୩୫ ମଣ୍ଡପ ଉପରେ କେସ୍‌ ଚାଲିଛି। ଖୁବ୍‌ ଶୀଘ୍ର ଏ ନେଇ ରାୟ ପ୍ରକାଶ ପାଇବା ପରେ ବିଡିଏ ଦ୍ବାରା ଉକ୍ତ ମଣ୍ଡପ ଗୁଡ଼ିକୁ ସିଲ୍‌ କରିବା ପ୍ରକ୍ରିୟା ଚାଲିବ ବୋଲି କୁହାଯାଉଛି। ସୋମବାର ସକାଳେ ବିଏମ୍‌ସି, ବିଡିଏ ଓ କମିଶନରେଟ୍‌ ପୋଲିସର ମିଳିତ ସ୍କ୍ବାଡ୍‌ ୬ଟି ମଣ୍ଡପ ସିଲ୍‌ କରିଥିଲା। ତନ୍ମଧ୍ୟରେ ରହିଛି ପଟିଆସ୍ଥିତ ରିଷି ରିସୋର୍ଟ, ଗଜପତି ନଗର ସ୍ଥିତ ନୀଳକଣ୍ଠେଶ୍ବର ପାଠାଗାର ଓ କଲ୍ୟାଣମଣ୍ଡପ, ସୈନିକ ସ୍କୁଲ ନିକଟ ଜେବି ମଣ୍ଡପ, ଗାଡ଼କଣ ପ୍ରେସ ଛକ ନିକଟ ଆରସିଏମ୍‌ ବିବାହ ମଣ୍ଡପ ଓ ସାମନ୍ତରାପୁରସ୍ଥିତ ଆତ୍ମାରାମ ମଣ୍ଡପ। ମୋଟ ୧୪ଟି ମଣ୍ଡପ ସିଲ୍‌ ହେବାକୁ ଥିବା ବେଳେ ପ୍ରଥମ ଦିନ ୬ଟି ମଣ୍ଡପ ଓ ଦ୍ବିତୀୟ ଦିନ ମଙ୍ଗଳବାର ଅବଶିଷ୍ଟ ୮ଟି ମଣ୍ଡପ ସିଲ୍‌ ହେବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୯୦ରୁ ଊର୍ଦ୍ଧ୍ବ ବେଆଇନ କଲ୍ୟାଣମଣ୍ଡପକୁ ବିଏମ୍‌ସି ଚିହ୍ନଟ କରିବା ସହ ନୋଟିସ୍‌ ଜାରି କରିଥିଲା। ହେଲେ ମଣ୍ଡପ ମାଲିକଙ୍କ ଅନୁରୋଧକ୍ରମେ ଜାନୁଆରୀ ୩୧ ପର୍ଯ୍ୟନ୍ତ ସମୟ ଦିଆଯାଇ ଫେବ୍ରୁଆରୀ ୩ରୁ ଏହି କାମ ହାତକୁ ନିଆଗଲା ବୋଲି କୁହାଯାଇଛି। ମିଳିତ ସ୍କ୍ବାଡ୍‌ ରାଜଧାନୀର ଏହି କଲ୍ୟାଣମଣ୍ଡପ ଗୁଡ଼ିକୁ ସିଲ୍‌ କରିବା ଘଟଣାରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ନାଗରିକ ସମାଜ। କୁହାଯାଇଛି ଯେ ରାଜଧାନୀରେ ଦିନକୁ ଦିନ ଲୋକସଂଖ୍ୟା ବଢ଼ିବାରେ ଲାଗିଛି। ବିଭିନ୍ନ ପର୍ବପର୍ବାଣୀ, ବାହାଘର, ବ୍ରତଘର ଓ ବିଭିନ୍ନ ଅନୁଷ୍ଠାନ ଗୁଡ଼ିକର ବିଭିନ୍ନ କାର୍ଯ୍ୟକ୍ରମ ହେବା ନିମନ୍ତେ ବିଏମ୍‌ସି ତରଫରୁ ସେପରି ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ସଭାଗୃହ, କଲ୍ୟାଣମଣ୍ଡପର ବହୁ ଆବଶ୍ୟକତା ଥିବାବେଳେ ବିଏମ୍‌ସି, ବିଡିଏ ବା ସମ୍ପୃକ୍ତ ବିଭାଗ ଏ ଦିଗରେ କୌଣସି ନଜର ଦେଉନାହାନ୍ତି। ସ୍ମାର୍ଟସିଟିରେ ପ୍ରତ୍ୟେକ ବାସିନ୍ଦା ଓ ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାର୍ଯ୍ୟପନ୍ଥା ଗ୍ରହଣ କରାଯିବା କଥା। କିନ୍ତୁ ସେପରି ହେଉ ନାହିଁ। ସାଧାରଣ ଜନତା କଲ୍ୟାଣମଣ୍ଡପକୁ ଭରସା କରି ନିଜର ଆବଶ୍ୟକତା ମେଣ୍ଟାଉଛନ୍ତି।

କିନ୍ତୁ ରାଜଧାନୀରେ ଥିବା ବିଭିନ୍ନ ହୋଟେଲ ମାଲିକମାନେ ବିଏମ୍‌ସି ସହିତ ସଲାସୁତୁରା କରି ରାଜଧାନୀରେ ଥିବା ବିଭିନ୍ନ କଲ୍ୟାଣମଣ୍ଡପକୁ ବନ୍ଦ କରିବା ପାଇଁ ମସୁଧା ଚଳାଇଛନ୍ତି। ସେମାନଙ୍କ ବ୍ୟବସାୟ ପାଇଁ କଲ୍ୟାଣମଣ୍ଡପ ଗୁଡ଼ିକୁ ସିଲ୍‌ କରାଯାଉଛି। ଯଦି କଲ୍ୟାଣମଣ୍ଡପ ଗୁଡ଼ିକ ବେଆଇନ, ତେବେ ଗାଡ଼ି ପାର୍କିଂର ସୁବିଧା ନ ଥିବା, ଅଗ୍ନି ନିର୍ବାପକ ଯନ୍ତ୍ର ନ ଥିବା ତଥା ଅନ୍ୟ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିବା ଓ ସରକାରୀ ଅନୁଦାନରେ ଜାଗା ପାଇଥିବା ବହୁତଳ ହୋଟେଲ, ସଂଘ ଓ ସଂଗଠନ ଗୁଡ଼ିକରେ ବିବାହ ବ୍ରତଘର ଆଦି କିଭଳି ଆୟୋଜିତ ହେଉଛି ବୋଲି ପ୍ରଶ୍ନ ଉଠିଛି। ଅନେକ ହୋଟେଲ ନିୟମକୁ ଉଲ୍ଲଂଘନ କରୁଥିଲେ ମଧ୍ୟ ବିଏମ୍‌ସିର ପାଟି ଖୋଲୁ ନାହିଁ। ଅନ୍ୟପକ୍ଷରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଏମ୍‌ସି ଆବଶ୍ୟକ ସଂଖ୍ୟକ କମ୍ୟୁନିଟି ସେଣ୍ଟର ଖୋଲିବା ଦିଗରେ କୌଣସି ପଦକ୍ଷେପ ନେଇ ନାହିଁ। ପ୍ରଥମେ ଆବଶ୍ୟକତା ଅନୁଯାୟୀ କଲ୍ୟାଣମଣ୍ଡପ ଓ ଗୋଷ୍ଠୀ ଗୃହମାନ ନିର୍ମାଣ କରିବା ସହ କଲ୍ୟାଣମଣ୍ଡପ ଗୁଡ଼ିକୁ ଆଇନ ଅନୁଯାୟୀ ମାନ୍ୟତା ପ୍ରଦାନ କରାଯିବାର ଆବଶ୍ୟକତା ରହିଛି।

ସିଲ୍‌ ହେବ ୮୦ ମଣ୍ଡପ
ପ୍ରଥମ ଦିନ ଅର୍ଥାତ୍‌ ଫେବ୍ରୁଆରୀ ୩ରେ ୬ଟି ଓ ଦ୍ବିତୀୟ ଦିନ ଅର୍ଥାତ୍‌ ଫେବ୍ରୁଆରୀ ୪ରେ ଅନ୍ୟ ୮ଟି କଲ୍ୟାଣମଣ୍ଡପ ସିଲ୍‌ କରାଯାଇଛି। ଏହିସବୁ କଲ୍ୟାଣମଣ୍ଡପରେ ଯେଉଁମାନେ ବିବାହ କିମ୍ବା କୌଣସି କାର୍ଯ୍ୟ ପାଇଁ ବୁକିଂ କରିଛନ୍ତି, ସେମାନଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି। ସେମାନେ କ’ଣ କରିବେ, ଆଶଙ୍କା ଭିତରେ ଥିବା ବେଳେ ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ ୮୦ଟି କଲ୍ୟାଣମଣ୍ଡପକୁ ତ୍ରୁଟିପୂର୍ଣ୍ଣ ଭାବେ ନିର୍ମାଣ, ଟ୍ରେଡ୍‌ ଲାଇସେନ୍ସ ନ ଥିବା, ହୋଲ୍‌ଡିଂ ଟିକସ ଫାଙ୍କିବା ଓ ପାର୍କିଂ ସୁବିଧା ନ ଥିବାରୁ ପର୍ଯ୍ୟାୟକ୍ରମେ ସିଲ୍‌ କରାଯିବ। ରାଜଧାନୀରେ ଏହି ବେଆଇନ ମଣ୍ଡପ ଗୁଡ଼ିକ ଦୀର୍ଘଦିନ ଧରି କିଭଳି ଚାଲୁଥିଲା ଓ ଏବେ କାହିଁକି ପ୍ରଶାସନର ଚେତା ପଶିଲା, ତାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ରାଜଧାନୀର ମଧ୍ୟବିତ୍ତ ସମାଜ ଓ ସାମାଜିକ ଅନୁଷ୍ଠାନ ଗୁଡ଼ିକ ସାମାଜିକ କାର୍ଯ୍ୟକ୍ରମ କେଉଁଠି କରିବେ, ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ବାହାଘର, ବ୍ରତଘର ୠତୁ ଆସିଲେ ରାଜଧାନୀର ଖାଲି ପଡ଼ିଥିବା ପଡ଼ିଆ ମଧ୍ୟ ପାଲଟି ଯାଉଛି କଲ୍ୟାଣମଣ୍ଡପ। ବେଆଇନ ମଣ୍ଡପ କରି ମୁନାଫା କମାଉଛନ୍ତି ମଣ୍ଡପ ମାଲିକ। ଅପରପକ୍ଷରେ ସମସ୍ୟାର ସାମ୍ନା କରୁଛନ୍ତି ସାଧାରଣ ଲୋକେ। କେଉଁଠି ଟ୍ରାଫିକ ସମସ୍ୟା ତ କେଉଁଠି କୁଢ଼କୁଢ଼ ବର୍ଜ୍ୟରେ ନାକ ଫାଟିପଡ଼ୁଛି। ସାଧାରଣ ଯାତ୍ରୀ ବି ଭୋଗୁଛନ୍ତି ଦୁର୍ଦ୍ଦଶା। ବିଏମ୍‌ସି, ବିଡିଏ ଓ ପୋଲିସ ପକ୍ଷରୁ ରାଜଧାନୀର ବେଆଇନ କଲ୍ୟାଣମଣ୍ଡପ ଗୁଡ଼ିକୁ ସିଲ୍‌ କରାଯିବା ସହ ହୋଟେଲ ଗୁଡ଼ିକ ଉପରେ ମଧ୍ୟ ଚଢ଼ାଉ କରାଯାଉ ଏବଂ ବର୍ଦ୍ଧିତ ଜନସଂଖ୍ୟାର ଆବଶ୍ୟକତାକୁ ଦେଖି ପ୍ରତ୍ୟେକ ଗଳିକନ୍ଦିରେ ଆବଶ୍ୟକୀୟ କମ୍ୟୁନିଟି ସେଣ୍ଟର ନିର୍ମାଣ ହେଉ ବୋଲି ମତ ପ୍ରକାଶ ପାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ