ସାମାଜିକ ପରିବର୍ତ୍ତନରେ ନଂ.୧ରେ ଡେନମାର୍କ, ୭୬ତମ ସ୍ଥାନରେ ଭାରତ


ସାମାଜିକ ପରିବର୍ତ୍ତନ ପ୍ରସଙ୍ଗରେ ସାରା ବିଶ୍ବର ୮୨ଟି ଦେଶର ଏକ ତାଲିକା ମଧ୍ୟରୁ ଭାରତର ସ୍ଥାନ ୭୬ରେ ଥିବା ଜଣାପଡ଼ିଛି। ବିଶ୍ବ ଅର୍ଥନୈତିକ ଫୋରମ (ୱାର୍ଲ୍ଡ ଇକୋନୋମିକ ଫୋରମ) ପକ୍ଷରୁ ପ୍ରସ୍ତୁତ ଏହି ତାଲିକାରେ ଡେନମାର୍କ ପ୍ରଥମ ସ୍ଥାନରେ ଥିବାବେଳେ ଭାରତ ତଳଆଡ଼ୁ ୬ ନମ୍ବର ସ୍ଥାନରେ ରହିଛି। ୱାର୍ଲ୍ଡ ଇକୋନୋମିକ ଫୋରମର ୫୦ତମ ବାର୍ଷିକ ସମ୍ମିଳନୀ ପୂର୍ବରୁ ଏ ରିପୋର୍ଟ ପ୍ରକାଶ ପାଇଛି। ଡବ୍ଲ୍ୟୁଇଏଫ୍‌ ପକ୍ଷରୁ କୁହାଯାଇଛି ଯେ ସାମାଜିକ ପରିବର୍ତ୍ତନରେ ୧୦ ପ୍ରତିଶତ ବୃଦ୍ଧି କାରଣରୁ ସାମାଜିକ ଏକତାକୁ ଲାଭ ହେବ ଏବଂ ବୈଶ୍ବିକ ଅର୍ଥ ବ୍ୟବସ୍ଥା ୨୦୩୦ ସୁଦ୍ଧା ପାଖାପାଖି ୫ ପ୍ରତିଶତ ଅଭିବୃଦ୍ଧି ହୋଇପାରିବ। କିଛି ଅର୍ଥ ବ୍ୟବସ୍ଥାରେ ସାମାଜିକ ପରିବର୍ତ୍ତନକୁ ପ୍ରମୁଖ ଧ୍ୟାନ ଦିଆଯିବା ପାଇଁ ଉପଯୁକ୍ତ ପରିସ୍ଥିତି ରହିଛି। ସାମାଜିକ ପ୍ରସଙ୍ଗକୁ ପ୍ରାଥମିକତା ମିଳିଲେ ସବୁଠୁ ଅଧିକ ଲାଭ ଚୀନ, ଆମେରିକା, ଭାରତ, ଜାପାନ ଏବଂ ଜର୍ମାନୀକୁ ହେବ ବୋଲି ୱାର୍ଲ୍ଡ ଇକୋନୋମିକ ଫୋରମ ପକ୍ଷରୁ କୁହାଯାଇଛି।

ଟପ୍‌ ଟେନରେ ଥିବା ଦେଶ ସାମାଜିକ କ୍ଷେତ୍ରକୁ ପ୍ରମୁଖ ଦୃଷ୍ଟି ଦେଉଥିବା ବିଶ୍ବର ଟପ ଟେନ ଦେଶ ମଧ୍ୟରେ ସବୁଠୁ ଆଗରେ ରହିଛି ଡେନମାର୍କ। ଡେନମାର୍କ ତଳକୁ ନରୱେ, ଫିନଲାଣ୍ଡ, ସ୍ବିଡେନ ଏବଂ ଆଇସଲାଣ୍ଡ ରହିଛି। ଷଷ୍ଠ ସ୍ଥାନରେ ରହିଛି ନେଦରଲାଣ୍ଡ। ସ୍ବିଜରଲାଣ୍ଡ ସପ୍ତମ, ଅଷ୍ଟ୍ରିଆ ଅଷ୍ଟମ, ବେଲଜିଅମ ନବମ ଏବଂ ଲକ୍‌ଜେମବର୍ଗ ୧୦ମ ସ୍ଥାନରେ ରହିବା କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି।

ରାଙ୍କିଙ୍ଗ ପାଇଁ ପାଞ୍ଚଟି ମାନଦଣ୍ଡ

ସାମାଜିକ କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେଉଥିବା ଦେଶଗୁଡ଼ିକର ଚିହ୍ନଟ ପାଇଁ ୫ଟି ପ୍ରମୁଖ ମାନଦଣ୍ଡ ଚୟନ କରାଯାଇଥିଲା। ଏଥିରେ ସ୍ବାସ୍ଥ୍ୟ, ଶିକ୍ଷା (ପହଞ୍ଚ, ଗୁଣବତ୍ତା ଏବଂ ସମାନତା), ଉଦ୍ୟୋଗ, କାର୍ଯ୍ୟପ୍ରଣାଳୀ(ଅବସର, ବେତନ, କାମ କରିବାର ସ୍ଥିତି) ଏବଂ ସଂରକ୍ଷଣ ଏବଂ ସଂଗଠନ (ସାମାଜିକ ସଂରକ୍ଷଣ ତଥା ଅନ୍ତର୍ଭୁକ୍ତୀକରଣ ସଂଗଠନ) ରହିଥିଲା। ଉପଯୁକ୍ତ ଦରମା, ସାମାଜିକ ସୁରକ୍ଷା ଏବଂ ଆଜୀବନ ଶିକ୍ଷାର ସାମାଜିକ ପରିବର୍ତ୍ତନ ଦିଗରେ ସବୁଠୁ ବଡ଼ ଯୋଗଦାନ ଥିବା ସୂଚିତ କରାଯାଇଥିଲା। ଡେନମାର୍କ ଏଳି ଏକ ଦେଶ ଯେଉଁଠି ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି, ଦରମା ହାରରେ ସମାନତା, ସାମାଜିକ ସୁରକ୍ଷା ଆଦି ପ୍ରସଙ୍ଗକୁ ଅଧିକ ଗୁରୁତ୍ବ ଦିଆଯାଇଥାଏ।

ଉପଯୁକ୍ତ ଦରମା ଦେବାରେ ଭାରତର ସ୍ଥିତି ଶୋଚନୀୟ
ଆଜୀବନ ଶିକ୍ଷା କ୍ଷେତ୍ରରେ ଭାରତ ୪୧ତମ ସ୍ଥାନରେ। ସେହିପରି କାର୍ଯ୍ୟକ୍ଷେତ୍ର ଓ ପରିସ୍ଥିତି ପ୍ରସଙ୍ଗରେ ଏହା ୫୩ତମ ସ୍ଥାନରେ। ଏହା ସମେତ ଉଚିତ ଦରମା ପ୍ରଦାନ କ୍ଷେତ୍ରରେ ଭାରତ ୭୯ତମ ସ୍ଥାନ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ୭୬ତମ ସ୍ଥାନରେ ରହିଛି। ଆମ ଦେଶରେ କର୍ମଚାରୀ ମାନଙ୍କୁ ସମାନ କାମ ପାଇଁ ସମାନ ଦରମା ଦିଆଯାଏ ନାହିଁ। ଦରମା ପ୍ରଦାନରେ ବହୁ ଅସଂଗତି ରହିଛି। ଉପଯୁକ୍ତ ଦରମା ବିତରଣ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ବହୁତ ଅଧିକ ସୁଧାର ଅଣଶଯିବାର ଆବଶ୍ୟକତା ରହିଛି।

୬୩ ଧନୀଙ୍କ ନିକଟରେ ଦେଶର ବଜେଟ ଠାରୁ ଅଧିକ ଧନ
ଭାରତରେ ୬୩ ଧନୀଙ୍କ ନିକଟରେ ୨୦୧୮-୧୯ ସାଧାରଣ ବଜେଟ ପରିମାଣ ୨୪,୪୨.୨୦୦ କୋଟି ଟଙ୍କାରୁ ଅଧିକ ଧନ ରହିଛି। ଏକ ପ୍ରତିଶତ ଧନୀଙ୍କ ନିକଟରେ ୭୦ ପ୍ରତିଶତ ଗରିବ (୯୫.୩ କୋଟି(ଙ୍କ ତୁଳନାରେ ୪ ଗୁଣାରୁ ଅଧିକ ଟଙ୍କା ରହିଛି। ମାନବିକ ଅଧିକାର କ୍ଷେତ୍ରରେ କାମ କରୁଥିବା ସଂଗଠନ ଅକ୍ସଫାମ ଇଣ୍ଡିଆ ପକ୍ଷରୁ ବିଶ୍ବ ଆର୍ଥିକ ଫୋରମର ବାର୍ଷିକ ବୈଠକ ପୂର୍ବରୁ ଟାଇମ ଟୁ କେୟାର ନାମକ ପ୍ରକାଶିତ ଏକ ରିପୋର୍ଟରେ ଏଭଳି ତଥ୍ୟ ପ୍ରଦାନ କରାଯାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ସାରା ବିଶ୍ବରେ ଆର୍ଥିକ ଅସମାନତା ଦ୍ରୁତଗତିରେ ବୃଦ୍ଧି ପାଉଛି। ବିଗତ ଦଶନ୍ଧି ଅର୍ଥାତ୍‌ (୨୦୧୦-୨୦୧୯)ରେ କୋଟିପତି ଧନୀଙ୍କ ସଂଖ୍ୟା ଦୁଇଗୁଣ ବଢ଼ିଛି। ବିଶ୍ବର ୧ ପ୍ରତିଶତ ଧନୀଙ୍କ ନିକଟରେ ମିଳିତ ଭାବେ ୯୨ ପ୍ରତିଶତ ଗରିବଙ୍କ ଧନସମ୍ପତ୍ତି ତୁଳନାରେ ଦୁଇଗୁଣ ଅଧିକ ଧନ ଠୁଳ ହୋଇରହିଛି। ୨୧୫୩ ଧନୀଙ୍କ ନିକଟରେ ବିଶ୍ବର ୬୦ ପ୍ରତିଶତ ଗରିବ ଜନସଂଖ୍ୟାର ସମ୍ପତ୍ତି ଠାରୁ ଅଧିକ ଧନ ରହିଛି।

ଭୟଙ୍କର ବଢ଼ୁଛି ଆର୍ଥିକ ଅସମାନତା

ଆଇଟି କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ମାନେ ପ୍ରତି ସେକେଣ୍ଡରେ ୧୦୬ ଟଙ୍କା ରୋଜଗାର କରୁଥିବା ବେଳେ ସାରା ବିଶ୍ବର ମହିଳାମାନେ ଦୈନିକ ୩୨୬ କୋଟି ଘଣ୍ଟା ଏଭଳି କାମ କରନ୍ତି ଯେଉଁଥିରେ ସେମାନଙ୍କୁ ଟଙ୍କାଟିଏ ବି ମିଳି ନ ଥାଏ। ଆଇଟି କମ୍ପାନୀର ସିଇଓ ୧୦ ମିନିଟରେ ଯେତିକି ଯଙ୍କା ରୋଜଗାର କରିନିଅନ୍ତି ଜଣେ ଗୃହିଣୀ ବର୍ଷ ବର୍ଷ ସେତିକି ରୋଜଗାର କରିବା କଷ୍ଟକର ହୋଇଥାଏ।

ଯଦି ୧ ପ୍ରତିଶତ ଧନୀଙ୍କ ଉପରେ ୧୦ ବର୍ଷ ପାଇଁ ମାତ୍ର ୦.୫ ପ୍ରତିଶତ ଆୟକର ବୃଦ୍ଧି କରାଯାଇ ପାରିବ, ତେବେ ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ୧୧.୭ କୋଟି ନିଯୁକ୍ତି ମିଳିବା ସମ୍ଭବ ହୋଇପାରିବ। ଗତ ୩୦ ବର୍ଷ ମଧ୍ୟରେ ବିଶ୍ବ ସ୍ତରରେ ଅସମାନତା ହ୍ରାସ ପାଇଥିଲେ ହେଁ ପ୍ରମୁଖ ଅର୍ଥନୀତି ଗୁଡ଼ିକରେ ଘରୋଇ ଆୟର ଅସମାନତାରେ କୌଣସି ଆଖିଦୃଶିଆ ପରିବର୍ତ୍ତନ ଘଟିନାହିଁ। ମହିଳା ଏବଂ ବାଳିକାମାନେ କରୁଥିବା ବିନା ଦରମାରେ କାମର ମୂଲ୍ୟ ପ୍ରାୟ ୧୯ ଲକ୍ଷ କୋଟି ଟଙ୍କାର ସମାନ ହେବ। ଯାହା ଦେଶର ଶିକ୍ଷା ବଜେଟର ପ୍ରାୟ ୨୦ ଗୁଣ ଅଧିକ। ଗ୍ଲୋବାଲ ସର୍ଭେ ଅନୁଯାୟୀ ୨୨ ଅତି ଧନୀଙ୍କ ସମ୍ପତ୍ତି ଆଫ୍ରିକାର ସବୁ ମହିଳାଙ୍କ ସମ୍ପତ୍ତି ଠାରୁ ଅଧିକ ବୋଲି ଏହି ରିପୋର୍ଟରେ କୁହାଯାଇଛି। ବିଶ୍ବର ୨୨ଟି ଟପ୍‌ ଧନୀ ପୁରୁଷଙ୍କ ନିକଟରେ ଯେତିକି ସମ୍ପତ୍ତି ଠୁଳ ହୋଇ ରହିଛି, ତାହା ଆଫ୍ରିକାର ସବୁ ମହିଳାଙ୍କର ମିଶିଲେ ବି ସମାନ ହେବନି ବୋଲି ଏହି ରିପୋର୍ଟରେ ପ୍ରକାଶିତ ହେବା ପରେ ଏହାକୁ ନେଇ ବିଶ୍ବବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ