ବିଜେଡି କର୍ମୀଙ୍କ ଗୁଣ୍ଡାଗିରି: ଶିଖ୍‌ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ପରେ ବି କୋହଳ କାର୍ଯ୍ୟାନୁଷ୍ଠାନ

ବିଧାୟକଙ୍କ ଅନ୍ଧାରୀ ବିଜେକୁ ନେଇ ଉଠିଲା ପ୍ରଶ୍ନ, ଚାରିଆଡ଼ୁ ଜୋର୍‌ଦାର ବିରୋଧ

ଭୁବନେଶ୍ବର: ଶିଖ୍‌ ଯୁବକଙ୍କୁ ଆକ୍ରମଣ ଘଟଣା ଏବେ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ଏବେ ବେଳକୁ ବେଳ ରୋଚକ ହେବାରେ ଲାଗିଛି। ଘଟଣାରେ ନୂଆ ନୂଆ ଟ୍ବିଷ୍ଟ ଯୋଡ଼ି ହେବାରେ ଲାଗିଛି। ଗୋଟିଏ ପଟେ ଏହି ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ସାଙ୍ଗେ ସାଙ୍ଗେ ଜାମିନ୍‌ ମିଳି ଯାଇଥିବା ବେଳେ ବିଜେଡି ବିଧାୟକ ଓ ପୋଲିସ୍‌ ଅଧିକାରୀଙ୍କ ରାତି ଅଧିଆ ବିଜେକୁ ନେଇ ପ୍ରଶ୍ନ ଉଠିଛି। କଂଗ୍ରେସ ଏନେଇ ବିଧାୟକଙ୍କ ନାଁରେ ମାମଲା କରାଯିବାକୁ ଦାବି କରିଥିଲା ବେଳେ, ଅଭିଯୁକ୍ତଙ୍କ ପ୍ରତି କୋହଳ ଦଫାକୁ ନେଇ ବିଜେପି ମଧ୍ୟ ବର୍ଷିଛି।  ଅନ୍ୟପଟେ ଏହି ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛି ଶିରୋମଣି ଅକାଳି ଦଳ। ପରବିନ୍ଦରଙ୍କୁ ନ୍ୟାୟ ନ ମିଳିଲେ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଦଳ। ସେହିପରି ଏହି ଘଟଣାକୁ ନେଇ ବିଜେପି ନେତା ଜଗନ୍ନାଥ ପ୍ରଧାନ ବିଧାୟକ ଅନନ୍ତ ଜେନା ଏବଂ ଅନୁପ କାନୁନ୍‌ଗୋଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଛନ୍ତି।

ସୂଚନାଯୋଗ୍ୟ, ଜାନୁଆରୀ ୧୫ ତାରିଖରେ କାର୍‌ ପାର୍କିଂକୁ ନେଇ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଭଗବାନ ଆପାର୍ଟମେଣ୍ଟ୍‌ ପାଖରେ ପରବିନ୍ଦର ସିଂଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ କେତେକ ଦୁର୍ବୃତ୍ତ। ଲକ୍ଷ୍ମୀସାଗର ଅଞ୍ଚଳରେ ଭଗବାନ ଟାୱାର୍‌ର ଟ୍ରେଜରର୍‌ ଥିବା ପରବିନ୍ଦର ପାଲ ସିଂ ମଙ୍ଗଳବାର ଅପରାହ୍ନରେ ତାଙ୍କ ଝିଅଙ୍କୁ ସ୍କୁଲ୍‌ରୁ ନେଇ ସ୍କୁଟି ଯୋଗେ ଘରକୁ ଫେରୁଥିଲେ। ସେହି ସମୟରେ ଟାୱାର ସାମ୍ନାରେ କେତେକ ଯୁବକ କାର୍‌କୁ ରଖି ରାସ୍ତା ଅବରୋଧ କରିଥିଲେ। ସିଂ ସେମାନଙ୍କୁ କାର୍‌ ରାସ୍ତାରୁ ହଟାଇବାକୁ କହିବା ପରେ ସେମାନଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏହାପରେ ଯୁବକମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ପରବିନ୍ଦରଙ୍କୁ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବାକୁ ଯାଇ ପରବିନ୍ଦର ଆପାର୍ଟମେଣ୍ଟ୍‌ ଭିତରକୁ ପଶି ପୋଲିସ୍‌ କ‌ଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ୍‌ କରିଥିଲେ। ଖବର ପାଇ ପିସିଆର୍‌ ଭ୍ୟାନ୍‌ ମଧ୍ୟ ଘଟଣାସ୍ଥଳକୁ ଆସିଥିଲା। ମାତ୍ର କେବଳ ଦେଖଣାହାରୀ ସାଜିଥିଲା। ପୋଲିସ୍‌କୁ କାହିଁକି ଫୋନ୍‌ କଲୁ ବୋଲି କହି ପୋଲିସ୍‌ ସମ୍ମୁଖରେ ସେମାନେ ସିଂହଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଯୁବକମାନଙ୍କ ଆକ୍ରମଣରେ ତାଙ୍କ ଆଖି, କାନ, ନାକ ଓ ପେଟରେ ଗଭୀର ଆଘାତ ଲାଗିଛି। ଏପରିକି ଯୁବକମାନେ ତାଙ୍କ ପଗଡ଼ିକୁ କାଢ଼ି ତଳକୁ ଫିଙ୍ଗି ଦେଇଥିଲେ। ପରେ ତାଙ୍କ ମୁଣ୍ଡକୁ ଇଟାରେ ଛେଚି ଦେବାକୁ ଉଦ୍ୟମ କରିଥିଲେ। ପୋଲିସ୍‌ ସମ୍ମୁଖରେ ଏସବୁ ଘଟଣା ଘଟିଥିଲେ ମଧ୍ୟ ପୋଲିସ୍‌ ଚୁପ୍‌ ଥିଲା।

ପରବିନ୍ଦର ଏନେଇ ଥାନା‌ରେ ଅଭିଯୋଗ କରିବା ପରେ ପୋଲିସ୍‌ ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ଆପାର୍ଟମେଣ୍ଟ୍‌ର ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ୩ ଆକ୍ରମଣକାରୀଙ୍କୁ ଚିହ୍ନଟ କରିଥିଲା ପୋଲିସ୍‌। ତେବେ ପୋଲିସ୍‌ ଉପସ୍ଥିତିରେ ଆକ୍ରମଣ ହୋଇଥିବାରୁ ଏହାରୁ ଚାରିଆଡ଼େ ବିରୋଧ କରାଯାଉଛି । ଶିଖ୍‌ ସମ୍ପ୍ରଦାୟ ଏହାକୁ ନିନ୍ଦା କରି ରାସ୍ତାକୁ ଓହ୍ଲାଇବ ବୋଲି ଧମକ ଦେଇଛି।  କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଓ ପିସିଆର ଇନ୍‌ଚାର୍ଜ ତଥା ଅବସରପ୍ରାପ୍ତ ସବ୍‌ଇନ୍ସପେକ୍ଟରଙ୍କୁ କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ନିଲମ୍ବନ କରାଯାଇଛି। ଗିରଫ ଅଭିଯୁକ୍ତମାନେ ବିଜେଡି କର୍ମୀ ବୋଲି ଜଣାପଡ଼ିଥିଲା। ବିଜେଡିର ପୂର୍ବତନ କର୍ପୋରେଟରଙ୍କ ପୁତୁରା ଦୀପକ ଜେନା, ତାଙ୍କ ସହଯୋଗୀ ଶଙ୍କର ରାଉତ ଓ ଦୀପକ ମହାନ୍ତି। ବୁଧବାର ରାତିରେ ହିଁ ସମସ୍ତ ଅଭିଯୁକ୍ତଙ୍କୁ ଭୁବନେଶ୍ବର ଏସ୍‌ଡିଜେମ୍‌ କୋର୍ଟ ଜାମିନ ଦେଇଛନ୍ତି। ଅଭିଯୁକ୍ତଙ୍କ ନାଁରେ ଦଫା ଯଥା ୨୯୪, ୩୪୧, ୩୨୩, ୩୩୬, ୩୩୯, ୩୭୯, ୫୦୭ ଓ ୩୪ ଦଫା ଲାଗିଥିବାରୁ ଜାମିନ୍‌ ମିଳିଯାଇଥିବା ଜଣାପଡ଼ିଛି। ପରବିନ୍ଦରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ନାମରେ ୩୦୭ ଦଫା ପୋଲିସ୍‌ ଲଗାଇ ନ ଥିବାରୁ ପୋଲିସ୍‌ର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସ୍‌ ଏମିତି ଦଫା ଲଗାଇଲା ଯେ ଗିରଫର ମାତ୍ର କେଇ ଘଣ୍ଟା ଭିତରେ ଆକ୍ରମଣକାରୀଙ୍କୁ ବେଲ୍ ମିଳିଗଲା। ଯାହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଆଉ କ’ଣ ହୋଇଥିଲେ ହତ୍ୟା ଉଦ୍ୟମର ଦଫା ୩୦୭ ଲାଗିଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି ପୀଡ଼ିତ ପରବିନ୍ଦର ସିଂ।

ଅନ୍ୟପଟେ ପୋଲିସ୍‌ ଉପରେ ଆଉ ଭରସା ନାହିଁ ବୋଲି କହିଛନ୍ତି ପରବିନ୍ଦର। ଆମକୁ ସେମାନେ ମାରି ଦେବେ। ତାଙ୍କ ପରିବାର, ପିଲାଛୁଆ ସବୁ ଅସୁରକ୍ଷିତ ଅଛନ୍ତି। ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ ହୋଇଥିବା ବେଳେ ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମର ଦଫା କାହିଁକି ଲାଗି ନାହିଁ ବୋଲି କହିଛନ୍ତି ଶିଖ୍‌ ଯୁବକ ପରବିନ୍ଦର ପାଲ୍‌ ସିଂ। ପରବିନ୍ଦର ପାଲଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି, ଘରେ ସମେସ୍ତ ଶୋଇଥିବା ବେଳେ ରାତି ପ୍ରାୟ ୧ଟା ବେଳେ ତାଙ୍କ ଡୋର୍‌ ବେଲ୍‌ ବାଜିଥିଲା। ୩-୪ ଜଣ ଲୋକ ଆସିଥିବା ଦେଖିବାକୁ ପାଇଥିଲେ। ଭୟରେ ସେ କବାଟ ନ ଖୋଲିବାରୁ ସେମାନେ ଚାଲି ଯାଇଥିଲେ। ତେବେ ଗୁରୁବାର ସକାଳେ ସେମାନେ ପୁଣି ତାଙ୍କ ଘରକୁ ଆସିଥିଲେ ଏବଂ ତୁମେମାନେ ଭୟ କରନ୍ତି, ଆମେ ତୁମ ସହ ଅଛୁ ବୋଲି କହିଥିଲେ।

ତେବେ ଆପର୍ଟମେଣ୍ଟ୍‌ରେ ଲାଗିଥିବା ସିସିଟିଭିରେ କଏଦ ହୋଇଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୋଲିସ୍‌ ଡିଏସ୍‌ପି ଅନୁପ କାନୁନ୍‌ଗୋ। ସେମାନେ ହିଁ ରାତିରେ ତାଙ୍କ ଘରକୁ ଯାଇଥିବା ସିସିଟିଭିରେ ଦେଖିବାକୁ ମିଳିଛି। ସେମାନଙ୍କ ଆସ ଆଉ ୨ ଜଣ ମଧ୍ୟ ଥିଲେ। ତେବେ ବିଧାୟକ ଅନନ୍ତ ଜେନା କାହିଁକି ଓ କେଉଁ ଉଦ୍ଦେଶ୍ୟରେ ତାଙ୍କ ଘରକୁ ଯାଇଥିଲେ, ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ପୋଲିସ୍‌ ଅଧିକାରୀ ଅନୁପ କାନୁନ୍‌ଗୋ ମଧ୍ୟ କାହିଁକି ପରବିନ୍ଦରଙ୍କ ଘରକୁ ଆସିଥିଲେ ତାହା ଏବେ ସନ୍ଦେହ ଘେରକୁ ଆସିଛି। ସେପଟେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଅନନ୍ତ ଜେନା। ସେ କହିଛନ୍ତି ଗୁରୁଦ୍ୱାରା ସଭାପତି ସତ୍‌ପାଲ୍ ସିଂ ସହ ପରବିନ୍ଦରଙ୍କ ପରିବାରକୁ ଶାନ୍ତ୍ୱନା ଦେବାକୁ ଯାଇଥିଲି। ଯେହେତୁ ସେ ସ୍ଥାନୀୟ ବିଧାୟକ ଏବଂ ଲୋକମାନେ ତାଙ୍କୁ ଭୋଟ୍‌ ଦେଇ ଜିତାଇଛନ୍ତି ତେଣୁ ସେ ତାଙ୍କୁ ଦେଖା କରିବାକୁ ଯାଇଥିଲେ ଏବଂ ତାଙ୍କ ସହ ଆଲୋଚନା କରି ଫେରିଛନ୍ତି ବୋଲି ଜେନା କହିଛନ୍ତି। ତେବେ ଏଠି ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ, ବିଧାୟକ ତାଙ୍କ ଅଞ୍ଚଳର ହୋଇଥିବାରୁ, ସେ ସୌଜନ୍ୟ ମୂଳକ ସାକ୍ଷାତ ପାଇଁ ଯାଇଥାଇପାରନ୍ତି। ହେଲେ କମିଶନରେଟ ପୋଲିସ୍‌ରେ ଅନୁପ କାନୁନଗୋ ନାହାନ୍ତି କିନ୍ତୁ ସେ କାହିଁକି ଆସିଥିଲେ। ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବିଧାୟକ ଦିନରେ ନ ଆସି ରାତି ଅଧରେ କାହିଁକି ଆସିଥିଲେ ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ସେପଟେ ଘଟଣାକୁ ନେଇ ରାଜନୀତି ବି ତେଜିଛି। ଶିରୋମଣି ଅକାଳି ଦଳ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ନ୍ୟାୟ ନ ମିଳିଲେ ଦିଲ୍ଲୀସ୍ଥିତ ଓଡ଼ିଶା ଭବନ ଆଗରେ ବିକ୍ଷୋଭ କରିବାକୁ ଧମକ ଦେଇଛି। ଶିରୋମଣି ଅକାଳି ଦଳର ମୁଖପାତ୍ର ମନଜିନ୍ଦର ସିଂ ସିର୍ସା ଟ୍ବିଟ୍‌ କରି କହିଛନ୍ତି, ଯେ ପର୍ଯ୍ୟନ୍ତ ପରବିନ୍ଦରଙ୍କୁ ନ୍ୟାୟ ନ ମିଳିଛି, ଆମେ ଚୁପ୍‌ ବସିବୁନି। ସାରା କମ୍ୟୁନିଟି ପରବିନ୍ଦରଙ୍କ ସହ ଅଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମାଧାନ ନ କଲେ ସେମାନେ ରାସ୍ତାକୁ ଓହ୍ଲାଇବୁ। ଆବଶ୍ୟକ ପଡ଼ିଲେ ଓଡ଼ିଶା ଭବନ ଆଗରେ ମଧ୍ୟ ବିକ୍ଷୋଭ କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଏହି ଘଟଣାକୁ ନେଇ ସରକାରଙ୍କୁ ଘେରିଛନ୍ତି। ଗୁଣ୍ଡାମାନଙ୍କ ସହ ଉପସ୍ଥିତ ପୋଲିସ୍‌ ଅଫିସରମାନଙ୍କର କ'ଣ ସମ୍ପର୍କ ରହିଛି, ତାହା ରାଜ୍ୟସରକାରଙ୍କ ଗୃହ ବିଭାଗ ସ୍ପଷ୍ଟ କରୁ। କାହା ଇଙ୍ଗିତରେ ପୋଲିସ୍‌ ଅନ୍ୟ ଗୁଣ୍ଡାମାନଙ୍କୁ ସୁରକ୍ଷା ଦେବା ପାଇଁ ଲାଗିପଡ଼ିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଗୋଲକ ମହାପାତ୍ର। ଏ ଘଟଣାରେ ଲକ୍ଷ୍ମୀସାଗର ଥାନା ଅଧିକାରୀଙ୍କ କ'ଣ ସମ୍ପର୍କ ରହିଛି ତାହା ବି ଖୁଲାସା ହେବା ଦରକାର ବୋଲି ସେ କହିଛନ୍ତି। କମିଶନରେଟ୍‌ ପୋଲିସ୍‌ ଏ ଘଟଣାରେ ସମ୍ପୃକ୍ତି ଥିବା ସମସ୍ତ ଗୁଣ୍ଡାଙ୍କୁ ଗିରଫ କରିବା ସହ ଜନୈକ ଶିଖ ବ୍ୟକ୍ତି ଏବଂ ପରିବାର ପ୍ରତି ବିପଦ ଥିବାରୁ ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉ ବୋଲି ସେ କହିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିରେ ଅଣ୍ଡାମାଡ଼ ହେଲେ  ୩୦୭ ଦଫା ଲାଗୁଛି। କିନ୍ତୁ ଜଣେ ନିରୀହ ଶିଖ୍‌ ଯୁବକଙ୍କ ଉପରେ ଯେଉଁଭଳି ଭାବେ ମରଣାନ୍ତକ ଆକ୍ରମଣ ହେଉଛି ସେ କ୍ଷେତ୍ରରେ ମାମୁଲି ଦଫା ଲଗାଉଛି ପୋଲିସ୍‌। କେବଳ ୫ଟି କଥା କହି ସରକାର ଲୋକଙ୍କୁ ବୋକା ବନାଉଥିବା କହିଛନ୍ତି କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା। ରାତି ଅଧରେ ବିଧାୟକ ଏବଂ ପୋଲିସ୍‌ ଅଧିକାରୀ ପୀଡ଼ିତଙ୍କ ଘରକୁ ଯାଇ ଭୟଭିତ କରିବାକୁ ଚେଷ୍ଟା କରୁଥିବାରୁ ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସନ୍ତୋଷ ଦାବି କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ