ଭାରତରେ ସିଏଏ ଲାଗୁ ନିଷ୍ପତ୍ତିକୁ ମାଇକ୍ରୋସଫ୍ଟ ସିଇଓଙ୍କ ନାପସନ୍ଦ

ଜଣେ ବାଂଲାଦେଶୀ ଶରଣାର୍ଥୀଙ୍କୁ ଇନ୍‌ଫୋସିସ୍‌ ସିଇଓ ଭାବେ ଦେଖିବାକୁ ଚାହିଁବି: ନାଡେଲା

ନ୍ୟୁୟର୍କ: ବିଶ୍ବର ପ୍ରମୁଖ ସଫ୍ଟୱେୟାର୍‌ କମ୍ପାନୀ ମାଇକ୍ରୋସଫ୍ଟର ସିଇଓ ଭାରତ ଜନ୍ମିତ ସତ୍ୟ ନାଡେଲା ଗତ ବର୍ଷ ଡିସେମ୍ବରରେ ଭାରତରେ ଲାଗୁ ହୋଇଥିବା ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନାପସନ୍ଦ କରିଛନ୍ତି। ଏହାକୁ ଏକ ଦୁର୍ଭାଗ୍ୟଜନକ ନିଷ୍ପତ୍ତି ବୋଲି ନାଡେଲା କହିବା ସହ ଆଗାମୀ ଦିନରେ ଜଣେ ବାଂଲାଦେଶୀ ଶରଣାର୍ଥୀ ଭାରତ ଆସି ୟୁନିକର୍ନ ଭଳି ଏକ ଷ୍ଟାର୍ଟଅପ୍‌ ସୃଷ୍ଟି କଲେ କିମ୍ବା ଇନ୍‌ଫୋସିସ୍‌ର ସିଇଓ ହେଲେ, ମୁଁ ଖୁସି ହେବି। କାରଣ ଏହା ହିଁ ପ୍ରକୃଷ୍ଟ ଉଚ୍ଚାକାଂକ୍ଷାର ପରିମାପକ ହୋଇପାରିବ। ନାଡେଲା ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ ଭାରତରେ ସିଏଏକୁ ନେଇ ଚାଲିଥିବା ବିବାଦୀୟ ପରିସ୍ଥିତି ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଆମେରିକାରେ ମୋ ପ୍ରତି ଯାହା ହୋଇଥିଲା, ବର୍ତ୍ତମାନ ଭାରତରେ ତାହା ହିଁ ଚାଲିଛି। ପ୍ରତି ଦେଶରେ ଶରଣାର୍ଥୀ ସମସ୍ୟା ରହିଛି। ଏପରିକି ୟୁରୋପରେ ମଧ୍ୟ ସମାନ ସମସ୍ୟା ରହିଛି। କିନ୍ତୁ ପ୍ରତିଟି ଶରଣାର୍ଥୀଙ୍କୁ ଯେ ନାଗରିକତା ପ୍ରଦାନ କରାଯିବା ବାଧ୍ୟତାମୂଳକ, ଏପରି ଏକ ଚିନ୍ତାଧାରା ବାସ୍ତବିକ ଦୁର୍ଭାଗ୍ୟଜନକ ବୋଲି ନାଡେଲା କହିଛନ୍ତି।

ନାଡେଲା କହିଛନ୍ତି ଯେ ଅବଶ୍ୟ ପ୍ରତି ଦେଶର ନିଜସ୍ବ ଚିନ୍ତାଧାରା ରହିଛି। ପ୍ରତି ଦେଶ ନିଜର ଜାତୀୟ ନିରାପତ୍ତା କିପରି ନିଶ୍ଚିତ କରିବ, ତାହା ମଧ୍ୟ ଉକ୍ତ ଦେଶ ଉପରେ ନିର୍ଭରଶୀଳ। କିନ୍ତୁ କେଉଁମାନେ ଶରଣାର୍ଥୀ ଓ କେଉଁମାନେ ସଂଖ୍ୟାଲଘୁ ଗୋଷ୍ଠୀ, ତାହା ବିଚାର କରିବା ନିଶ୍ଚିତ ଭାବେ ଏକ ସମ୍ବେଦନଶୀଳ ପ୍ରସଙ୍ଗ ବୋଲି ନାଡେଲା କହିଛନ୍ତି। ତେବେ ନାଡେଲା ସିଏଏ ଉପରେ ଭାରତ ପରି ବିଶ୍ବର ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ରରେ ବ୍ୟାପକ ତର୍ଜମା ଓ ଯୁକ୍ତିତର୍କ ଚାଲିବା ଏକ ସକାରାତ୍ମକ ଦିଗ ବୋଲି କହିଛନ୍ତି। ନାଡେଲାଙ୍କ ଏପରି ମନ୍ତବ୍ୟ ପରେ ମାଇକ୍ରୋସଫ୍ଟ ପକ୍ଷରୁ ଏକ ବିବୃତିରେ ଜାରି କରାଯାଇଛି। ଏଥିରେ କୁହାଯଇଛି ଯେ ପ୍ରତି ଦେଶ ନିଜର ସୀମା ଭିତରେ କିଛି ବି କରିପାରିବ। ଜାତୀୟ ନିରାପତ୍ତା କାରଣରୁ ଦେଶ ଦେଶାନ୍ତର ନୀତି ମଧ୍ୟ ନିର୍ଦ୍ଧାରଣ କରିପାରିବ। ଗଣତାନ୍ତ୍ରିକ ରାଷ୍ଟ୍ରରେ କୌଣସି ନୀତି ଉପରେ ମଧ୍ୟ ବିଚାରବିମର୍ଶ ଓ ତର୍ଜମା ଚାଲିବା ଆବଶ୍ୟକ। ଭାରତ ପରି ଏକ ସଂସ୍କୃତିସମ୍ପନ୍ନ ଦେଶରେ କୌଣସି ଶରଣାର୍ଥୀ ନାଗରିକତା ପାଇବା ପରେ ଦେଶର ବୃହତ୍‌ ଅର୍ଥନୀତିକ ପରିସରରେ ନିଶ୍ଚିତ ଭାବେ ଚମତ୍କାରିତା ସୃଷ୍ଟି କରିବାର ସୁଯୋଗ ରହିଛି ବୋଲି ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ