ଆରପାରିରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦେଶକ ମନମୋହନ ମହାପାତ୍ର


ଭୁବନେଶ୍ବର: ଜାତୀୟ-ଅନ୍ତଜାର୍ତୀୟ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ଦେଶକ ମନମୋହନ ମହାପାତ୍ର ପରଲୋକ ହୋଇଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସନ୍ଧ୍ୟାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ମହାପାତ୍ରଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ତାଙ୍କ ସାନପୁଅ ମନତୋଷ ମହାପାତ୍ର।। ଓଡ଼ିଆ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବନାହିଁ। ମନମୋହନଙ୍କ ଦେହାନ୍ତ ପରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି। ମହାପାତ୍ରଙ୍କ ମୃତ୍ୟୁପରେ ଟ୍ବିଟ୍‌ କରି ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଓଡ଼ିଆ ଫିଲ୍ମ ଜଗତକୁ ମନମୋହନଙ୍କ ଅବଦାନ ଥିଲା ଅତୁଳନୀୟ। ସେ ଏକାଧାରାରେ ଜଣେ ଚଳଚ୍ଚିତ୍ର ନିର୍ମାତା, ନିର୍ଦେଶକ ଏବଂ ଲେଖକ ଥିଲେ। ନୀରବ ଝଡ଼, କ୍ଲାନ୍ତ ଅପରାହ୍ନ, ଅନ୍ଧ ଦିଗନ୍ତ, ମଝି ପାହାଚ, ଶୀତରାତି ଏବଂ ଭିନ୍ନ ସମୟ ଭଳି ସୁପରହିଟ୍‌ ଚଳଚ୍ଚିତ୍ର ସେ ନିର୍ମାଣ କରିଥିଲେ। ସେଥିମଧ୍ୟରୁ ଅନେକ ଚଳଚ୍ଚିତ୍ର ଜାତୀୟ ପୁରସ୍କାର ଲାଭ କରିଥିଲା। କେବଳ ଓଡ଼ିଆ ନୁହେଁ, ସେ ହିନ୍ଦୀ ଚଳଚ୍ଚିତ୍ର ‘ବିଟସ୍‌ ଆଣ୍ଡ୍‌ ପିସେସ୍‌’ ନିର୍ଦେଶନା ଦାୟିତ୍ୱ ମଧ୍ୟ ତୁଲାଇ ଥିଲେ। ନିକଟରେ ସେ ‘ଭିଜା ମାଟିର ସ୍ୱର୍ଗ’ ଚଳଚ୍ଚିତ୍ର ଲାଗି ଶ୍ରେଷ୍ଠ ନିର୍ଦେଶକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। ୧୯୭୬ ମସିହାରେ ତାଙ୍କ ନିର୍ଦେଶିତ ପ୍ରଥମ ଫିଲ୍ମ ‘ଶୀତରାତି’ ଦେଶ ବାହାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରର ଗୌରବ ଅର୍ଜନ କରିଥିଲା। ମହାପାତ୍ର ୮  ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।
 
ମନମୋହନ ମହାପାତ୍ର ୧୯୫୧ ମସିହାରେ ଖୋର୍ଦ୍ଧାରେ ଜନ୍ମ ଗ୍ରହଣ କରିଥିଲେ। ବିଜେବି କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ପୁନେ ଟେଲିଭିଜନ ଓ ଫିଲ୍ମ ଇନଷ୍ଟିଚ୍ୟୁଟ୍‌ରେ ଫିଲ୍ମ ନିର୍ମାଣ ଉପରେ ଉଚ୍ଚ ଶିକ୍ଷା  ହାସଲ କରିଥିଲେ। ଏହି ଅନୁଷ୍ଠାନରେ ପଢ଼ିବା ପାଇଁ ନିରଦ ମହାପାତ୍ର ତାଙ୍କୁ ଉତ୍ସାହିତ କରିଥିଲେ। ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟ୍‌ରୁ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହାପାତ୍ରଙ୍କ ପ୍ରଥମ କ୍ଷୁଦ୍ର ଚଳଚ୍ଚିତ୍ର ଥିଲା ‘ଆଣ୍ଟି-ମେମୋଇର୍ସ’। ମନମୋହନ ମହାପାତ୍ର ୧୯୭୬ ମସିହାରେ ଶୀତ ରାତି ଫିଲ୍ମର ନିର୍ଦେଶନା ଦେଇଥିଲେ। ଚଳଚ୍ଚିତ୍ର ବ୍ୟତୀତ ସେ ଅନେକ ପ୍ରାମାଣିକ ଚିତ୍ର ନିର୍ମାଣ କରିଛନ୍ତି। ଏଥିମଧ୍ୟରୁ କୋଣାର୍କ ପ୍ରାମାଣିକ ଚିତ୍ର ଅନ୍ୟତମ। ମନମୋହନ ମହାପାତ୍ର ବେଶ୍ କିଛି ଚିତ୍ର ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବି ଲାଭ କରିଛନ୍ତି। ତାଙ୍କ ନିର୍ଦେଶିତ ଚଳଚ୍ଚିତ୍ର ଗୁଡ଼ିକ ମଧ୍ୟରୁ  ଆଣ୍ଟି-ମେମୋରିଜ୍, ଶୀତ ରାତି, ଭଏସ୍ ଅଫ୍ ସାଇଲେନ୍ସ, କୋଣାର୍କ: ଦି ସନ୍ ଟେମ୍ପଲ ଆଦି ହେଉଛି ପ୍ରାମାଣିକ ଚଳଚ୍ଚିତ୍ର। ନୀରବ ଝଡ, କ୍ଳାନ୍ତ ଅପରାହ୍ନ, ତ୍ରିସନ୍ଧ୍ୟା, ମଝି ପାହାଚ, କିଛି ସ୍ମୃତି କିଛି ଅନୁଭୂତି, ଅନ୍ଧ ଦିଗନ୍ତ, ଭିନ୍ନ ସମୟ, ଅଗ୍ନିବୀଣା ଓ ମୁହୂର୍ତ୍ତ ଆଦି ହେଉଛି ଫିଚର ଚଳଚ୍ଚିତ୍ର। ଶୀତ ରାତି, ନୀରବ ଝଡ, କ୍ଳାନ୍ତ ଅପରାହ୍ନ, ମଝି ପାହାଚ, ଫର୍ବିଡେନ୍ ଡ୍ରିମ୍ସ, ଭିନ୍ନ ସମୟ ଓ ମୁହୂର୍ତ୍ତ ଆଦି ଚଳଚ୍ଚିତ୍ରର ସେ ଲେଖକ ଥିଲେ। ସେହିପରି ଫର୍ବିଡେନ୍ ଡ୍ରିମ୍ସ ଏବଂ ନୀରବ ଝଡ ଆଦି ଚଳଚ୍ଚିତ୍ରର ପ୍ରଯୋଜନା ଭାର ମଧ୍ୟ ସମ୍ଭାଳିଥିଲେ।

ମନମୋହନଙ୍କ ମୃତ୍ୟୁ ଖବର ଶୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି, ଜାତୀୟ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦେଶକ ମନମୋହନ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ନିର୍ଦେଶକ ଭାବେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପବିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସେହିପରି ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି। ଓଡ଼ିଶାର ବିଶିଷ୍ଟ ଫିଲ୍ମ ନିର୍ମାତା ଓ ନିର୍ଦେଶକ ମନମୋହନ ମହାପାତ୍ରଙ୍କ ଦେହାନ୍ତ ଖବର ଶୁଣି ସେ ଦୁଃଖିତ। ତାଙ୍କ ବିୟୋଗରେ ସିନେ ଜଗତରେ ଅପୂରଣୀୟ କ୍ଷତି ହୋଇଛି। ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମରଆତ୍ମାର ସଦଗତି କାମନା କରିଛନ୍ତି ଧର୍ମେନ୍ଦ୍ର। ଏଥିସହ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶୋକ ସନ୍ତପ୍ତ ପରିବାରକୁ ମଧ୍ୟ ସମବେଦନା ଜଣାଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ