ଆଇସିସି ଟି-୨୦ ମହିଳା ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ଘୋଷିତ


ଆସନ୍ତା ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଇସିସି ଟି-୨୦ ମହିଳା ବିଶ୍ବକପ୍‌ରେ ଭାଗ ନେବା ସକାଶେ ଭାରତୀୟ ଦଳ ରବିବାର ଘୋଷଣା କରାଯାଇଛି। ଏହି ଦଳର ନେତୃତ୍ବ ମଧ୍ୟମକ୍ରମ ବ୍ୟାଟ୍ସଓମ୍ୟାନ୍‌ ହରମନ୍‌ପ୍ରୀତ୍‌ କୌର୍‌ ନେବେ ଓ ତାଙ୍କୁ ଓପନର ସ୍ମୃତି ମନ୍ଧାନା ଉପଅଧିନାୟିକା ଭାବେ ସହଯୋଗ କରିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଏହି ୧୫ଜଣିଆ ଦଳରେ ଏକମାତ୍ର ନୂଆମୁହଁ ଭାବେ ପଶ୍ଚିମବଙ୍ଗ ବ୍ୟାଟ୍ସଓମ୍ୟାନ୍‌ ରିଚା ଘୋଷଙ୍କୁ ସାମିଲ୍‌ କରାଯାଇଛି। ଗତ ଚାଲେଞ୍ଜର୍‌ ଟ୍ରଫିରେ ରିଚା ଗୋଟିଏ ମ୍ୟାଚ୍‌ରେ ୨୬ ବଲ୍‌ରେ ୩୬ ରନ୍‌ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ଏହାଛଡ଼ା ଗତବର୍ଷ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ବ୍ୟାଟ୍ସଓମ୍ୟାନ୍‌ ଶେଫାଲି ବର୍ମାଙ୍କୁ ମଧ୍ୟରେ ଦଳରେ ରଖାଯାଇଛି। ଫଳସ୍ବରୂପ ଏହି ୧୫ ବର୍ଷୀୟା ଖେଳାଳି ଆଇସିସି ବିଶ୍ବକପ୍‌ରେ ଡେବ୍ୟୁ କରିବା ନିଶ୍ଚିତ ହୋଇଛି।

ଆଇସିସି ବିଶ୍ବକପ୍‌ରେ ଭାରତ ଗ୍ରୁପ୍‌-ଏ’ରେ ରହିଛି, ଯେଉଁଥିରେ ଦଳର ମୁକାବିଲା ଶକ୍ତିଶାଳୀ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍‌, ଶ୍ରୀଲଙ୍କା ଓ ବାଂଲାଦେଶ ବିପକ୍ଷରେ ହେବ। ସେହିପରି ଗ୍ରୁପ୍‌-ବି’ରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟ୍‌ଇଣ୍ଡିଜ୍‌, ପାକିସ୍ତାନ ଓ ଥାଇଲାଣ୍ଡ୍‌ ପରି ଦଳ ରହିଛନ୍ତି। ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ଫେବ୍ରୁଆରୀ ୨୧ ତାରିଖରେ ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡ୍‌ଠାରେ ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷରୁ ତା’ର ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ।

ଘୋଷିତ ଦଳ: ହରମନ୍‌ପ୍ରୀତ୍‌ କୌର୍‌ (ଅଧିନାୟିକା), ସ୍ମୃତି ମନ୍ଧାନା, ଶେଫାଲି ବର୍ମା, ଜେମିମା ରଡରିଗ୍ସ, ହରଲିନ୍‌ ଦେଓଲ୍‌, ଦୀପ୍ତି ଶର୍ମା, ବେଦ କ୍ରିଷ୍ଣାମୂର୍ତ୍ତି, ରିଚା ଘୋଷ, ତାନିଆ ଭାଟିଆ, ପୁନମ୍‌ ଯାଦବ, ରାଧା ଯାଦବ, ରାଜେଶ୍ବରୀ ଗାଏକ୍ବାଡ୍‌, ଶିଖା ପାଣ୍ଡେ, ପୂଜା ବସ୍ତ୍ରାକାର ଓ ଅରୁନ୍ଧତୀ ରେଡ୍ଡୀ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ