ଆତଙ୍କୀଙ୍କ ସହ ଧରାପଡ଼ିଥିବା ଡିଏସ୍‌ପି ବି ଆତଙ୍କବାଦୀ: ଜମ୍ମୁ-କଶ୍ମୀର ପୋଲିସ


ଶ୍ରୀନଗର: ୨ ହିଜବୁଲ ଆତଙ୍କବାଦୀଙ୍କ ସହ ଗୋଟିଏ କାର୍‌ରେ ଯାତ୍ରା କରିବା ବେଳେ ଧରା ପଡ଼ିଥିବା ଡିଏସ୍‌ପିଙ୍କ ପ୍ରତି ଜମ୍ମୁ-କଶ୍ମୀର ପୋଲିସ କଠୋର ଆଭିମୁଖ୍ୟ ପୋଷଣ କରିଛି। ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଏକ ପ୍ରେସ କନ୍‌ଫରେନ୍ସ ଜରିଆରେ ସ୍ପଷ୍ଟ କରାଯାଇଛି ଯେ ଡିଏସ୍‌ପି ଦବିନ୍ଦର ସିଂହ ଆତଙ୍କବାଦୀଙ୍କ ସହ ଗୋଟିଏ କାର୍‌ରୁ ଧରାପଡ଼ି ଗିରଫ ହୋଇଥିବାରୁ ତାଙ୍କୁ ଜଣେ ଆତଙ୍କବାଦୀ ଭାବେ ବିବେଚନା କରି ଆଇନ ଅନୁସାରେ ଦଣ୍ଡିତ କରାଯିବ ବୋଲି କୁହାଯାଇଛି। ଜଣେ ଡିଏସ୍‌ପି ପାହ୍ୟାର ପୋଲିସ ଅଫିସରଙ୍କ ଏପରି କାର୍ଯ୍ୟକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି।

ମାତ୍ର ଦୁଇ ଦିନ ତଳେ ୧୫ଟି ବିଦେଶୀ ରାଷ୍ଟ୍ରର ପ୍ରତିନିଧି କଶ୍ମୀର ଭ୍ରମଣ କରି ସ୍ଥିତି ପରଖୁଥିଲା ବେଳେ ଦବିନ୍ଦର ଜଣେ ସୁରକ୍ଷାକର୍ମୀ ଭାବେ ତାଙ୍କ ସହ ରହି କାର୍ଯ୍ୟ ସମ୍ପାଦନ କରିଥିଲେ। ଦବିନ୍ଦର ଆତଙ୍କବାଦୀ ନିରୋଧୀ ସ୍କାଡ୍‌ରେ ମଧ୍ୟ ରହି କାର୍ଯ୍ୟକରି ଉଚ୍ଚ ପ୍ରଶଂସିତ ହୋଇଥିଲା ବେଳେ କିପରି ଭାବେ ଆତଙ୍କବାଦୀଙ୍କ ସମ୍ପର୍କରେ ଆସିଲେ, ତାହା ଅନେକଙ୍କୁ ବିସ୍ମିତ କରିଛି। ତାଙ୍କୁ ଗତ ବର୍ଷ ଅଗଷ୍ଟ ୧୫ରେ ରାଷ୍ଟ୍ରପତି ଉତ୍ତମ ସେବା ପାଇଁ ପୋଲିସ ମେଡାଲ ମଧ୍ୟ ପ୍ରଦାନ କରିଥିବା ଜଣାପଡ଼ିଛି।

ଗିରଫ ଡିଏସପି ଦବିନ୍ଦରଙ୍କ ଶ୍ରୀନଗର ଘର ମଧ୍ୟ ରେଡ୍‌ ହୋଇଛି। ତାଙ୍କ ଘରୁ ଗୋଟିଏ ଏକେ-୪୭, ୨ଟି ପିସ୍ତଲ ଓ ୩ଟି ହ୍ୟାଣ୍ଡ ଗ୍ରେନେଡ୍‌ ମଧ୍ୟ ଜବତ ହେବା ପରେ ତାଙ୍କର ଆତଙ୍କୀ ଲିଙ୍କ ଥିବା ସ୍ପଷ୍ଟ ହୋଇଛି। ସେ ଛୁଟିରେ ରହି ଜମ୍ମୁକୁ ଯିବା କାର୍ଯ୍ୟକ୍ରମ ଥିଲା ବୋଲି ସହଯୋଗୀଙ୍କୁ କହିଥିଲେ। ମାତ୍ର ଏହି ଛୁଟିରେ ତାଙ୍କୁ ଆତଙ୍କବାଦୀଙ୍କ ସହ ଗିରଫ କରାଯିବା ଜମ୍ମୁ-କଶ୍ମୀର ପୋଲିସର ଚିନ୍ତା ବଢ଼ାଇ ଦେଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ