ବାଜିଲା ଜନଗଣନା ବିଗୁଲ୍‌: ଏଥର ନୂଆ ଢାଞ୍ଚାରେ ନାଗରିକତା ପଞ୍ଜୀକରଣ

ନିୟୋଜିତ ହେବେ ୩୦ ଲକ୍ଷ କର୍ମଚାରୀ, ବଜେଟ୍ ୧୨ ହଜାର କୋଟି

ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର)ର କାମ ଏଭଳି ମେଗା ଏକ୍ସରସାଇଜ ସହିତ ହେବାକୁ ଯାଉଛି, ଯାହାକି ଭାରତରେ ପ୍ରତି ୧୦ ବର୍ଷରେ ଥରେ କରାଯାଇଥାଏ। ପାଖାପାଖି ୩୦ ଲକ୍ଷ ଲୋକ ଦେଶର ଏହି ସର୍ବବୃହତ ଜନଗଣନା କାର୍ଯ୍ୟରେ ନିୟୋଜିତ ହେବେ। ଏଥିପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବାର ବଜେଟ୍ ରହିଛି। ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିବାଦ ତୀବ୍ର ହୋଇଥିବାବେଳେ (ଏନ୍‌ପିଆର) ନ୍ୟାସନାଲ ପପୁଲେସନ ରେଜିଷ୍ଟରକୁ ନେଇ ମଧ୍ୟ ବିରୋଧୀଦଳ ଗୁଡ଼ିକ ରାଗ ଝାଡ଼ିବାରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

୨୦୧୧ ଜନଗଣନା ପାଇଁ ୮,୭୫୪.୨୩ କୋଟି ଟଙ୍କା ଏବଂ ଜାତୀୟ ଜନଗଣନା ପଞ୍ଜିକା ଉନ୍ନୟନ ପାଇଁ ୩୯୪୧.୩୫ କୋଟି ଟଙ୍କା ମଞ୍ଜୁର ହୋଇଛି। ଜାତୀୟ ଆବଶ୍ୟକତାର ଏହି ବଡ଼ କାମକୁ ପୂରା କରିବା ପାଇଁ ୩୦ ଲକ୍ଷ କର୍ମଚାରୀଙ୍କୁ ଦେଶର ବିଭିନ୍ନ ଅଞ୍ଚଳକୁ ପଠାଯିବ। ୨୦୧୧ ଜନଗଣନା ପାଇଁ ୨୮ ଲକ୍ଷ କର୍ମଚାରୀ ମୁତୟନ ଥିବା ବେଳେ ଏବେ ଅଧିକ ୨ ଲକ୍ଷ କର୍ମଚାରୀଙ୍କ ଆବଶ୍ୟକତା ଥିବା ଅନୁଭବ କରାଯାଇଛି। ଜାତୀୟ ଜନଗଣନା ପଞ୍ଜିକା ୨୦୨୦ ଏପ୍ରିଲ ଓ ସେପ୍ଟେମ୍ବର ମଧ୍ୟରେ ଆସାମ ବ୍ୟତୀତ ସାରା ଦେଶରେ ଲାଗୁ ହେବ।  ଆସାମରେ ଜାତୀୟ ନାଗରିକତା ପଞ୍ଜୀକରଣ କାର୍ଯ୍ୟ ପୂର୍ବରୁ ସମ୍ପାଦିତ ହୋଇଥିବାରୁ ଏଠାରେ ଏହି ପ୍ରକ୍ରିୟା ଆରମ୍ଭ ହେବ ନାହିଁ। ଜାତୀୟ ଜନସଂଖ୍ୟା ପଞ୍ଜୀକରଣର ସଂଖ୍ୟା ଗତ ଥର ୨୦୧୦ରେ ଘରର ତାଲିକା ପ୍ରସ୍ତୁତ କରାଯିବାବେଳେ ନିଆଯାଇଥିଲା, ଯାହା ୨୦୧୧ ଜନଗଣନା ସହିତ ଜଡ଼ିତ ଥିଲା। ୨୦୧୫ରେ ଘରକୁ ଘର ବୁଲି ଏହି ପରିସଂଖ୍ୟାନକୁ ଅପ୍‌ଡେଟ କରାଯାଇଛି। ଏହିଥର ଜନଗଣନାର ଫଳାଫଳ ସାଧାରଣ ଜନଗଣଙ୍କୁ ଏହିଭଳି ଭାବରେ ଉପଲବ୍ଧ କରାଯିବ, ଯେଉଁଥିରେ ସେମାନଙ୍କୁ ବୁଝିବା ସହଜ ହେବ। ଜନଗଣନା ଏବଂ ଏନ୍‌ପିଆରରେ ସମଗ୍ର ଦେଶରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ରୋଜଗାର ସୃଷ୍ଟି ହେବ। ଜନଗଣନା ଏବଂ ଏନ୍‌ପିଆର କାମରେ ସ୍ଥାନୀୟ ସ୍ତରରେ ୨୯୦୦ ଦିନ ପାଇଁ ପାଖାପାଖି ୪୮ ହଜାର ଲୋକଙ୍କୁ କାମରେ ନିୟୋଜିତ କରାଯିବ। ଅନ୍ୟ ଭାବରେ କହିବାକୁ ଗଲେ ପାଖାପାଖି ୨ କୋଟି ୪୦ ଲକ୍ଷ ମାନବ ଦିବସ ସୃଷ୍ଟି ହେବା ସହ ରୋଜଗାରର ସୁଯୋଗ ଉପଲବ୍ଧ ହେବ।

ଏନ୍‌ପିଆରରେ ପଚରାଯିବ ଏସବୁ ପ୍ରଶ୍ନ
ଏନ୍‌ପିଆର (ନ୍ୟାସନାଲ ପପୁଲେସନ ରେଜିଷ୍ଟର)ରେ ଦେଶର ଜନଗଣଙ୍କୁ କେତେକ ସୂଚନା ଦେବାକୁ ହେବ। ଯେଉଁଥିରେ ବ୍ୟକ୍ତିର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା ଭଳି ସୂଚନା ଲିପିବଦ୍ଧ ରହିବ। ଏନ୍‌ପିଆରରେ ଲିପିବଦ୍ଧ ସୂଚନା ନିଜେ ଦେଉଥିବା ସୂଚନା ଆଧାରରେ ହେବ। ନାଗରିକତା ଅଧିନିୟମ ୧୯୫୫ ପ୍ରାବଧାନ ଅନୁଯାୟୀ ସ୍ଥାନୀୟ ଉପଖଣ୍ଡ, ଜିଲା, ରାଜ୍ୟ ଏବଂ ଜାତୀୟ ସ୍ତରରେ ଏହା ପ୍ରସ୍ତୁତ କରାଯାଇଥାଏ।

ଏଭଳି ହେବ ପୂରା ପ୍ରକ୍ରିୟା
ପପୁଲେସନ ରେଜିଷ୍ଟରରେ ତିନୋଟି ପ୍ରକ୍ରିୟା ରହିବ। ପ୍ରଥମ ପର୍ଯ୍ୟାୟରେ ୧ ଏପ୍ରିଲ ୨୦୨୦ରୁ ସେପ୍ଟେମ୍ବର ୩୦ ଯାଏ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଘରକୁ ଘର ବୁଲି ପରିସଂଖ୍ୟାନ ଯୋଗାଡ଼ କରିବେ। ୯ରୁ ୨୮ ଫେବ୍ରୁଆରୀ ୨୦୨୧ ଯାଏ ଏହାର ଦ୍ବିତୀୟ ପର୍ଯ୍ୟାୟ କାମ ଆରମ୍ଭ ହେବ। ୧-୫ ମାର୍ଚ୍ଚ ୨୦୨୧ ଯାଏ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ସଂଶୋଧନ ପ୍ରକ୍ରିୟା ହାତକୁ ନିଆଯିବ।

ଏନ୍‌ପିଆର କ’ଣ
ନ୍ୟାସନାଲ ପପୁଲେସନ ରେଜିଷ୍ଟର ବା ଜାତୀୟ ଜନସଂଖ୍ୟା ପଞ୍ଜିକା ପ୍ରତି ୧୦ ବର୍ଷରେ ଥରେ ହେଉଥିବା ଜନଗଣନାର ନୂଆ ରୂପ। ଏନ୍‌ପିଆର ପ୍ରସ୍ତୁତ କରାଯିବାର ଲକ୍ଷ୍ୟ ହେଉଛି, ଦେଶର ସାଧାରଣ ନାଗରିକଙ୍କ ବିସ୍ତୃତ ପରିଚୟ ବା ଡାଟାବେସ ପ୍ରସ୍ତୁତ କରିବା। ଏହି ତଥ୍ୟରେ ଜନସଂଖ୍ୟା ସମ୍ପର୍କିତ ତଥ୍ୟାବଳି ରହିବା ସହିତ ବାୟୋମେଟ୍ରିକ ସୂଚନା ମଧ୍ୟ ଯୋଡ଼ିହେବ। ଏହା କିନ୍ତୁ ନାଗରିକତ୍ବର ପ୍ରମାଣ ହେବ ନାହିଁ। ୧ ଏପ୍ରିଲ ୨୦୨୦ ଠାରୁ ଏହାର କାମ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ ଯାଏ ଚାଲିବ। ଏନ୍‌ପିଆର ପ୍ରସ୍ତୁତି ପାଇଁ କୌଣସି ପ୍ରମାଣ, କୌଣସି ଦସ୍ତାବିଜ କିମ୍ବା ବାୟୋମେଟ୍ରିକ ଆବଶ୍ୟକତା ହେବନି। ନିଜେ ଯାହା ସୂଚନା ଦେବେ, ତାକୁ ସଠିକ ବୋଲି ଧରିନିଆଯିବ। ଅର୍ଥାତ୍‌ ଜନଗଣନା ପାଇଁ କୌଣସି ପ୍ରକାର ଦଲିଲ ବା ଦସ୍ତାବିଜ ଦରକାର ପଡ଼ିବ ନାହିଁ। ସ୍ବତନ୍ତ୍ର ଆପ୍‌ ଦ୍ବାରା ତିଆରି ହେବ ଏନ୍‌ପିଆର। କୁହାଯାଇଛି ଯେ ସରକାରଙ୍କ ପକ୍ଷରୁ ଏଥର ଜନଗଣନା କୌଶଳ ଆଧାରିତ ହେବ। ଏଥିପାଇଁ ଏକ ସ୍ବତନ୍ତ୍ର ଆପ୍‌ ପ୍ରସ୍ତୁତ କରାଯାଇଛି। ଏହି ଆପ୍‌ ଜରିଆରେ ଏନ୍‌ପିଆର ଅପଡେଟ୍ କରାଯିବ। ସରକାରଙ୍କ ବିଶ୍ବାସ ଏହି ଆପ୍‌ ସହାୟତାରେ ଜନଗଣନା କାର୍ଯ୍ୟରେ ବହୁତ ସୁଧାର ଓ ଫଳପ୍ରଦ ଉନ୍ନତି ଅଣାଯାଇପାରିବ।

ବଦଳିବ ଇଂରେଜ ଅମଳରୁ ଚାଲିଥିବା ନିୟମ
ଆଜି ପର୍ଯ୍ୟନ୍ତ ଦେଶରେ ୧୫ ଥର ଜନଗଣନା ହୋଇଛି। ସ୍ବାଧୀନତା ପରେ ୭ ଥର ଏପରି ଗଣନା ହୋଇଥିବାବେଳେ ସ୍ବାଧୀନତା ପୂର୍ବରୁ ୮ ଥର ଜନଗଣନା ହୋଇଛି। ଆଜି ପର୍ଯ୍ୟନ୍ତ ଜନଗଣନାର ପ୍ରକ୍ରିୟା ଓ ପଦ୍ଧତି ଇଂରେଜଙ୍କ ଅମଳରେ ଯେଭଳି ଥିଲା, ସେଭଳି ଚଳିଆସିଛି। କିନ୍ତୁ ଏହି ଥର ଏହି ପୁରୁଣା ପଦ୍ଧତି ବଦଳିବାକୁ ଯାଉଛି। ୨୦୧୧ ତୁଳନାରେ ଅଧିକ ୨ ଲକ୍ଷ ଲୋକ ନିଯୁକ୍ତି ହେବା ସହ ସ୍ବତନ୍ତ୍ର ଆପ୍‌ରେ ତଥ୍ୟ ସଂଗ୍ରହ ପ୍ରକ୍ରିୟା ପ୍ରଥମ କରି ଆରମ୍ଭ ହେବାକୁ ଯାଉଛି। ଏନ୍‌ପିଆର ପ୍ରଥମ ଥର ୨୦୧୦ରେ ୟୁପିଏ ସରକାରଙ୍କ ଅମଳରେ ଆରମ୍ଭ ହୋଇଥିଲା। ୨୦୧୫ରେ ଏହା ଅଧିକ ବିକଶିତ ହୋଇଥିଲା।

ସରକାରଙ୍କ କହିବା କଥା ହେଲା, ଏନ୍‌ପିଆର ଦ୍ବାରା ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନା ଗୁଡ଼ିକର ଲାଭ ମିଳିପାରିବ ଏବଂ ଯୋଗ୍ୟ ହିତାଧିକାରୀଙ୍କ ନିକଟକୁ ପହଞ୍ଚିଲା କି ନାହିଁ ଜାଣିହେବ। ଆୟୁଷ୍ମାନ, ଉଜ୍ଜ୍ବଳା, ସୌଭାଗ୍ୟ ଭଳି ଯୋଜନା ଗୁଡ଼ିକର ହିତାଧିକାରୀଙ୍କୁ ବଛାଯାଇପାରିବ। ଯେ କୌଣସି ବାସିନ୍ଦା ୬ ମାସରୁ ଅଧିକ ସମୟ ଧରି ଯେଉଁ ଅଞ୍ଚଳରେ ରହିଥିବେ ଏବଂ ଆଗାମୀ ୬ ମାସରେ କେଉଁଠିକୁ ଯିବେ ସେନେଇ ସେମାନଙ୍କୁ ତଥ୍ୟ ଦେବାକୁ ହେବ। ଏହି ଆଧାରରେ ସେମାନଙ୍କର ନାମ ପଞୀକରଣ କରାଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ