ମଦ ପିଇ ମାତାଲ: ପ୍ରତି ୪ ଜଣରେ ଜଣେ ଭାରତୀୟ ମଦୁଆ ଉଠାନ୍ତି ହାତ

ଭାରତୀୟଙ୍କ ପ୍ରଥମ ପସନ୍ଦ ଦେଶୀ ମଦ

ମଦ୍ୟପାନ କରି ସଡ଼କ ଉପରେ ହଙ୍ଗାମା କରିବା ବହୁତ ସାଧାରଣ କଥା। ଭାରତରେ ମଦ ପିଉଥିବା ପ୍ରତି ୪ ଜଣଙ୍କ ମଧ୍ୟରୁ ଅନ୍ତତଃ ଜଣେ ମଦ ପିଇସାରିବା ପରେ ହାତ ଉଠାଇବାକୁ ପସନ୍ଦ କରିଥାନ୍ତି। ସାଥୀ ମଦୁଆ ବା ଅନ୍ୟମାନଙ୍କ ସହିତ ହାତାହାତି ନ ହେଲେ ଏମାନଙ୍କ ନିଶା ଖସେ ନାହିଁ। ଏଭଳି ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ହେଭି ଏପିସୋଡିକ ଡ୍ରିଙ୍କିଙ୍ଗ ଅର୍ଥାତ୍‌ ବହୁତ ଅଧିକ ମାତ୍ରାରେ ମଦ ପିଉଥିବା ବ୍ୟକ୍ତି ବୋଲି କୁହାଯାଇଥାଏ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪୩ ପ୍ରତିଶତ ଏହି ବର୍ଗର। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ନିକଟରେ ଏକ ସର୍ଭେ କରାଯାଇ ଏହି ତଥ୍ୟ ପ୍ରସ୍ତୁତ କରାଯାଇଛି।

ଭାରତୀୟଙ୍କୁ ପସନ୍ଦ ଦେଶୀ ମଦ
ଭାରତରେ ଦେଶୀ ମଦ ଓ ଭାରତରେ ତିଆରି ବିଦେଶୀ ମଦ (ଆଇଏମ୍‌ଏଫଏଲ୍‌)ର ଚାହିଦା ସବୁଠୁ ଅଧିକ। ମଦ ପିଉଥିବା ପ୍ରତି ୩ ଜଣଙ୍କ ମଧ୍ୟରୁ ଜଣେ ଦେଶୀ ମଦର ପ୍ରେମରେ ପଡ଼ିଥାନ୍ତି। ଦେଶୀ ମଦ ଟିକିଏ ନ ପିଇଲେ ଏମାନଙ୍କର କୁଆଡ଼େ ନିଶା ଜୋର ଧରେନି। ଆମ ଦେଶରେ ୨୧ ପ୍ରତିଶତ ଲୋକ ବିଅର ପିଇଥାନ୍ତି, ଯେଉଁଥିରୁ ୧୨ ପ୍ରତିଶତ ଷ୍ଟ୍ରଙ୍ଗ ଏବଂ ୯ ପ୍ରତିଶତ ଲାଇଟ ବିଅର ପସନ୍ଦ କରିଥାନ୍ତି। ମଦ୍ୟପାନ କରୁଥିବା ଲୋକଙ୍କୁ ନେଇ ସର୍ଭେ କରାଯାଉଥିବା ବେଳେ ଆଉ ଏକ କଥା ସାମ୍ନାକୁ ଆସିଥିଲା। ଜଣାଯାଇଥିଲା ଯେ ମଦ୍ୟପଙ୍କ ମଧ୍ୟରୁ କେତେକ ଏପରି ଅଛନ୍ତି, ଯେଉଁମାନେ ଅଧିକରୁ ଅଧିକ ମଦ ପିଇବା ପାଇଁ ଇଚ୍ଛା କରିଥାନ୍ତି। ଏପରିକି ସେମାନେ ମଦ ପିଇବା ବେଳେ ଅଧିକ ପାଣି ମିଶାଇବାକୁ ବି ପସନ୍ଦ କରି ନ ଥାନ୍ତି। ବିଦେଶୀ ମଦ ହେଉ କି ଦେଶୀ ବିନା ପାଣି, ସୋଡ଼ା ବା ଆଇସ ବ୍ୟତୀତ ଏମାନେ ପିଇଦେଇଥାନ୍ତି।

କେତେ ପ୍ରତିଶତ ଭାରତୀୟ ପିଅନ୍ତି ମଦ?
ଆମ ଦେଶର ମୋଟ ଜନସଂଖ୍ୟାର ୧୪.୬ ପ୍ରତିଶତ ଲୋକ ମଦ୍ୟପାନ କରିଥାନ୍ତି। ମଦ୍ୟପାନ କରୁଥିବା ଲୋକଙ୍କ ବୟସ ୧୦ରୁ ୭୫ ବର୍ଷ ମଧ୍ୟରେ ଥିବା ଏହି ସର୍ଭେରୁ ଜଣାଯାଇଛି। ମୋଟ ଜନସଂଖ୍ୟାର ୧୬ କୋଟି ଲୋକ ମଦ୍ୟପାନ କରିଥାନ୍ତି ଓ ସବୁ ବୟସର ଓ ପେସାର ଲୋକେ ଏଥିରେ ସାମିଲ ଅଛନ୍ତି। ମଦ୍ୟପାନ କରୁଥିବା ୧୬ କୋଟି ଲୋକ ମଧ୍ୟରୁ ୯୫ ପ୍ରତିଶତ ପୁରୁଷ ଥିବା ବେଳେ ଏମାନଙ୍କ ବୟସ ୧୮ରୁ ୪୯ ବର୍ଷ ବୟସ ମଧ୍ୟରେ ହୋଇଥାଏ। ପ୍ରତି ୧୭ଜଣ ପୁରୁଷ ମଦ୍ୟପଙ୍କ ମଧ୍ୟରେ ଜଣେ ମହିଳା ମଦ୍ୟପାନ କରୁଥିବା ଜଣାଯାଏ। ପୁରୁଷଙ୍କ ତୁଳନାରେ ବହୁତ କମ୍‌ ମହିଳା ମଦ୍ୟପାନ କରିଥାନ୍ତି।

ଆମ ରାଜ୍ୟର କେତେକ ନିର୍ଦ୍ଦିଷ୍ଟ ଆଦିବାସୀ ସମାଜ ରହିଛି, ଯେଉଁଠି ଉଭୟ ପୁରୁଷ ଓ ମହିଳା ଏକାଠି ମଦ ତିଆରି କରନ୍ତି ଓ ଏକସଙ୍ଗେ ବସି ପାନ କରନ୍ତି। ୨୭.୩ ପ୍ରତିଶତ ପୁରୁଷ ମଦ୍ୟପାନ କରୁଥିବା ବେଳେ ଜାତୀୟ ସ୍ତରରେ ମାତ୍ର ୧.୬ ପ୍ରତିଶତ ମହିଳା ମଦ୍ୟପାନ କରିଥାନ୍ତି। ମହିଳା ମଦ୍ୟପଙ୍କ ସଂଖ୍ୟା ରାଜ୍ୟୱାରୀ ଓ ସମ୍ପ୍ରଦାୟୱାରୀ କମ୍‌ ବେଶୀ ଥିବା ଦେଖିବାକୁ ମିଳିଥାଏ। ମଦ ପିଉଥିବା ପୁରୁଷଟିଏ ନିୟନ୍ତ୍ରଣ ହରାଇ ବସୁଥିବା ବେଳେ ମହିଳାଟିଏ ମଦ ପିଇଲେ ମଧ୍ୟ ନିଜ ଉପରେ ନିୟନ୍ତ୍ରଣ ରଖିଥାଏ। ପୁରୁଷଟିଏ ମଦ୍ୟପାନ କଲାବେଳେ ସ୍ଥାନ, କାଳ ପାତ୍ର ବ୍ୟବହାର ଭୁଲିଯାଉଥିବା ବେଳେ ମହିଳାଟିଏ ନିଜର ନିୟନ୍ତ୍ରଣ ଭିତରେ ରହେ। ଅଧିକାଂଶ ପୁରୁଷ ମଦ୍ୟପ ହିଂସାତ୍ମକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ବେଳେ ମହିଳାମାନେ ମଦ୍ୟପାନ ପରେ ହିଂସା ଠାରୁ ଦୂରେଇ ରହନ୍ତି। ମଦ ପିଉଥିବା ପ୍ରତ୍ୟେକ ପଞ୍ଚମ ବ୍ୟକ୍ତି ମଦ ପ୍ରତି ଆସକ୍ତ ହୋଇପଡ଼ୁଥିବା ବେଳେ ୧୬ତମ ମହିଳା ଆଲକୋହଲିକ ଥିବା ଏହି ରିପୋର୍ଟରୁ ଜଣାପଡ଼ିଛି।

ପଞ୍ଜାବ ନୁହେଁ ଏହି ରାଜ୍ୟରେ ଅଧିକ ମଦୁଆ
ବିହାର ଏବଂ ଗୁଜରାଟରେ ମଦ ବିକ୍ରି ଉପରେ କଟକଣା କରାଯାଇଛି। କିନ୍ତୁ ଆମ ଦେଶର ୧୦ଟି ଏଭଳି ରାଜ୍ୟ ରହିଛି, ଯେଉଁଠି ୨୦ ପ୍ରତିଶତରୁ ଅଧିକ ଲୋକ ମଦ ପିଇଥାନ୍ତି। ଏହିସବୁ ରାଜ୍ୟଗୁଡ଼ିକ ହେଉଛି ଛତିଶଗଡ଼, ତ୍ରିପୁରା, ପଞ୍ଜାବ, ଅରୁଣାଚଳ ପ୍ରଦଶେ ଏବଂ ଗୋଆ। ରାଜସ୍ଥାନ ଏବଂ ମେଘାଳୟରେ ବହୁତ କମ୍‌ ଲୋକ ମଦ ପିଅନ୍ତି। ରାଜସ୍ଥାନରେ ୨.୧ ପ୍ରତିଶତ ଏବଂ ମେଘାଳୟରେ ୩.୪ ପ୍ରତିଶତ ଲୋକ ମଦ୍ୟପାନ କରନ୍ତି। ସବୁଠୁ ଅଧିକ ମଦ ପିଉଥିବା ଲୋକଙ୍କ ରାଜ୍ୟ ହେଉଛି ତ୍ରିପୁରା। ତ୍ରିପୁରାରେ ୬୨ ପ୍ରତିଶତ ଲୋକ ମଦ ପିଅନ୍ତି। ଛତିଶଗଡ଼ରେ ୫୭.୨ ପ୍ରତିଶତ ଏବଂ ପଞ୍ଜାବରେ ୫୧.୭ ପ୍ରତିଶତ ଲୋକ ମଦ୍ୟପାନ କରିଥାନ୍ତି। ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୩୦ ପ୍ରତିଶତ ମଦ ବିକ୍ରି ହୋଇଥାଏ। ଅରୁଣାଚଳ ପ୍ରଦେଶର ୧୫.୬ ଓ ଛତିଶଗଡ଼ର ୧୩.୭ ପ୍ରତିଶତ ମହିଳା ମଦ୍ୟପାନ କରିଥାନ୍ତି। ୧୮ରୁ ୪୯ ବର୍ଷ ବୟସ୍କ ମଦୁଆମାନେ ମଦ୍ୟପାନ କରିବା ପରେ ହଙ୍ଗାମା କରିଥାନ୍ତି ଏବଂ ପ୍ରତି ୫ମ ମଦ୍ୟପ ରାତିରେ ନୁହେଁ,ବରଂ ଦିନରେ ମଦ୍ୟପାନ କରି କଳି ଝଗଡ଼ା କରିଥାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ