ଭାରତ କ୍ରୀଡ଼ା ଇତିହାସରେ ପ୍ରଥମ: ପଦ୍ମ ପୁରସ୍କାର ଦୌଡ଼ରେ କେବଳ ମହିଳା


ଭାରତରେ କ୍ରୀଡ଼ାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରମାନେ ନିୟମିତ ଭାବେ ପ୍ରୋତ୍ସାହିତ କରିଆସିଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା କ୍ରୀଡ଼ାବିତ୍‌ମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ସହ ସରକାରୀ ଚାକିରି କ୍ଷେତ୍ରରେ ସଂରକ୍ଷଣ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ଯୋଗାଇ ଦିଆଯାଉଛି। ଏହାଛଡ଼ା ପ୍ରତିଭାଧାରୀମାନଙ୍କୁ ଚିହ୍ନଟ କରିବା ସକାଶେ ତୃଣମୂଳ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଶେଷକରି ମହିଳା କ୍ରୀଡ଼ାବିତ୍‌ମାନଙ୍କୁ ଅନ୍ୟ ଦେଶର କ୍ରୀଡ଼ାବିତ୍‌ମାନଙ୍କ ସହ ଟକ୍କର ଦେବା ସକାଶେ ଯୋଗ୍ୟ କରିବାକୁ ନିୟମିତ ଭାବେ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ମହିଳାମାନେ ମଧ୍ୟ ଦେଶକୁ ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ଗୌରବାନ୍ବିତ କରିପାରିଛନ୍ତି। ବକ୍ସିଂରେ ଏମ୍‌ସି ମେରୀ କମ୍‌ ହୁଅନ୍ତୁ ଅବା ବ୍ୟାଡ୍‌ମିଣ୍ଟନ୍‌ରେ ସାଇନା ନେହ୍ବାଲ୍‌ ଓ ପିଭି ସିନ୍ଧୁ, ଅବା ଟେନିସ୍‌ରେ ସାନିଆ ମିର୍ଜା, ସମସ୍ତେ ସଫଳତାର ଚରମ ସୀମାରେ ପହଞ୍ଚି ଭାରତର ମହିଳା କ୍ରୀଡ଼ାବିତ୍‌ମାନେ ଯେ ଅନ୍ୟ ଦେଶର କ୍ରୀଡ଼ାବିତ୍‌ମାନଙ୍କ ସହ ଟକ୍କର ଦେଇପାରିବେ, ତାହା ପ୍ରମାଣିତ କରିପାରିଛନ୍ତି। ବିଗତ ବର୍ଷରେ ଦେଶର ମହିଳା କ୍ରୀଡ଼ାବିତ୍‌ମାନେ କିପରି ଅନନ୍ୟ ସଫଳତା ପାଇଛନ୍ତି, ତାହା ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ କ୍ରୀଡ଼ା ମନ୍ତ୍ରାଳୟ କରିଥିବା ସୁପାରିସ୍‌ରୁ ସ୍ପଷ୍ଟ ହୋଇଛି।

ପ୍ରଥମ ଥର ପାଇଁ ଭାରତୀୟ କ୍ରୀଡ଼ା କ୍ଷେତ୍ରରେ ୨୦୧୯ରେ ପ୍ରମୁଖ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ସକାଶେ ହୋଇଥିବା ସୁପାରିସ୍‌ରେ ଯେଉଁସବୁ କ୍ରୀଡ଼ାବିତ୍‌ ସାମିଲ୍‌ ଥିଲେ, ସେମାନଙ୍କ ମଧ୍ୟରେ ସମସ୍ତେ ମହିଳା। ଗତବର୍ଷ ସମୁଦାୟ ୯ ଜଣ କ୍ରୀଡ଼ାବିତ୍‌ଙ୍କ ନାମ ମନ୍ତ୍ରାଳୟ ପକ୍ଷରୁ ସୁପାରିସ୍‌ କରାଯାଇଥିବା ବେଳେ ସେମାନେ ହେଲେ ମେରୀ କମ୍‌, ସିନ୍ଧୁ, ରେସ୍‌ଲିଂରେ ବିନେଶ ଫୋଗାଟ୍‌, କ୍ରିକେଟ୍‌ରେ ହରମନ୍‌ପ୍ରୀତ୍‌ କୌର୍‌, ହକିରେ ରାନୀ ରାମପଲ୍‌, ଟେବୁଲ୍‌ ଟେନିସ୍‌ରେ ମନିକା ବତ୍ରା, ଶୁଟିଂରେ ସୁମା ଶିରୁର୍‌ ଏବଂ ପର୍ବତାରୋହଣରେ ତାଶି ଓ ନୁଙ୍ଗଶି ମଲିକ। ଏହି କ୍ରୀଡ଼ାବିତ୍‌ମାନଙ୍କ ମଧ୍ୟରୁ ୬ ଥରର ବିଶ୍ବ ଚାମ୍ପିଅନ୍‌ ମେରୀ କମ୍‌ ପୂର୍ବରୁ ୨୦୦୬ରେ ପଦ୍ମଶ୍ରୀ ଓ ୨୦୧୩ରେ ପଦ୍ମ ଭୂଷଣ ପାଇସାରିଛନ୍ତି। ତେଣୁ ତାଙ୍କ ନାମ ପଦ୍ମ ବିଭୂଷଣ ସକାଶେ ସୁପାରିସ୍‌ କରାଯାଇଛି।

ସେହିପରି ସିନ୍ଧୁ ପୂର୍ବରୁ ୨୦୧୫ରେ ପଦ୍ମଶ୍ରୀ ପାଇସାରିଛନ୍ତି ଓ ଏବେ ତାଙ୍କ ନାମ ପଦ୍ମ ଭୂଷଣ ପାଇଁ ସୁପାରିସ୍‌ କରାଯାଇଛି। ଗତବର୍ଷ ସିନ୍ଧୁ ଭାରତର ପ୍ରଥମ ଖେଳାଳି ଭାବେ ୱାର୍ଲ୍ଡ ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିଅନ୍‌ଶିପ୍‌ରେ ଟାଇଟଲ୍‌ ହାସଲ କରିପାରିଥିଲେ। ମହିଳା ରେସ୍‌ଲିଂରେ ଦେଶର ନାମକୁ ଉଜ୍ଜ୍ବଳ କରିପାରିଥିବା ଫୋଗାଟ୍‌ ଭଗିନୀଙ୍କ ମଧ୍ୟରେ ବିନେଶ ଅନ୍ୟତମ। ଗତ ୨୦୧୮ରେ ଦେଶର ପ୍ରଥମ ଖେଳାଳି ଭାବେ ସେ ସମ୍ମାନଜନକ ଲରିଅସ୍‌ ୱାର୍ଲ୍ଡ ସ୍ପୋର୍ଟ୍ସ ଆୱାର୍ଡ ସକାଶେ ମନୋନୀତ ହୋଇଥିଲେ। ରାଜ୍ୟଗୋଷ୍ଠୀ ଓ ଏସିଆନ୍‌ ଗେମ୍ସରେ ସ୍ବର୍ଣ୍ଣପଦକ ସହ ଏସିଆନ୍‌ ଚାମ୍ପିଅନ୍‌ଶିପ୍‌ରେ ରୌପ୍ୟ ପଦକ ପାଇଥିବା ବିନେଶଙ୍କ ନାମ ପଦ୍ମଶ୍ରୀ ପାଇଁ ସୁପାରିସ୍‌ କରାଯାଇଛି। ଏହାଛଡ଼ା ୨୦୧୭ ଆଇସିସି ୱାର୍ଲ୍ଡ କପ୍‌ରେ ୧୭୧ ରନ୍‌ର ଅପରାଜିତ ଇନିଂସ ଖେଳିଥିବା ହରମନ୍‌ପ୍ରୀତ୍‌, ଭାରତୀୟ ହକି ଦଳର ଅଧିନାୟିକା ରାନୀ, ଦେଶର ଏକ ନମ୍ବର ଟେବୁଲ୍‌ ଟେନିସ୍‌ ଖେଳାଳି ମନିକା, ମାଞ୍ଚେଷ୍ଟର୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧୦ ମିଟର ଏୟାର୍‌ ରାଇଫଲ୍‌ରେ ଅଞ୍ଜଳି ଭାଗବତ୍‌ଙ୍କ ସହ ମିଶି ରେକର୍ଡ ସ୍ବର୍ଣ୍ଣପଦକ ହାସଲ କରିଥିବା ସୁମା ଏବଂ ପ୍ରଥମ ଯମଜ ଭଉଣୀ ହିସାବରେ ଏଭରେଷ୍ଟ୍‌ ଶୃଙ୍ଗ ଆରୋହଣ କରି ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ୍ସରେ ନାମ ଦରଜ କରିଥିବା ତାଶି ଓ ନୁଙ୍ଗଶିଙ୍କ ନାମ ପଦ୍ମଶ୍ରୀ ପାଇଁ ସୁପାରିସ୍‌ କରାଯାଇଛି।

ଉପରୋକ୍ତ କ୍ରୀଡ଼ାବିତ୍‌ମାନେ ଦେଶର ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଦୌଡ଼ରେ ରହିଥିବା ବେଳେ ଆସନ୍ତା ସାଧାରଣତନ୍ତ୍ର ଦିବସରେ ମନୋନୀତ କ୍ରୀଡ଼ାବିତ୍‌ମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ତେବେ ୯ ଜଣ କ୍ରୀଡ଼ାବିତ୍‌ଙ୍କ ନାମ ପଦ୍ମ ପୁରସ୍କାର ପାଇଁ ସୁପାରିସ୍‌ କରାଯିବା ଦେଶର ନାରୀ ସଶକ୍ତିକରଣ ଦିଗରେ ଏକ ଦୃଢ଼ ପଦକ୍ଷେପ ବୋଲି କୁହାଯାଇପାରେ। ଅନ୍ୟାନ୍ୟ କ୍ଷେତ୍ର ସହ ଦେଶର ମହିଳାମାନେ କ୍ରୀଡ଼ା କ୍ଷେତ୍ରରେ ବି ସେମାନଙ୍କ ଦମ୍‌ଦାର ପ୍ରତିଭା ପ୍ରଦର୍ଶନ କରିବା ସହ ଦେଶର ନାମକୁ ବେଶ୍‌ ଉଜ୍ଜ୍ବଳ କରିପାରିଛନ୍ତି। ଆଗାମୀ ଦିନରେ ଏହି ଧାରା ଜାରି ରହିଲେ, ଦେଶର ମହିଳା କ୍ରୀଡ଼ାବିତ୍‌ମାନେ ଆହୁରି ଆଗକୁ ଯିବା ସକାଶେ ପ୍ରୋତ୍ସାହନ ପାଇପାରିବେ। ବିଶେଷକରି ଚଳିତ ବର୍ଷ ଅଲିମ୍ପିକ୍‌ର ବର୍ଷ ହୋଇଥିବାରୁ ଭାରତ ପାଇଁ ମହିଳାମାନେ ରେକର୍ଡ ସଫଳତା ପାଇବେ ବୋଲି ଆଶା କରାଯାଇପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ