ଗନ୍‌ କଲ୍ଚର୍ କାଳ: ୨୦୧୯ରେ ଆମେରିକାରେ ସର୍ବାଧିକ ଗଣହତ୍ୟା


ଯେ କୌଣସି ବର୍ଷ ତୁଳନାରେ ୨୦୧୯ରେ ଆମେରିକାରେ ସର୍ବାଧିକ ଗଣହତ୍ୟା ଦେଖିବାକୁ ମିଳିଛି। ଏକ ଅଧ୍ୟୟନରୁ ଏଭଳି ତଥ୍ୟ ହସ୍ତଗତ ହୋଇଛି। ଆସୋସିଏଟେଡ୍‌ ପ୍ରେସ୍‌ (ଏପି) ୟୁଏସ୍‌ଟୁଡେ ଏବଂ ନର୍ଥ ଇଷ୍ଟର୍ଣ୍ଣ ୟୁନିୟଭରସିଟି ଦ୍ବାରା ପ୍ରସ୍ତୁତ ଏକ ତଥ୍ୟାବଳୀ ଅନୁଯାୟୀ ୨୦୧୯ରେ ଆମେରିକାରେ ସାମୟିକ ବା ଗଣହତ୍ୟା ଭଳି ୪୧ଟି ବିଭତ୍ସ ଘଟଣା ଦେଖିବାକୁ ମିଳିଛି। ଯେଉଁଥିରେ କି ୨୧୧ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏସବୁ ଘଟଣାରେ ଅପରାଧୀମାନଙ୍କ ବ୍ୟତୀତ ୪ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଛି। ସବୁଠୁ ଅଧିକ ଲୋମହର୍ଷଣକାରୀ ଘଟଣା ଉର୍ଜିନିମା ନିକଟରେ ଘଟିଥିଲା। ଯେଉଁଠି ଘଟଣାସ୍ଥଳରେ ୧୯ ଜଣଙ୍କର ଜୀବନ ଯାଇଥିଲା। ଗବେଷକଙ୍କ ଅନୁଯାୟୀ,  ୨୦୧୯ରେ ଘଟିଥିବା ୪୧ଟି ଗଣହତ୍ୟା ମାମଲା ଗୁଡ଼ିକ ମଧ୍ୟରୁ ୩୩ଟି ମାମଲାରେ ବନ୍ଧୁକର ବ୍ୟବହାର କରାଯାଇଥିଲା।

ସାମୂହିକ ହତ୍ୟା ଘଟଣାରୁ ସଂଖ୍ୟାଧିକ ଘଟଣା କାଲିଫର୍ଣ୍ଣିଆ ଠାରେ ଘଟିଥିବା ସ୍ପଷ୍ଟ କରାଯାଇଛି। ଆସୋସିଏଟେଡ୍‌ ପ୍ରେସ୍‌ର ପ୍ରକାଶିତ ଖବର ଅନୁଯାୟୀ ୨୦୦୬ ପରଠାରୁ ଆମେରିକାରେ ଏଭଳି ସାମୂହିକ ହତ୍ୟାକାଣ୍ଡ ଘଟଣା ବଢ଼ିବାରେ ଲାଗିଛି। ଗବେଷକମାନେ ୭୦ ଦଶକ ପର୍ଯ୍ୟନ୍ତ ପଛକୁ ଫେରି ସାମୂହିକ ହତ୍ୟାକାଣ୍ଡର ତଥ୍ୟ ଉପରେ ନଜର ପକାଉଥିବା ବେଳେ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଥିଲା କି ଗୋଟିଏ ବର୍ଷକୁ ବାଦ୍‌ଦେଲେ ଅନ୍ୟ କୌଣସି ବର୍ଷ ୨୦୧୯ ପରି ସାମୂହିକ ହତ୍ୟାକାଣ୍ଡ ସଂଖ୍ୟା ତଥା ମୃତକଙ୍କ ସଂଖ୍ୟା ଏତେ ବେଶୀ ହୋଇ ନ ଥିଲା। ସାମୂହିକ ହତ୍ୟାକାଣ୍ଡର ଦ୍ବିତୀୟ ସର୍ବାଧିକ ମାମଲା ୨୦୦୬ରେ ଘଟିଥିଲା। ୨୦୦୬ରେ ଘଟିଥିବା ୩୮ଟି ଏଭଳି ଘଟଣା ଆମେରିକାର ଚରିତ୍ରକୁ ନିନ୍ଦିତ କରାଇଥିଲା। ଯଦିଓ ଗଣହତ୍ୟା ଘଟଣା ଦୃଷ୍ଟିରୁ ୨୦୧୯ ଶୀର୍ଷରେ ରହିଛି କିନ୍ତୁ ୨୦୧୭ରେ ହତ୍ୟା ସଂଖ୍ୟା ୨୦୧୯ ଠାରୁ ଉର୍ଦ୍ଧ୍ବରେ ରହିଥିବା ଜଣାପଡ଼ିଛି। ୨୦୧୯ରେ ସାମୂହିକ ୨୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୧୩ରେ ୨୨୪ ଜଣଙ୍କ ଜୀବନ ଯାଇଥିଲା।

ଗବେଷକମାନଙ୍କ କହିବା କଥା ଆମେରିକାରେ ଅନେକ ଗଣହତ୍ୟା ଶିରୋନାମାରେ ସ୍ଥାନ ପାଇପାରୁନାହିଁ। କାହିଁକି ନା ଏହିସବୁ ମାମଲା ପାରିବାରିକ ବିବାଦ, ନିଶାଦ୍ରବ୍ୟର ବେପାର ଏବଂ ଗୋଷ୍ଠୀ ସଂଘର୍ଷ ସଂଶ୍ଳିଷ୍ଟ ରହିଛି। ଅପରାଧ ବିଶେଷଜ୍ଞ ଏବଂ ମିନ୍ନେସୋଟା ସ୍ଥିତ ମେଟ୍ରୋ ପଲିଟାନ୍‌ ଟେଷ୍ଟ୍‌ ୟୁନିଭରସିଟିର ପ୍ରଫେସର ଜେମ୍ସ ଡେନ୍ସେଲଙ୍କ କହିବା କଥା ଆମେରିକାରେ ହତ୍ୟାକାଣ୍ଡ କମି ଆସୁଥିବା ବେଳେ ଗଣହତ୍ୟା ଘଟଣା ବଢ଼ି ଚାଲିଛି। ପ୍ରଫେସର ଡେନ୍ସେଲ ସ୍ବୀକାର କରନ୍ତି ଯେ, ଏହିସବୁ ଗଣହତ୍ୟା ବୃଦ୍ଧି ଆଂଶିକ ଭାବେ ଆମେରିକୀୟ ସମାଜରେ କ୍ରୋଧ ଏବଂ ନିରାଶାର କାରଣ। ଆମେରିକାର ଦ୍ବିତୀୟ ସମ୍ବିଧାନ ସଂଶୋଧନରେ ହିଁ ଗଣହତ୍ୟା ପାଇଁ ପ୍ରୋତ୍ସାହିତ କରି ଚାଲିଛି ବୋଲି ଅଭିଯୋଗ ଉଠୁଛି। ଅଗଷ୍ଟ ମାସରେ ଡେଟନ୍‌, ଓହିଓ ଏବଂ ଟେକ୍ସାସ୍‌ରେ ପ୍ରାଣଘାତୀ ଆକ୍ରମଣ ପରେ ରାଷ୍ଟ୍ରପତି ଡୋନଲ୍ଡ ଟ୍ରାମ୍ପ କହିଥିଲେ କି ବନ୍ଧୁକ ମାଲିକମାନଙ୍କର ପୃଷ୍ଠଭୂମିର ତଦନ୍ତ ପାଇଁ ଗମ୍ଭୀରତାର ସହ ଆଲୋଚନା କରାଯିବ। କିନ୍ତୁ ବନ୍ଧୁକ ନିୟନ୍ତ୍ରଣର ଜୋର୍‌ଦାର୍‌ ବିରୋଧ ବି ହେଉଛି। ସାମୂହିକ ଗୁଳିଗୋଳା ବର୍ଷଣ ଏକ ମାନସିକ ସମସ୍ୟା ବୋଲି ଗୋଟିଏ ଗୋଷ୍ଠୀ ଜୋର୍‌ଦାର ପ୍ରଚାର ବି ଚଳାଇଛନ୍ତି।

ନିକଟରେ ଆମେରିକାର ଶିକାଗୋ ସହରରେ ଗଣହତ୍ୟା କାରଣରୁ ୪ ଜଣଙ୍କ ଜୀବନ ଯାଇଥିଲା। ମୃତକଙ୍କ ମଧ୍ୟରେ ଜଣେ ହସ୍ପିଷ୍ଟାଲ୍‌ ଷ୍ଟାଫ୍‌, ଦୁଇଜଣ ମହିଳା, ଜଣେ ପୋଲିସ୍‌ କର୍ମଚାରୀ ଓ ଆଉ ଜଣେ ସ୍ବଂୟ ଆକ୍ରମଣକାରୀ ଥିବା ଜଣାପଡ଼ିଥିଲା। ପୋଲିସ୍‌ର କହିବା କଥା ପ୍ରେମ ସମ୍ପର୍କରେ ତିକ୍ତତା ସୃଷ୍ଟିହେବା ପରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାକୁ ହତ୍ୟା କରିବା ପାଇଁ ପ୍ରୟାସ କରିଥିଲେ। କିନ୍ତୁ ଏଥିରେ ନିଜେ ଅପରାଧୀଙ୍କ ଜୀବନ ଚାଲିଯାଇଥିଲା। ହସ୍ପିଷ୍ଟାଲ ପରିସରରେ ଘଟିଥିବା ଏହି ଘଟଣା ପୋଲିସ୍‌ ନିୟନ୍ତ୍ରଣକୁ ଯିବା ପୂର୍ବରୁ ୪ ଜଣଙ୍କ ଜୀବନ ଚାଲିଯାଇଥିଲା। ଅପରାଧୀ ପ୍ରଥମେ ମହିଳାଙ୍କ ଉପରକୁ ଗୁଳି ଚଳାଇ କୋଠା ଭିତରକୁ ପ୍ରବେଶ କରିଥିଲା। ତା’ପରେ ପୋଲିସ୍‌ ଏଠାରେ ପହଞ୍ଚିଥିଲା।

ତେବେ ଶିକାଗୋର ଏହା କେବଳ ଗୋଟିଏ ଘଟଣା ନୁହଁ। ଅକ୍ଟୋବର ୨୦୧୭ରେ ଲାସ୍‌ ଭେଗାସ୍‌ର ଗୋଟିଏ ମ୍ୟୁଜିକ୍‌ କନ୍‌ସର୍ଟ ଉପରକୁ ମଧ୍ୟ ଗୁଳି ବର୍ଷଣ ହୋଇଥିଲା। ଯେଉଁଥିରେ ପ୍ରାୟ ୫୯ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୫୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଥିଲେ। ଏହା ପୂର୍ବରୁ ଜୁନ୍‌ ୨୦୧୬ରେ ଆୟରଲ୍ୟାଣ୍ଡର ଏକ ନାଇଟ୍‌ କ୍ଳବ୍‌ ଉପରେ ଗୁଳିଗୋଳା ବର୍ଷଣ ହୋଇଥିଲା। ସେଥିରେ ୪୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୧୫ରେ କାଲିଫର୍ଣ୍ଣିଆ ଠାରେ ଅନୁରୂପ ଏକ ଘଟଣାରେ ୧୪ ଜଣଙ୍କର ଜୀବନ ଯାଇଥିଲା। ଏହିସବୁ ଅପରାଧ ପଛରେ ଆମେରିକାର ଗନ୍‌ କଲ୍‌ଚରକୁ ଦାୟୀ କରାଯାଇଛି। ଆମେରିକାର ବିଭିନ୍ନ ଅଞ୍ଚଳରେ ଗୁଳିବର୍ଷଣର ଖବରମାନ ଆସିବାରେ ଲାଗିଛି। ଦେଶରେ ଲଗାତର ଗୁଳି ବର୍ଷଣ ଘଟଣା ସତ୍ତ୍ବେ ବନ୍ଧୁକ ଉପରେ ନିୟନ୍ତ୍ରଣ କଠିନ ସଂଘର୍ଷ ହେଉଥିବା ଦେଖିବାକୁ ମିଳୁଛି। ଏଥିପାଇଁ ଏନ୍‌ଆର୍‌ଏ (ନ୍ୟାସ୍‌ନାଲ୍‌ ରାଇଫଲ୍‌ ଆସୋସିଏସନ୍‌)କୁ ଦାୟୀ କରାଯାଇଛି। ଏନ୍‌ଆର୍‌ଏ ବନ୍ଧକୁ ରଖିବା ସପକ୍ଷରେ ରହିଛି। ଏନ୍ଆରଏକୁ  ୧୮୭୧ରେ ଗୃହଯୁଦ୍ଧ ପରେ ଗଢ଼ାଯାଇଛି।

ପ୍ରଥମେ ଜେ ଏଫ୍‌ କେନେଡି, ପୂଣି ମାର୍ଟିନ୍‌ ଲୁଥର କିଙ୍ଗ ଏବଂ ବାଗି କେନେଡିଙ୍କ ହତ୍ୟା ପରେ ଆମେରିକାର ରାଜନୀତି ପାଣିପାଗ ଉଷ୍ମ ହୋଇଥିଲା। ଏହାପରେ ବାସ୍ତିବକ ଏକ ରାଜନୈତିକ ଆନ୍ଦୋଳନର ଅୟମାରମ୍ଭ ଘଟିଥିଲା। ୧୯୬୮ରେ ବନ୍ଧୁକ ନିୟନ୍ତ୍ରଣ ଆଇନ ଆଧାରରେ ଅଧିକରୁ ଅଧିକ ଡିଲର ସୃଷ୍ଟି କରାଗଲା। ଯେଉଁଠି ବହୁତ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ବିକ୍ରି ପାଇଁ ମଧ୍ୟ ବାଟ ଫିଟିଲା। ସମ୍ପ୍ରତି ଏକ ଏନ୍‌ଆର୍‌ଏ ଯୁବା ଶୁଟର୍‌ମାନଙ୍କ ପାଇଁ ଏକ ବଡ଼ ତାଲିମ୍‌ କେନ୍ଦ୍ରରେ ପରିଣତ ହୋଇଯାଇଛି। କାଲିଫର୍ଣ୍ଣିଆ ରାୟଫଲ୍‌ ଆଣ୍ଡ ପିସ୍ତଲ ଆସୋସିଏସନ୍‌, ମାସ୍‌ ରାଇଫଲ୍‌ ଆସୋସିଏସନ୍‌, ଗନ୍‌ ଓନର୍ସ ଆକ୍ସନ୍‌ ଲିଗ୍‌ ଆଦି ସଂଗଠନ ଗୁଡ଼ିକ ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ନିଜ ମନଇଛା କାର୍ଯ୍ୟଜାରି ରଖିଛନ୍ତି। ବନ୍ଧୁକ ରଖିବା ଅଧିକାର ସ୍ବର ପ୍ରତି ନିର୍ବାଚନରେ ଶୁଣିବାକୁ ମିଳୁଛି। ଆମେରିକାର ସମ୍ବିଧାନ ସଂଶୋଧନରେ ସ୍ପଷ୍ଟ କରାଯାଇଛି ଯେ ଲୋକଙ୍କ ବନ୍ଧୁକ ରଖିବା ଅଧିକାର ଉପରେ କୌଣସି ଅଙ୍କୁଶ ଲଗାଯିବ ନାହିଁ। ଏହା ଏଭଳି ଘଟଣାକୁ ପ୍ରୋତ୍ସାହିତ କରିବାରେ ଲାଗିଛି।

୨୦୨୦ ବର୍ଷ ଆସୁଛି। ଚାରିଆଡ଼େ ନୂଆବର୍ଷକୁ ସ୍ବାଗତପାଇଁ ଜୋର୍‌ଦାର୍‌ ଉତ୍ସାହ ଦେଖିବାକୁ ମିଳୁଥିବା ବେଳେ ୨୦୧୯ର ସ୍ମୃତିଚାରଣ ଚାଲିଛି। ଏଭଳି ଏକ ସମୟରେ ସାମ୍ନାକୁ ଆସିଛି ଆମେରିକାରେ ଗଣହତ୍ୟା ମାମଲା। ୭୦ ବର୍ଷର ସମସ୍ତ ରେକର୍ଡ ଭାଙ୍ଗି ଆମେରିକା ଏ କ୍ଷେତ୍ରରେ ଶୀର୍ଷକୁ ଆସିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ