ଆର୍‌ଟିଓକୁ ଫେରିପାରନ୍ତି ଏଜେଣ୍ଟ୍‌: ଥଇଥାନ କରିବାକୁ ହାଇକୋର୍ଟଙ୍କ ନିର୍ଦେଶ


ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଆର୍‌ଟିଓ ଅଫିସ୍‌ରୁ ଦଲାଲ ହଟାଯିବା ପ୍ରସଙ୍ଗରେ ଏଜେଣ୍ଟ୍‌ମାନଙ୍କ ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଆର୍‌ଟିଓ ପରିସରରେ ବସିବା ପାଇଁ ଏଜେଣ୍ଟ୍‌ମାନଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ତେବେ ସେମାନଙ୍କୁ ଯଥା ସମ୍ଭବ ଥଇଥାନ କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଏଥିସହ ଆର୍‌ଟିଓରେ କେତେ ସଂଖ୍ୟକ ଏଜେଣ୍ଟ୍‌ କାମ କରୁଛନ୍ତି, ସେ ନେଇ ଜଣାଇବାକୁ ମଧ୍ୟ ହାଇକୋର୍ଟ ନିର୍ଦେଶ ଜାରି କରିଛନ୍ତି। ଆର୍‌ଟିଓରେ କେତେ ଏଜେଣ୍ଟ୍‌ କାମ କରନ୍ତି ୬ ସପ୍ତାହ ମଧ୍ୟରେ ଜଣାଇବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।

ସୂଚନାଯୋଗ୍ୟ, ନୂଆ ମୋଟର ଯାନ ଆଇନ ଆସିବା ପରେ ଆରଟିଓ ଅଫିସରେ ଦଲାଲଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଲୋକଙ୍କ ଠାରୁ ଅଧିକ ଟଙ୍କା ନେଇ ଗାଡ଼ି କାଗଜପତ୍ର କରାଉଥିଲେ। ଏନେଇ ଖବର ଗଣମାଧ୍ୟମରେ ପ୍ରସାର ହେବା ପରେ ସରକାର ଆରଟିଓ ଅଫିସ୍‌ରେ ଏଜେଣ୍ଟଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରିଥିଲେ। ଅଫିସ୍‌ ପରିସରରେ ଏଜେଣ୍ଟ୍‌ ଦେଖାଗଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦେଶ ଦେଇଥିଲେ। ଏପରିକି ନିକଟରେ ରାଜ୍ୟ ସରକାର ସେମାନଙ୍କୁ ଉଚ୍ଛେଦ କରିଥିଲେ। ରାଜ୍ୟର ସମସ୍ତ ଆରଟିଓ ଅଫିସ୍‌ ପରିସରରୁ ଦଲାଲମାନଙ୍କ ଚାଳିକୁ ଭାଙ୍ଗି ଦିଆଯାଇଥିଲା। ଏହାକୁ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆରଟିଓ ଫିଲ୍ଡ ୱାରକର୍ସ ସଂଘ। ଆରଟିଓ ପରିସରରେ ଏଜେଣ୍ଟ୍‌ମାନେ ପୁଣି ବସିବାକୁ ସଂଘ ହାଇକୋର୍ଟରେ ଅନୁରୋଧ କରିଥିଲା।

ଏହି ଆବେଦନକୁ ବିଚାର କରି ହାଇକୋର୍ଟ ମଧ୍ୟସ୍ଥିମାନଙ୍କୁ ଥଇଥାନ୍ କରିବାକୁ ନିର୍ଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ସବୁ ଆରଟିଓରେ ଏଜେଣ୍ଟ୍‌ମାନଙ୍କୁ ଚିହ୍ନଟ କରାଯାଉ। ଏହାପରେ ସେମାନଙ୍କୁ ଇ-କିଓସ୍କୋ ଜରିଆରେ ଥଇଥାନ୍ କରାଯାଉ। ୬ ମାସ ମଧ୍ୟରେ ଏହି ଇ-କିଓସ୍କୋ ପ୍ରତିଷ୍ଠା କରି ଆରଟିଓ ଏଜେଣ୍ଟ୍‌ମାନଙ୍କୁ ଥଇଥାନ କରିବାକୁ ପରିବହନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ଏଥିସହ ଆର୍‌ଟିଓରେ କେତେ ଏଜେଣ୍ଟ୍‌ କାମ କରନ୍ତି ସେ ନେଇ ଜଣାଇବାକୁ ନିର୍ଦେଶ ଦେଇଛନ୍ତି। ୬ ସପ୍ତାହ ମଧ୍ୟରେ ଏଜେଣ୍ଟ୍‌ଙ୍କ ସଂଖ୍ୟା ଜଣାଇବାକୁ ହାଇକୋର୍ଟ ବିଭାଗୀୟ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି। ଅପରପକ୍ଷେ ନିଯୁକ୍ତି ହେବା ପର୍ଯ୍ୟନ୍ତ ଷ୍ଟୁଡେଣ୍ଟ୍‌ ଭଲ୍ୟୁଣ୍ଟର ଦାୟିତ୍ୱ ଦେବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ସମସ୍ତ ପ୍ରକ୍ରିୟାକୁ ୨ ମାସ ମଧ୍ୟରେ ଶେଷ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ