ଜିଓର ଅଲ୍‌-ଇନ୍‌-ୱାନ୍‌ ପ୍ଲାନ୍‌ ଘୋଷଣା: ଆସନ୍ତା ୬ରୁ ଲାଗୁ


ନୂଆଦିଲ୍ଲୀ: ସମୟ ଥିଲା ଯେତେବେଳେ ଗ୍ରାହକମାନଙ୍କୁ ଶସ୍ତା ଦରରେ ଇଣ୍ଟରନେଟ୍‌ ସୁବିଧା ଦେବା ସକାଶେ କମ୍ପାନୀମାନଙ୍କ ମଧ୍ୟରେ ଏକରକମ ଯୁଦ୍ଧ ଚାଲିଥିଲା। ବିଶେଷକରି ରିଲାଏନ୍ସ ଜିଓ ପକ୍ଷରୁ ଗ୍ରାହକମାନଙ୍କୁ ମାଗଣାରେ ଡାଟା ଯୋଗାଇ ଦିଆଯିବା ପରେ ଅନ୍ୟାନ୍ୟ କମ୍ପାନୀମାନେ ସେମାନଙ୍କ ଦରକୁ ବାଧ୍ୟ ହୋଇ ଯଥେଷ୍ଟ କମାଇଥିଲେ। କିନ୍ତୁ ଏବେ ସମୟ ବଦଳିଛି ଓ ଗୋଟିଏ ପରେ ଗୋଟିଏ କମ୍ପାନୀ ସେମାନଙ୍କ ଦରକୁ ବଢ଼ାଇ ଚାଲିଛନ୍ତି। ଗତ ମାସ ଶେଷ ଭାଗରେ ପ୍ରାୟତଃ ପ୍ରତିଟି ଦୂରସଞ୍ଚାର କମ୍ପାନୀ ସେମାନଙ୍କ ଟାରିଫ୍‌ରେ ୪୦ ପ୍ରତିଶତରୁ ଊର୍ଦ୍ଧ୍ବ ବୃଦ୍ଧି ଘୋଷଣା କରିଛନ୍ତି। ତେବେ ବୁଧବାର ଜିଓ ପକ୍ଷରୁ ଅଲ୍‌-ଇନ୍‌-ୱାନ୍‌ ପ୍ଲାନ୍‌ ଘୋଷଣା କରାଯାଇଛି। ଏହି ପ୍ଲାନ୍‌ ଅନୁସାରେ ଗ୍ରାହକମାନେ ୧୯୯ ଟଙ୍କା ବ୍ୟୟ କରି ୨୮ ଦିନର ଅବଧି ଭିତରେ ଦୈନିକ ୧.୫ ଜିବି ଲେଖାଏଁ ଡାଟା ପାଇପାରିବେ। ଏହାଛଡ଼ା ଜିଓରୁ ଜିଓକୁ ଅସୀମିତ ମାଗଣା କଲିଂ ବ୍ୟବସ୍ଥା ରହିଥିବା ବେଳେ ଅନ୍ୟାନ୍ୟ ନେଟ୍‌ୱର୍କକୁ ୧୦୦୦ ମିନିଟ୍‌ ପର୍ଯ୍ୟନ୍ତ କଲ୍‌ କରିବାର ସୁବିଧା ଉପଲବ୍ଧ ହେବ।

ସେହିପରି ୨୪୯ ଟଙ୍କିଆ ପ୍ଲାନ୍‌ରେ ଦୈନିକ ୨ ଜିବି ଡାଟା ମିଳିବ। ଏହି ପ୍ଲାନ୍‌ରେ ଜିଓରୁ ଜିଓକୁ ଅସୀମିତ ମାଗଣା କଲିଂ ବ୍ୟବସ୍ଥା ସହ ଅନ୍ୟାନ୍ୟ ନେଟ୍‌ୱର୍କ ସହ ୧ ହଜାର ମିନିଟ୍‌ ପର୍ଯ୍ୟନ୍ତ ମାଗଣାରେ କଥାବାର୍ତ୍ତା କରାଯାଇପାରିବ। ଏହାଛଡ଼ା ୩୪୯ ଟଙ୍କିଆ ପ୍ଲାନ୍ ମଧ୍ୟ ରହିଛି, ଯେଉଁଥିରେ ଗ୍ରାହକଙ୍କୁ ୩ ଜିବି ଲେଖାଏଁ ଡାଟା ଦୈନିକ ମିଳିପାରିବ। ଏଥିରେ ମଧ୍ୟ ଜିଓରୁ ଜିଓକୁ ଅସୀମିତ ମାଗଣା କଲିଂ ଏବଂ ଅନ୍ୟାନ୍ୟ ନେଟ୍‌ୱର୍କକୁ ୧ ହଜାର ମିନିଟ୍‌ ପର୍ଯ୍ୟନ୍ତ ମାଗଣାରେ କଲ୍‌ କରାଯାଇପାରିବ। ଏହି ସମସ୍ତ ପ୍ଲାନ୍‌ର ଅବଧି ୨୮ ଦିନ ରହିଛି।

ସେହିପରି ୨ମାସିଆ ପ୍ଲାନ୍‌ରେ ୩୯୯ ଟଙ୍କା ରିଚାର୍ଜରେ ଦୈନିକ ୧.୫ ଜିବି ଡାଟା, ଜିଓରୁ ଜିଓକୁ ମାଗଣା, ଅନ୍ୟାନ୍ୟ ନେଟ୍‌ୱାର୍କ ପାଇଁ ୨ ହଜାର ମିନିଟ୍‌ କଲିଂ ସୁବିଧା ମିଳିବ। ୩୯୯ ଟଙ୍କା ବ୍ୟତୀତ ୪୪୪ ଟଙ୍କାର ପ୍ଲାନ୍‌ରେ ଗ୍ରାହକଙ୍କୁ ୨ ଜିବି ଦୈନିକ ଡାଟା ସହ ଜିଓରୁ ଜିଓକୁ ମାଗଣା କଲିଂ, ଅନ୍ୟାନ୍ୟ ନେଟ୍‌ୱର୍କକୁ ୨ ହଜାର ମିନିଟ୍‌ କଲ୍‌ କରାଯାଇପାରିବାର ସୁବିଧା ମିଳିବ। ସେହିପରି ୩ ମାସିଆ ପ୍ଲାନ୍‌ରେ ୫୫୫ ଟଙ୍କା ରିଚାର୍ଜରେ ଦୈନିକ ୧.୫ ଜିବି ଡାଟା, ଜିଓରୁ ଜିଓକୁ ମାଗଣା ଏବଂ ଅନ୍ୟାନ୍ୟ ନେଟ୍‌ୱର୍କକୁ ୩ ହଜାର ମିନିଟ୍‌ ମାଗଣା କଲିଂ ଏବଂ ୫୯୯ ଟଙ୍କାରେ ଦୈନିକ ୨ ଜିବି ଡାଟା, ଜିଓରୁ ଜିଓକୁ ମାଗଣା କଲିଂ ଏବଂ ଅନ୍ୟାନ୍ୟ ମୋବାଇଲ୍‌କୁ ୩ ହଜାର ମିନିଟ୍‌ ମାଗଣା କଲିଂର ସୁବିଧା ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହାଛଡ଼ା ବାର୍ଷିକ ପ୍ଲାନ୍‌ରେ ଗ୍ରାହକଙ୍କୁ ୨୧୯୯ ଟଙ୍କା ଖର୍ଚ୍ଚ କଲେ ଦୈନିକ ୧.୫ ଜିବି ଡାଟା, ଜିଓରୁ ଜିଓକୁ ମାଗଣା କଲିଂ ସୁବିଧା ଏବଂ ଅନ୍ୟାନ୍ୟ ମୋବାଇଲ୍‌କୁ ୧୨ ହଜାର ମିନିଟ୍‌ ପର୍ଯ୍ୟନ୍ତ କଲିଂ ସୁବିଧା ମିଳିପାରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ