ଆମେରିକା ରାଷ୍ଟ୍ରପତି ଦୌଡ଼ରୁ ଓହରିଲେ କମଲା ହ୍ୟାରିସ୍‌


ଆସନ୍ତା ବର୍ଷ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ଓହରିଯାଇଛନ୍ତି ଡେମୋକ୍ରାଟିକ୍‌ ପାର୍ଟିର ସାଂସଦ କମଲା ହ୍ୟାରିସ୍‌। ପ୍ରଥମ ଥର ପାଇଁ ଆମେରିକାର ସିନେଟ୍‌କୁ ନିର୍ବାଚିତ ହୋଇଥିବା ହ୍ୟାରିସ୍‌ ନିଜର ଖୋଲାଖୋଲି ମନ୍ତବ୍ୟ ପାଇଁ ବେଶ୍‌ ଚର୍ଚ୍ଚିତ ରହିଆସିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କର ସେ ଜଣେ ବଡ଼ ସମାଲୋଚକ ଭାବେ ସାମ୍ନାକୁ ଆସିଛନ୍ତି। ୫୫ ବର୍ଷୀୟା ହ୍ୟାରିସ୍‌ ଡେମୋକ୍ରାଟିକ୍‌ ପାର୍ଟି ପାଇଁ ଯୁବପିଢ଼ିକୁ ପ୍ରଭାବିତ କରିବା ସହ ପାରମ୍ପରିକ ଭୋଟର୍‌ମାନଙ୍କୁ ଆପଣାଇବାରେ ସକ୍ଷମ ହେବେ ବୋଲି ଆଶା କରାଯାଉଥିଲା। ଗତ ଜୁନ୍‌ରେ ଅନୁଷ୍ଠିତ ଓପିନିଅନ୍‌ ପୋଲ୍‌ରେ ସେ ମଧ୍ୟ ବେଶ୍‌ ପ୍ରଭାବିତ କରିଥିଲେ। କିନ୍ତୁ ଏହାପରଠାରୁ ସେ ଅନ୍ୟାନ୍ୟ ପ୍ରାର୍ଥୀଙ୍କ ସହ ତାଳ ଦେଇ ପ୍ରଚାର କରିବାରେ ପଛରେ ପଡ଼ିଯାଇଥିଲେ ଓ ପ୍ରଚାର ପାଇଁ ଆବଶ୍ୟକ ଅର୍ଥ ସଂଗ୍ରହ କରିପାରି ନ ଥିଲେ।

ରାଷ୍ଟ୍ରପତି ଦୌଡ଼ରେ ରହିବା ସକାଶେ ତାଙ୍କ ପାଖରେ ଆବଶ୍ୟକ ଅର୍ଥ ନ ଥିବାରୁ ସେ ପଛକୁ ଫେରିଯାଉଛନ୍ତି ବୋଲି ମଙ୍ଗଳବାର ହ୍ୟାରିସ୍‌ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରପତି ଦୌଡ଼ରେ ଥିବା ମାଇକେଲ୍‌ ବ୍ଲୁମ୍‌ବର୍ଗ ଓ ଟମ୍‌ ଷ୍ଟେୟର୍‌ଙ୍କ ପରି କୋଟିପତି ହୋଇ ନ ଥିବାରୁ ସେ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ନାହିଁ। ତେବେ ହ୍ୟାରିସ୍‌ ହ୍ବାଇଟ୍‌ ହାଉସ୍‌ ଦୌଡ଼ରୁ ବାଦ୍‌ ପଡ଼ିବା ନେଇ ଖବର ପାଇବା ପରେ ରାଷ୍ଟ୍ରପତି ଟ୍ରମ୍ପ୍‌ ଟ୍ବିଟ୍‌ କରି ଏହା ଏକ ଖରାପ ଖବର ଓ ଆଗାମୀ ନିର୍ବାଚନରେ ସେ ତାଙ୍କୁ ମିସ୍‌ କରିବେ ବୋଲି କହିବା ପରେ ଏହାର କଡ଼ା ଜବାବ ଦେଇଛନ୍ତି ହ୍ୟାରିସ୍‌। ସେ କହିଛନ୍ତି ଯେ ଆପଣ ବ୍ୟସ୍ତ ହୁଅନ୍ତୁନି। ଆପଣଙ୍କ ବିରୋଧରେ ଚାଲିଥିବା ମହାଭିଯୋଗ ମାମଲାରେ ମୁଁ ଆପଣଙ୍କର ମୁକାବିଲା କରିବି ବୋଲି ହ୍ୟାରିସ୍‌ ଟ୍ବିଟ୍‌ କରି କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ