ରିଭେଞ୍ଜ ପର୍ଣ୍ଣୋଗ୍ରାଫିର ହବ୍‌ ପାଲଟିଛି ବେଙ୍ଗାଳୁରୁ

ଜାଣନ୍ତୁ କିଭଳି ମହିଳା ହେଉଛନ୍ତି ଏହାର ସର୍ବାଧିକ ଶିକାର

ଫେସ୍‌ବୁକ୍‌ ଓ ହ୍ବାଟସ୍‌ଆପ୍‌ ଭଳି ସୋସାଲ ନେଟୱର୍କିଂ ସାଇଟ୍‌ ପ୍ଲାଟଫର୍ମ ଆସିବା ପରେ ଭାରତରେ ରିଭେଞ୍ଜ ପର୍ଣ୍ଣୋଗ୍ରାଫି ମାମଲା ବହୁତ ବଢ଼ି ଯାଇଛି। ଭାରତରେ ପ୍ରତ୍ୟେକ ଦିନ ମହିଳାମାନେ ଏହାର ଶିକାର ହେଉଛନ୍ତି। ‘ଇଣ୍ଡିଆ ଟୁଡେ ସେକ୍ସ ସର୍ଭେ ୨୦୧୯’ରେ ରିଭେଞ୍ଜ ପର୍ଣ୍ଣୋଗ୍ରାଫିର କାରଣ ଓ ଏହାର ଦୁଷ୍ପରିଣାମ ସମ୍ପର୍କରେ ଜାଣିବା ପାଇଁ ଚେଷ୍ଟା କରାଯାଇଥିଲା। ଚାଲନ୍ତୁ ଜାଣିବା ରିଭେଞ୍ଜ ପର୍ଣ୍ଣୋଗ୍ରାଫି କ’ଣ ଓ ଦେଶରେ ଏହା ବୃଦ୍ଧି ପାଇବାର କାରଣ କ’ଣ ସମ୍ପର୍କରେ।

ରିଭେଞ୍ଜ ପର୍ଣ୍ଣୋଗ୍ରାଫି କ’ଣ
ଶାରୀରିକ ସମ୍ପର୍କ କିମ୍ବା ବେଡ୍‌ରୁମ୍‌ ସିକ୍ରେଟ୍‌କୁ ସ୍ମାର୍ଟ ଗ୍ୟାଜେଟ୍‌ରେ ସେଭ୍‌ କରି ରଖିବାର ଇଚ୍ଛା ଲୋକଙ୍କ ମଧ୍ୟରେ ବହୁତ ବଢ଼ି ଯାଇଛି। ଆପଣ ହୁଏତ ଅନ୍ଦାଜ କରିପାରିବେ ନାହିଁ, ଭାରତରେ ରିଭେଞ୍ଜ ପର୍ଣ୍ଣୋଗ୍ରାଫିର ଏହା ହେଉଛି ସବୁଠାରୁ ବଡ଼ କାରଣ। ପ୍ରତିଶୋଧ ଭାବନାରେ ନିଜ ପାର୍ଟନରଙ୍କ ପ୍ରାଇଭେଟ୍‌ ଫଟୋ କିମ୍ବା ଭିଡ଼ିଓ ଲିକ୍‌ କରିବା ଧମକ୍‌ ଦେଇ ସେମାନଙ୍କୁ ବ୍ଲାକ୍‌ମେଲ୍‌ କରିବା, ରିଭେଞ୍ଜ ପର୍ଣ୍ଣୋଗ୍ରାଫି ଅଧୀନରେ ଆସୁଛି। ଭାରତରେ ରିଭେଞ୍ଜ ପର୍ଣ୍ଣୋଗ୍ରାଫି ବ୍ୟତୀତ ସେକ୍ସଟର୍ସନ ଓ ସାଇବର ଷ୍ଟକିଂ ମାମଲା ମଧ୍ୟ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି।

ରିଭେଞ୍ଜ ପର୍ଣ୍ଣୋଗ୍ରାଫିରେ ବ୍ୟକ୍ତି ନିଜ ମାନସିକ ସନ୍ତୁଳନ ଏତେ ମାତ୍ରାରେ ହରାଇ ଦିଅନ୍ତି ଯେ ସେମାନେ କାହାକୁ ହତ୍ୟା କରିବା କିମ୍ବା ଏସିଡ୍‌ ଫିଙ୍ଗି କାହାର ଚେହେରା ବିକୃତ କରିବାକୁ ଏକ କୁତ୍ସିତ ଅପରାଧ ବୋଲି ଆଦୌ ମନେକରନ୍ତି ନାହିଁ। ସ୍ମାର୍ଟ ଗ୍ୟାଜେଟ୍‌ ଓ ସୋସାଲ ନେଟୱର୍କିଂ ସାଇଟ୍‌ର ଦ୍ରୁତ ବେଗରେ ବିକାଶ ହେବା ଏହାକୁ ଅଧିକ ପ୍ରୋତ୍ସାହନ ଦେଉଛି। ବର୍ଷ ୨୦୧୪ରେ ନ୍ୟାସନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ଦ୍ବାରା ଜାରି କରାଯାଇଥିବା ଏକ ରିପୋର୍ଟ ଅନୁସାରେ ଭାରତରେ ଅଶ୍ଳୀଳ କଣ୍ଟେଣ୍ଟର ସର୍କୁଲେସନ୍‌ ୧୦୪.୨ ପ୍ରତିଶତ ବୃଦ୍ଧି ପାଇଛି। ଭାରତରେ ସାଇବର କ୍ରାଇମ୍‌ରେ ମଧ୍ୟ ୬୩.୭ ପ୍ରତିଶତ ବୃଦ୍ଧି ଘଟିଥିବା ରିପୋର୍ଟରୁ ଜଣାପଡ଼ିଛି।

ରିଭେଞ୍ଜ ପର୍ଣ୍ଣୋଗ୍ରାଫରଙ୍କ ବାସ୍ତବ ସଂଖ୍ୟା ଭିନ୍ନ
‘ଇଣ୍ଡିଆ ଟୁଡେ ସେକ୍ସ ସର୍ଭେ ୨୦୧୯’ ରିପୋର୍ଟ ଅନୁସାରେ ଦାବି କରାଯାଇଛି ଯେ ରିଭେଞ୍ଜ ପର୍ଣ୍ଣୋଗ୍ରାଫିରେ ୯୦ ପ୍ରତିଶତ ପୀଡ଼ିତ ମହିଳାମାନେ ହିଁ ହୋଇଥାନ୍ତି। ରିଭେଞ୍ଜ ପର୍ଣ୍ଣୋଗ୍ରାଫିର ଅଧିକାଂଶ ମାମଲା ବ୍ଲାକ୍‌ମେଲ୍‌ କରି ଟଙ୍କା ଆଦାୟ କରିବା ଓ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ସହିତ ଜଡ଼ିତ ବୋଲି ଜଣାପଡ଼ିଛି। ଇଣ୍ଡିଆ ଟୁଡେ’ ସେକ୍ସ ସର୍ଭେରେ ନିଜ ମତ ରଖି ପାଖାପାଖି ୮୯ ପ୍ରତିଶତ ଲୋକ କହିଥିଲେ ଯେ ସେକ୍ସ ସମୟରେ ପାର୍ଟନରଙ୍କ ଫଟୋ କ୍ଲିକ୍‌ କରିବା କିମ୍ବା ଭିଡ଼ିଓ ଶୁଟ୍‌ କରିବାର ସେମାନେ ପୂରାପୁରି ବିରୋଧୀ। ତେବେ ଦେଶରେ ରିଭେଞ୍ଜ ପର୍ଣ୍ଣୋଗ୍ରାଫି ପାଇଁ କେବଳ ଯେ ୧୧ ପ୍ରତିଶତ ଲୋକ ଦାୟୀ ଏହା ମଧ୍ୟ କୁହାଯାଇପାରିବ ନାହିଁ। ଅର୍ଥାତ୍‌ ବାସ୍ତବରେ ରିଭେଞ୍ଜ ପର୍ଣ୍ଣୋଗ୍ରାଫିରେ ସଂଶ୍ଳଷ୍ଟ ଲୋକଙ୍କ ସଂଖ୍ୟା ନିଶ୍ଚିତ ରୂପେ ଅଧିକ, ଯାହାକି ସମାଜରେ ଘଟୁଥିବା ଏହି ଧରଣର ଅପରାଧରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି।

ବେଙ୍ଗାଳୁରୁ ଓ ପାଟଣା ଆଗରେ
ବେଡ୍‌ରୁମ୍‌ ସିକ୍ରେଟ୍‌ସକୁ ସ୍ମାର୍ଟଫୋନ୍‌ରେ ସେଭ୍‌ କରିବାରେ ପାଟନା ଓ ବେଙ୍ଗାଳୁରୁର ଲୋକେ ସବୁଠାରୁ ଆଗରେ ରହିଛନ୍ତି। ପାଟନାରେ ୨୧.୫ ପ୍ରତିଶତ ଲୋକ ସେକ୍ସ ସମୟରେ ପାର୍ଟନରଙ୍କ ଭିଡ଼ିଓ ଶୁଟ୍‌ କରିବା କିମ୍ବା ଫଟୋ କ୍ଲିକ୍‌ କରିବା ସପକ୍ଷରେ ଉତ୍ତର ଦେଇଥିଲେ। ପାଟନାଠାରୁ ମଧ୍ୟ ବେଙ୍ଗାଳୁରୁର ଲୋକେ ଏହି ମାମଲାରେ ଆଗରେ ରହିଛନ୍ତି। ବେଙ୍ଗାଳୁରୁରେ ୨୬.୬ ପ୍ରତିଶତ ଲୋକ ଶାରୀରିକ ସମ୍ପର୍କ ରଖିବାବେଳେ ପାର୍ଟନରଙ୍କ ଭିଡ଼ିଓ ତିଆରି କରିବା ସହିତ ସହମତି ପ୍ରକାଶ କରିଥିଲେ।

ଏବେ ବି ଲୋକେ ନିଜ ସ୍ମାର୍ଟ ଗ୍ୟାଜେଟ୍‌କୁ କେବଳ ରିଷ୍ଟୋର୍‌ କରି ବହୁତ ଦାୟିତ୍ବହୀନ ଭାବେ ଅନ୍ୟମାନଙ୍କୁ ବିକ୍ରି କରି ଦେଉଛନ୍ତି। ହୁଏତ ସେମାନଙ୍କର ଧାରଣା ନାହିଁ ଯେ ତାଙ୍କ କଣ୍ଟେଣ୍ଟ କେବଳ ଡିଭାଇସ୍‌ରେ ରହି ନ ଥାଏ, ବରଂ ଏହା ଅଟୋ ସିଙ୍କ୍‌ ହେବା ପରେ ୱେବ୍‌ରେ ଯାଇ ସେଭ୍‌ ହୋଇଯାଉଛି। ସେକ୍ସକୁ ନେଇ ଲୋକଙ୍କ ଅଜବ ପ୍ରକାରର ଫାଣ୍ଟାସି ମଧ୍ୟ ଏହାର ଏକ ବଡ଼ କାରଣ ହୋଇପାରେ ବୋଲି ଇଣ୍ଡିଆ ଟୁଡେ’ ସେକ୍ସ ସର୍ଭେ ୨୦୧୯ରୁ ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ