ଚର୍ଚ୍ଚିତ ଖବର
ଅସମୟରେ ମହିଳାଙ୍କୁ ଗାଡ଼ି ଯୋଗାଇଦେବ ଲୁଧିଆନା ପୋଲିସ୍

ଚଣ୍ଡିଗଡ଼: ନିକଟ ଅତୀତରେ ଭାରତରେ ଏକାଧିକ ଜଘନ୍ୟ ଦୁଷ୍କର୍ମ ଘଟଣା ଘଟିଛି, ଯାହା ସମଗ୍ର ଜନମାନସକୁ ଦୋହଲାଇ ଦେଇଛି। ଦିଲ୍ଲୀର ନିର୍ଭୟା କାଣ୍ଡ ହେଉ ଅବା ଉତ୍ତର ପ୍ରଦେଶର କଠୁଆ ଅବା ବର୍ତ୍ତମାନ ହାଇଦ୍ରାବାଦର ପ୍ରିୟଙ୍କା ରେଡ୍ଡୀ ଗଣଦୁଷ୍କର୍ମ ଘଟଣା, ଏପରି ଅମାନବୀୟ କାଣ୍ଡ ସଭ୍ୟ ସମାଜକୁ ଲଜ୍ଜିତ କରିଛି। ଦେଶର ନାରୀ ସମାଜ ଯେ ଏବେ ବି ଅସୁରକ୍ଷିତ, ତାହା ଏସବୁ ଘଟଣା ଜାଗ୍ରତ ନାଗରିକମାନଙ୍କୁ ମନେ ପକାଇ ଦେଉଛି। ତେବେ ନାରୀମାନଙ୍କୁ ସୁରକ୍ଷା ଦେବା ସକାଶେ ଲୁଧିଆନା ସିଟି ପୋଲିସ୍ ପକ୍ଷରୁ ଏବେ ଏକ ଅଭିନବ ଯୋଜନାକୁ ହାତକୁ ନିଆଯାଇଛି। ଯୁବତୀ କିମ୍ବା ମହିଳାମାନେ ଅସମୟରେ ଘରକୁ ଫେରିବା ସକାଶେ ହଇରାଣ ହରକତ ହେଉଥିବା ବେଳେ ଏହାର ଫାଇଦା ଉଠାଇ ଅସାମାଜିକମାନେ ଦୁଷ୍କର୍ମ କରିବାକୁ ପଛାଉନାହାନ୍ତି। ତେବେ ଆଗକୁ ଲୁଧିଆନା ସହରର କୌଣସି ମହିଳା କିମ୍ବା ଯୁବତୀ କୌଣସି ବି ସ୍ଥାନରେ ନିଜକୁ ଅସୁରକ୍ଷିତ ମଣିଲେ, କିମ୍ବା ଘରେ ପହଞ୍ଚିବା ସକାଶେ କୌଣସି ଯାନବାହନ ନ ପାଇଲେ, ସେମାନେ ତୁରନ୍ତ ପୋଲିସ୍ର ସହାୟତା ନେଇପାରିବେ। ପୋଲିସ୍ ଫୋନ୍କଲ୍ ରିସିଭ୍ କରିବା ମାତ୍ରେ ତୁରନ୍ତ ଉକ୍ତ ଯୁବତୀ କିମ୍ବା ମହିଳାଙ୍କ ପାଖରେ ପୋଲିସ୍ ଗାଡ଼ି ପହଞ୍ଚିବ, ଯେଉଁଥିରେ ସେମାନେ ନିଜ ଘରେ ବେଶ୍ ସୁରକ୍ଷିତ ଭାବେ ପହଞ୍ଚିପାରିବେ।
ଏନେଇ ରବିବାର ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ରାତି ସମୟରେ କୌଣସି ମହିଳା ବା ଯୁବତୀ ପୋଲିସ୍କୁ ଫୋନ୍ କଲେ, ନିକଟସ୍ଥ ପୋଲିସ୍ କଣ୍ଟ୍ରୋଲ୍ ରୁମ୍ କିମ୍ବା ଷ୍ଟେସନ୍ ହାଉସ୍ ଅଫିସର୍ଙ୍କ ଗାଡ଼ି ତାଙ୍କ ପାଖରେ ପହଞ୍ଚି ତାଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଦେବ। ଏହି ସୁବିଧା ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ଉପଲବ୍ଧ ହେବ ଓ ଏହି ସୁବିଧା ସମ୍ପୂର୍ଣ୍ଣ ଭାବେ ନିଃଶୁଳ୍କ ରହିଛି ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି। ସେହିପରି ଲୁଧିଆନା ପୋଲିସ୍ କମିଶନର୍ ରାକେଶ ଅଗ୍ରୱାଲ୍ କହିଛନ୍ତି ଯେ ସହରର ନାରୀମାନଙ୍କୁ ସୁରକ୍ଷା ଦେବା ସକାଶେ ସମସ୍ତ ପ୍ରକାର ପଦକ୍ଷେପ ହାତକୁ ନିଆଯାଇଛି। ଦୁଇଟି ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି, ଯେଉଁଥିରେ ୨୪ ଘଣ୍ଟା ଅଭିଯୋଗ ଗ୍ରହଣ କରାଯାଇପାରିବ। ୧୦୯୧ ଓ ୭୮୩୭୦୧୮୫୫୫ ନମ୍ବର ଡାଏଲ୍ କରି କୌଣସି ବି ମହିଳା ବା ଯୁବତୀ ଉପରୋକ୍ତ ସେବାର ଫାଇଦା ନେଇପାରିବେ ବୋଲି ଅଗ୍ରୱାଲ୍ କହିଛନ୍ତି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ