ଫାଷ୍ଟଟ୍ରାକ୍‌ କୋର୍ଟରେ ହେବ ତେଲେଙ୍ଗାନା ଗଣଦୁଷ୍କର୍ମ ମାମଲାର ବିଚାର


ହାଇଦ୍ରାବାଦ: ତେଲେଙ୍ଗାନା ମହିଳା ପଶୁଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ମାମଲାକୁ ନେଇ ସାରା ଦେଶରେ ଝଡ଼ ଉଠିଥିବା ବେଳେ ଏହାକୁ ପୁଣିଥରେ ଦିଲ୍ଲୀର ନିର୍ଭୟା ମାମଲାର ସ୍ମୃତିକୁ ତାଜା କରିଦେଇଛି। ଏଥିରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ କର୍ତ୍ତବ୍ୟରେ ଅବହେଳା ପାଇଁ ୩ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ ମଧ୍ୟ କରାଯାଇଛି। ତେବେ ଏଭଳି ମର୍ମସ୍ପର୍ଶୀ ତଥା ସମ୍ବେଦନଶୀଳ ମାମଲାର ତୁରନ୍ତ ବିଚାର କରି ଦୋଷୀଙ୍କୁ ଦଣ୍ଡ ଦିଆଯିବାକୁ ସାରା ଦେଶରେ ଜୋରଦାର ଦାବି ହେଉଛି। ଏପରିସ୍ଥଳେ ରବିବାର ତେଲେଙ୍ଗାନା ସରକାର ଶେଷରେ ଏହି ମାମଲାର ବିଚାର ଫାଷ୍ଟଟ୍ରାକ୍‌ କୋର୍ଟରେ କରିବାକୁ ନିର୍ଦେଶ ଦେଇଛନ୍ତି।

ରବିବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ଖବର ଅନୁଯାୟୀ ଏହି ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର ଫାଷ୍ଟଟ୍ରାକ୍‌ କୋର୍ଟରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ମାମଲାକୁ ବେଶ୍‌ ଗୁରୁତ୍ବର ସହ ନିଆଯିବ ଏବଂ ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୃତ ମହିଳା ପଶୁଡାକ୍ତରଙ୍କ ପରିବାରକୁ ପ୍ରତିଶ୍ରୁତି ଦେଇଛନ୍ତି। ସାରା ଦେଶରେ ଏହି ଘଟଣାର ତୀବ୍ର ପ୍ରତିବାଦ କରାଯିବା ପରେ ତେଲେଙ୍ଗାନା ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସ୍ଥାନୀୟ ବାର ଆସୋସିଏସନ ପକ୍ଷରୁ ମଧ୍ୟ ଏହି ମାମଲାରେ ଅଭିଯୁକ୍ତଙ୍କ ତରଫରୁ କେହି ଲଢ଼ିବେ ନାହିଁ ସ୍ପଷ୍ଟ କରିଦିଆଯାଇଥିଲା।

ସୂଚନାଯୋଗ୍ୟ ଯେ ହାଇଦ୍ରାବାଦ ସହର ଉପକଣ୍ଠରେ ଗତ ନଭେମ୍ବର ୨୭ ତାରିଖରେ ମହିଳା ପଶୁଡାକ୍ତର ପ୍ରିୟଙ୍କା ରେଡିଙ୍କୁ ୪ ଜଣ ଗଣଦୁର୍ଷ୍କମ କରିବା ପରେ ତାଙ୍କ ଉପରେ କିରାସିନ ଢାଳି ପୋଡ଼ିଦେଇଥିଲେ। ବହୁ ଖୋଜାଖୋଜି ପରେ ଶେଷରେ ତାଙ୍କ ମୃତଦେହ ଗୁରୁବାର ସକାଳୁ ଠାବ କରାଯାଇଥିଲା। ଟ୍ରକରେ କାମ କରୁଥିବା ଏହି ଚାରି ଅଭିଯୁକ୍ତଙ୍କୁ ଧାରା ୩୭୬ ଡି (ଗଣଦୁଷ୍କର୍ମ), ୩୦୨ (ହତ୍ୟା), ୨୦୧ (ପ୍ରମାଣ ନଷ୍ଟ) ଆଦି ଧାରାରେ ମାମଲା ରୁଜୁ କରାଯାଇ ସେମାନଙ୍କୁ ନଭେମ୍ବର ୨୯ରେ ଗିରଫ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ