ବଢ଼ୁଛି ଷ୍ଟାର୍ଟଅପ୍‌ କ୍ରେଜ: ୩ ବର୍ଷରେ ଖୋଲିଲାଣି ୨୫ ହଜାର

ସ୍ବାବଲମ୍ବୀ ହେବାର ଉତ୍ସାହ ଓ ପ୍ରୋତ୍ସାହନ ଯୋଗାଇଛି ଯୁବପିଢ଼ିଙ୍କୁ ଖୋରାକ

ଯୁଗ ବଦଳିଛି। ଆଧୁନିକତାର ସ୍ପର୍ଶରେ ଜ୍ଞାନକୌଶଳ ମଧ୍ୟ ବିକଶିତ ହୋଇଛି। ଶିକ୍ଷା ଓ ପ୍ରଶିକ୍ଷଣ କ୍ଷେତ୍ରରେ ଅନୁରୂପଭାବେ ବହୁବିଧ ପରିବର୍ତ୍ତନ ହୋଇଛି। ଏହାସତ୍ତ୍ବେ ନିଯୁକ୍ତି କ୍ଷେତ୍ରରେ ଘୋର ସଂକଟର ସମ୍ମୁଖୀନ ହୋଇଛି ଦେଶ। କଥାରେ ଅଛି, ଇଚ୍ଛାଶକ୍ତି ଥିଲେ ଉପାୟ ବଳେ ବଳେ ଆସେ। ଏହାକୁ ପାଥେୟ କରି ଯୁବପିଢ଼ି ଅଗ୍ରସର ହେଉଛନ୍ତି। ଏବେ ଯୁବପିଢ଼ି ସ୍ବାବଲମ୍ବୀ ହେବାକୁ ମନ ବଳାଇଛନ୍ତି, ଯାହାକି ଏକ ସକାରାତ୍ମକ ଲକ୍ଷଣ। ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଓ ପ୍ରୋତ୍ସାହନ ମିଳିବା ଫଳରେ ଯୁବାବର୍ଗଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଛି। ସେମାନେ ଚାକିରି ପାଇବା ପାଇଁ ଲମ୍ବା କସରତ କରିବା ପରିବର୍ତ୍ତେ ଅନ୍ୟମାନଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ଉଦ୍ୟମ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ବିଗତ ଗୋଟିଏ ବର୍ଷ ମଧ୍ୟରେ ୧୦ ହଜାର ନୂଆ ଷ୍ଟାର୍ଟଅପ୍‌ ଖୋଲିଥିବା ଜଣାଯାଇଛି। ଏହିକ୍ରମରେ ବିଗତ ୩ ବର୍ଷରେ ପାଖାପାଖି ୨୫ ହଜାର ଷ୍ଟାର୍ଟଅପ୍‌ ଖୋଲାଯାଇଛି। ଏଥିରୁ ସବୁଠୁ ଅଧିକ ଷ୍ଟାର୍ଟଅପ୍‌ ଆଇଟି କ୍ଷେତ୍ରକୁ ନେଇ ହୋଇଛି। ଅଧାରୁ ଅଧିକ ଷ୍ଟାର୍ଟଅପ୍‌ ସ୍ବାସ୍ଥ୍ୟସେବା ଓ ଆଇଟି ଭିତ୍ତିକ ଥିବା ଜଣାପଡ଼ିଛି। ଆଇଟି ପରେ ଦ୍ବିତୀୟ ସର୍ବାଧିକ ସ୍ବାସ୍ଥ୍ୟସେବା ଷ୍ଟାର୍ଟଅପ୍‌ ଖୋଲାଯାଇଥିବା ସୂଚନା ମିଳିଛି।

କେନ୍ଦ୍ର ସରକାରଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ନୂଆ ଷ୍ଟାର୍ଟଅପ୍‌ ଆରମ୍ଭ କରିବାରେ ମହାରାଷ୍ଟ୍ର ସବୁଠୁ ଅଗ୍ରଣୀ ରାଜ୍ୟ। କର୍ଣ୍ଣାଟକ ଦ୍ବିତୀୟ ସ୍ଥାନରେ ଆସୁଛି। ଉତ୍ତର ପ୍ରଦେଶ, ଦିଲ୍ଲୀ, ହରିୟାଣା ଆଦି ରାଜ୍ୟ ଷ୍ଟାର୍ଟଅପ୍‌ ସଂଖ୍ୟା ଦୃଷ୍ଟିରୁ ଟପ୍‌-୫ ରାଜ୍ୟ ମଧ୍ୟରେ ଅନ୍ତର୍ଭୁକ୍ତ। ସରକାରଙ୍କ ପକ୍ଷରୁ ସଂସଦରେ ପ୍ରଦତ୍ତ ସୂଚନା ଅନୁଯାୟୀ ୨୦୧୬ ଜାନୁଆରୀରୁ ୨୦୧୯ ନଭେମ୍ବର ୨୧ ସୁଦ୍ଧା ଦେଶର ଉଦ୍ୟୋଗ ବିକାଶ ଏବଂ ଇଣ୍ଟରନାଲ ବିଜନେସ ଡିପାର୍ଟମେଣ୍ଟ (ଡିପିଆଇଆଇଟି) ଜରିଆରେ ୨୪,୯୪୦ଟି ଷ୍ଟାର୍ଟଅପ୍‌କୁ ମାନ୍ୟତା ପ୍ରଦାନ କରାଯାଇଛି। ଏଥିରେ ୨୦୧୬-୧୭ ଆର୍ଥିକ ବର୍ଷରେ ୭୪୬ଟି, ୨୦୧୭-୧୮ରେ ୭୯୬୧, ୨୦୧୮-୧୯ରେ ୮୬୧୮ ଏବଂ ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ ନଭେମ୍ବର ସୁଦ୍ଧା ୭୬୧୨ଟି ଷ୍ଟାର୍ଟଅପ୍‌ ଖୋଲାଯାଇଛି। ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରଦତ୍ତ ସୂଚନାରେ ଦର୍ଶାଯାଇଛି ଯେ ଏହିସବୁ ଷ୍ଟାର୍ଟଅପ୍‌ ମଧ୍ୟରୁ ଅଳ୍ପ କେତେକ ବିଫଳ ହୋଇଥିଲେ ହେଁ ଅଧିକାଂଶ ଭଲ ଭାବେ ପରିଚାଳିତ ହେଉଛି। ତେବେ ଅସଫଳ ହୋଇଥିବା ଷ୍ଟାର୍ଟଅପ୍‌ ଗୁଡ଼ିକୁ ପୁଣିଥରେ ବିକଶିତ କରିବା ପାଇଁ ଅଣ୍ଟା ଭିଡ଼ି ବାହାରିଛି ବିଭାଗ।

ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋଏଲ ଲୋକସଭାରେ ସୂଚନା ଦେଇ କହିଛନ୍ତି ଯେ ଦେଶରେ ପ୍ରାୟ ୫୦ଟି ବିଭାଗରେ ଷ୍ଟାର୍ଟଅପ୍‌ମାନ ଖୋଲାଯାଇଛି। ଏହିସବୁ ଷ୍ଟାର୍ଟଅପ୍‌ ମଧ୍ୟରୁ ସବୁଠୁ ଅଧିକ ୩,୪୪୩ ପଞ୍ଜୀକୃତ ଆଇଟି ସେବା ଉପଲବ୍ଧ କରାଉଥିବା ଷ୍ଟାର୍ଟଅପ୍‌। ଦ୍ବିତୀୟ ସର୍ବାଧିକ ଷ୍ଟାର୍ଟଅପ୍‌ ସ୍ବାସ୍ଥ୍ୟସେବା ପାଇଁ ଖୋଲାଯାଇଥିବା ବେଳେ ଶିକ୍ଷାକ୍ଷେତ୍ରରେ କାମ କରୁଥିବା ଷ୍ଟାର୍ଟଅପ୍‌ ସଂଖ୍ୟା ୧୭୬୬ଟି ଅଛି। ଦେଶର ଭିତ୍ତିଭୂମି କ୍ଷେତ୍ରରେ ୮ଟି ପ୍ରମୁଖ ଉଦ୍ୟୋଗର ଉତ୍ପାଦନ ଅକ୍ଟୋବର ମାସରେ ୫.୮ ପ୍ରତିଶତ ହ୍ରାସ ପାଇଥିବା ବେଳେ ବେଙ୍ଗାଲୁରୁ ଆଉ ଚେନ୍ନାଇର ଛୋଟ ଆଉ ନୂଆ ଷ୍ଟାର୍ଟଅପ୍‌ ବେଶ୍‌ ଭଲଭାବେ ପରିଚାଳିତ ହେଉଥିବା ଜଣାପଡ଼ିଛି।

ଦେଶରେ କୋଇଲା ଉତ୍ପାଦନ ଅକ୍ଟୋବର ମାସରେ ୧୭.୬ ପ୍ରତିଶତ ଏବଂ ଅଶୋଧିତ ତୈଳ ଉତ୍ପାଦନ ୫.୧ ପ୍ରତିଶତ ଖସିଆସିଛି। ଏହି ଅବଧି ମଧ୍ୟରେ ସିମେଣ୍ଟ ଉତ୍ପାଦନ ୭.୭ ପ୍ରତିଶତ, ଷ୍ଟିଲ ୧.୬ ପ୍ରତିଶତ ଏବଂ ବିଜୁଳି ଉତ୍ପାଦନ ୧୨.୪ ପ୍ରତିଶତ ହ୍ରାସ ପାଇଛି। ଔଦ୍ୟୋଗିକ ଉତ୍ପାଦନ ଆଗକୁ ଆହୁରି ହ୍ରାସ ପାଇବ ବୋଲି କୁହାଯାଉଛି। ୨୦୧୭-୧୮ରେ ଚାରି ଦଶନ୍ଧିର ସବୁଠୁ ନିମ୍ନ ସ୍ତରକୁ ଖସିଛି ଉପଭୋକ୍ତା ଖର୍ଚ୍ଚ। ୨୦୧୧-୧୨ରୁ ପ୍ରତ୍ୟେକ ବ୍ୟକ୍ତିଙ୍କ ଖର୍ଚ୍ଚ କମିଚାଲିଛି। ସାମସଙ୍ଗ ଇଞ୍ଜିନିୟରିଂର ପ୍ରାକ୍ତନ ମହାପ୍ରବନ୍ଧକ ଏବଂ ସିମ୍ପଲ ସଲ୍ୟୁସନର ସିଇଓ ଉମେଶ ଶର୍ମାଙ୍କ କହିବା କଥା ଆଗାମୀ ଦଶବର୍ଷ ମଧ୍ୟରେ ନିଯୁକ୍ତିର ସ୍ଥିତି ଯଥେଷ୍ଟ ମାତ୍ରାରେ ବଦଳିଯିବ। ସାରା ବିଶ୍ବ ଦ୍ରୁତ ଗତିରେ ବଦଳୁଛି। ପ୍ରତିଦିନ ନୂଆ ନୂଆ ନବସୃଜନମାନ ହେଉଛି। ନୂଆ ନୂଆ କୌଶଳର ବିକାଶ ଘଟୁଛି। ଏଥିପାଇଁ ଆଜିର ସମୟରେ ଯେତିକି ନିଯୁକ୍ତି ଅଛି, ସେଥିରୁ ୬୦ ପ୍ରତିଶତ ନିଯୁକ୍ତି ଶେଷ ହୋଇଯିବ। ନୂଆ ପିଢ଼ି ନବସୃଜନର ପରିକଳ୍ପନା ନେଇ ଆଗକୁ ଆସନ୍ତୁ ଓ ସରକାର ସେମାନଙ୍କୁ ପ୍ରୋତ୍ସାହନ ଦିଅନ୍ତୁ, ଦେଶରେ ଷ୍ଟାର୍ଟଅପ୍‌ର ନୂଆ ଯୁଗ ଆରମ୍ଭ ହେବ। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) କାନପୁର ଏବେ କୃଷିକ୍ଷେତ୍ରରେ ଷ୍ଟାର୍ଟଅପ୍‌ ବିସ୍ତାର କରି ଚାଷୀମାନଙ୍କୁ ନୂଆ କୃଷି ଯନ୍ତ୍ରପାତି ଉପଲବ୍ଧ କରାଇଛି। ଖୁବ୍‌ ଶୀଘ୍ର ଏଗ୍ରି ଷ୍ଟାର୍ଟଅପ୍‌ ଇନକ୍ୟୁବେସନ ସେକ୍ଟରର ସ୍ଥାପନା କରାଯିବ। ଏଥିପାଇଁ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ ଏବଂ ଟାଟା ଟ୍ରଷ୍ଟ ୧୨ କୋଟି ଟଙ୍କା ଦେଇଛନ୍ତି। ଏହି କେନ୍ଦ୍ର ଜରିଆରେ ଷ୍ଟାର୍ଟଅପ୍‌ କମ୍ପାନୀ ପାଇଁ ୧୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ। ବାହାର ରାଜ୍ୟର ଷ୍ଟାର୍ଟଅପ୍‌ ପାଇଁ ଉତ୍ତରାଖଣ୍ଡ ସରକାର ଏକ ବଡ଼ ଘୋଷଣା କରିଛନ୍ତି। କହିଛନ୍ତି, କମ୍ପାନୀ ଗୁଡ଼ିକ ୫୦ ପ୍ରତିଶତ ରୋଜଗାର ଉପଲବ୍ଧ କରାନ୍ତୁ ଏବଂ ସମସ୍ତ ପ୍ରକାର ଆର୍ଥିକ ପ୍ରୋତ୍ସାହନ ପାଆନ୍ତୁ। ୧୦ ବର୍ଷର ପୁରୁଣା କମ୍ପାନୀ ଗୁଡ଼ିକୁ ଷ୍ଟାର୍ଟଅପ୍‌ ଭାବେ ପଞ୍ଜୀକୃତ କରାଇବା ସହିତ ଷ୍ଟାର୍ଟଅପ୍‌ ନୀତି ସଂଶୋଧନକୁ ଉତ୍ତରାଖଣ୍ଡ କ୍ୟାବିନେଟ ମଞ୍ଜୁରୀ ଦେଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ