ପିଲାଙ୍କ ବୁଦ୍ଧିମତ୍ତା କମାଏ ଘରୋଇ ହିଂସା

ମା’ଙ୍କୁ ନିର୍ଯାତନା ଉଜାଡ଼ିଦଏ ପିଲାଙ୍କ ଭବିଷ୍ୟତ

ଘରୋଇ ହିଂସାର ଶିକାର ହେଉଥିବା ମହିଳାଙ୍କ ସନ୍ତାନମାନେ କମ୍‌ ବୁଦ୍ଧିମାନ ହୋଇଥାନ୍ତି। ସେମାନଙ୍କର ବୁଦ୍ଧିମତ୍ତା ନଷ୍ଟ ହୋଇଥାଏ। ଶିଶୁଟି ମାତୃଗର୍ଭରେ ଥିବାବେଳେ ଯଦି ମା’ଟି ଘରୋଇ ହିଂସାର ଶିକାର ହୁଏ, କିମ୍ବା ଜନ୍ମରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ଏଭଳି ସ୍ଥିତି ଦେଇ ଗତିକରେ ତେବେ ଏଥିରେ ତା’ର ବୁଦ୍ଧିମତ୍ତା ନଷ୍ଟ ହୋଇଥାଏ। ଏହା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଗବେଷକମାନେ ୩୯୯୭ ଜଣ ମା’ ଏବଂ ସେମାନଙ୍କର ଶିଶୁମାନଙ୍କ (ଗର୍ଭାବସ୍ଥାରୁ ୮ ବର୍ଷ ବୟସର ହେବା ପର୍ଯ୍ୟନ୍ତ) ଉପରେ ଅଧ୍ୟୟନ କରିଥିଲେ। ଏଥିରେ ଘରୋଇ ହିଂସା ଏବଂ ଏହାର ପ୍ରକାରକୁ ମୂଲ୍ୟାଙ୍କନ କରାଯିବା ସହିତ ପିଲାର ଆଇକ୍ୟୁର ସ୍ତରକୁ ମପାଯାଇଥିଲା। ପ୍ରତ୍ୟେକ ମା’ ଏବଂ ତାଙ୍କ ଶିଶୁମାନଙ୍କୁ ନେଇ ଲଗାତର ଅଧ୍ୟୟନ କରାଯିବା ପରେ ଗବେଷକମାନେ ଏକ ନିଷ୍କର୍ଷ ହାସଲ କରିଥିଲେ। ଅଧ୍ୟୟନରୁ ୧୭.୬ ପ୍ରତିଶତ ମା’ ମାନସିକ ଆବେଗିକ ହିଂସା ଏବଂ ୬.୮ ପ୍ରତିଶତ ଶାରୀରିକ ହିଂସାର ସୂଚନା ଦେଇଥିଲେ। କ୍ୟାଥରିନ ଏବେଲ ନାମକ ଜଣେ ଗବେଷକ କହନ୍ତି ଯେ ବାଲ୍ୟକାଳର ବୁଦ୍ଧିମତ୍ତା ବଡ଼ ହେବା ପରେ ସବୁଠୁ ଭଲ କରିବାର ଦୃଢ଼ତା ସହିତ ଯୋଡ଼ିହୁଏ। ସେ ଏହା ମଧ୍ୟ ସୂଚାଇଛନ୍ତି କି ମାତୃଗର୍ଭରେ ଥିବାବେଳେ ମା’ମାନେ ଶାରୀରିକ ଓ ମାନସିକ ହିଂସାର ଶିକାର ହେଉଥିଲେ ପିଲାଟି କ୍ରମଶଃ ନିଜର ମାନସିକ ପ୍ରଗତି ଯେଭଳି ଭାବରେ କରିପାରିବା କଥା ତାହା କରି ନ ଥାଏ।

ଗବେଷଣାରୁ ଏକଥା ମଧ୍ୟ ସାମ୍ନାକୁ ଆସିଛି ଯେ ୧୩ ପ୍ରତିଶତ ଏଭଳି ମହିଳାଙ୍କ ଶିଶୁମାନେ ଆଇକ୍ୟୁରେ ୯୩ ପ୍ରତିଶତ ପଛରେ ପଡ଼ିଛନ୍ତି। ଯଦି ଗର୍ଭାବସ୍ଥା ସମୟରେ ବା ସନ୍ତାନ ଜନ୍ମର ୬ ବର୍ଷ ପର୍ଯ୍ୟନ୍ତ ମା’ ଘରୋଇ ହିଂସାର ଶିକାର ହୁଅନ୍ତି ତେବେ ସେହି ଶିଶୁର ଆଇକ୍ୟୁ ସ୍ତର ୨୨.୮ ପ୍ରତିଶତରେ ପହଞ୍ଚିଯାଏ। ତେବେ କେବଳ ଘରୋଇ ହିଂସା ନୁହେଁ, ମଦ୍ୟପାନ, ମାନସିକ ଅବସାଦ, ଅଶିକ୍ଷା ଏବଂ ପ୍ରସବ ସମୟରେ ଆର୍ଥିକ ସମସ୍ୟା କାରଣରୁ ଶିଶୁଟିର ଆଇକ୍ୟୁ ଉପରେ ପ୍ରଭାବ ପଡ଼ିଥାଏ। ମାଞ୍ଚେଷ୍ଟର ବିଶ୍ବବିଦ୍ୟାଳୟର ଗବେଷକମାନେ କହନ୍ତି ଯେ ଘରୋଇ ହିଂସା ପିଲାଙ୍କ ତିନିଗୁଣା ଆଇକ୍ୟୁକୁ ନଷ୍ଟ କରିଦେଇଥାଏ।

ଦେଶରେ ଏକ ତୃତୀୟାଂଶ ବିବାହିତା ମହିଳା ଖାଆନ୍ତି ମାଡ଼
ଦେଶରେ ପାଖାପାଖି ଏକ ତୃତୀୟାଂଶ ବିବାହିତା ମହିଳା ସେମାନଙ୍କର ସ୍ବାମୀମାନଙ୍କ ହାତରୁ ମାଡ଼ ଖାଇଥାନ୍ତି। ଗୁଜରାଟର ଏକ ବେସରକାରୀ ସଂଗଠନ ‘ସହଜ’ ଇକ୍ବେଲ ଜର୍ସ ସହ ଯୋଡ଼ିହୋଇ ଏଭଳି ଏକ ଅଧ୍ୟୟନ କରିଥିଲା। ୧୫ରୁ ୪୯ ବର୍ଷ ବୟସର ମହିଳାମାନଙ୍କ ମଧ୍ୟରୁ ପାଖାପାଖି ୨୭ ପ୍ରତିଶତ ୧୫ ବର୍ଷ ବୟସରୁ ହିଂସାକୁ ସମ୍ମୁଖୀନ କରିଥିବା ଜଣାଯାଇଛି। ଭାରତରେ ବିବାହିତ ମହିଳାଙ୍କ ମଧ୍ୟରୁ ଏକ ତୃତୀୟାଂଶ ମହିଳା ପତିଙ୍କ ଦ୍ବାରା ହିଂସାର ଶିକାର ହୋଇଥାନ୍ତି ଏବଂ ଏମାନଙ୍କ ମଧ୍ୟରୁ ଅନେକଙ୍କ କହିବା କଥା ହେଉଛି, ସେମାନେ ଶାରୀରିକ ଆକ୍ରମଣ ସାଙ୍ଗକୁ ମାନସିକ ଭାବେ ବି ନିର୍ଯାତିତ ହୋଇଥାନ୍ତି।

ପିଲାଙ୍କୁ ଶୁଣାଯାଏ ନିର୍ଯାତନାର କାହାଣୀ
ଗୋଟିଏ ପକ୍ଷରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଅଣାଯିବା ପାଇଁ ବିଶ୍ବବ୍ୟାପୀ ପ୍ରୟାସ ଚାଲିଥିବା ବେଳେ ଏବଂ ଘରୋଇ ହିଂସାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଉଦ୍ୟମ ଚାଲିଥିବା ବେଳେ ଆଫ୍ରିକା ମହାଦେଶର ନୂଆକସୋତ ନାମକ ଏକ ଦେଶ ରହିଛି ଯେଉଁଠି ପତ୍ନୀମାନେ ନିଜ ପତିଙ୍କ ଠାରୁ ମାଡ଼ ଖାଇବାକୁ ଗର୍ବର କଥା ବୋଲି ମନେକରନ୍ତି। ଯଦି କୌଣସି କାରଣରୁ ପତି ପତ୍ନୀଙ୍କୁ ମାଡ଼ ମାରିନାହାନ୍ତି, ତେବେ ପତ୍ନୀ ଧରିନେଇଥାନ୍ତି ଯେ ତାଙ୍କ ପତିଦେବ ତାଙ୍କୁ ଆଉ ଭଲ ପାଉନାହାନ୍ତି। ଦ ଷ୍ଟାର ନାମକ ଏକ ପତ୍ରିକା ୬୦ ବର୍ଷୀୟ ମହିଳା ଏଚ୍ୟୁଟୁଙ୍କ ସ୍ବାମୀ କହନ୍ତି ଆମ ଦେଶରେ ମହିଳାମାନଙ୍କୁ ପିଟିବାର ଏକ ଲମ୍ବା ପରମ୍ପରା ରହିଛି। ସେ କହନ୍ତି ଯେ ଆମେ ଆମ ପିଲାଙ୍କ ଆଗରେ କହୁ ଯେ ମା’, ମାଉସୀ, ଆଈ ଓ ପିଉସୀମାନେ କିଏ କିପରି ମାଡ଼ ଖାଇ ବଡ଼ ହୋଇଛନ୍ତି। ଗବେଷକମାନଙ୍କ ମତରେ ଏଠାକାର ମହିଳାମାନେ ତଲାକକୁ ଡରି ମାଡ଼ ଖାଇଥାନ୍ତି। ଯେଉଁ ମହିଳା ମାଡ଼କୁ ବିରୋଧ କରେ, ତାକୁ ତଲାକର ସାମ୍ନା କରିବାକୁ ପଡ଼େ।

ପାକିସ୍ତାନୀ ଧାର୍ମିକ ସଂଗଠନର ବିବାଦୀୟ ସୁପାରିସ
ଯଦି ପତ୍ନୀ ପତିଙ୍କୁ ଅବହେଳା କରନ୍ତି, ତେବେ ପାକିସ୍ତାନର ପତିମାନେ ନିଜ ପତ୍ନୀଙ୍କୁ ପିଟିପାରିବେ। ଏଭଳି ଏକ ବିବାଦୀୟ ସୁପାରିସ କରିଛି ପାକିସ୍ତାନର ଏକ ଧାର୍ମିକ ସଂଗଠନ। ଯଦି ପତ୍ନୀ ନିଜର ପତିଙ୍କ କଥା ନ ମାନନ୍ତି, ଯଦି ପତିର ପସନ୍ଦରେ ପୋଷକ ନ ପିନ୍ଧନ୍ତି, ଯଦି ବୁର୍ଖାରେ ନ ରୁହନ୍ତି ବା ପତିଙ୍କ ଇଚ୍ଛାନୁସାରେ ଯୌନ ସମ୍ପର୍କ ରକ୍ଷା ନ କରନ୍ତି, ଅଜଣା ଲୋକଙ୍କ ସହ କଥା ହୁଅନ୍ତି, କିମ୍ବା ସ୍ବାମୀଙ୍କ ପରାମର୍ଶ ନ କରି ଅନ୍ୟ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରନ୍ତି, ତେବେ ପତିମାନେ ପତ୍ନୀଙ୍କୁ ମାଡ଼ ମାରିପାରିବେ ବୋଲି ଦ କାଉନସିଲ ଅଫ ଇସଲାମିକ ଆଇଡିଓଲୋଜି ନାମକ ଏକ ସଂସ୍ଥା କହିଛି।

ଶାରୀରିକ ହିଂସା ମହିଳାଙ୍କ ମାନସିକ ସ୍ବାସ୍ଥ୍ୟକୁ ବିଗାଡ଼ିଦିଏ। ଏଥିରେ ପୀଡ଼ିତ ମହିଳାଙ୍କ ହୃଦ୍‌ରୋଗ ଏବଂ ରକ୍ତବାହିକା ରୋଗ ହେବାର ଅଧିକ ସମ୍ଭାବନା ଥାଏ। ଏହାଦ୍ବାରା ଶାରୀରିକ ଭାବେ ଲମ୍ବା ସମୟ ଧରି ପୀଡ଼ିତା ମହିଳା ଅସୁସ୍ଥ ରହନ୍ତି। ଯେଉଁ ମହିଳାମାନେ ଅଧିକ ଥର ଶାରୀରିକ ହିଂସାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କ ବେକ ପଛପଟ ରକ୍ତବାହିକା ସଙ୍କୁଚିତ ହେବାର ସମ୍ଭାବନା ରହିଛି।

ହିଂସାରେ ମାତିଛନ୍ତି ଆଗଧାଡ଼ିର ନେତା, ଅଭିନେତା
କ୍ଷଣିକ ରାଗ ଆଉ ଉତ୍ତେଜନାରେ ପରିବାରକୁ ଉଜାଡ଼ି ଦେଇଥାଏ ଘରୋଇ ହିଂସା। ଏହାଦ୍ବାରା ଆଗାମୀ ପିଢ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଥାନ୍ତି। ଏହା ଭଲଭାବେ ଜାଣି ସୁଦ୍ଧା ବଡ଼ ବଡ଼ ଘରମାନଙ୍କରେ ଏଭଳି ଘଟଣା ଘଟିଚାଲିଛି। ବଲିଉଡର ୮୦ ଦଶକର ଅଭିନେତ୍ରୀ ରତି ଅଗ୍ନିହୋତ୍ରୀ ନିଜ ପତିଙ୍କ ଅତ୍ୟାଚାର ସହି ନ ପାରି ଥାନାର ଦ୍ବାରସ୍ଥ ହୋଇଥିବାର ନଜିର ରହିଛି। କେରଳର ଜଙ୍ଗଲ ମନ୍ତ୍ରୀ କେବି ଗଣେଶ କୁମାରଙ୍କୁ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାକୁ ପଡ଼ିଛି। ଆପ୍‌ ବିଧାୟକ ସୋମନାଥ ଭାରତୀଙ୍କୁ ମଧ୍ୟ ଏଭଳି ମାମଲାରେ ନାକେଦମ ହେବାକୁ ପଡ଼ିଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଜାମାତାଙ୍କୁ ମଧ୍ୟ ପୋଲିସ ଥାନାରେ ଚକ୍କର କାଟିବାକୁ ପଡ଼ିଛି।

ଘରୋଇ ହିଂସାରୁ ମୁକ୍ତି ପାଇଁ ସ୍ପେନର ମହିଳା ରଖୁଛନ୍ତି କୁକୁର
ଘରୋଇ ହିଂସାରୁ ବଞ୍ଚିବା ପାଇଁ ସ୍ପେନର ମହିଳାମାନେ ସିକ୍ୟୁରିଟି ସଂସ୍ଥାମାନଙ୍କ ନିକଟରୁ କୁକୁର କିଣୁଛନ୍ତି। ଏହି କୁକୁରମାନଙ୍କୁ ସ୍ବତନ୍ତ୍ର ଭାବେ ତାଲିମ ଦିଆଯାଉଛି। ଘରୋ କେହି ବଡ଼ପାଟିରେ ଚିଲେଇଲେ କିମ୍ବା ହାତ ଉଠାଇଲେ ଏହି କୁକୁରମାନେ ଲମ୍ଫ ପ୍ରଦାନ କରିଥାନ୍ତି। ଯେଉଁ ମହିଳା କୁକୁର କିଣିବାକୁ ଚାହାନ୍ତି, ସେହି କୁକୁରମାନଙ୍କୁ ୨୦୦ ଘଣ୍ଟାର ତାଲିମ ଦିଆଯାଏ। ତାଲିମ ପରେ କୁକୁରଟି ମହିଳାଙ୍କ ଅତ୍ୟନ୍ତ ବିଶ୍ବସ୍ତ ହୋଇଥାଏ। ଏକ ରିପୋର୍ଟ ଅନୁଯାୟୀ ବିଗତ କିଛି ବର୍ଷ ମଧ୍ୟରେ ସ୍ପେନରେ ଘରୋଇ ହିଂସା ବ୍ୟାପକ ଭାବେ ବୃଦ୍ଧି ପାଇଛି। ବିଗତ ବର୍ଷ ସ୍ପେନର ୧୩ ପ୍ରତିଶତ ମହିଳାଙ୍କ ଉପରେ ତାଙ୍କର ପତି ଓ ପୂର୍ବତନ ପତି ଶାରୀରିକ ଏବଂ ମାନସିକ ଭାବେ ନିର୍ଯାତନା ଦେଇଛନ୍ତି। ତଲାକ ପରେ ଓ ପୃଥକ୍‌ ରହିବା ପରେ ବି ସେମାନଙ୍କର ପୂର୍ବ ପତିମାନେ ସେମାନଙ୍କ ଉପରେ ନିର୍ଯାତନା କରୁଥିବା ଖବର ସାମ୍ନାକୁ ଆସିଥାଏ। ପୋଲିସ ସୁରକ୍ଷା ଦେଇପାରୁ ନ ଥିବାରୁ କୁକୁର ଉପରେ ଅଧିକ ଆସ୍ଥା ରଖୁଛନ୍ତି ସେମାନେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ