ସ୍ବତନ୍ତ୍ର ପ୍ରସଙ୍ଗ
ଇଣ୍ଡିଗୋକୁ ଚେତାବନୀ: ତୁରନ୍ତ ବଦଳାଅ ତ୍ରୁଟିଯୁକ୍ତ ଇଞ୍ଜିନ
ଡେଡ୍ଲାଇନ ୩୧ ଜାନୁଆରୀ ୨୦୨୦

ବିଗତ କିଛିଦିନ ଧରି ଇଣ୍ଡିଗୋ ବିମାନର ଇଞ୍ଜିନକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଲାଗିରହିଛି। ଏହା ତ୍ରୁଟିପୂର୍ଣ୍ଣ ହୋଇଥିବାରୁ ଆକାଶ ମଝିରେ ଇଞ୍ଜିନ ଫେଲ ହୋଇଯିବା ଭଳି ଘଟଣାର ପୁନରାବୃତ୍ତି ଘଟି ଯାତ୍ରୀମାନଙ୍କ ଚିନ୍ତା ଆଉ ବ୍ୟଥାର କାରଣ ସାଜିଛି। ଇଣ୍ଡିଗୋ ତା’ର ତେଲ ସଞ୍ଚୟ ପାଇଁ ଇଞ୍ଜିନ ବଦଳାଇ ଟାଇଟାନିୟମରେ ତିଆରି ଟରବାଇନ ବ୍ଲେଡ ଖଞ୍ଜିଥିବା ନେଇ ଉଦ୍ବେଗ ପ୍ରକାଶ କରିଛି ଡିଜିସିଏ। ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ସୋମବାର ଦେଶର ସବୁଠୁ ବଡ଼ ଯାତ୍ରୀ ଓ ପଣ୍ୟ ପରିବହନକାରୀ ବିମାନ ଇଣ୍ଡିଗୋର ଏୟାରବସ ଏ-୩୨୦ ଏବଂ ୩୨୧ ନିଓ ବିମାନରେ ଟାଇଟାନିୟମରେ ନିର୍ମିତ ଟରବାଇନ ବ୍ଲେଡରେ ସଞ୍ଚାଳିତ କରିବା ଉପରେ ରୋକ ଲଗାଇ ଦିଆଯାଇଛି। ଯାହା ଫଳରେ ମଝି ଆକାଶରେ ଇଞ୍ଜିନ ଅଚଳର ଭୟ ସୃଷ୍ଟି କରାଯାଇଛି।
ଡିଜିସିଏ ଦ୍ବାରା ଜାରି ଏକ ନିର୍ଦେଶନାମା ଅନୁଯାୟୀ ଯେଉଁଥିରେ ନିକେଲ-କ୍ରୋମିଅମ ମିଶ୍ରିତ ଧାତୁ ସହିତ ଇଞ୍ଜିନ ଟର୍ବାଇନ ବ୍ଲେଡ ଖଞ୍ଜାଯାଇଛି, ସେଗୁଡ଼ିକୁ ତୁରନ୍ତ ହଟାଇବାକୁ ହେବ। ଏହି ନିର୍ଦେଶ ଫଳରେ ୧୧୦ଟି ଇଞ୍ଜିନ ଉପରେ ପ୍ରଭାବ ପଡ଼ିବ। ବିଶ୍ବରେ ଦ୍ରୁତ ଅଭିବୃଦ୍ଧି କରୁଥିବା ଏୟାରଲାଇନ୍ସ ଇଣ୍ଡିଗୋର ବିକାଶଧାରାକୁ ଏହି ନିଷ୍ପତ୍ତି ଶିଥିଳ କରାଇଦେବ। ପ୍ରାଟ ଆଣ୍ଡ ହ୍ବିଟନି କମ୍ପାନୀ ଦ୍ବାରା ୨୦୧୬ରୁ ତିଆରି ଇଞ୍ଜିନକୁ ଇଣ୍ଡିଗୋ ବ୍ୟବହାର କରୁଛି। ଏହି କମ୍ପାନୀର ପ୍ରସ୍ତୁତ ସବୁ ଇଞ୍ଜିନର ଅବସ୍ଥା ଏପରି ବୋଲି କୁହାଯାଉଛି। ବିଗତ ଏକ ବର୍ଷ ମଧ୍ୟରେ ଇଣ୍ଡିଗୋର ୧୩ଟି ଇଞ୍ଜିନ ମଝି ଆକାଶରେ ଅଚଳ ହୋଇପଡ଼ିବା କାରଣରୁ ତୁରନ୍ତ ବିମାନକୁ ଅବତରଣ କରାଇବାକୁ ପଡ଼ିଛି। ଗତ ଅକ୍ଟୋବର ଗୋଟିଏ ମାସରେ ଏଭଳି ୪ଟି ଘଟଣାର ସାମ୍ନା କରିଛି ଇଣ୍ଡିଗୋ। ନୂଆ ରୁଟ୍ ପାଇଁ ଆବେଦନ ଲୋଡ଼ୁଥିବା ଇଣ୍ଡିଗୋକୁ ଏବେ ତାର କାର୍ଯ୍ୟଧାରା ଶିଥିଳ କରାଇବାକୁ ହେବ।
ପ୍ରାଟ ଆଣ୍ଡ ହ୍ବିଟନି କମ୍ପାନୀ ଇଣ୍ଡିଗୋକୁ କେବେ ହେଲେ ବି ଏତେ ସଂଖ୍ୟକ ଇଞ୍ଜିନ ଦେଇପାରିବ ନାହିଁ। ଏହିକ୍ରମେ ୧୦୯ଟି ଇଞ୍ଜିନ ବଦଳାଇବାକୁ ହେଲେ ଇଣ୍ଡିଗୋକୁ ବର୍ଷେରୁ ଅଧିକ ସମୟ ଲାଗିଯିବ। ଇଣ୍ଡିଗୋରେ କେବଳ ୫୨ରୁ ଅଧିକ ପରିବର୍ତ୍ତିତ ଇଞ୍ଜିନ ଲାଗିଥିବାରୁ ଏଗୁଡ଼ିକ ବଦଳାଇବା ଜରୁରୀ ବୋଲି କୁହାଯାଇଛି। ୩୧ ଜାନୁଆରୀ ୨୦୨୦ ସୁଦ୍ଧା ଏସବୁ ଇଞ୍ଜିନ ବଦଳାଇବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଇଣ୍ଡିଗୋକୁ ନିର୍ଦେଶ ଦିଆଯାଇଛି।
ଡିଜିସିଏକୁ ଡର ଯେ ଜାନୁଆରୀ ୩୧ ପରେ ଇଣ୍ଡିଗୋର ସବୁ ତ୍ରୁଟିପୂର୍ଣ୍ଣ ଇଞ୍ଜିନ ବଦଳା ନ ଗଲେ ଇଣ୍ଡିଗୋ ବିମାନ ଆକାଶରେ ଉଡ଼ିପାରିବ ନାହିଁ। ଯଦ୍ବାରା କେତେକ ବିମାନକୁ ରଦ୍ଦ କରିବାକୁ ପଡ଼ିବ। ଡିଜିସିଏର ଏଭଳି ନିର୍ଦେଶ ଦ୍ବାରା ସବୁଠୁ କମ୍ ଦାମରେ ଯାତ୍ରୀ ପରିବହନ କରୁଥିବା ଇଣ୍ଡିଗୋର ଅଭିବୃଦ୍ଧି ଓ ସମ୍ପ୍ରସାରଣ ଯୋଜନା ଉପରେ ପ୍ରଭାବ ପଡ଼ିବ।
ଆଭ୍ୟନ୍ତରୀଣ କଳହ, ତ୍ରୟମାସିକ କ୍ଷତି ପରେ ଏବେ ଡିଜିସିଏର ଚେତାବନୀକୁ ନେଇ ଇଣ୍ଡିଗୋ ଚିନ୍ତାରେ। ଇଞ୍ଜିନ ବଦଳାଯିବା ପାଇଁ ମିଳିଥିବା ସମୟସୀମା ଯଥେଷ୍ଟ ନ ଥିବା କୁହାଯାଉଥିବା ବେଳେ ଡିଜିସିଏ କିନ୍ତୁ ନଛୋଡ଼ବନ୍ଦା। ଡିଜିସିଏ କହିଛି ଇଞ୍ଜିନ ବଦଳାଇବାକୁ ନେଇ ଆଗରୁ କୁହାଯାଇଥିଲେ ସୁଦ୍ଧା ଇଣ୍ଡିଗୋ କର୍ତ୍ତୃପକ୍ଷ ଅଣଦେଖା କରିଛନ୍ତି। ବିଗତ କିଛିବର୍ଷ ଧରି ଇଣ୍ଡିଗୋ ସହିତ ସବୁ ଠିକ୍ଠାକ ଚାଲିନି। ଏୟାରଲାଇନ୍ସର ପ୍ରମୋଟରଙ୍କ ମଧ୍ୟରେ ଝଗଡ଼ା ଖବର ଚର୍ଚ୍ଚାକୁ ଆସିଥିବା ବେଳେ ତ୍ରୟମାସିକ ରିପୋର୍ଟରେ ବ୍ୟାପକ କ୍ଷତି କାରଣରୁ ଏକ ଶକ୍ତ ଝଟ୍କା ଖାଇଛି ଇଣ୍ଡିଗୋ।
ଘଟିଲାଣି ଅନେକ ଘଟଣା
ମହାରାଷ୍ଟ୍ର ନାଗପୁରରୁ ରାଜଧାନୀ ଦିଲ୍ଲୀ ଆସୁଥିବା ଇଣ୍ଡିଗୋର ବିମାନରେ ଏମିତି ଘଟଣା ଘଟିଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ଥିଲେ। ବିମାନଟି ଉଡ଼ାଣ ପୂର୍ବରୁ ଏଥିରେ ତ୍ରୁଟି ରହିଥିବା ଜଣା ପଡ଼ିଥିବାରୁ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆାଯାଇଥିଲା। କେବଳ ଏହା ପ୍ରଥମ ଥର ପାଇଁ ନୁହେଁ, ବିଗତ ଅତୀତରେ ଏଭଳି କାରଣରୁ ଇଣ୍ଡିଗୋ ନିଜର ୬୫ଟି ଉଡ଼ାଣ ରଦ୍ଦ କରିଦେଇଛି। ଆଭିଏସନ ରେଗୁଲେଟର ଡାଇରେକ୍ଟୋରେଟ ଜେନେରାଲ ଅଫ ସିଭିଲ ଆଭିଏସନର ନିର୍ଦେଶକ୍ରମେ ଇଣ୍ଡିଗୋ ୪୭ଟି ଫ୍ଲାଇଟର ଉଡ଼ାଣ ରଦ୍ଦ କରିଦେଇଥିଲା। ଇଞ୍ଜିନରେ ତ୍ରୁଟି କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ନିୟୋ ସିରିଜରେ ଏଭଳି ତ୍ରୁଟି ସାରା ବିଶ୍ବର ବିମାନଯାତ୍ରୀଙ୍କୁ କବଳିତ କରାଇଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ