ବିଷ ବଳୟରେ ଝାରସୁଗୁଡ଼ା: ଦିଲ୍ଲୀକୁ ଟପିଯିବ!

ପ୍ରଦୂଷଣ ପ୍ରଭାବରେ ବାୟୁ, ଜଳ ଓ ପ୍ରାକୃତିକ ପରିବେଶର ସ୍ଥିତି ସାଂଘାତିକ

ସମ୍ପ୍ରତି ଦିଲ୍ଲୀରେ ପ୍ରଦୂଷଣକୁ ନେଇ ସର୍ବତ୍ର ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ପ୍ରକାରାନ୍ତରେ ଝାରସୁଗୁଡ଼ାର ପ୍ରଦୂଷଣ କଥାକୁ ଅଣଦେଖା କରାଯାଉଥିବା ପ୍ରାୟ ସମସ୍ତେ ଅନୁଭବ କରିଥିବେ। ଝାରସୁଗୁଡ଼ା ଏକ ଛୋଟ ସହର ହୋଇଥିବା ବେଳେ ପ୍ରଦୂଷଣର ମାତ୍ରା ଏଠାରେ ଢେର ବଢ଼ୁଥିବାରୁ ଏହା ବହୁ ପରିବେଶବିତ୍‌ଙ୍କୁ ଚିନ୍ତାଗ୍ରସ୍ତ କରିଛି। ଏହି ପ୍ରଦୂଷଣ କେବଳ ଯେ ଝାରସୁଗୁଡ଼ା ପାଇଁ ବିପଦ ତାହା ନୁହେଁ, ଏହା ସାରା ସମାଜ ପାଇଁ ବିପଦ ଆଣିପାରେ ବୋଲି ବହୁ ସ୍ବେଚ୍ଛାସେବୀ ଓ ସର୍ଭେ ସଂସ୍ଥା ଅନେକ ରିପୋର୍ଟ ପ୍ରଦାନ କରି ସାରିଛନ୍ତି। ଦେଶର ଶହେ ପ୍ରଦୂଷଣ ସହର ମଧ୍ୟରେ ଝାରସୁଗୁଡ଼ାର ନାମ ରହିଥିବା ମଧ୍ୟ ପ୍ରକାଶ ପାଇସାରିଛି।

ବାୟୁ ସହ ଜଳ ବି ପ୍ରଭାବିତ

ପରିବେଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ‘ଗ୍ରୀନ୍ପିସ୍’ ଓ ସର୍ଭେ ସଂସ୍ଥା ‘ୱେଟଲାଣ୍ଡ ଇଣ୍ଟରନ୍ୟାସନାଲ ସାଉଥ-ଏସିଆ’ (ୱାଇଜା)ର ରିପୋର୍ଟ ଅନୁଯାୟୀ ଦେଶର ଯେଉଁ କେତେକ ସ୍ଥାନରେ ମାରାତ୍ମକ ସଲଫର୍ ଡାଇଅକ୍ସାଇଡ଼୍ ନିର୍ଗମନକାରୀ ଶିଳ୍ପସଂସ୍ଥା ରହିଛି ସେଥି ମଧ୍ୟରେ ଝାରସୁଗୁଡ଼ାର ନାମ ରହିଛି। ଏଥି ସହିତ ନିକଟରେ ବହିଯାଉଥିବା ହୀରାକୁଦ ଜଳଭଣ୍ଡାରରେ ଫିକାଲ କୋଲିଫର୍ମ ଏବଂ ଟୋଟାଲ କୋଲିଫର୍ମ ଜୀବାଣୁ ସହ ଉକ୍ତ ପାଣିରେ ଫ୍ଲୋରାଇଡ଼୍ର ମାତ୍ରା ବିପଦସଙ୍କୁଳ ଅବସ୍ଥାରେ ଥିବା ଉଲ୍ଲେଖ କରାଯାଇଛି। ଝାରସୁଗୁଡ଼ା, ବ୍ରଜରାଜନଗର ଓ ବେଲପାହାଡ଼ ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳକୁ ଏବେ ପ୍ରଦୂଷଣ ଗ୍ରାସ କରିଛି। ଜିଲ୍ଲାରେ ବ୍ୟାପକ କୋଇଲା ଖଣି ଥିବାରୁ କୋଇଲା ଉତ୍ତୋଳନ ଓ ପରିବହନ ପ୍ରଦୂଷଣର ଅନ୍ୟ ଏକ କାରଣ ହୋଇଥିବା ବେଳେ ଖଣି ସମ୍ପ୍ରସାରଣ ଯୋଗୁଁ ପରିବେଶ ଧ୍ବଂସ ପାଉଛି। ବାୟୁମଣ୍ଡଳ ସହିତ ବିଭିନ୍ନ ଜଳଭଣ୍ଡାର ପ୍ରଦୂଷଣର ଶିକାର ହୋଇଛି। ପ୍ରାତଃରୁ ବାୟୁମଣ୍ଡଳ ଘନ ଧୂଆଁଳିଆ ରହୁଥିବା ବେଳେ ଏହା ଦିନସାରା ବାୟୁମଣ୍ଡଳକୁ ଆଚ୍ଛାଦିତ କରି ରଖୁଛି।

କାରଖାନା ସାଜିଛି କାଳ
ଝାରସୁଗୁଡ଼ା-ସମ୍ବଲପୁର ପରିସୀମାରେ ଭୂଷଣ ଷ୍ଟିଲ, ବେଦାନ୍ତ ଆଲୁମିନା, ଆଦିତ୍ୟ ଆଲୁମିନା, ଏସ୍ଏମ୍‌ସି ଭଳି ଏ’ ଶ୍ରେଣୀର ଶିଳ୍ପ କାରଖାନା ରହିଛି। ଜିଲ୍ଲାର ଲଖନପୁର ବ୍ଲକରେ ଟିଆରଏଲ୍‌, ଓପିଜିସି କାରଖାନା ଥିବା ବେଳେ ଝାରସୁଗୁଡ଼ା ସୀମାକୁ ଲାଗି ଏନ୍‌ଟିପିସିର ତାପଜ ବିଦ୍ୟୁତ ପ୍ରକଳ୍ପ ରହିଛି। ଏବେ ଝାରସୁଗୁଡ଼ା-ସମ୍ବଲପୁର ସୀମାରେ ଆଉ ଏକ ବୃହତ ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପନ ହେବାକୁ ଯାଉଛି। ଜିଲ୍ଲାରେ ଥିବା ତାପଜ ବିଦ୍ୟୁତ କାରଖାନା ଓ ଲୌହ କାରଖାନା ଗୁଡ଼ିକରେ ଦୈନିକ ହଜାର ହଜାର ଟନ୍ କୋଇଲା ଦହନ ହେବା ଫଳରେ ଏଥିରୁ ସଲଫର୍ ଡାଇଅକ୍ସାଇଡ଼୍, ନାଇଟ୍ରୋଜେନ୍ ଅକ୍ସାଇଡ଼୍, କାର୍ବନ ମନୋକ୍ସାଇଡ଼ ଭଳି ମାରାତ୍ମକ ଗ୍ୟାସ ଓ ରାସାୟନିକ ଦ୍ରବ୍ୟ ନିର୍ଗତ ହୋଇ ବାୟୁମଣ୍ଡଳରେ ମିଶୁଛି। ଏଥି ସହିତ ଏହି କାରଖାନା ମାନଙ୍କ ମଧ୍ୟରୁ ବିଭିନ୍ନ କଠିନ ବର୍ଜ୍ୟ ତଥା ଫ୍ଲାଏଆଶ୍‌ ଉତ୍ପନ୍ନ ହୋଇ ଏହି ଅଞ୍ଚଳର ବାୟୁମଣ୍ଡଳକୁ ପ୍ରଦୂଷଣ କରିବାରେ ମୁଖ୍ୟ କାରଣ ପାଲଟିଛି। ଜିଲ୍ଲାର ବିଭିନ୍ନ ଜଳାଶୟ ମଧ୍ୟ ପ୍ରଦୂଷଣ ହେଉଥିବା ଯୋଗୁଁ ବହୁ ସମୟରେ ମାଛ ମଡ଼କ ଘଟଣା ସହିତ ବିଭିନ୍ନ କାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ ଯୋଗୁଁ ଚାଷଜମି ପୋଡ଼ିଯାଇ ଲକ୍ଷାଧିକ ଟଙ୍କାର ଫସଲ କ୍ଷତି ହେଉଥିବା ଭଳି ଘଟଣା ଅତୀତରେ ଅନେକ ଥର ଘଟିଛି। ଶିଳ୍ପାୟନ ସହିତ ଖଣି ସମ୍ପ୍ରସାରଣ ଜିଲ୍ଲାରେ ଜଙ୍ଗଲ ସମ୍ପଦକୁ ମଧ୍ୟ ପ୍ରଭାବିତ କରୁଥିବା ଜଣାଯାଇଛି।

ଧ୍ବଂସ ମୁଖରେ ପ୍ରାକୃତିକ ପରିବେଶ

ଜିଲ୍ଲାର ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଏଠାରେ ପ୍ରାକୃତିକ ପରିବେଶରେ ଭାରସାମ୍ୟ ରକ୍ଷା ପାଇଁ ୩୫ ପ୍ରତିଶତ ଜଙ୍ଗଲର ଆବଶ୍ୟକତା ଥିବା ବେଳେ ଏବେ ଖଣିଖାଦାନ ଓ ଶିଳ୍ପ ପ୍ରତିଷ୍ଠା ଯୋଗୁଁ ପ୍ରାକୃତିକ ଜଙ୍ଗଲ କ୍ରମଶଃ ଧ୍ବଂସ ପାଇ ଏହା ୧୪.୭ ପ୍ରତିଶତ ତଳକୁ ଖସି ଆସିଥିବା ଜଣାଯାଇଛି। ଜିଲ୍ଲାର ବହୁ ଚାଷୀ ଓ ଜଙ୍ଗଲ ନିକଟରେ ରହୁଥିବା ଅଧିବାସୀଙ୍କ କହିବାନୁଯାୟୀ ଜିଲ୍ଲାରେ ପ୍ରଦୂଷଣଜନିତ କାରଣ ଯୋଗୁଁ ଜଙ୍ଗଲ ଗୁଡ଼ିକରେ ପୂର୍ବରୁ ହେଉଥିବା ବିରଳ ଉଦ୍ଭିଦ ସହିତ ବିଭିନ୍ନ ଔଷଧୀୟ ଗୁଳ୍ମ ଯଥା ଛତାବରୀ, ପାନ୍ଅଏରି, ରାଧାକୃଷ୍ଣ, ଅପମାରଙ୍ଗ, ଗୁଞ୍ଜ, ଗୁଳୁଚି ଲହ, ଚପ୍କୋଲୋଠୋ, ବାସଙ୍ଗ, ଚିରୋମାରୋ ପ୍ରଭୃତି ସମ୍ପୂର୍ଣ୍ଣ ବିଲୋପ ହୋଇଯାଇଛି। ଏଠାରେ ଥିବା ହରିଡ଼ା, ତେନ୍ତୁଳି ଭଳି ବୃକ୍ଷରୁ ଫଳଧାରଣ କ୍ଷମତା ମଧ୍ୟ ଧୀରେ ଧୀରେ ହ୍ରାସ ପାଉଥିବା ଦେଖାଯାଉଛି। ପ୍ରଦୂଷଣ ପ୍ରଭାବରେ ଘରଚଟିଆ ଭଳି ଚଢ଼େଇ ସମ୍ପୂର୍ଣ୍ଣ ଲୋପ ପାଇଯାଇଥିବା ବେଳେ କାଉ, ଚିଲ, ରାବଣ ପ୍ରଜାତିର ପକ୍ଷୀ ମଧ୍ୟ ବିଲୁପ୍ତ ହୋଇ ଯାଇଛନ୍ତି।

ପାଉଁଶ କରୁଛି ପ୍ରଦୂଷଣ

ଜିଲ୍ଲାରୁ ଦୈନିକ ୨୫ ହଜାର ଟନ୍ ପାଉଁଶ ନିର୍ଗତ ହେଉଛି। ଆଞ୍ଚଳିକ ପ୍ରଦୂଷଣ ବୋର୍ଡ଼ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ବେଦାନ୍ତ କାରଖାନାରୁ ଦୈନିକ ୨୨ ହଜାର ଟନ୍ ଏବଂ ଓପିଜିସିରୁ ୩ ହଜାର ୨ ଶହ ଟନ୍ ପାଉଁଶ ନିର୍ଗତ ହୁଏ। ବାୟୁ ମଣ୍ଡଳରେ ବିଷାକ୍ତ ପାଉଁଶ ଗୁଣ୍ଡ ସବୁଜ ବୃକ୍ଷଲତା ସହିତ ଉର୍ବର ଚାଷଜମି, ଭୁଗର୍ଭ ଜଳ ଏବଂ ମୁକ୍ତବାୟୁକୁ ପ୍ରଭାବିତ କରିଛି। ମହାନଦୀର ଶାଖା ନଦୀ ଭେଡ଼େନ ଓ ଇବ୍‌ର ଜଳ ପ୍ରଦୂଷିତ ହୋଇ ସିଧାସଳଖ ଭାବରେ ହୀରାକୁଦ ଜଳଭଣ୍ଡାରର ଗଭୀର ଜଳରାଶିକୁ ମଧ୍ୟ ପ୍ରଭାବିତ କରିବା ଆଶଙ୍କା ଦେଖାଦେଇଛି। ଜିଲ୍ଲାରେ ବାସ୍ତବରେ ଶିଳ୍ପ ଜନିତ ପ୍ରଦୂଷଣର ପ୍ରଭାବ ବହନ କରିବାର କ୍ଷମତା କେତେ ତା’ର ପ୍ରକୃତ ମୂଲ୍ୟାୟନ ହେବା ଆବଶ୍ୟକତା ରହିଛି।

ବର୍ଜ୍ୟବସ୍ତୁ ପରିଚାଳନା ଠପ୍‌

ବର୍ଜ୍ୟବସ୍ତୁ ସୁପରିଚାଳନା ନେଇ ବିଭିନ୍ନ  କାରଖାନା ସ୍ବଚ୍ଛତା ନ ଥିବାରୁ ପ୍ରଶାସନ, କମ୍ପାନୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ପରସ୍ପର ପ୍ରତି ସନ୍ଦେହ ସୃଷ୍ଟି ହେଉଛି। ପରିବେଶ ବୈଜ୍ଞାନିକଙ୍କ ମତରେ ବାୟୁମଣ୍ଡଳରେ ଭାସୁଥିବା ବିଷାକ୍ତ କଣିକା ଯେତେ ଛୋଟ ତାହା ସ୍ବାସ୍ଥ୍ୟ ପାଇଁ ସେତେ ବିପଦ। ଏଠାରେ ବାୟୁମଣ୍ଡଳରେ ଉଡ଼ନ୍ତା ପାଉଁଶ ବେଶୀ ମାତ୍ରାରେ ଥିବା ଯୋଗୁଁ ଲୋକଙ୍କ ସ୍ବାସ୍ଥ୍ୟରେ ଦ୍ରୁତ ଅବନତି ହେବା ସହିତ ଶ୍ବାସ ଓ ହୃଦ୍‌ଜନିତ ରୋଗ ବଢ଼ୁଥିବା ମଧ୍ୟ ଅନୁମାନ କରାଯାଉଛି।

ପ୍ରଦୂଷଣ ଦିଲ୍ଲୀରେ ହେଉ କି ଝାରସୁଗୁଡ଼ାରେ ଏହା ଯେ କେବଳ ସେହି ଅଞ୍ଚଳ ପାଇଁ ଚିନ୍ତାର କାରଣ ତାହା ନୁହେଁ, ଏହା ସାରା ବିଶ୍ବ ପାଇଁ ଏକ ସତର୍କ ଘଣ୍ଟି ଭଳି ଚେତାଇ ଦେଉଛି। ଏ ନେଇ ଅଧିକ ସଚେତନ ହେବାର ସମୟ ଆସିଛି ବୋଲି ବହୁ ପରିବେଶବିତ ମତବ୍ୟକ୍ତ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ