ମୁଖ୍ୟ ଖବର
ବିଜେପି ପାଇଁ ଦ୍ବାର ଖୋଲା ଅଛି: ଶିବସେନା

ମୁମ୍ବାଇ: ମହାରାଷ୍ଟ୍ରରେ ୬ ମାସ ପାଇଁ ରାଷ୍ଟ୍ରପତି ଶାସନ ଜାରି ହୋଇଛି। ରାଜ୍ୟପାଳ ବିଧାନସଭାକୁ ସସ୍ପେଣ୍ଡ୍ ରଖି ରାଷ୍ଟ୍ରପତି ଶାସନ ଜାରି କରିଛନ୍ତି। ଏହାରି ଭିତରେ ରାଜ୍ୟରେ ସରକାର ଗଠନ କରିବାକୁ ନେଇ ୪ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଜାରି ରହିଛି। କୌଣସି ଗୋଟିଏ ଦଳକୁ ସଂଖ୍ୟାଗରିଷ୍ଠତା ମିଳି ନ ଥିବାରୁ ପ୍ରତିପକ୍ଷକୁ ଆପଣାଇବା ପାଇଁ ସେଠାକାର ନେତାଏ ହାତେ ମାପି ଚାଖଣ୍ଡେ ଚାଲ ନୀତି ଆପଣାଇଛନ୍ତି। ବିଜେପି-ଶିବସେନା ମଧ୍ୟରେ ବିଭେଦ ସୃଷ୍ଟି ହୋଇଥିଲେ ବି ଏହି ଦୁଇ ଦଳର ନେତାଏ କେହି ବ୍ୟକ୍ତିଗତ ସ୍ତରକୁ ଯାଇ କାହାରିକୁ ଆକ୍ଷେପ ପ୍ରତିଆକ୍ଷେପ କରୁ ନାହାନ୍ତି।
ଏହିପରି ସ୍ଥିତିରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍ରେ ପ୍ରେସ୍ କନଫରେନ୍ସ ଡାକି ତାଙ୍କ ଦଳର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଉଦ୍ଧବ କହିଥିଲେ ଯେ ତାଙ୍କ ଦଳ ବିଜେପିର ହାତ ଛାଡ଼ି ନାହିଁ। ମାତ୍ର ବିଜେପି ତାଙ୍କୁ ଲୋକସଭା ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରୁ ଓହରି ଯାଇ ଶିବସେନାକୁ ନେଇ ସରକାର ଗଠନ କରିବାକୁ ମନା କରିଛି। ମାତ୍ର ବିଜେପି ମନେ ରଖିବା ଉଚିତ ଯେ ଯେତେବେଳ ଲୋକସଭା ନିର୍ବାଚନ ପୂର୍ବରୁ ଯେତେବେଳେ ଅନେକ ସହଯୋଗୀ ତାଙ୍କ ହାତ ଛାଡ଼ିଲେ ଓ ବିଜେପି ଏକାକୀ ୨୦୦ରୁ ୨୨୦ ଭିତରେ ଆସନ ଜିତିବ ବୋଲି ସର୍ଭେ ରିପୋର୍ଟ ପ୍ରକାଶ ପାଇଲା, ସେହି ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ବିଜେପି ସହ ରହି ଲୋକସଭା ନିର୍ବାଚନ ଲଢ଼ିଥିଲେ।
ଏହି ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ ତାହେଲେ ଆପଣ କ’ଣ ବିଜେପିକୁ ସବୁଦିନ ପାଇଁ ଗୁଡବାଏ କରିବାକୁ ନିଷ୍ପତ୍ତି ନେଇଛନ୍ତି କି? ଏହାର ଉତ୍ତରରେ ଉଦ୍ଧବ କହିଥିଲେ ଆପଣ ଏତେ ବ୍ୟସ୍ତ କାହିଁକି ? ରାଜ୍ୟପାଳ ଆମକୁ ୬ ମାସ ସମୟ ଦେଇଛନ୍ତି। ଆଗକୁ ଦେଖନ୍ତୁ କ’ଣ ହେଉଛି। ତେଣୁ ଏଥିରୁ ବିଜେପି-ଶିବସେନା ମଧ୍ୟରେ ସାନି ମେଣ୍ଟ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି କୁହାଯାଉଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ