ଭାରତ-ପାକ୍‌ ସମ୍ପର୍କକୁ ସୁଧାରିପାରିବ କର୍‌ତାରପୁର କରିଡର୍‌: ୟୁଏଇ ଶିଖ୍‌ ସମ୍ପ୍ରଦାୟ


ଦୁବାଇ: ଶନିବାର କର୍‌ତାରପୁର କରିଡର୍‌ର ଲୋକାର୍ପଣ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ପ୍ରଥମ ପର୍ଯ୍ୟାୟରେ ପାଖାପାଖି ସାଢ଼େ ୫ ହଜାର ଶିଖ୍ ପର୍ଯ୍ୟଟକ କର୍‌ତାରପୁର ସାହିବ୍‌ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଯାତ୍ରାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ମୋଦି ପତାକା ଦେଖାଇ କରିଛନ୍ତି। ତେବେ ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ସ୍ତରରେ ଯଥେଷ୍ଟ ତିକ୍ତତା ଭାବ ରହିଥିଲେ ହେଁ ଆଗାମୀ ଦିନରେ ଏହାକୁ ହ୍ରାସ କରାଯିବା ସକାଶେ ଏକ ଭଲ ସୁଯୋଗ ରହିଛି। ଏହି କର୍‌ତାରପୁର କରିଡର୍‌ ମାଧ୍ୟମରେ ଭାରତର ଶିଖ୍ ସମ୍ପ୍ରଦାୟ ଭାରତ ଓ ପାକିସ୍ତାନକୁ ଏକାଠି କରିପାରିବେ ବୋଲି ୟୁଏଇ ଶିଖ୍‌ ସମ୍ପ୍ରଦାୟର ନେତାମାନେ କହିଛନ୍ତି। କର୍‌ତାରପୁର କରିଡର୍‌ର ଉନ୍ମୋଚନ ପାଇଁ ଶିଖ୍ ସମ୍ପ୍ରଦାୟ ପକ୍ଷରୁ ଉଭୟ ଦେଶର ନେତାମାନଙ୍କୁ ମଧ୍ୟ ଧନ୍ୟବାଦ ଦିଆଯାଇଛି।

ଏନେଇ ସୁରେନ୍ଦର ସିଂହ କାନ୍ଧାରୀ କହିଛନ୍ତି ଯେ କର୍‌ତାରପୁର ସାହିବ ସବୁବେଳେ ଶିଖ୍‌ ସମ୍ପ୍ରଦାୟ ପାଇଁ ଗୁରୁତ୍ବ ବହନ କରିଆସିଛି। ଏହାର ଐତିହାସିକ ଓ ଧାର୍ମିକ ଗୁରୁତ୍ବ ରହିଛି। ଶିଖ୍‌ ଧର୍ମର ପ୍ରବର୍ତ୍ତକ ଗୁରୁ ନାନକ ଦେବ ଏଠାରେ ତାଙ୍କ ଶେଷ ଜୀବନ କଟାଇଥିବାରୁ ଏହା ଶିଖ୍‌ ଧର୍ମାବଲମ୍ବୀଙ୍କ ପାଇଁ ଏକ ପବିତ୍ର କ୍ଷେତ୍ର। ପାକିସ୍ତାନର ନାନ୍‌କାନା ସାହିବ୍‌ ନାନକ ଦେବଙ୍କ ଜନ୍ମସ୍ଥଳୀ ହୋଇଥିବାରୁ ତାକୁ ଶିଖ୍‌ ସମ୍ପ୍ରଦାୟ ଯେତିକି ଗୁରୁତ୍ବ ଦେଉଛନ୍ତି, ତାହା ତୁଳନାରେ କର୍‌ତାରପୁର ସାହିବ୍‌ର ଗୁରୁତ୍ବ କୌଣସି ଗୁଣରେ କମ୍‌ ନୁହେଁ। ଗୁରୁ ନାନକ ଦେବ ତାଙ୍କ ଜୀବନ କାଳରେ ଉଭୟ ହିନ୍ଦୁ ଓ ମୁସଲିମ୍‌ ଧର୍ମର ଅନେକ ଖ୍ୟାତିସମ୍ପନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ଶେଷରେ ସେ ଦେହତ୍ୟାଗ ପାଇଁ କର୍‌ତାରପୁର ସାହିବ୍‌କୁ ପସନ୍ଦ କରିଥିଲେ ବୋଲି କାନ୍ଧାରୀ କହିଛନ୍ତି। ସୂଚନାଯୋଗ୍ୟ ଯେ ପଞ୍ଜାବର ଗୁର୍‌ଦାସପୁରସ୍ଥିତ ଡେରା ବାବା ନାନକ ଧର୍ମପୀଠଠାରୁ ମାତ୍ର ୪ କିମି ଦୂରବର୍ତ୍ତୀ ଗୁରଦ୍ବାରା କର୍‌ତାରପୁର ସାହିବ୍‌ ପାକିସ୍ତାନର ରାବି ନଦୀ ତଟରେ ଅବସ୍ଥିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ