ଆସିଲା ରାୟ, ତୁଟିଲା ବିବାଦ: ଜାଣନ୍ତୁ ଅଯୋଧ୍ୟାର ପୂରା କାହାଣୀ

ଐତିହାସିକ ରାୟରେ ରାମଲାଲାଙ୍କୁ ଜନ୍ମଭୂମି ଓ ମସ୍‌ଜିଦ ପାଇଁ ବିକଳ୍ପ ଜମି ଦେଲେ ସୁପ୍ରିମକୋର୍ଟ

କେଶବାନନ୍ଦ ଭାରତୀଙ୍କ ମାମଲା ୬୮ ଦିନ ଧରି ଶୁଣାଣି ଚାଲିଥିଲା। ଲଗାତର ଶୁଣାଣି ଦୃଷ୍ଟିରୁ ଏହି ମାମଲା ଇତିହାସରେ ଯୋଡ଼ି ହୋଇ ରହିଛି। ଏବେ ରାମ ଜନ୍ମଭୂମି-ବାବରୀ ମସ୍‌ଜିଦ ବିବାଦ ସୁପ୍ରିମକୋର୍ଟରେ ଲଗାତର ୪୦ ଦିନ ଯାଏ ଶୁଣାଣି ହୋଇ ଦ୍ବିତୀୟ ଲମ୍ବା ଶୁଣାଣି ଭାବେ ଇତିହାସ ପୃଷ୍ଠାକୁ ଯାଇଛି। ଅଗଷ୍ଟ ୬ ତାରିଖ ଠାରୁ ଶୁଣାଣି ଆରମ୍ଭ ହୋଇ ଶେଷରେ ଅକ୍ଟୋବର ୯ରେ ରାୟ ପ୍ରକାଶ ପାଇଛି। ଅଯୋଧ୍ୟାରେ ରାମ ଜନ୍ମଭୂମି ଏବଂ ବାବରୀ ମସ୍‌ଜିଦ ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ରାୟ ଶୁଣାଇଛନ୍ତି।

ରାୟର ପ୍ରମୁଖ ଅଂଶ

ବାବରୀ ମସ୍‌ଜିଦର ଗମ୍ବୁଜ ଥିବା ଜାଗା ହିନ୍ଦୁଙ୍କୁ ମିଳିବ। ସୁନ୍ନୀ ୱାକଫ ବୋର୍ଡକୁ ମସ୍‌ଜିଦ ନିର୍ମାଣ ପାଇଁ ୫ ଏକର ଉପଯୁକ୍ତ ଜାଗା ଅଲଗା ସ୍ଥାନରେ ଦିଆଯାଉ ବୋଲି ଅଦାଲତ ନିଜ ରାୟରେ କହିଛନ୍ତି। ଜମିକୁ ନେଇ ହିନ୍ଦୁଙ୍କ ଦାବି ଉଚିତ। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ତିନିମାସ ମଧ୍ୟରେ ଅଯୋଧ୍ୟାକୁ ନେଇ ଏକ କାର୍ଯ୍ୟ ଯୋଜନା ତିଆରି କରନ୍ତୁ ବୋଲି ରାୟରେ କହିଥିଲେ ଅଦାଲତ। ପକ୍ଷଭୁକ୍ତ ହୋଇଥିବା ଗୋପାଳ ବିଶାରଦଙ୍କୁ କୋର୍ଟ ପୂଜାପାଠ କରିବାର ଅଧିକାର ପ୍ରଦାନ କରିବା ସହିତ ନିର୍ମୋହି ଆଖଡ଼ାର ଦାବିକୁ ଖାରଜ କରିଛନ୍ତି। ଅଦାଲତ ସ୍ପଷ୍ଟ କରି ଦେଇଛନ୍ତି ଯେ ଗଠନ କରାଯାଇଥିବା ଟ୍ରଷ୍ଟରେ ନିର୍ମୋହି ଆଖଡ଼ାକୁ ସାମିଲ କରିବା ବା ନ କରିବା ନିଷ୍ପତ୍ତି କେନ୍ଦ୍ର ସରକାରଙ୍କର। ଶିଆ ୱାକଫ ବୋର୍ଡର ଦାବିକୁ ଖାରଜ କରିବା ସହିତ ଅଦାଲତ ଦର୍ଶାଇଥିଲେ ଯେ ବାବରୀ ମସ୍‌ଜିଦ ତଳେ ଏକ ନିର୍ମାଣ ଢାଞ୍ଚା ଥିଲା, ଯାହା ମୂଳତଃ ମୁସଲମାନଙ୍କ ଆସ୍ଥା ସହିତ ସମ୍ପୃକ୍ତ ନ ଥିଲା। ପ୍ରତ୍ନତାତ୍ତ୍ବିକ ସର୍ଭେ ଅଫ ଇଣ୍ଡିଆ ଦ୍ବାରା ଜାରି ହୋଇଥିବା ଏହି ବୟାନକୁ ଅସ୍ବୀକାର କରାଯିବ ନାହିଁ ବୋଲି ମୁଖ୍ୟ ବିଚାରପତି ଦର୍ଶାଇଥିଲେ। ଭିତରେ ଥିବା ଚଉତରାକୁ କବ୍‌ଜା କରିବାକୁ ନେଇ ବଡ଼ ବିବାଦ ରହିଥିଲା। ୧୫୨୮ ମସିହାରୁ ୧୫୫୬ ମଧ୍ୟରେ ଏଠାରେ ନମାଜ ପଢ଼ାଯାଉଥିବାର କୌଣସି ପ୍ରମାଣ ଅଦାଲତରେ ଉପସ୍ଥାପନ କରାଯାଇ ପାରି ନ ଥିଲା। ବାହାର ଚଉତରା ମୁସଲମାନମାନଙ୍କ ଦଖଲରେ କେବେ ବି ନ ଥିଲା। ଡିସେମ୍ବର ୬ ଘଟଣାରେ ଯଥାସ୍ଥିତି ଭାଙ୍ଗି ଯାଇଥିଲା। ସୁନ୍ନୀ ୱାକଫ ବୋର୍ଡ ଏହି ସ୍ଥାନ ବ୍ୟବହାର କରାଯାଉଥିବାର ପ୍ରମାଣ ଦେଇପାରିନ ନ ଥିଲେ। ବାହାର ଚଉତରାରେ ହିନ୍ଦୁମାନଙ୍କ ନିୟନ୍ତ୍ରଣ ସବୁ ସମୟରେ ରହିଆସିଛି। ଐତିହାସିକ ଯାତ୍ରା ବୃତ୍ତାନ୍ତକୁ ମଧ୍ୟ ଧ୍ୟାନରେ ରଖାଯାଇଛି। ଅଯୋଧ୍ୟାରେ ରାମ ଜନ୍ମଭୂମି ଥିବା ହିନ୍ଦୁମାନଙ୍କ ବିଶ୍ବାସ ରହିଛି। ହିନ୍ଦୁମାନଙ୍କ ପରି ଆସ୍ଥାକୁ ନେଇ କୌଣସି ବିବାଦ ନାହିଁ ବୋଲି ୫ ଜଣିଆ ଖଣ୍ଡପୀଠ ସୂଚାଇଥିଲେ।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ୫ ଜଣିଆ ସାମ୍ବିଧାନିକ ବେଞ୍ଚରେ ଜଷ୍ଟିସ ଏସ ଏ ବୋବଡେ, ଜଷ୍ଟିସ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ ଏସ ଅବଦୁଲ ନଜିର ସଂଶ୍ଳିଷ୍ଟ ଥିଲେ।

କ’ଣ ଥିଲା ବିବାଦ
୧୯୯୪ ମସିହାରେ ଇସ୍ରାଇଲ ଫାରୁକୀଙ୍କ ମାମଲାରେ ଅଯୋଧ୍ୟା ବିବାଦକୁ ସୁପ୍ରିମକୋର୍ଟ ଏଭଳି ଶବ୍ଦରେ ପରିପ୍ରକାଶ କରିଥିଲେ। ଅଯୋଧ୍ୟା ଭାରତର ଉତ୍ତର ଭାଗରେ ଅବସ୍ଥିତ ଉତ୍ତର ପ୍ରଦେଶ ଫୈଜାବାଦ ଜିଲାର ଏକ ସହର। ଏହା ଦୀର୍ଘ ବର୍ଷ ଧରି ଏକ ତୀର୍ଥସ୍ଥଳୀ ଭାବେ ଗ୍ରହଣ ହୋଇଆସିଛି। କାହିଁକି ନା ରାମାୟଣରେ ଏହି ସ୍ଥାନକୁ ଶ୍ରୀରାମଙ୍କ ଜନ୍ମସ୍ଥାନ ବୋଲି ଦର୍ଶାଯାଇଛି। ରାମ ଜନ୍ମଭୂମି-ବାବରୀ ମସ୍‌ଜିଦ ଭାବେ ଏହା ପରିଚିତ। ଏହି ଢାଞ୍ଚାକୁ ୧୫୨୮ରେ ମୀର ବାକି ମସ୍‌ଜିଦ ଭାବେ ରୂପ ଦେଇଥିଲେ। ଏଠାରେ ପୂର୍ବରୁ ମନ୍ଦିର ଥିଲା ଓ ମନ୍ଦିରକୁ ଭଙ୍ଗାଯାଇ ମସ୍‌ଜିଦ କରାଯାଇଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଏହା କେବଳ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ବିବାଦ ନ ଥିଲା। ବରଂ ଏହାର ମାଲିକାନା ପାଇଁ ଦୁଇ ନିର୍ମୋହି ଆଖଡ଼ା ଏବଂ ରାମଲାଲା ବିରାଜମାନ ହିନ୍ଦୁ ନିଜ ନିଜ ଅଧିକାର ମାଗୁଥିଲେ। ନିର୍ମୋହି ଆଖଡ଼ା ରାମଙ୍କ ପୂଜା କରୁଥିବାରୁ ଜମୀର ହକ୍‌ ମାଗୁଥିବା ବେଳେ ରାମଲାଲା ବିରାଜମାନ ପକ୍ଷରୁ କେବଳ ଦେବତାଙ୍କୁ ହିଁ ଜମି ଦିଆଯାଉ ବୋଲି ଦାବି ଉଠିଥିଲା।

ଏହି ମାମଲା ପ୍ରଥମ ଥର ପାଇଁ ୧୮୮୫ରେ ଅଦାଲତରେ ପହଞ୍ଚିଥିଲା। ଫୈଜାବାଦ କୋର୍ଟ ମହନ୍ତ ରଘୁବର ଦାସଙ୍କ ଏକ ଆବେଦନକୁ ଗ୍ରହଣ କରିଥିଲେ। ଏହି ଆବେଦନରେ ମହନ୍ତ ରଘୁବର ବିବାଦୀୟ ଢାଞ୍ଚା ନିକଟରେ ରାମ ଚଉତରା ଠାରେ ମନ୍ଦିର ନିର୍ମାଣର ଅନୁମତି ମାଗିଥିଲେ। ଫୈଜାବାଦ କୋର୍ଟ ଏହି ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ଏହାପରେ ୧୯୪୯ରେ ଏକ ବଡ଼ ଘଟଣା ଘଟିଥିଲା। ୨୨-୨୩ ଡିସେମ୍ବର ମଧ୍ୟରାତ୍ରିରେ ବିବାଦୀୟ ସ୍ଥଳୀ ନିକଟରୁ ମୁଖ୍ୟ ଗମ୍ବୁଜ ନିକଟରେ ରାମଲାଲାଙ୍କ ମୂର୍ତ୍ତି ରଖି ଦିଆଗଲା। ଦଙ୍ଗା ସୃଷ୍ଟି ହେବା ଭୟରେ ସ୍ଥାନୀୟ ପ୍ରଶାସନ ଏଠାରୁ ମୂର୍ତ୍ତି ହଟାଇବାକୁ ଡରିଥିଲା।

ଏହା ପରେ ୧୯୫୦ରେ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ନେତା ଗୋପାଳ ବିଶାରଦ ଫୈଜାବାଦ ଜିଲା ଅଦାଲତରେ ଆବେଦନ ଦାଖଲ କରି ପୂଜାପାଠ କରିବାର ଅଧିକାର ମାଗିଥିଲେ। ସେହି ବର୍ଷ ପରମହଂସ ରାମଚନ୍ଦ୍ର ଦାସ ଏକ ଆବେଦନ ଦ୍ବାରା ତାଙ୍କୁ ମଧ୍ୟ ରାମଲାଲାଙ୍କ ପୂଜା ଅଧିକାର ମିଳୁ ବୋଲି କହିଥିଲେ। ୧୫୫୯ରେ ନିର୍ମୋହି ଆଖଡ଼ା ବିବାଦୀୟ ଜମୀର ପୂର୍ଣ୍ଣ ମାଲିକାନା ସେମାନଙ୍କୁ ଦିଆଯାଉ ବୋଲି ମାଗିଥିଲେ। ଏହାପରେ ୧୯୬୧ରେ ସୁନ୍ନୀ ୱାକଫ ବୋର୍ଡ ଏକ ଆବେଦନ ଜରିଆରେ ଦାବି କରିଥିଲେ କି ବାବରୀ ମସ୍‌ଜିଦ ୱାକଫର ସମ୍ପତ୍ତି ଏବଂ ଏହାର ଆଖପାଖରେ କବରସ୍ଥଳୀ ରହିଛି। ୧୯୮୯ରେ ଭଗବାନ ରାମଲାଲା ବିରାଜମାନ ଏବଂ ଶ୍ରୀରାମ ଜନ୍ମଭୂମି ପକ୍ଷରୁ ଆହ୍ଲାବାଦ ହାଇକୋର୍ଟର ପୂର୍ବତନ ବିଚାରପତି ଦେବକୀ ନନ୍ଦନ ଅଗ୍ରୱାଲ ବିବାଦୀୟ ସ୍ଥଳୀର ମାଲିକାନା ପାଇଁ ଦାବି କରିଥିଲେ। ୧୪ ଅଗଷ୍ଟ ୧୯୮୯ରେ ଆହ୍ଲାବାଦ ହାଇକୋର୍ଟ ବିବାଦୀୟ ସ୍ଥଳୀକୁ ନେଇ ଯଥାସ୍ଥିତି ବଜାୟ ରଖିବା ସମ୍ପର୍କିତ ଅନ୍ତରୀଣ ରାୟ ଦେଇଥିଲେ। ଏହାପରେ ଏହି ମାମଲା ଲମ୍ବା ସମୟ ଧରି ଶୀତଳ ଭଣ୍ଡାରକୁ ଚାଲିଯାଇଥିଲା।

ଏହା ଭିତରେ ୬ ଡିସେମ୍ବର ୧୯୯୨ରେ କେତେକ ହିନ୍ଦୁ ସଂଗଠନର କରସେବକ ବିବାଦୀୟ ସ୍ଥଳୀକୁ ଭାଙ୍ଗିଦେଇଥିଲେ। ୧୯୯୩ ଏପ୍ରିଲ ୩ରେ କେନ୍ଦ୍ର ସରକାର ୨.୭୭ ଏକର ମୋଟ ବିବାଦୀୟ ଜମୀର ୬୭.୭୩ ଏକର ଅଂଶ ଅଧିଗ୍ରହଣ ପାଇଁ ଆକ୍ୟୁଜିସନ ଅଫ ସେକ୍ସନ ଏରିଆ ଆଟ ଅଯୋଧ୍ୟା ଆକ୍ଟ ଆଣିଲେ। ଏହି ଆଇନ ବିରୋଧରେ ଅନେକ ଆବେଦନ ଦାଖଲ ହେଲା। ସେଥିରୁ ଇସ୍ରାଇଲ ଫାରୁକୀଙ୍କ ଆବେଦନ ଅନ୍ୟତମ ଥିଲା। ୧୯୯୪ ଅକ୍ଟୋବର ୨୪ରେ ସୁପ୍ରିମକୋର୍ଟ ଇସ୍ରାଇଲ ଫାରୁକୀଙ୍କ ଆବେଦନରେ କହିଥିଲେ ଯେ ମସ୍‌ଜିଦ ମୁସଲମାନଙ୍କ ଧାର୍ମିକ ଆଚରଣର ଅଭିନ୍ନ ଅଂଶ ନୁହେଁ। ନମାଜ କୌଣସି ବି ଜାଗାରେ ପଢ଼ାଯାଇ ପାରିବ। ଏଥିପାଇଁ ଭାରତୀୟ ସମ୍ବିଧାନର ପ୍ରାବଧାନ ମସ୍‌ଜିଦ ଅଧିଗ୍ରହଣକୁ ବାଧାଦେଇ ପାରିବ ନାହିଁ। ୨୦୦୨ ଏପ୍ରିଲରେ ଆହ୍ଲାବାଦ ହାଇକୋର୍ଟ ବିବାଦୀୟ ଜମି ଉପରେ କାହାର ମାଲିକାନା ହକ୍‌ ଅଛି, ତାକୁ ନେଇ ଶୁଣାଣି ଆରମ୍ଭ କରିଥିଲେ। ସେହିବର୍ଷ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ବିଭାଗ ଏଏସ୍‌ଆଇକୁ ବିବାଦୀୟ ଜମି ସର୍ଭେ କରିବାକୁ କୁହାଯାଇଥିଲା। ୨୦୦୩ରେ ଏଏସ୍‌ଆଇ ୫୭୪ ପୃଷ୍ଠାର ଏକ ରିପୋର୍ଟ ପ୍ରଦାନ କରିଥିଲା। ଯେଉଁଥିରେ କୁହାଯାଇଥିଲା କି ବିବାଦୀୟ ସ୍ଥଳୀର ତଳେ ପ୍ରାଚୀନ କାଳର ଭିତ୍ତିଭୂମୀର ଅଂଶବିଶେଷ ରହିଛି।

୨୦୧୦ ସେପ୍ଟେମ୍ବର ୩୦ରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ୩ ଜଣିଆ ଖଣ୍ଡପୀଠ ୨.୧ ବହୁମତରେ ଅଯୋଧ୍ୟା ମାମଲାରେ ନିଜର ନିଷ୍ପତ୍ତି ଶୁଣାଇଥିଲେ ଏବଂ ୨.୭୭ ଏକର ବିବାଦୀୟ ଜମି ମାମଲାରେ ନିର୍ମୋହି ଆଖଡ଼ା, ରାମଲାଲା ବିରାଜମାନ ଏବଂ ସୁନ୍ନୀ ୱାକଫ ବୋର୍ଡ ମଧ୍ୟରେ ସମାନ ଭାବେ ବାଣ୍ଟିବାର ଆଦେଶ ଦେଇଥିଲେ। ବିଚାରପତି ଏସ ୟୁ ଖାନ, ଜଷ୍ଟିସ ସୁଧିର ଅଗ୍ରୱାଲ ଏବଂ ଜଷ୍ଟିସ ଧରମବୀର ଶର୍ମାଙ୍କ ୩ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଥିଲେ।

ବାଲ୍ମିକୀ ରାମାୟଣରେ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ଭାବେ ଦର୍ଶାଯାଇଛି। ଏହି ଆସ୍ଥା ଓ ବିଶ୍ବାସକୁ ଅଦାଲତ ମାନିଥିଲେ। ଇତିହାସରେ ଅଯୋଧ୍ୟାକୁ ଆସିଥିବା ବିଦେଶୀ ପର୍ଯ୍ୟଟକମାନେ ଅଯୋଧ୍ୟାକୁ ହିନ୍ଦୁଙ୍କ ପବିତ୍ର ତୀର୍ଥସ୍ଥଳୀ ଭାବେ ସ୍ବୀକାର କରିଥିବା ପ୍ରମାଣ ଇତିହାସ ପୃଷ୍ଠାରୁ ମିଳିଥିଲା। ୧୯୯୦ରେ ନିଆଯାଇଥିବା ଫଟୋରୁ କଳା ଖୁଣ୍ଟ ଗୁଡ଼ିକରେ ତାଣ୍ଡବ ମୁଦ୍ରାରେ ଶିବ, ହନୁମାନଙ୍କ ଛବି ରହିଥିବା ଦେଖାଯାଇଥିଲା। ଏଏସ୍‌ଆଇର ରିପୋର୍ଟରେ ଭୂମି ତଳେ ମନ୍ଦିର ଥିବାର କୁହାଯାଇଥିଲା। ଏସବୁକୁ ସୁପ୍ରିମକୋର୍ଟ ଅଣଦେଖା କରି ପାରି ନ ଥିଲେ। ସୁପ୍ରିମକୋର୍ଟଙ୍କ ସମ୍ବିଧାନ ବେଞ୍ଚ ରାମଲାଲା ବିରାଜମାନଙ୍କୁ ତାଙ୍କର ଅଂଶ ଦେଇଥିଲେ। ସୁନ୍ନୀ ୱାକଫ ବୋର୍ଡକୁ ୫ ଏକର ଜମି ଦେବାର ମଧ୍ୟ ଐତିହାସିକ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ। ଅଯୋଧ୍ୟା ମାମଲାରେ ପରମହଂସ ରାମଚନ୍ଦ୍ର ଦାସ, ହସିମ ଅନ୍‌ସାରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି, ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ବିଶ୍ବହିନ୍ଦୁ ପରିଷଦର ତତ୍କାଳୀନ ଅଧ୍ୟକ୍ଷ ଅଶୋକ ସିଂଘଲ, ତତ୍କାଳୀନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ, ବଜରଙ୍ଗ ଦଳର ପ୍ରଥମ ଅଧ୍ୟକ୍ଷ ବିନୟ କଟିଆର, ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓ, ମୁସଲିମ ନେତା ସୟଦ ସାହାବୁଦ୍ଦିନ, ଉମା ଭାରତୀ, ମୁରଲୀ ମନୋହର ଯୋଶୀ, ମୁଲାୟମ ସିଂ ଯାଦବ ପ୍ରତ୍ୟକ୍ଷ ଭାବେ ଯୋଡ଼ିହୋଇ ରହିଛନ୍ତି। ଅଯୋଧ୍ୟା ପ୍ରସଙ୍ଗକୁ ନେଇ ଏମାନେ କେବଳ ଚର୍ଚ୍ଚିତ ନ ଥିଲେ, ସମାଲୋଚନାର ଶିକାର ମଧ୍ୟ ହୋଇଥିଲେ। ୧୦୪ ବର୍ଷ ପରେ ରାମଲାଲା ନିଜର ହକ୍‌ ପାଇଥିବା ନେଇ ବିଭିନ୍ନ ମହଲରୁ ଖୁସି ପ୍ରକାଶ ପାଇଛି। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ନଭେମ୍ବର ୧୭ରେ ଅବସର ନେବାକୁ ଯାଉଛନ୍ତି। ତା ପୂର୍ବରୁ ଏହି ରାୟ ଦେଶ ପାଇଁ ଏକ ଐତିହାସିକ ରାୟର ଉପହାର ବୋଲି କୁହାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ