ରାମ ମନ୍ଦିର ନିର୍ମାଣରେ ଭିଏଚ୍‌ପି ନୁହେଁ, ନିର୍ମୋହି ଅଖଡ଼ାକୁ ଗୁରୁତ୍ବ


ଅଯୋଧ୍ୟା ମାମଲା ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଶନିବାର ପ୍ରକାଶ ପାଇଛି। ସୁପ୍ରିମକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ଯେ ଅଯୋଧ୍ୟାର ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ କରାଯିବ। ଅଯୋଧ୍ୟାରେ ଏକ ବିକଳ୍ପ ୫ ଏକର ସ୍ଥାନରେ ବାବ୍ରି ମସଜିଦ ମଧ୍ୟ ନିର୍ମାଣ କରାଯିବ। ଆହ୍ଲାବାଦ ହାଇକୋର୍ଟ ବିବାଦୀୟ ଜମିକୁ ୩ ପକ୍ଷଙ୍କ ମଧ୍ୟରେ ସମାନ ଭାବେ ଭାଗ କରିବା ପାଇଁ ଦେଇଥିବା ରାୟ ଠିକ୍‌ ନ ଥିଲା ବୋଲି ସୁପ୍ରମ୍‌କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିବା ପରେ ବହୁ ପୁରୁଣା ବିବାଦର ସମାଧାନ ହେବ ବୋଲି ଆଶା ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟରୁ ସ୍ପଷ୍ଟ ହୋଇଛି ଯେ ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ୩ ମାସ ମଧ୍ୟରେ ଗୋଟିଏ ଟ୍ରଷ୍ଟ ଗଠନ କରିବେ। ଆଉ ଏହି ଟ୍ରଷ୍ଟରେ ନିର୍ମୋହି ଅଖାଡ଼ାର ସଦସ୍ୟଙ୍କୁ ପ୍ରତିନିଧିତ୍ବର ସୁଯୋଗ ମିଳିବ। ମାତ୍ର ରାମ ମନ୍ଦିର ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେଲା ଆନ୍ଦୋଳନ ଚଳାଇ ଆସିଥିବା ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍‌ପି) ନେଇ କିଛି ବି ଉଲ୍ଲେଖ କରିନାହାନ୍ତି। ତେଣୁ ଏଥିରୁ ସ୍ପଷ୍ଟ ହୋଇଛି ଯେ ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ପାଇଁ ଭିଏଚ୍‌ପିର ସେପରି କୌଣସି ଭୂମିକା ରହିବ ନାହିଁ। ବର୍ତ୍ତମାନ ଏହି ବିବାଦୀୟ ଜମି କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହିବ।

ସେହିପରି ସୁନ୍ନି ୱାକଫ୍‌ ବୋର୍ଡ ବିରୋଧରେ ଶିଆ ୱାକଫ ବୋର୍ଡ ଆଣିଥିବା ପିଟିସନ୍‌କୁ ସୁପ୍ରିମକୋର୍ଟ ଖାରଜ କରିବା ସହ ବିକଳ୍ପ ଜମିରେ ମସଜିଦ୍‌ ନିର୍ମାଣ ନେଇ ସୁନ୍ନି ୱାକଫ୍‌ ବୋର୍ଡକୁ ଅନୁମତି ଦେଇଛନ୍ତି। କେନ୍ଦ୍ର ସରକାର ଅଯୋଧ୍ୟାରେ ୫ ଏକରର ବିକଳ୍ପ ଜମି ଯୋଗାଇ ଦେବା ପରେ ସେଠାରେ ମସଜିଦ ନିର୍ମାଣ ହୋଇପାରିବ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ