ହିଟ୍‌ମ୍ୟାନ୍‌ଙ୍କ ହଟ୍‌ ରନ୍‌: ରୋହିତ ଟି-୨୦ରେ ୨୫୦୦ ରନ୍‌ କରିବାରେ ପ୍ରଥମ


ରାଜକୋଟ: ଭାରତୀୟ ଟି-୨୦ ଦଳର ନେତୃତ୍ବ ବର୍ତ୍ତମାନ ରୋହିତ ଶର୍ମା ନେଉଥିବା ବେଳେ ରାଜକୋଟଠାରେ ଗୁରୁବାର ଦଳକୁ ୮ ୱିକେଟ୍‌ରେ ବିଜୟ ଦେଇଛନ୍ତି। ସେ ମାତ୍ର ୪୩ ବଲ୍‌ରେ ବିସ୍ଫୋରକ ୮୫ ରନ୍‌ କରି ସିରିଜ୍‌କୁ ବରାବର କରିପାରିଛନ୍ତି। ଏଥିସହ ରୋହିତ ଟି-୨୦ ଅନ୍ତର୍ଜାତୀୟରେ ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ୨୫୦୦ ରନ୍‌ ପୂରଣ କରିଛନ୍ତି। ସେ ତାଙ୍କର ଶହେତମ ଟି-୨୦ରେ ଏହି ସଫଳତା ହାସଲ କରିପାରିଛନ୍ତି। ଭାରତ ପକ୍ଷରୁ ପ୍ରଥମ ପୁରୁଷ କ୍ରିକେଟର୍‌ ଭାବେ ସେ ଶହେଟି ମ୍ୟାଚ୍‌ ଖେଳିବାର ଗୌରବ ମଧ୍ୟ ପାଇଛନ୍ତି। ତାଙ୍କଠାରୁ ପୁରୁଷ କ୍ରିକେଟର୍‌ ହିସାବରେ କେବଳ ପାକିସ୍ତାନର ଶୋଏବ୍‌ ମଲିକ ଅଧିକ ମ୍ୟାଚ୍‌ ଖେଳିଛନ୍ତି। ଶୋଏବ୍‌ ତାଙ୍କ କ୍ୟାରିଅର୍‌ରେ ୧୧୧ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ତା’ଛଡ଼ା ରୋହିତଙ୍କ ପୂର୍ବରୁ ଭାରତ ପକ୍ଷରୁ ମହିଳା କ୍ରିକେଟର୍‌ ହରମନ୍‌ପ୍ରୀତ୍‌ କୌର୍‌ ମଧ୍ୟ ଶହେଟି ଟି-୨୦ ଖେଳିସାରିଛନ୍ତି।

ଚଳିତ ବାଂଲାଦେଶ ବିପକ୍ଷ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ରୋହିତ ମାତ୍ର ୯ ରନ୍‌ କରିଥିଲେ ମଧ୍ୟ ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ଅତିକ୍ରମ କରି ଟି-୨୦ରେ ସର୍ବାଧିକ ସ୍କୋରର୍‌ ହୋଇସାରିଥିଲେ। ରାଜକୋଟ ମ୍ୟାଚ୍‌ ପରେ ରୋହିତ ୯୨ଟି ଇନିଂସରେ ୨୫୩୭ ରନ୍‌ କରିଥିବା ବେଳେ ଏହି ତାଲିକାର ଦ୍ବିତୀୟ ସ୍ଥାନରେ କୋହଲି ରହିଛନ୍ତି ଯିଏକି ମାତ୍ର ୬୭ଟି ଇନିଂସରେ ୨୪୫୦ ରନ୍‌ କରିଛନ୍ତି। ସେହିପରି ନ୍ୟୁଜିଲାଣ୍ଡ୍‌ର ମାର୍ଟିନ୍‌ ଗପ୍ଟିଲ୍‌ ୭୯ଟି ଇନିଂସରେ ୨୩୮୬, ଶୋଏବ୍‌ ୧୦୪ଟି ଇନିଂସରେ ୨୨୬୩ ଓ ବ୍ରେଣ୍ଡନ୍‌ ମ୍ୟାକ୍‌କୁଲମ୍‌ ୭୦ ମ୍ୟାଚ୍‌ରେ ୨୧୪୦ ରନ୍‌ କରି ଶୀର୍ଷ ୫ରେ ରହିଛନ୍ତି। ଗୁରୁବାର ଟି-୨୦ରେ ରୋହିତ ଜବରଦସ୍ତ ଇନିଂସ ଖେଳିଥିବା ସହ ଓପନିଂରେ ଶିଖର ଧୱନ୍‌ଙ୍କ ସହ ୧୧୮ ରନ୍‌ ଯୋଡ଼ିଥିଲେ। ଏଥିସହ ଟି-୨୦ରେ ଏହି ଯୋଡ଼ି ସର୍ବାଧିକ ୪ ଥର ଶହେରୁ ଊର୍ଦ୍ଧ୍ବ ରନ୍‌ କରିବାର ସଫଳତା ପାଇଛନ୍ତି। ଦ୍ବିତୀୟ ସ୍ଥାନରେ ୩ଟି ଲେଖାଏଁ ୧୦୦ରୁ ଊର୍ଦ୍ଧ୍ବ ରନ୍‌ର ଭାଗିଦାରୀ କରିଛନ୍ତି ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ଣ୍ଣର୍‌-ଶେନ୍‌ ୱାଟ୍‌ସନ୍‌, ନ୍ୟୁଜିଲାଣ୍ଡ୍‌ର ମାର୍ଟିନ୍‌ ଗପ୍ଟିଲ୍‌-ବ୍ରେଣ୍ଡନ୍‌ ମ୍ୟାକ୍‌କୁଲମ୍‌ ଓ ମାର୍ଟିନ୍‌ ଗପ୍ଟିଲ୍‌-କଲିନ୍‌ ମନ୍‌ରୋ ଯୋଡ଼ି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ