ଗାନ୍ଧି ପରିବାରଠାରୁ ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହୃତ


ନୂଆଦିଲ୍ଲୀ: ଗାନ୍ଧି ପରିବାରର ତିନି ସଦସ୍ୟ ସୋନିଆ ଗାନ୍ଧି, ରାହୁଲ୍‌ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କଠାରୁ ଏସ୍‌ପିଜି ସ୍ତରୀୟ ସୁରକ୍ଷାକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେଇଛନ୍ତି। କଂଗ୍ରେସ ଦଳର ସଭାପତି ସୋନିଆ ଓ ପୂର୍ବତନ ସଭାପତି ରାହୁଲ୍‌ଙ୍କ ସହ ସାଧାରଣ ସମ୍ପାଦିକା ପ୍ରିୟଙ୍କାଙ୍କୁ ବର୍ତ୍ତମାନ ସିଆର୍‌ପିଏଫ୍‌ ସ୍ତରୀୟ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। ଦେଶର ବିଭିନ୍ନ ଶୀର୍ଷ ସ୍ଥାନୀୟ ରାଜନେତାଙ୍କ ସୁରକ୍ଷା ବ୍ୟବସ୍ଥାର ତର୍ଜମା କରିବା ପରେ ଶୀର୍ଷ ସିକ୍ୟୁରିଟି ରିଭ୍ୟୁ ପ୍ୟାନେଲ୍‌ ପକ୍ଷରୁ କରାଯାଇଥିବା ସୁପାରିସ୍‌ ଅନୁସାରେ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ ଜନୈକ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ଦେଶର ଶୀର୍ଷ ରାଜନେତାଙ୍କ ଜୀବନ ପ୍ରତି ରହିଥିବା ବିପଦର ଆକଳନ କରି ସେମାନଙ୍କୁ ଏସ୍‌ପିଜି ସ୍ତରୀୟ ସୁରକ୍ଷା ଯୋଗାଇ ଦିଆଯାଇଥାଏ। ପ୍ରତି ବର୍ଷ ଏହାର ସମୀକ୍ଷା କରାଯାଇଥାଏ। ନିକଟରେ ହୋଇଥିବା ସମୀକ୍ଷାରେ ସୋନିଆ ଗାନ୍ଧିଙ୍କ ଜୀବନ ପ୍ରତି କୌଣସି ଖାସ୍‌ ବିପଦ ନାହିଁ। ତେଣୁ ତାଙ୍କୁ ସିଆର୍‌ପିଏଫ୍‌ ଯବାନମାନେ ମଧ୍ୟ ଠିକ୍‌ ସୁରକ୍ଷା ଦେଇପାରିବେ ବୋଲି ଅନୁଭବ ହେବା ପରେ ଏସ୍‌ପିଜି ସ୍ତରୀୟ ସୁରକ୍ଷା ହଟାଯିବା ସକାଶେ ସୁପାରିସ୍‌ କରାଯାଇଥିବା ଉକ୍ତ ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି।

ତେବେ ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ଏହା ଉପରେ କୌଣସି ପ୍ରକାର ଟିପ୍ପଣୀ ଦିଆଯାଇନାହିଁ। ୧୯୮୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ଆତତାୟୀମାନେ ହତ୍ୟା କରିବା ପରେ ଦେଶର ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାରର ସଦସ୍ୟମାନଙ୍କୁ ସ୍ବତନ୍ତ୍ର ସୁରକ୍ଷା ଯୋଗାଇ ଦେବା ସକାଶେ ଏସ୍‌ପିଜିର ଗଠନ କରାଯାଇଥିଲା। ୧୯୯୨ରେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ଆତ୍ମଘାତୀ ବିସ୍ଫୋରଣରେ ଉଡ଼ାଇ ଦିଆଯିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ସେମାନଙ୍କ ପରିବାରର ସଦସ୍ୟମାନଙ୍କୁ ଏହି ସ୍ତରୀୟ ସୁରକ୍ଷା ସୁବିଧା ଯୋଗାଇ ଦିଆଯାଇଥିଲା। ସେବେଠାରୁ ଏହି ପ୍ରକ୍ରିୟା ଜାରି ରହିଆସିଛି। ତେବେ ବର୍ତ୍ତମାନ ଜେଡ୍‌ ପ୍ଲସ୍‌ ସୁରକ୍ଷାରେ ଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କୁ ସଦ୍ୟ ଧମକ ମିଳିଥିବାରୁ ତୁରନ୍ତ ତାଙ୍କୁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବା ସକାଶେ ସୁପାରିସ୍‌ କରାଯାଇଛି। ଗତ ଅଗଷ୍ଟ ୫ ତାରିଖରେ ସମ୍ବିଧାନରୁ ଧାରା ୩୭୦ ପ୍ରତ୍ୟାହାର କରିବା ନିଷ୍ପତ୍ତିରେ ଶାହଙ୍କର ପ୍ରମୁଖ ଭୂମିକା ଥିବାରୁ ତାଙ୍କୁ ଇସଲାମୀୟ ଆତଙ୍କୀ ସଂଗଠନମାନେ ଟାର୍ଗେଟ୍‌ କରିବାର ଆଶଙ୍କା ରହିଥିବା ଜନୈକ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ