ଆଜି ଅପରାହ୍ନରୁ ଉପକୂଳ ଓଡ଼ିଶାରେ ବର୍ଷା ସହ ପବନ


ଭୁବନେଶ୍ବର: ବାତ୍ୟା ରୂପ ନେବା ପରେ ବଙ୍ଗୋପସାଗରରେ ଅଧିକ ବଳ ଗୋଟାଉଛି ‘ବୁଲ୍‌ବୁଲ୍’। ଶେଷ ସୂଚନା ଅନୁଯାୟୀ, ଏହା ପାରାଦ୍ୱୀପ ଠାରୁ ପ୍ରାୟ ୫୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟା ପ୍ରତି ପ୍ରାୟ ୧୫ କିଲୋମିଟର ବେଗରେ ଏହା ଉତ୍ତର- ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ‘ବୁଲ୍‌ବୁଲ୍’ ସିଭିୟର୍ ସାଇକ୍ଳୋନିକ୍ ଷ୍ଟର୍ମର ରୂପ ନେବାର ସମ୍ଭାବନା ରହିଛି। ‘ବୁଲ୍‌ବୁଲ୍’ ଯଦିଓ ଓଡ଼ିଶାକୁ ଛୁଇଁବ ନାହିଁ, ତେବେ ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ଆରମ୍ଭ ହୋଇଯିବ ବର୍ଷା ଓ ପବନ।

୮ ତାରିଖରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୩୫ରୁ ୪୫ କିମି ଏବଂ ସର୍ବାଧିକ ୬୫ କିମି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ସେହିପରି ୯ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରପଡ଼ା ଓ ଜଗତସିଂପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ମୟୂରଭଞ୍ଜ, ଯାଜପୁର ଓ କଟକ  ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୯ ତାରିଖ ଦିନ ପବନର ବେଗ ସର୍ବାଧିକ ୯୦ କିମି ରହିବ। ସମୁଦ୍ର ମଧ୍ୟରେ ଏହି ବାତ୍ୟାର ବେଗ ୮ ତାରିଖ ଦିନ ସର୍ବାଧିକ ୧୪୫ କିମି ରହିବ ବୋଲି କହିଛି ପାଣିପାଗ ବିଭାଗ। ଅନ୍ୟପକ୍ଷରେ ଗଞ୍ଜାମ, ପୁରୀ ଓ ଯାଜପୁର ଜିଲ୍ଲାରେ ମଧ୍ୟ ପବନର ବେଗ ୪୦ରୁ ୫୦ କିଲୋମିଟର ରହିପାରେ। ବର୍ଷା ଓ ପବନ ଯୋଗୁଁ ଉପକୂଳ ଜିଲ୍ଲାଗୁଡ଼ିକରେ କ୍ଷୟକ୍ଷତିର ଆଶଙ୍କା ରହିଛି। ତେଣୁ ନୂଆଦିଲ୍ଲୀରୁ ଭୁବନେଶ୍ୱର ଓ ଜିଲ୍ଲାସ୍ତରରେ ବି ଘନଘନ ବୈଠକ ସହ ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଛି।

ଗୁରୁବାର ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ଭିଡ଼ିଓ କନ୍‌ଫରନେସିଂ ଯୋଗେ ସ୍ଥିତିର ସମୀକ୍ଷା କରିଛନ୍ତି। ସେପଟେ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ପବନର ବେଗ ବଢ଼ିବା ଯୋଗୁଁ କେତେକ ସ୍ଥାନରେ ଗଛ, ବିଦ୍ୟୁତ ଖୁଣ୍ଟ, କଚ୍ଚା ଘର ଓ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହେବାର ସମ୍ଭାବନା ରହିଛି। ରାଜ୍ୟର ସମସ୍ତ ବନ୍ଦରରେ ବାତ୍ୟାକୁ ଦୃଷ୍ଟିରେ ରଖି ୨ ନମ୍ବର ସତର୍କ ସୂଚନା ଜାରି କରାଯାଇଛି। ତେବେ ୮ ଓ ୯ ତାରିଖରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୯ ଓ ୧୦ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ସତର୍କ କରାଯାଇଛି। ଭୋର୍‌ ସୁଦ୍ଧା ମତ୍ସ୍ୟଜୀବୀମାନଙ୍କୁ କୂଳକୁ ଫେରି ଆସିବାକୁ ନିର୍ଦେଶ ଦିଆଯାଇଛି। ବାତ୍ୟା ପ୍ରଭାବରେ ଉତ୍ତର ଓଡ଼ିଶାର ଉପକୂଳ ଜିଲ୍ଲାରେ ମାଟିଘର ଏବଂ ରାସ୍ତାଘାଟ କ୍ଷତିଗ୍ରସ୍ତ ହେବ ବୋଲି ସତର୍କ କରିଦିଆଯାଇଛି। ସେହିପରି ଅମଳ କ୍ଷମ ଫସଲ ତାର୍ପେଲିନ୍ ଓ ପଲିଥିନ୍ ଘୋଡ଼ାଇ ସୁରକ୍ଷିତ ରଖିବାକୁ କୁହାଯାଇଛି। ଏପଟେ ପବନ ଓ ବର୍ଷାଜନିତ କ୍ଷୟକ୍ଷତିର ମୁକାବିଲା ଲାଗି ପ୍ରଭାବିତ ହେବାକୁ ଥିବା ପ୍ରତି ଜିଲ୍ଲାକୁ ଦୁଇଟି ଓଡ୍ରାଫ୍ ଓ ଗୋଟିଏ ଲେଖାଏଁ ଏନ୍‌ଡିଆର୍‌ଏଫ୍‌ ୟୁନିଟ୍ ପଠାଯାଇଛି। ଆବଶ୍ୟକ ହେଲେ ଜିଲ୍ଲା ପ୍ରଶାସନ ଲୋକଙ୍କୁ ସ୍ଥାନାନ୍ତର କରିବେ ବୋଲି ସୂଚନା ମିଳିଛି। ସେପଟେ ‘ବୁଲ୍‌ବୁଲ୍’ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେ ନେଇ ଏବେ ବି ସସ୍‌ପେନ୍ସ ଲାଗି ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ