ଖଲ୍ଲାସ ଗାର୍ଲଙ୍କ ଚାଞ୍ଚଲ୍ୟକର ଖୁଲାସା: ୧୫ରେ ମାରିଥିଲା ଚଡ଼କ


ବଲିଉଡ୍‌ର ଖଲ୍ଲାସ ଗାର୍ଲଙ୍କୁ କିଏ ବା ନ ଜାଣେ? ମଡେଲ ଅଭିନେତ୍ରୀ ତଥା ରାଜନେତ୍ରୀ ଭାବେ ଜଣାଶୁଣା ଈଶା କୋପ୍ପିକର ୪୩ ବର୍ଷ ବୟସରେ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ତାଙ୍କ ସହ ହୋଇଥିବା ଲୋମହର୍ଷଣକାରୀ ଘଟଣାବଳୀର ଉନ୍ମୋଚନ ଦୀର୍ଘ ୨୮ ବର୍ଷ ପରେ ସେ କରିଛନ୍ତି। ତାଙ୍କୁ ୧୫ ବର୍ଷ ହୋଇଥିବା ବେଳେ ସେ କାଷ୍ଟିଂକାଉଚ୍‌ର ସମ୍ମୁଖୀନ ହୋଇଥିଲେ ବୋଲି କହିଛନ୍ତି ଈଶା। ଏହା ତାଙ୍କୁ ସେତେବେଳେ ମାନସିକ ଭାବେ ଉଦ୍‌ବେଳିତ କରିବା ସହ ସତେ ଯେମିତି ତାଙ୍କ ମୁଣ୍ଡ ଉପରେ ଚଡ଼କ ପଡ଼ିଥିଲା ବୋଲି କହିଛନ୍ତି।

ଈଶା ତାଙ୍କ ଚାଞ୍ଚଲ୍ୟକର ଖୁଲାସାରେ କହିଛନ୍ତି ଯେ ତାଙ୍କୁ ସେତେବେଳେ ୧୫ କି ୧୬ ବର୍ଷ ହେବ। ଅଭିନୟ ଓ ମଡେଲିଂ ପାଇଁ କାମ ଅନ୍ବେଷଣରେ ଥିବାବେଳେ କେତେକ ଶୀର୍ଷସ୍ତରୀୟ ସେକ୍ରେଟାରୀମାନେ କାମୋଦ୍ଦୀପକ ହୋଇ ତାଙ୍କ ଅଙ୍ଗପ୍ରତ୍ୟଙ୍ଗକୁ ଅଶାଳୀନ ଢଙ୍ଗରେ ସ୍ପର୍ଶ କରିଥିଲେ। ଖାସ୍‌ ଏଥିପାଇଁ ସେ ଆତ୍ମରକ୍ଷା କୌଶଳର ପ୍ରଶିକ୍ଷଣ ନେଇଥିଲେ ବୋଲି ଈଶା କହିଛନ୍ତି।

ତାଙ୍କ ସହ ହୋଇଥିବା ଏଭଳି ଏକ ଲୋମଟାଙ୍କୁରା ଘଟଣାକୁ ମନେପକାଇଛନ୍ତି ଈଶା। ଏକ ଫିଲ୍ମରେ ଅଭିନୟ ପାଇଁ ଦିନେ ସେ ଜଣେ ପ୍ରଯୋଜକଙ୍କ ସହ ଯୋଗାଯୋଗ କରିଥିଲେ। ଉକ୍ତ ଫିଲ୍ମଟିର ହାଇପ୍‌ ଥିବାରୁ ପ୍ରଯୋଜକ ଜଣକ ତାଙ୍କୁ ଏହାର ଅଭିନେତାଙ୍କୁ ଫୋନ କରିବାକୁ କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଏହି ଫିଲ୍ମରେ ଅଭିନୟ କରିବାକୁ ହେଲେ ତାଙ୍କ ସମ୍ପର୍କରେ ଉକ୍ତ ଅଭିନେତାଙ୍କ ଭଲ ଇମ୍ପ୍ରେସନ ରହିବା ନିହାତି ଜରୁରୀ। ଏଣୁ ମୁଁ ଉକ୍ତ ଅଭିନେତାଙ୍କୁ ଫୋନ କଲି। ଅଭିନେତା ଜଣକ ମୋତେ ତାଙ୍କର ଦୈନିକ ସମୟସାରଣୀ କହିବା ସହ ସେ ପ୍ରତ୍ୟହ ସକାଳୁ ଶୀଘ୍ର ଉଠି ଜିମ୍‌ ଯାଆନ୍ତି ବୋଲି କହିଥିଲେ। ଏଣୁ ସେ ଡବିଂ କରୁଥିବା ସମୟରେ ତାଙ୍କୁ ଦେଖା କରିବାକୁ କହିଥିଲେ। ଏଥିସହ ମୁଁ କାହା ସହ ଆସିବି ବୋଲି ସେ ପଚାରିବାରୁ ଡ୍ରାଇଭର ସହ ଆସିବି ବୋଲି କହିଥିଲି। ତତ୍‌କ୍ଷଣାତ୍‌ ସେ ମୋତେ ସାଙ୍ଗରେ କାହାକୁ ନ ଆଣିବାକୁ ତାଗିଦ୍‌ କରିଥିଲେ। ସେତେବେଳେ ମୋର ବୟସ ୧୫ ବର୍ଷ ହେବ। ମୁଁ ଜାଣିପାରିଲି, ସେ କ’ଣ ପାଇଁ ମୋତେ ଏପରି କହିଲେ। ଏହା ଖୋଲାଖୋଲି ଯୌନ ନିମନ୍ତ୍ରଣ ଥିଲା। ଏଣୁ ମୁଁ ବ୍ୟସ୍ତ ଅଛି ଓ ପରେ ତାଙ୍କୁ ଯୋଗାଯୋଗ କରିବି ବୋଲି କହି ଫୋନ ରଖିଦେଲି।

ଏହାପରେ ଉକ୍ତ ଫିଲ୍ମର ପ୍ରଯୋଜକଙ୍କୁ ଫୋନ କରି ଈଶା କହିଥିଲେ ଯେ ତାଙ୍କ ପ୍ରତିଭା ପାଇଁ ତାଙ୍କୁ ଅଭିନୟ ସୁଯୋଗ ମିଳିବା ଦରକାର। ଅଭିନୟ କରିବା ପାଇଁ କୌରସି ବାଧ୍ୟବାଧକତାର ସେ ଆଶ୍ରୟ ନେବେ ନାହିଁ। ଏଭଳି ଉତ୍ତର ଅନେକଙ୍କୁ କ୍ରୋଧିତ କରିଥାଏ। ବିଶେଷକରି ଜଣେ ନାରୀ ଯେତେବେଳେ କୌଣସି କାମ ପାଇଁ ଅନିଚ୍ଛା ପ୍ରକାଶ କରେ, ପୁରୁଷମାନେ ଏହାକୁ ସହଜରେ ନେଇପାରନ୍ତି ନାହିଁ। ଏପରିସ୍ଥଳେ ଫିଲ୍ମ ଜଗତରେ ଏଭଳି ଲୋକମାନେ ନବାଗତାଙ୍କୁ ସୁଯୋଗ ଦେବାରୁ ବଞ୍ଚିତ କରିଥାନ୍ତି। ତେବେ ଏହାପରେ ଉକ୍ତ ଅଭିନେତା ଜଣକ ସହ କେବେ ବି କାମ ନ କରିବାକୁ ମନସ୍ଥ କରିଥିଲେ ଈଶା।

୧୯୭୬ରେ ମୁମ୍ବାଇର ମାହିମରେ ଏକ କୋଙ୍କଣୀ ପରିବାରରେ ଜନ୍ମିତ ଈଶା କୋପ୍ପିକର ସେଠାକାର ରାମ ନାରାୟଣ ରୁଇଆ କଲେଜରେ ଜୀବ ବିଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ମଡେଲିଂ ଜଗତରେ ପାଦ ଦେଇଥିଲେ। ନିଜ ପ୍ରତିଭା ବଳରେ ସେ ଲ’ରିଏଲ, ରେକ୍ସୋନା, କ୍ୟାମେ, ଟିପ୍‌ସ ଆଣ୍ଡ ଟୋଜ୍‌ ଓ କୋକାକୋଲା ଭଳି ନାମୀ ବିଞାପନ ସବୁ ହାତେଇ ପାରିଥିଲେ। ୨୯୯୮ରେ ତେଲୁଗୁ ଫିଲ୍ମ ‘ଚନ୍ଦ୍ରଲେଖା’ରୁ ସିନେ କ୍ୟାରିଅର ଆରମ୍ଭ କରିଥିବା ଈଶା ପରବର୍ତ୍ତୀ ସମୟରେ ଅନେକ ତାମିଲ, କନ୍ନଡ଼ ଓ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିଲେ। ୨୦୦୦ରେ ‘ଫିଜା’ ଫିଲ୍ମରେ ବଲିଉଡ୍‌ ଡେବ୍ୟୁ କରି ସେ ପରବର୍ତ୍ତୀ ସମୟରେ ‘ରାହୁଲ’, ‘ଅମଦନୀ ଆଠନୀ ଖର୍ଚ୍ଚା ରୂପୈୟା’, ‘କମ୍ପାନୀ’, ‘କାଣ୍ଟେ’, ‘ପିଞ୍ଜର’, ‘ଦିଲ୍‌ କା ରିସ୍ତା’, ‘ଏଲ୍‌ଓସି କାରଗିଲ’, ‘ହମ୍‌ ତୁମ’, ‘ଡନ’, କ୍ୟା କୁଲ ହୈଁ ହମ’ ଭଳି ଅନେକ ଫିଲ୍ମରେ ଅଭିନୟ କରିଥିଲେ। ତେବେ କମ୍ପାନୀ ଫିଲ୍ମର ଆଇଟମ ନମ୍ବରରେ ତାଙ୍କୁ ଖଲ୍ଲାସ ଗାର୍ଲର ପରିଚୟ ମିଳିଥିବା ବେଳେ ‘ଡନ’ ଓ ‘କ୍ୟା କୁଲ ହୈଁ ହମ’ରେ ତାଙ୍କ ଅଭିନୟ ବେଶ୍‌ ପ୍ରଶଂସିତ ହୋଇଥିଲା।

ନିକଟରେ ସୁରଭିନ୍‌ ଚାୱଲା ଓ ବିଦ୍ୟା ବାଲନ ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ୍‌ର ସମ୍ମୁଖୀନ ହୋଇଥିବା ପ୍ରକାଶ କରିଥିବା ବେଳେ ଏବେ ଏପରି ଅଭିନେତ୍ରୀଙ୍କ ତାଲିକାରେ ଈଶା କୋପ୍ପିକରଙ୍କ ନାମ ଯୋଡ଼ିହୋଇ ଯାଇଛି। ଏତେବର୍ଷ ପରେ ହେଲେ ବି ଏହା ତାଙ୍କ ଅଦମ୍ୟ ସାହସର ପରିଚୟ ଦେଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ