କୁନି ଓଡ଼ିଆ ବୈଜ୍ଞାନିକଙ୍କ କମାଲ୍‌, ନାସାରୁ ଆସିଲା ଡାକରା

ଦୁର୍ଗମ ଅଞ୍ଚଳରେ ଜନସେବାର ମହତ୍ତ୍ବ ଉଦ୍ଦେଶ୍ୟ ରଖିଛି ଶୁଭ୍ରାଂଶୁଙ୍କ ପ୍ରକଳ୍ପ

ଛୋଟ ବୟସରେ ବଡ଼ କାମ। ବୟସ ୧୪ କିନ୍ତୁ ଅନନ୍ୟ ତାଙ୍କ ପ୍ରତିଭା। ତାଙ୍କର ଦୃଢ ଇଛାଶକ୍ତି  ଆଗରେ ହାର୍‌ ମାନିଛି ସବୁ ବାଧା, ସବୁ ପ୍ରତିବନ୍ଧକ। ଯଦି ଲକ୍ଷସ୍ଥଳିରେ ପହଞ୍ଚିବାର ମନୋଭାବ ଦୃଢ଼, ତେବେ ତୁମକୁ ଆଗକୁ ଯିବାକୁ କେହି ବି ଅଟକାଇ ପାରିବେ ନାହିଁ। ଆଉ ଏହି ଉକ୍ତିଟିକୁ ଅକ୍ଷରେ ଅକ୍ଷତରେ ସତ୍ୟରେ ପ୍ରମାଣିତ କରି ଦେଖାଇଛନ୍ତି ଅନୁଗୁଳ ଜିଲ୍ଲା ହୁଲୁରିସିଂହାର କୁନି ବୈଜ୍ଞାନିକ ଶୁଭ୍ରାଂଶୁ ନାୟକ। ‘ମାଭିକ୍‌’ ନାମକ ଏକ ପ୍ରକଳ୍ପ ତିଆରି କରି ନାସା ବୈଜ୍ଞାନିକଙ୍କ ହୃଦୟ ଜିତିଛନ୍ତି ସେ। କେବଳ ସେତିକି ନୁହେଁ, ଭବିଷ୍ୟତରେ ଜଣେ ନାସା ବୈଜ୍ଞାନିକ ହେବା ସ୍ବପ୍ନର ମୂଳଦୁଆ ମଧ୍ୟ ପକାଇଛନ୍ତି ଶୁଭ୍ରାଂଶୁ। ଆସନ୍ତା ଜାନୁଆରୀ ପହିଲାରେ ନାସା ପକ୍ଷରୁ ଆୟୋଜିତ ନାସା ସ୍ପେସ୍‌ ସେଟଲ୍‌ମେଣ୍ଟ୍‌ ପ୍ରତିଯୋଗିତାରେ ଭାଗ ନେବାକୁ ତାଙ୍କୁ ମିଳିଛି ସୁଯୋଗ। ଭାରତବର୍ଷରୁ ଦୁଇ ଜଣ ଏଥିରେ ଅଂଶ ଗ୍ରହଣ କରିବାର ସୁଯୋଗ ପାଇଥିବା ବେଳେ ତନ୍ମଧ୍ୟରେ ଅଛନ୍ତି ଶୁଭ୍ରାଂଶୁ।

ବୈଜ୍ଞାନିକ ହେବାର ସ୍ବପ୍ନ ଦେଖୁଥିବା ଶୁଭ୍ରାଂଶୁଙ୍କ ଘର ଅନୁଗୁଳ  ସହର ଉପକଣ୍ଠ ହୁଲୁରିସିଂହାରେ। ବାପା ଲକ୍ଷ୍ମଣ ନାୟକ ଓ ମା’ ସୁଲୋଚନା ନାୟକଙ୍କ ସେ ଏକମାତ୍ର ପୁତ୍ର। ବାପା ବ୍ୟାଗ୍‌ ତିଆରି କରି ଯାହା ରୋଜଗାର କରନ୍ତି, ସେଥିରେ ତାଙ୍କ ପୂରା ପରିବାର ଚଳେ। ଅଭାବ ଅନଟନ ସତ୍ତ୍ବେ ଲକ୍ଷ୍ମଣ କେବେ କିନ୍ତୁ ପୁଅର ସ୍ବପ୍ନକୁ ମାରିଦେବାକୁ ଉଦ୍ୟମ କରିନାହାନ୍ତି। ରକ୍ତକୁ ପାଣି କରି ପୁଅର ସବୁ ଅଭିଳାଷ ପୂରଣ କରିବାର ଯଥାସାଧ୍ୟ ପ୍ରୟାସ ଚଳାଇଛନ୍ତି। ଶୁଭ୍ରାଂଶୁ ଗାନ୍ଧିମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନବମ ଶ୍ରେଣୀରେ ପଢ଼ନ୍ତି। ସ୍କୁଲ୍‌ରେ ବର୍ଷକ ତଳୁ ଆରମ୍ଭ ହୋଇଥିବା ଅଟଳ ଟିଙ୍କରିଙ୍ଗ୍‌ ଲ୍ୟାବ୍‌ (ଏଟିଏଲ୍‌) ହିଁ ତାଙ୍କୁ ନାସା ପର୍ଯ୍ୟନ୍ତ ବାଟ କଢ଼ାଇ ନେଇଛି। ପ୍ରାୟ ୬୫ ହଜାର ଟଙ୍କା ଖର୍ଚ୍ଚ କରି ଶୁଭ୍ରାଂଶୁ ପ୍ରସ୍ତୁତ କରିଛନ୍ତି ଏକ ପ୍ରକଳ୍ପ ମଡର୍ଣ୍ଣ ଡ୍ରୋନ୍ ‘ମାଭିକ୍‌’ ନାମକ ଏକ ପ୍ରକଳ୍ପ। ଅନ୍ୟ ଡ୍ରୋନ୍‌ଠାରୁ ଟିକେ ଅଲଗା ଏଇ ମାଭିକ୍ ଡ୍ରୋନ୍‌। ଦୁର୍ଗମ ଅଞ୍ଚଳରେ ଯେଉଁଠି ଡାକ୍ତର ପହଞ୍ଚିବା ଅସମ୍ଭବ, ସେଠି  ପହଞ୍ଚିବ ‘ମାଭିକ୍‌’। ଏହାର ଆପ୍‌ରେ ସେଟିଂ କରିବା ପରେ ଏହା ଠିକଣା ଜାଗାକୁ ଯିବ।  ଡ୍ରୋନ୍‌କୁ ଦୁର୍ଘଟଣା କିମ୍ବା କୌଣସି କ୍ଷୟ କ୍ଷତିରୁ ସୁରକ୍ଷିତ ରଖିବା ସକାଶେ ଏଥିରେ ଲାଗିଛି ଅଲ୍‌ଟ୍ରା ସେନ୍‌ସର୍ ଓ କ୍ୟାମେରା। ୩ କିଲୋମିଟର୍ ଯାଏ ସ୍ଥଳପଥରେ ଏହା ଉଡ଼ିପାରିବ ଏବଂ ୧୫  କିଲୋ ଓଜନ୍ ବୋହିବାର କ୍ଷମତା ମାଭିକ୍ ପାଖରେ ରହିଛି। ଏହି ନୂଆ ଡ୍ରୋନ୍‌ ସାହାଯ୍ୟରେ କୌଣସି ବି ଅପହଞ୍ଚ ଅଞ୍ଚଳକୁ ସହାୟତା ପଠାଯାଇପାରିବ। ଘଟଣାସ୍ଥଳରେ ଥିବା ଲୋକେ କ୍ୟାମେରାରେ ଡାକ୍ତରଙ୍କୁ ଦେଖି ପାରିବା ସହିତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ରୋଗୀର ଚିକିତ୍ସା କରିପାରିବେ।

ଏହାକୁ ପ୍ରସ୍ତୁତ କରିବା ପାଇଁ ଶୁଭ୍ରାଂଶୁଙ୍କୁ ୩ ମାସ ସମୟ ଲାଗିଛି। ଏହି ପ୍ରକଳ୍ପ ନିର୍ମାଣରେ ସ୍କୁଲ୍‌ର ବିଜ୍ଞାନ ଶିକ୍ଷକ ସୌମେନ୍ଦ୍ର ଡାଙ୍ଗ୍‌ଙ୍କ ମଧ୍ୟ ପ୍ରମୁଖ ଭୂମିକା ରହିଛି। ପ୍ରକଳ୍ପ ପ୍ରସ୍ତୁତ ପରେ ଶୁଭ୍ରାଂଶୁ  ଏହାକୁନାସାର ସ୍ପେସ୍‌ ସେଟଲ୍‌ମେଣ୍ଟ ୱେବ୍‌ସାଇଟ୍‌ରେ ଅପଲୋଡ଼ କରିଥିଲେ। ମିଳିଥିବା ସମସ୍ତ ଏଣ୍ଟ୍ରିଗୁଡ଼ିକ ମଧ୍ୟରୁ ନାସା ବିଶ୍ବର ୧୩୮ ଜଣ ପ୍ରତିଯୋଗୀଙ୍କୁ ମନୋନୀତ କରିଥିଲା, ଯେଉଁମାନଙ୍କ ମଧ୍ୟରେ ଶୁଭ୍ରାଂଶୁଙ୍କ ସମେତ ୨ ଜଣ ଭାରତୀୟ ପ୍ରତିଯୋଗୀ ରହିଛନ୍ତି। ଏଥିରେ ଶଭ୍ରାଂଶୁ ଭାଗ ନେଇଥିବାରୁ ପରିବାର ଲୋକେ ଓ ସ୍କୁଲ୍‌ର ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି। ନାସାରୁ ଡାକରା ଆସିବା ପରେ ଏହି ପ୍ରକଳ୍ପକୁ ଅଧିକ ବିକଶିତ କରିବା ପାଇଁ ଶୁଭ୍ରାଂଶୁ ଜୋର୍‌ଦାର୍‌ ପରିଶ୍ରମ କରୁଛନ୍ତି। ନାସା ଚୟନ ପରେ ଦିଲ୍ଲୀରୁ ପ୍ରଫେସର ଆସି ତାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଶୁଭ୍ରାଂଶୁଙ୍କ ସହିତ ତାଙ୍କ ବିଜ୍ଞାନ ଶିକ୍ଷକ ମଧ୍ୟ ନାସା ଯାତ୍ରା କରିବେ। ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଯୋଗାଇ ଦେବେ। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ସମସ୍ତ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଶୁଭ୍ରାଂଶୁ କହିଛନ୍ତି, ବୈଜ୍ଞାନିକ ହେବାକୁ ପିଲାଟି ବେଳୁ ତାଙ୍କ ଇଛା। ‘ମ୍ୟାଭିକ୍‌’ ଭଳି ଆଉ ୩ଟି ପ୍ରକଳ୍ପ ତିଆରି କରିବାକୁ ତାଙ୍କର ଯୋଜନା ରହିଛି। ହେଲେ ପ୍ରକଳ୍ପ ପାଇଁ ଉପକରଣ ଯୋଗାଡ଼ କରିବାରେ ଅର୍ଥ ପ୍ରତିବନ୍ଧକ ସାଜିଥିବାରୁ ପ୍ରକଳ୍ପ କାମ ଆଗେଇ ପାରୁନି। ନାସା ପ୍ରତିଯୋଗିତାରେ ଭାଗ ନେବା ପରେ ତାଙ୍କ ମନୋବଳ ବୃଦ୍ଧି ପାଇଥିବା କହିଛନ୍ତି ଶ୍ରୁଭାଂଶୁ। ପୁଅର ବୈଜ୍ଞାନିକ ହେବାର ସ୍ବପ୍ନ ସାକାର କରିବାକୁ ବାପା ଲକ୍ଷ୍ମଣ ଉତ୍ସାହିତ ଥିବା ବେଳେ ଅର୍ଥ ପ୍ରତିବନ୍ଧକ ସାଜିଥିବା କହିଛନ୍ତି। ଯଦି ସରକାର କିଛି ଆର୍ଥିକ ସହଯୋଗ ଯୋଗାଇ ଦିଅନ୍ତେ, ତେବେ ସେ ପୁଅକୁ ବଡ଼ ମଣିଷ କରିବାରେ ସଫଳ ହୁଅନ୍ତେ ବୋଲି କହିଛନ୍ତି ଲକ୍ଷ୍ମଣ। ତେବେ ଶୁଭ୍ରାଂଶୁଙ୍କ ଏହି ଉଦ୍ୟମ କେବଳ ଓଡ଼ିଶା ନୁହେଁ ସାରା ଦେଶର ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛି। ଶୁଭ୍ରାଂଶୁ ସଫଳତା ପରେ ସଫଳତାର ଶିଢ଼ି ଚଢ଼ନ୍ତୁ ଏହା ମଧ୍ୟ ଆମେ କାମନା କରୁଛୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ