ବିନା ଔଷଧରେ ପିଠି ଯନ୍ତ୍ରଣାରୁ ଏପରି ମୁକ୍ତି ପାଆନ୍ତୁ


ଦେଶରେ ପ୍ରତ୍ୟେକ ୫ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କେବେ ନା କେବେ ପିଠି ଯନ୍ତ୍ରଣା ଅନୁଭବ କରିଥାନ୍ତି। ୮୦ରୁ ୯୦ ପ୍ରତିଶତ ମାମଲା ବିନା କୌଣସି ସର୍ଜରୀରେ ଉତ୍ତମ ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ, ଉଚିତ ବ୍ୟାୟାୟ, ଔଷଧ ସେବନ ଓ ଉପଯୁକ୍ତ ପଦ୍ଧତିରେ ଆରାମ କରିବା ପରେ ଏହି ପିଠି ଯନ୍ତ୍ରଣା ଠିକ୍‌ ହୋଇଯାଇଥାଏ।

ସର୍ଜରୀ ନୁହେଁ, ସ୍ବାସ୍ଥ୍ୟକର ଜୀବନଶୈଳୀ
ଜଣାଶୁଣା ସ୍ପାଇନ ସର୍ଜରୀ ବିଶେଷଜ୍ଞ ତଥା ଶାଲ୍‌ବୀ ହସ୍ପିଟାଲର ସ୍ପାଇନ୍‌ ସର୍ଜରୀ ବିଭାଗର ଅଧ୍ୟକ୍ଷ ଡା.ନୀରଜ ଭସାଭଡ଼ାଙ୍କ କହିବାନୁସାରେ ପରିବର୍ତ୍ତିତ ଓ କମ୍‌ ପରିଶ୍ରମ ଜୀବନଶୈଳୀ, ଫାଷ୍ଟଫୁଡ୍‌ ଅଧିକ ସେବନ, ବ୍ୟାୟାମ ନ କରିବା ଫଳରେ ଏବେ ପିଠି ଯନ୍ତ୍ରଣା ଓ ମେରୁଦଣ୍ଡ ଜନିତ ରୋଗ ବଢ଼ିବାରେ ଲାଗିଛି। କିନ୍ତୁ ଏଥିମଧ୍ୟରୁ ୮୦ରୁ ୯୦ ପ୍ରତିଶତ ମାମଲାରେ କୌଣସି ସର୍ଜରୀର ଆବଶ୍ୟକତା ପଡ଼ି ନ ଥାଏ। ସେମାନଙ୍କୁ କେବଳ ଜୀବନଶୈଳୀରେ ପରିବର୍ତ୍ତନ ଓ ଅନ୍ୟ ଉପାୟ ଜରିଆରେ ଠିକ୍‌ କରାଯାଇପାରିବ ବୋଲି ଡା. ନୀରଜ କହିଛନ୍ତି।

୨୦ ପ୍ରତିଶତ ମାମଲାରେ ସର୍ଜରୀ କରିବାକୁ ପଡ଼ିପାରେ
ଡା.ନୀରଜ କହିଛନ୍ତି ଯେ ମାତ୍ର ୧୦ରୁ ୨୦ ପ୍ରତିଶତ ପିଠି ଯନ୍ତ୍ରଣା ମାମଲାରେ ସର୍ଜରୀ କରିବାକୁ ପଡ଼ିଥାଏ। ଏହି ରୋଗକୁ ନେଇ ମଧ୍ୟ କ୍ୟାନ୍‌ସର ଓ ହୃଦ୍‌ରୋଗ ଭଳି ସଚେତନତା ସୃଷ୍ଟି ହେବା ଉଚିତ। ଯଦି ରୋଗର ଗମ୍ଭୀରତା ଲାଗି ରହେ, ତେବେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଡା.ଭସାଭଡ଼ା କହିଛନ୍ତି ଯେ ସିୟାଟିକା ଏକ ରୋଗ ନୁହେଁ, ବରଂ ଅନ୍ୟ ରୋଗର ଲକ୍ଷଣ ଅଟେ, ଯାହା ଅଧିକାଂଶ ସ୍ଲିପ୍‌ ଡିସ୍କରେ ହୋଇଥାଏ। ସ୍ଲିପ୍‌ ଡିସ୍କର ମଧ୍ୟ ଅଧିକାଂଶ ମାମଲା ଉଚିତ ଆରାମ ଓ ଔଷଧ ଆଦିରେ ଠିକ୍‌ ହୋଇପାରୋ। ଏହା ଅଧିକ ଗୁରୁତର ହେଲେ ସର୍ଜରୀର ଆବଶ୍ୟକତା ପଡ଼ିପାରେ ବୋଲି ଡା.ନୀରଜ କହିଛନ୍ତି। ଏଥିସହିତ ସର୍ଭାଇକାଲ ସ୍ପଣ୍ଡିଲାଇଟ୍‌ସରୁ ରକ୍ଷା ପାଇବା ପାଇଁ କମ୍ପ୍ୟୁଟରରେ କାମ କରୁଥିବା ଲୋକେ ନିଜ ଆଖି ସିଧାରେ ମନିଟର ରଖିବାକୁ ସେ ପରାମର୍ଶ ଦେଇଛନ୍ତି। 

ଡ. ନୀରଜ ଲୋକଙ୍କୁ ଅଧିକରୁ ଅଧିକ ସକ୍ରିୟ ଜୀବନଶୈଳୀ ଆପଣାଇବାକୁ ପରାମର୍ଶ ଦେଇଛନ୍ତି। ପୂର୍ବାପେକ୍ଷା ପିଲାଙ୍କଠାରେ ଶାରୀରିକ ସକ୍ରିୟତା କମିବାରେ ଲାଗିଛି। ଯାହାଫଳରେ ସେମାନଙ୍କର ପିଠି ଯନ୍ତ୍ରଣା ବଢ଼ିବାରେ ଲାଗିଛି ବୋଲି ସେ କହିଛନ୍ତି।

ପିଠି ଯନ୍ତ୍ରଣାର କାରଣ
ବସିବାର ଭୁଲ୍‌ ପୋଶ୍ଚର, ଅଧିକ ସମୟ ବସି ରହିବା, ମାଂସପେଶୀ ଉପରେ ଅଧିକ ଚାପ, ଓଜନ ବୃଦ୍ଧି, ଦୁର୍ବଳ ହାଡ଼, କ୍ୟାଲ୍‌ସିୟମର ଅଭାବ, ଅଧିକ ନରମ ଗଦିରେ ଶୋଇବା, ନିଦ ପୂରା ନ ହେବା ପିଠି ଯନ୍ତ୍ରଣାର ମୁଖ୍ୟ କାରଣ ବୋଲି ଡା.ନୀରଜ କହିଛନ୍ତି।

ପିଠି ଯନ୍ତ୍ରଣା ଦୂର କରିବାର ଉପାୟ
ଯୋଗରେ ଭୂଜଙ୍ଗାସନ, ଶଲଭାସନ, ହଳାସନ, ଉତ୍ତାନାପାଦାସନ ଆଦି କରିବା ଉଚିତ। କ୍ୟାଲ୍‌ସିୟମଯୁକ୍ତ ଜିନିଷ ସେବନ, ଗୋଟିଏ ପୋଜିସନ୍‌ରେ ବେଶୀ ସମୟ ବସି ନ ରହିବା, ଅଧିକ ଶାରୀରିକ କାର୍ଯ୍ୟକଳାପ, ଭରପୂର ନିଦ, ଚାପରୁ ଦୂରେଇ ରହିବା, ନରମ ଗଦି ଯୁକ୍ତ ସିଟ୍‌ ବ୍ୟବହାରରୁ ଦୂରେଇ ରହିବା, ଶକ୍ତ ବିଛଣାରେ ଶୋଇବା ଭଳି ଉପାୟ ଅବଲମ୍ବନ କରି ପିଠି ଓ ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ।

ଏଥିସହିତ ୧୦ ଗ୍ରାମ୍‌ ଜୁଆଣୀ, ୫ ଗ୍ରାମ୍‌ ପାନମଧୁରୀ, ୧୦ ଗ୍ରାମ୍‌ ତେଜପତ୍ରକୁ ପାଣିରେ ଫୁଟାଇ ଏହା ଅଧା ହୋଇଗଲେ ଥଣ୍ଡା କରି ପିଅନ୍ତୁ ଏହି କାଢ଼ା ପିଇବା ଫଳରେ ଆପଣଙ୍କର ଅଣ୍ଟା ଓ ପିଠି ଯନ୍ତ୍ରଣାରୁ ୧ ଘଣ୍ଟାରେ ମୁକ୍ତି ମିଳିଯିବ। ଏହାବ୍ୟତୀତ ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇଁ ଆପଣ ତେଜପତ୍ର ତେଲରେ ମଧ୍ୟ ମାଲିସ୍‌ କରିପାରିବେ। ଏହାଛଡ଼ା ସୋରିଷ କିମ୍ବା ନଡ଼ିଆ ତେଲରେ ୩ରୁ ୪ଟା ରସୁଣ ପାଖୁଡ଼ା ପକାଇ ଗରମ କରନ୍ତୁ। ଏହି ଊଷୁମ ତେଲକୁ ଅଣ୍ଟା ଓ ପିଠିରେ ମାଲିସ୍‌ କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ