ସାବାସ୍‌ ଶୁଟର ଦାଦୀ: ଇଚ୍ଛାଶକ୍ତି ବଳରେ ବୟସକୁ ବଳିଗଲେ

‘ସାଣ୍ଡ କୀ ଆଁଖରେ’ ନିଶାନା ଲଗାଇବାରେ ଏହି ଯୋଡ଼ି ଅନେକଙ୍କ ପାଇଁ ପ୍ରେରଣା

ଏକ ନିର୍ଦ୍ଦିଷ୍ଟ ବୟସ ହୋଇଗଲା ପରେ ଅଧିକାଂଶ ମହିଳାମାନେ ସାହସ ହରାଇ ନିଜର ସମସ୍ତ ସମୟ ଘର, ପରିବାର ସହିତ ବିତାଇବାକୁ ପସନ୍ଦ କରନ୍ତି। ଏପରିସ୍ଥଳେ ଉତ୍ତର ପ୍ରଦେଶର ବାଗପତର ଜୋହଡ଼ି ଗାଁରେ ରହୁଥିବା ଶୁଟର ଦାଦୀ ଅର୍ଥାତ୍‌ ଚନ୍ଦ୍ରୋ ତୋମର ଓ ପ୍ରକାଶୀ ତୋମର ନିଜ ପ୍ରତିଭା ବଳରେ ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଏହା ଅନ୍ୟମାନଙ୍କ ପାଇଁ ଏତେ ପ୍ରେରଣାଦାୟୀ ହୋଇଛି ଯେ ଏବେ ସେମାନଙ୍କ ଜୀବନୀ ଉପରେ ଆଧାରିତ ‘ସାଣ୍ଡ କୀ ଆଁଖ’ ନାମକ ଫିଲ୍ମ ତିଆରି ହୋଇ ରିଲିଜ୍‌ ହୋଇସାରିଛି। ‘ବୁଲ୍ସ ଆଇ’ ବା ‘ସାଣ୍ଡ କୀ ଆଁଖ’ରେ ନିଶାନା ଲଗାଇବାରେ ମାହିର ହାସଲ କରିଥିବା ଏହି ଦାଦୀ ଯୋଡ଼ି ବୟସକୁ ବଳି ଯାଇଛନ୍ତି।

ନିଜର ସାରା ଜୀବନ ଘର ସମ୍ଭାଳିବାରେ ବିତାଇଥିବା ଦାଦୀ ଚନ୍ଦ୍ରୋ ତୋମର ୬୫ ବର୍ଷ ବୟସରେ ପିସ୍ତଲ ଉଠାଇଥିଲେ। ୧୯୯୯ରେ ଯେତେବେଳେ ତାଙ୍କ ନାତୁଣୀ ଶେଫାଳି ଶୁଟିଂ ଶିଖିବା ଆରମ୍ଭ କରିଥିଲେ, ଜୌହଡିର ରାଇଫଲ କ୍ଲବ୍‌ରେ କେବଳ ପୁଅମାନେ ଶୁଟିଂ ଶିଖୁଥିଲେ। ତେଣୁ ସେଠାକୁ ଯିବାକୁ ଶେଫାଳି ଡରୁଥିଲେ। ତେଣୁ ଚନ୍ଦ୍ରୋ ଦାଦୀ ଶେଫାଳିଙ୍କ ସାହସ ବଢ଼ାଇବା ଲାଗି ତାଙ୍କ ସହିତ ଯାଉଥିଲେ। ନିଜ ନାତୁଣୀ ପାଇଁ ଚନ୍ଦ୍ରୋ ପ୍ରଥମ ଥର ପାଇଁ ଘରୁ ବାହାରକୁ ପାଦ କାଢ଼ିଥିଲେ। ସେଠାରେ ଶେଫାଳିଙ୍କୁ ପିସ୍ତୋଲରେ ଶାର୍ପନେଲ ପକାଇ ପାରୁ ନ ଥିଲେ। ତେଣୁ ଚନ୍ଦ୍ରୋ ନିଜେ ପିସ୍ତଲରେ ଶାର୍ପନେଲ ପକାଇ ଶୁଟିଂ ପୋଜିସନ୍‌ ନେବା ସହିତ ନିଶାନା ଲଗାଇଥିଲେ। ଏହା ପରେ ସେ ଗୋଟିଏ ପରେ ଗୋଟିଏ ନିଶାନା ଲଗାଇବା ଆରମ୍ଭ କରିଥିଲେ।

ଚନ୍ଦ୍ରୋ ଦାଦୀଙ୍କ ଶୁଟିଂରେ ଆଗ୍ରହ ଦେଖି କ୍ଲବ୍‌ରେ ଥିବା ସମସ୍ତ ବ୍ୟକ୍ତି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। କ୍ଲବ୍‌ର କୋଚ୍‌ ତାଙ୍କୁ ଶୁଟ୍‌ର ହେବା ଲାଗି ପରାମର୍ଶ ଦେଇଥିଲେ। କିନ୍ତୁ ଘରେ ଅନୁମତି ମିଳିବ ନାହିଁ ବୋଲି ଡରରେ ସେ ରାଜି ହୋଇ ନ ଥିଲେ। କିନ୍ତୁ ପିଲାମାନେ ତାଙ୍କୁ ସାହସ ଦେଇଥିଲେ ଓ ଶେଷରେ ସେ ଶାର୍ପସୁଟର ହୋଇଯାଇଥିଲେ। ନିଜ ଯାତ୍ରାର ଆରମ୍ଭ ସମୟରେ ଚନ୍ଦ୍ରୋ ପ୍ରଥମେ ସମସ୍ତଙ୍କୁ ଲୁଚି ଲୁଚି ଖେତରେ ଅଭ୍ୟାସ କରୁଥିଲେ। ସେ ଭୋର୍‌ ୪ଟାରେ ଏକ ଜଗ୍‌ରେ ପାଣି ନେଇ ଖେତକୁ ଯାଉଥିଲେ ଓ ସେଠାରେ ପ୍ରାକ୍ଟିସ୍‌ କରୁଥିଲେ। ମନରେ ସବୁବେଳେ ଡର ଥିଲା, ପ୍ରାକ୍ଟିସ୍‌ ସମୟରେ କାଳେ କିଏ ତାଙ୍କୁ ଦେଖିନେବ! କିନ୍ତୁ ଦିନେ ତାଙ୍କ ଫଟୋ ଖବରକାଗଜରେ ଛାପା ଯାଇଥିଲା। ଏହାପରେ ତାଙ୍କ ବିରୋଧରେ କେବଳ ଗାଁ ଲୋକ ନୁହନ୍ତି, ପରିବାର ଲୋକ ମଧ୍ୟ ଠିଆ ହୋଇଥିଲେ। ଗାଁ ଲୋକେ ତାଙ୍କୁ ଥଟ୍ଟା କରି ବୁଢ଼ୀ ଏହି ବୟସରେ କାର୍ଗିଲ ଯୁଦ୍ଧ କରିବାକୁ ଯିବ ବୋଲି କହିବାରେ ଲାଗିଥିଲେ। କିନ୍ତୁ ଏହା ତାଙ୍କ ସାହସକୁ କମ୍‌ କରି ନ ଥିଲା।

ଏହାପରେ ତାଙ୍କ ଦ୍ବାରା ଅନୁପ୍ରେରିତ ହୋଇ ପ୍ରଥମେ ତାଙ୍କ ସାନ ଯା’  ପ୍ରକାଶୀ ଦୁଇ ସପ୍ତାହ ପରେ ଶୁଟିଂ କରିବା ଆରମ୍ଭ କରିଥିଲେ। ଲୋକେ ଉଭୟଙ୍କୁ ବହୁତ ପରିହାସ କରିବାରେ ଲାଗିଥିଲେ। କିନ୍ତୁ ସେମାନେ କେବେ ବି ସାହସ ହରାଇ ନ ଥିଲେ। ଏବେ ସେମାନେ ଜାତୀୟ ସ୍ତରରେ ଅନେକ ଗୁଡ଼ିଏ ମେଡାଲ ଜିତି ସାରିଛନ୍ତି। ଏବେ ସେମାନେ କେବଳ ନିଜ ଗାଁର ନୁହେଁ, ବରଂ ଆଖାପାଖରେ ରହୁଥିବା ଗରିବ ଝିଅଙ୍କୁ ବନ୍ଧୁକ ଚଳାଇବା ତାଲିମ୍‌ ଦେଉଛନ୍ତି। ଯାହାଫଳରେ ସେମାନେ ଜାତୀୟ ସ୍ତରରେ ଖେଳି ପାରିବେ। ତାଙ୍କ କହିବାନୁସାରେ ଝିଅମାନଙ୍କୁ ସବୁବେଳେ ଧାକଡ଼ ବା ଶକ୍ତିଶାଳି କରିବା ଉଚିତ, ଯାହାଫଳରେ ସେମାନେ ନିଜ ପାଇଁ କିଛି କରିପାରିବେ।

ଚନ୍ଦ୍ରୋ ଓ ପ୍ରକାଶୀ ଏ ପର୍ଯ୍ୟନ୍ତ କେବଳ ଅନେକଗୁଡ଼ିଏ ପ୍ରତିଯୋଗିତାରେ ଭାଗ ନେଇ ନାହାନ୍ତି, ୧୦୦ରୁ ଊର୍ଦ୍ଧ୍ବ ମେଡାଲ ମଧ୍ୟ ଜିତି ସାରିଛନ୍ତି। ଏଥିସହିତ ସେ ଯେଉଁ ଝିଅମାନଙ୍କୁ ନିଶାନବାଜି ଶିଖାଉଛନ୍ତି, ସେମାନେ ମଧ୍ୟ ଯେଉଁ ମେଡାଲ ଜିତୁଛନ୍ତି, ତାହା ମଧ୍ୟ ଦାଦୀମାନଙ୍କ ନାଁରେ କରୁଛନ୍ତି। ଏମିତିରେ ଦାଦୀମାନଙ୍କ ନାମରେ ୭୦୦ରୁ ଊର୍ଦ୍ଧ୍ବ ମେଡାଲ ହୋଇସାରିଲାଣି। ଏହି ଦାଦୀମାନେ ୧୯୯୯ରେ ନର୍ଥ ଜୋନ୍‌ ଶୁଟିଂ ପ୍ରତିଯୋଗିତା ଜିତି ନିଜ ପରିଚୟ ସୃଷ୍ଟି କରିଥିଲେ। ଏପର୍ଯ୍ୟନ୍ତ ସେମାନେ ମୋଟ୍‌ ୨୫ଟି ନ୍ୟାସନାଲ ଚାମ୍ପିଅନଶିପ୍‌ ପ୍ରତିଯୋଗିତା ଜିତି ସାରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ