ସାହସୀ ଶିରିନ: ମୁସ୍କିଲ୍‌ ପରିସ୍ଥିତିରେ ବିର୍‌ୟାନୀ ବିକାଳିରୁ ଅଟୋ ଡ୍ରାଇଭର

ନିଜ ଦମ୍‌ରେ ଅଟୋ ଚଳାଇ ପାଳୁଛନ୍ତି ୩ ସନ୍ତାନ

ପରିବାର ଓ ସମାଜ କେତେକ ବି ରକ୍ଷଣଶୀଳ ହେଉ ନା କାହିଁକି, ଜଣେ ମହିଳାଙ୍କଠାରେ ସାହସ ଥିଲେ, ସେ ନିଜ ସାହସ ବଳରେ କେବଳ ନିଜର ନୁହେଁ, ପରିବାର ଲୋକଙ୍କ ଜୀବନ ମଧ୍ୟ ବଦଳାଇପାରିବେ। ଆଗକୁ ଯିବାବେଳେ ମୁସ୍କିଲ୍‌ ସବୁବେଳେ ଆମ ରାସ୍ତା ରୋକିଥାଏ। କିନ୍ତୁ ଏହା ଆମ ଉପରେ ନିର୍ଭର କରେ ଯେ ଏହି ମୁସ୍କିଲ୍‌କୁ କିପରି ସାମ୍ନା କରିବେ। ଏପରି ଏକ କାହାଣୀ ହେଉଛି ମୁସ୍‌ଲମାନ ମହିଳା ଶିରିନଙ୍କର, ଯିଏ ପେସାରେ ଜଣେ ଅଟୋ ଡ୍ରାଇଭର। ଶିରିନଙ୍କ ଜନ୍ମ ଏକ ଗରିବ ରକ୍ଷଣଶୀଳ ମୁସଲମାନ ପରିବାରରେ ହୋଇଥିଲା। ଏହାପରେ ବି ସେ କେବଳ ନିଜ ପାଦରେ ଠିଆ ହୋଇଥିଲେ। ରକ୍ଷଣଶୀଳ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଏପରି ଏକ ପେସାକୁ ସେ ଚୟନ କରିଥିଲେ, ଯାହା ଝିଅଙ୍କ ପାଇଁ ଉପଯୁକ୍ତ ନୁହେଁ ବୋଲି କୁହାଯାଏ। ଏବେ ଶିରିନ ମୁମ୍ବାଇରେ ଅଟୋ ଡ୍ରାଇଭର ଭାବେ ଜୀବନ ବିତାଇବା ସହ ନିଜ ୩ ପିଲାଙ୍କୁ ପାଳୁଛନ୍ତି।

ମା’ କରିଥିଲେ ଆତ୍ମହତ୍ୟା
ଶିରିନଙ୍କୁ ଯେତେବେଳେ ମାତ୍ର ୧୧ ବର୍ଷ ବୟସ ହୋଇଥିଲା, ତାଙ୍କ ମା’ ବାପାଙ୍କ ତଲାକ ହୋଇଯାଇଥିଲା। ଏହାପରେ ତାଙ୍କ ମା’ ଦ୍ବିତୀୟ ବିବାହ କରିଥିଲେ। ସେ ତାଙ୍କ ଜୀବନ ନିଜ ଅନ୍ଦାଜରେ ଜିଇବାକୁ ଚାହୁଥିଲେ, କିନ୍ତୁ ଲୋକେ ତାଙ୍କୁ ବଞ୍ଚିବାକୁ ଦେଇ ନ ଥିଲେ। କିଛି ଦିନ ପରେ ଶିରିନଙ୍କ ମା’ଙ୍କ ଦ୍ବିତୀୟ ବିବାହକୁ ନେଇ ଲୋକେ ତାଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଇବାରେ ଲାଗିଥିଲେ। ଏପରିସ୍ଥଳେ ତାଙ୍କ ମା’ ଏହି କଥା ବରଦାସ୍ତ କରିପାରି ନ ଥିଲେ। ତେଣୁ ସେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ।

ଭଉଣୀଙ୍କୁ ବି ହରାଇଥିଲେ
ମା’ଙ୍କୁ ହରାଇବାର ଦୁଃଖ ଭୁଲି ନ ଥିବାବେଳେ ଶିରିନ ତାଙ୍କ ଭଉଣୀଙ୍କୁ ମଧ୍ୟ ହରାଇଥିଲେ। ମା’ଙ୍କ ମୃତ୍ୟୁ ପରେ ବାପା ତାଙ୍କ ଭଉଣୀ ଓ ତାଙ୍କର ବିବାହ କରାଇ ଦେଇଥିଲେ। ଭଉଣୀଙ୍କ ଶ୍ବଶୂର ଘର ଲୋକ ସବୁବେଳେ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେବାରେ ଲାଗିଥିଲେ। ତାଙ୍କ ଭଉଣୀ ଗର୍ଭବତୀ ଥିବାବେଳେ ତାଙ୍କ ଶ୍ବଶୂର ଘର ଲୋକ ବିଷ ଦେଇ ତାଙ୍କୁ ହତ୍ୟା କରିଥିଲେ। ଦୁନିଆରେ ଶିରିନ ଯେଉଁ ଦୁଇ ଜଣଙ୍କୁ ଅତ୍ୟଧିକ ଭଲ ପାଉଥିଲେ, ସେ ଦୁହେଁ ହିଁ ତାଙ୍କୁ ଛାଡ଼ି ପଳାଇ ଯାଇଥିଲେ।

ପୁଅ ପାଇଁ ମିଳିଲା ନୂଆ ଜୀବନ
ମା’ ଓ ଭଉଣୀଙ୍କ ମୃତ୍ୟୁ ପରେ ଶିରିନ ଭାବୁଥିଲେ ସେ ଆଉ ବଞ୍ଚି ପାରିବେ ନାହିଁ। କିନ୍ତୁ ନିଜେ ଗର୍ଭବତୀ ହେବା ପରେ ଶିରିନଙ୍କ ବଞ୍ଚିବାର ଇଚ୍ଛା ଜାଗ୍ରତ ହୋଇଥିଲା। ତାଙ୍କ ପୁଅ ହିଁ ତାଙ୍କ ଜୀବନ ପାଲଟିଯାଇଥିଲା।

ପତି ଦେଇଥିଲେ ତଲାକ
ବିବାହ ବାର୍ଷିକରେ ତାଙ୍କ ପତି ଶାହିଦ ଶିରିନଙ୍କୁ ତିନ୍‌ ତଲାକ୍‌ ଦେଇ ନିକାହ ଭାଙ୍ଗି ଦେଇଥିଲେ। ତେଣୁ ତାଙ୍କୁ ପତିଙ୍କ ଘର ଛାଡ଼ିବାକୁ ପଡ଼ିଥିଲା। ଶିରିନଙ୍କୁ ୩ ପିଲାଙ୍କ ସହିତ ରାସ୍ତାକଡ଼ରେ ରହିବାକୁ ପଡ଼ିଥିଲା, କିନ୍ତୁ ଶିରିନ କେବେ ବି ହାର୍‌ ମାନି ନ ଥିଲେ।

ବିର୍‌ୟାନୀ ଷ୍ଟଲ୍‌ରୁ ଅଟୋ ରିକ୍ସା ଡ୍ରାଇଭର
ପତି ଛାଡ଼ିବା ପରେ ଶିରିନ କାମ କରିବାକୁ ଭାବିଥିଲେ। କାରଣ ପିଲାଙ୍କ ପେଟକୁ ଦାନା ଯୋଗାଇବା ତାଙ୍କ ପାଇଁ ବହୁତ ବଡ଼ ସମସ୍ୟା ଥିଲା। ତେଣୁ ଶିରିନ ଏକ ଛୋଟ ବିର୍‌ୟାନୀ ଷ୍ଟଲ୍‌ ଖୋଲିଥିଲେ। ଗୋଟିଏ ଦିନ ପରେ ବିଏମ୍‌ସି ଏହାକୁ ଭାଙ୍ଗି ଦେଇଥିଲା। ଏହାପରେ ଶିରିନ ତାଙ୍କ ସବୁ ସଞ୍ଚୟ ଲଗାଇ ଅଟୋ ରିକ୍ସା କିଣିଥିଲେ।

କେହି ଟିପ୍‌ସ ଦିଅନ୍ତି ତ ଆଉ କେହି କମେଣ୍ଟ କରନ୍ତି
ଯେତେବେଳେ ଜଣେ ମହିଳା ଅଟୋ ଚଳାନ୍ତି, କେତେକ ଲୋକେ ଖରାପ କଥା କହିବାବେଳେ ଆଉ କେହି ଖରାପ ବ୍ୟବହାର ପ୍ରଦର୍ଶନ କରନ୍ତି। କେତେକ ଗ୍ରାହକ ଶିରିନଙ୍କ ସାହସ ଦେଖି ଟିପ୍‌ସ ମଧ୍ୟ ଦେଇଥାନ୍ତି, ପ୍ରଶଂସା କରନ୍ତି। ଅଟୋ ଚଳାଇ ସେ ଯେତିକି ଆୟ କରନ୍ତି, ସେଥିରେ ତାଙ୍କ ପରିବାର ସହଜରେ ଗୁଜୁରାଣ ମେଣ୍ଟାଇ ପାରନ୍ତି। ଶିରିନ ତାଙ୍କ ୩ ପିଲାଙ୍କ ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହେଉଛନ୍ତି। ସାହସୀ ଶିରିନ ଏବେ ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ