ପିଲାଙ୍କ ହାଡ଼ ଓ ମାଂସପେଶୀ ଦୁର୍ବଳ କରୁଛି ସ୍କୁଲ୍‌ ବ୍ୟାଗ୍‌ ବୋଝ


ଏମ୍ସ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ସ୍କୁଲ୍‌ ବ୍ୟାଗ ବୋଝ ପିଲାଙ୍କ ମାଂସପେଶୀ ଓ ହାଡ଼କୁ ଦୁର୍ବଳ କରୁଛି। ସରକାରୀ ସ୍କୁଲ୍‌ର ୬୩ ପ୍ରତିଶତ ପିଲା ମାଂସପେଶୀ ଓ ହାଡ଼ ଯନ୍ତ୍ରଣାର ଶିକାର ବୋଲି ଏହି ଗବେଷଣାରେ ଜଣାପଡ଼ିଥିଲା। ଗବେଷଣାରେ ଏହା ପଛର ସବୁଠାରୁ ବଡ଼ କାରଣ ପିଲାଙ୍କ ଭାରୀ ସ୍କୁଲ୍‌ ବ୍ୟାଗ୍‌ ବୋଲି କୁହାଯାଇଛି। ଏହି ଗବେଷଣାର ନେତୃତ୍ବ ନେଇଥିବା ଡାକ୍ତରଙ୍କ କହିବାନୁସାରେ ଦୀର୍ଘ ସମୟ ଯାଏ ଟିଭି ଦେଖିବା କିମ୍ବା ସ୍ମାର୍ଟଫୋନ୍‌ ବ୍ୟବହାର କରିବା ଦ୍ବାରା ମଧ୍ୟ ପିଲାଙ୍କ ହାଡ଼ରେ ଯନ୍ତ୍ରଣା ସମସ୍ୟା ଦେଖାଯାଇପାରେ। ଏମ୍ସର ରିଉମାଟଲୋଜି ବିଭାଗର ଡାକ୍ତରମାନେ ଏପ୍ରିଲ୍‌ ୨୦୧୮ରୁ ମାର୍ଚ୍ଚ ୨୦୧୯ ମଧ୍ୟରେ ଏହି ଗବେଷଣା କରିଥିଲେ।

୧୦ ସ୍କୁଲ୍‌ର ୧୬୦୦ ପିଲାଙ୍କ ଉପରେ ହୋଇଥିଲା ଗବେଷଣା

ଏମ୍ସର ରିଉମାଟଲୋଜି ବିଭାଗର ଏଚ୍‌ଓଡି ଡା. ଉମା କୁମାର କହିଛନ୍ତି ଯେ ଦକ୍ଷିଣ ଦିଲ୍ଲୀର ୧୦ ସ୍କୁଲ୍‌ର ୧୬୦୦ ପିଲାଙ୍କ ଉପରେ ଏହି ଗବେଷଣା କରାଯାଇଥିଲା। ୧୦ରୁ ୧୯ ବର୍ଷର ପିଲାଙ୍କୁ ଏଥିରେ ସାମିଲ୍‌ କରାଯାଇଥିଲା। ଗବେଷଣା ସମୟରେ ୬୩ ପ୍ରତିଶତ ପିଲା ହାଡ଼ ଓ ମାଂସପେଶୀ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେହିପରି ୩୨ ପ୍ରତିଶତ ପିଲା ଅଣ୍ଟା ଯନ୍ତ୍ରଣା ମଧ୍ୟ ଭୋଗୁଥିବା ଜଣାପଡ଼ିଛି। ଅଧିକାଂଶ ପିଲାଙ୍କ ଯନ୍ତ୍ରଣା ୧ ବର୍ଷରୁ ଅଧିକ ସମୟ ଧରି ଥିବା ଗବେଷଣାରେ କୁହାଯାଇଛି। ଗବେଷଣାରେ ଆହୁରି ମଧ୍ୟ କୁହାଯାଇଛି ଯେ ଯେଉଁ ପିଲାମାନେ ଅଧିକ ଭାରୀ ସ୍କୁଲ୍‌ ବ୍ୟାଗ୍‌ ଉଠାଇଥାନ୍ତି, ସେମାନଙ୍କଠାରେ ଅଧିକ ଯନ୍ତ୍ରଣା ହେଉଥିବା ଦେଖିବାକୁ ମିଳିଥିଲା। ଯେଉଁ ପିଲାଙ୍କ ସ୍କୁଲ୍‌ ବ୍ୟାଗ୍‌ର ଓଜନ କମ୍‌ ଥିଲା, ସେମାନଙ୍କ ତୁଳନାରେ ଯନ୍ତ୍ରଣାରେ ପୀଡ଼ିତ ପିଲାଙ୍କ ସଂଖ୍ୟା ଦୁଇଗୁଣା ଥିବା ଗବେଷଣାରୁ ଜଣାପଡ଼ିଛି।

ଖାଦ୍ୟପେୟ ଠିକ୍‌ ନ ରହିଲେ ମଧ୍ୟ ହୋଇଥାଏ ହାଡ଼ରେ ଯନ୍ତ୍ରଣା
ଡା.ଉମା କୁମାର କହିଛନ୍ତି ଯେ ପିଲାଙ୍କ ଖାଦ୍ୟପେୟ ଠିକ୍‌ ନ ହେବା କାରଣରୁ ମଧ୍ୟ ମାଂସପେଶୀ ଓ ହାଡ଼ରେ ଯନ୍ତ୍ରଣା ହୋଇପାରେ। ତେଣୁ ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ସେବନ କରାଇବା ଉଚିତ ବୋଲି ସେ କହିଛନ୍ତି। ଡା.ଉମା କହିଛନ୍ତି ଯେ ଗବେଷଣାରେ ସାମିଲ୍‌ ଥିବା ଯେଉଁ ପିଲାମାନେ ପ୍ରତେକ ଦିନ ଏକ ଘଣ୍ଟାରୁ କମ୍‌ ଶାରୀରିକ ପରିଶ୍ରମ କରୁଥିଲେ, ଦିନକୁ ୨ ଘଣ୍ଟା ଓ ସପ୍ତାହରେ ପାଞ୍ଚ ଦିନରୁ ଅଧିକ ସ୍ମାର୍ଟଫୋନ୍‌ର ବ୍ୟବହାର କରୁଥିଲେ କିମ୍ବା ଟିଭି ଦେଖୁଥିଲେ, ସେମାନଙ୍କଠାରେ ମାଂସପେଶୀ ଓ ହାଡ଼ ଯନ୍ତ୍ରଣା ଅଧିକ ଦେଖିବାକୁ ମିଳିଥିଲା। ଦୀର୍ଘ ସମୟ ଯାଏ ଗୋଟିଏ ସ୍ଥିତିରେ ବସି ଟିଭି ଦେଖିବା ଓ ସ୍ମାର୍ଟଫୋନ୍‌ ବ୍ୟବହାର କରିବା ଫଳରେ ମାଂସପେଶୀ ଓ ହାଡ଼ ଉପରେ ଏହାର ପ୍ରଭାବ ପଡ଼ିପାରେ ବୋଲି ସେ କହିଛନ୍ତି।

ପ୍ରଦୂଷଣ ପାଇଁ ହୋଇପାରେ ଆର୍ଥ୍ରାଇଟିସ୍‌ ରୋଗ
ପ୍ରଦୂଷଣ କାରଣରୁ ଆର୍ଥ୍ରାଇଟିସ୍‌ ରୋଗ ମଧ୍ୟ ହୋଇପାରେ। ଏମ୍ସରେ କରାଯାଇଥିବା ଆଉ ଏକ ଗବେଷଣାରେ ଏହା ଜଣାପଡ଼ିଛି। ଦିଲ୍ଲୀରେ ଗତ ୧୦ କିମ୍ବା ଅଧିକ ବର୍ଷ ଧରି ରହୁଥିବା ୩୫୦ ସୁସ୍ଥ ଲୋକଙ୍କ ଉପରେ ଏହି ଗବେଷଣା କରାଯାଇଥିଲା। ପ୍ରଦୂଷଣ କାରଣରୁ ୨୦ ପ୍ରତିଶତ ଲୋକଙ୍କଠାରେ ଆର୍ଥ୍ରାଇଟିସ୍‌ ଭଳି ରୋଗର ଲକ୍ଷଣ ଦେଖିବାକୁ ମିଳିଥିଲା। ଡା.ଉମା କୁମାର କହିଛନ୍ତି ଯେ ପ୍ରଦୂଷଣ ଓ ଆର୍ଥ୍ରାଇଟିସ୍‌ର ସମ୍ପର୍କକୁ ଅଧିକ ସ୍ପଷ୍ଟ କରିବା ଲାଗି ସେମାନେ ଦିଲ୍ଲୀରେ ଗତ ୧୦ ବର୍ଷ ଧରି ରହୁଥିବା ୧୮ରୁ ୬୦ ବର୍ଷର ୩୫୦ ଜଣ ସୁସ୍ଥ ଲୋକଙ୍କ ରକ୍ତ ନମୂନାନେଇଥିଲେ। ଏଥିରେ ୨୦ ପ୍ରତିଶତ ଲୋକଙ୍କଠାରେ ପଜିଟିଭ୍‌ ଆଣ୍ଟିବଡି ମିଳିଛି, ଯେଉଁ କାରଣରୁ ଆର୍ଥ୍ରାଇଟିସ୍‌ ଭଳି ରୋଗ ହୋଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ