ରାହୁଲ୍‌ ଇସ୍ତଫା ଦେବା ପରେ କଂଗ୍ରେସ ସ୍ଥିତି ବିଗିଡ଼ିଛି: ଖୁର୍ଶିଦ୍‌


ନୂଆଦିଲ୍ଲୀ: ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ଦୟନୀୟ ପ୍ରଦର୍ଶନ କରିବା ପରେ ଦଳର ସଭାପତି ପଦରୁ ରାହୁଲ୍‌ ଗାନ୍ଧି ଅପସରି ଯାଇଥିଲେ। ସେତେବେଳେ ଦଳର ବରିଷ୍ଠ ନେତାମାନେ ରାହୁଲ୍‌ଙ୍କୁ ନିଷ୍ପତ୍ତି ବଦଳାଇବା ସକାଶେ ଯଥାସମ୍ଭବ ଉଦ୍ୟମ କରିଥିଲେ। କିନ୍ତୁ ରାହୁଲ୍‌ ସେମାନଙ୍କ ସହ ଏକମତ ହୋଇ ନ ଥିଲେ। ତେଣୁ ତାଙ୍କ ମା’ ତଥା ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପୁଣିଥରେ ସଭାପତି ଭାବେ ସାମୟିକ ଦାୟିତ୍ବ ପ୍ରଦାନ କରାଯାଇଛି। କିନ୍ତୁ ନିର୍ବାଚନ ଶେଷ ହେବାର ପାଖାପାଖି ୫ ମାସ ପରେ ଦଳ ନିଜକୁ ସୁସଂଗଠିତ କରିବା ତ ଦୂରର କଥା, ବରଂ ବିଭିନ୍ନ ରାଜ୍ୟରେ ଏହି ଦଳ ବ୍ୟାପକ ବିଶୃଙ୍ଖଳା ମଧ୍ୟ ଦେଇ ଗତି କରୁଛି। ଦଳର ଏପରି ବିପର୍ଯ୍ୟସ୍ତ ଅବସ୍ଥା ପାଇଁ ଦଳୀୟ ନେତୃତ୍ବକୁ ଦାୟୀ କରାଯାଉଛି। ତେବେ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ୍‌ ଖୁର୍ଶିଦ୍‌ ଦଳର ଏହି ଦୁଃସ୍ଥିତି ପାଇଁ କୌଣସି ବରିଷ୍ଠ ନେତୃବୃନ୍ଦ ନୁହେଁ, ବରଂ ରାହୁଲ୍‌ଙ୍କ ଇସ୍ତଫାକୁ କାରଣ ବୋଲି ଦର୍ଶାଇଛନ୍ତି।

ଖୁର୍ଶିଦ୍‌ କହିଛନ୍ତି ଯେ ରାହୁଲ୍‌ ସଭାପତି ପଦ ଛାଡ଼ିବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସ୍ଥାନକୁ ପୂରଣ କରିବା ସମ୍ଭବପର ହୋଇପାରିନାହିଁ। ଏହି କାରଣରୁ ଦଳରେ ଯାବତୀୟ ବିଶୃଙ୍ଖଳା ଓ ଦ୍ବନ୍ଦ୍ବ ସୃଷ୍ଟି ହେଉଛି। ରାହୁଲ୍‌ଙ୍କୁ ଆମେ ଯେତେ ଅନୁରୋଧ କରିଥିଲେ ମଧ୍ୟ ସେ ତାଙ୍କ ନିଷ୍ପତ୍ତିରେ କାଏମ ରହିଲେ। ତେବେ ଶେଷରେ ତାଙ୍କ ନିଷ୍ପତ୍ତିକୁ ଆମେ ସମ୍ମାନ ଦେଇଛୁ। କିନ୍ତୁ ବର୍ତ୍ତମାନ ଦଳର ଅବସ୍ଥା ଏପରି ହୋଇଛି ଯେ ଆଗାମୀ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନରେ ଆମେ ଜିତିବା କଥା ଚିନ୍ତା ବି କରିପାରୁନାହୁଁ। ଏପରିକି ଦଳର ଭବିଷ୍ୟତ କ’ଣ, ତାହା ମଧ୍ୟ ବରିଷ୍ଠ ନେତାମାନେ ଜାଣିନାହାନ୍ତି। ତେଣୁ ଆଗାମୀ ଦୁଇ ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରାର୍ଥୀମାନେ ନିଜସ୍ବ ଉଦ୍ୟମରେ ଲଢ଼େଇ କରିବାକୁ ଖୁର୍ଶିଦ୍‌ ପରାମର୍ଶ ଦେଇଛନ୍ତି। ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ ଖୁର୍ଶିଦ୍‌ ଗତ ଲୋକସଭା ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନର କାରଣ କ’ଣ ଥିଲା, ତାହାର ସମୀକ୍ଷା ମଧ୍ୟ ଅଦ୍ୟାବଧି କରାଯାଇପାରିନାହିଁ ବୋଲି କହିବା ସହ ଖେଦୋକ୍ତି କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ