ଆଜି ବିଜୟା ଦଶମୀ: ଧର୍ମର ବିଜୟ ପାଇଁ ମା’ ଉଭା


ଭୁବନେଶ୍ବର: ଆଜି ପବିତ୍ର ବିଜୟା ଦଶମୀ ବା ଦଶହରା।  ଆଶ୍ବିନ ମାସ ଶୁକ୍ଳପକ୍ଷ ଦଶମୀ ତିଥି ଆଜି। ବିଗତ ୯ ଦିନ ଧରି ଧରାପୃଷ୍ଠକୁ ଅବତରଣ କରିଥିବା ମା’ଜଗଜ୍ଜନନୀଙ୍କର ପବିତ୍ର ଦଶହରା ପର୍ବକୁ ସାରା ରାଜ୍ୟରେ ଆନନ୍ଦ, ଉଲ୍ଲାସ, ଶ୍ରଦ୍ଧା ଓ ଭକ୍ତିର ସହିତ ପାଳନ କରାଯାଉଛି। ଅସତ୍ୟ ଉପରେ ସତ୍ୟର, ଅନ୍ୟାୟ ଉପରେ ନ୍ୟାୟର ଏବଂ ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ ସ୍ୱରୂପ ବିଜୟା ଦଶମୀ ପାଳନ କରାଯାଉଛି। ଭଗବାନ ରାମଙ୍କର ରାବଣ ଉପରେ ବିଜୟ ବା ଧର୍ମର ଜୟ-ପାପର କ୍ଷୟ ଏହି ସାମାଜିକ ବାର୍ତ୍ତାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଏହି ପର୍ବ ପାଳନ କରାଯାଇଥାଏ। ଆଜି ମଧ୍ୟ ନବରାତ୍ରି ଓ ଦୁର୍ଗାପୂଜାର ଶେଷଦିନ। ଭକ୍ତି ଓ ଶ୍ରଦ୍ଧାର ସହ ଶ୍ରଦ୍ଧାଳୁମାନେ ଆଜି ମା’ ଦୁର୍ଗାଙ୍କ ଆଶିଷ ଭିକ୍ଷା କରୁଛନ୍ତି।

ଧର୍ମ ସଂସ୍ଥାପନ ପାଇଁ ମା’ ଦୁର୍ଗା ଦୁରାଚାରୀ ମହିଷାସୁରକୁ ଆଜିର ଦିନରେ ସଂହାର କରି ଭକ୍ତମାନଙ୍କୁ ଉଦ୍ଧାର କରିଥିଲେ। ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଲଙ୍କପତି ରାବଣଙ୍କ ଉପରେ ବିଜୟ ହାସଲ କରିବା ପରେ ମା’ଜଗଦ୍ଧାତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ପବିତ୍ର ଦିନଟିକୁ ବିଜୟା ଦଶମୀ ଭାବେ ପାଳନ କରି ଦୃଷ୍ଟାନ୍ତ ସୃଷ୍ଟି କରିଥିଲେ। କାରଣ ଶେଷ ଯୁଦ୍ଧର ଅବ୍ୟବହିତ ପୂର୍ବରୁ ମା’ଙ୍କୁ ଭକ୍ତିପୂତ ଭାବେ ପୂଜାର୍ଚ୍ଚନା କରି ଶ୍ରୀରାମ ରାବଣକୁ ହରାଇବାର ସିଦ୍ଧି ହାସଲ କରିଥିଲେ। ଏଣୁ ଏହି ଦିନଟିକୁ ଦୁଷ୍ଟ ଶକ୍ତି ଉପରେ ବିଜୟ ତଥା ମନ୍ଦ ଉପରେ ଭଲର ବିଜୟ ଭାବେ ଗ୍ରହଣ କରାଯାଏ। ସେବେଠାରୁ ସାରା ବିଶ୍ବରେ ଏହା ବିଜୟା ଦଶମୀ ନାମରେ ନାମିତ ହୋଇଛି। ଓଡ଼ିଶାର ବିଭିନ୍ନ ଶକ୍ତିପୀଠଗୁଡ଼ିକରେ ଏବଂ ବିଶେଷକରି ଭୁବନେଶ୍ବର-କଟକ ଦ୍ବୈତନଗରୀର ସୁସଜ୍ଜିତ ପୂଜାମଣ୍ଡପଗୁଡ଼ିକରେ ମହା ଆଡ଼ମ୍ବରରେ ଏହି ପର୍ବ ପାଳିତ ହେଉଛି। ଆଜି ସକାଳେ ପୂଜାମଣ୍ଡପଗୁଡ଼ିକରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ପାରମ୍ପରିକ ରୀତିନୀତି ଅନୁସାରେ ଆଜି ମାଆଙ୍କ ଅପରାଜିତା ପୂଜା, ଦଶମୀ ପୂଜା ଏବଂ ସୋମନାଥ ବ୍ରତ ପରେ ପୂର୍ଣ୍ଣାହୂତି ନୀତି ଅନୁଷ୍ଠିତ ହେବ। ଆଜି ବିଜୟା ଦଶମୀ ପାଳନ ସହ ଜଗତଜନନୀଙ୍କ ଶାରଦୀୟ ଦୂର୍ଗାପୂଜା ମଧ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଦଶହରା ପର୍ବର ଅନ୍ତିମ ଚରଣ ତଥା ବିଜୟା ଦଶମୀ ଅବସରରେ ଆଜି ବିଭିନ୍ନ ପୂଜା ମଣ୍ଡପରେ ଆୟୋଜିତ ହେବ ରାବଣ ପୋଡ଼ି ଉତ୍ସବ। ରାବଣ ପୋଡ଼ି ଉତ୍ସବ ଲାଗି ସବୁଠି ପ୍ରସ୍ତୁତି  ଆରମ୍ଭ ହୋଇଗଲାଣି।

କଟକ-ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦଶହରା ପାଇଁ ଅନେକ ପ୍ରକାରର ଧାର୍ମୀକ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ଶକ୍ତି ପୀଠ ଓ ପୂଜାମଣ୍ଡପରେ ମା’ଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଛି। ଘଣ୍ଟାଘଣ୍ଟା, ବେଦଧ୍ୱନି ଓ ହୋମଯଜ୍ଞରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ। ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ଜଗଜ୍ଜନନୀ ମା’ ଦୁର୍ଗାଙ୍କ ପୂଜା ଆରାଧନାରେ ସମସ୍ତେ ନିଜକୁ ନିୟୋଜିତ କରିଛନ୍ତି। ସୁନା ଓ ଚାନ୍ଦି ଆଭୂଷଣରେ ଝଟକୁଛନ୍ତି ମା’ଙ୍କ ମୂର୍ତ୍ତି। ସେହିପରି ଅନୁକୂଳ ପାଗ ଯୋଗୁଁ ପୂଜା ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳଙ୍କୁ ଭିଡ଼ ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟିରୁ ପୋଲିସ୍‌ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୂଜାର୍ଚ୍ଚନାର ପରିବେଶରେ ଦେବୀଙ୍କ ପୀଠଗୁଡ଼ିକ ଯେମିତି ଲୋକାରଣ୍ୟ ପାଲଟିଛି, ଠିକ୍‌ ସେମିତି ଭଳିକି ଭଳି ଅତ୍ୟାଧୁନିକ ତୋରଣ ଓ ରଙ୍ଗବେରଙ୍ଗର ଆଲୋକମାଳାରେ ସୁସଜ୍ଜିତ ପୂଜାମଣ୍ଡପଗୁଡ଼ିକ ଉଦ୍‌ଭାସିତ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ