ସମାଜବାଦୀ ପାର୍ଟିରେ ମିଶିଲେ ଫୁଲନ୍‌ ଦେବୀଙ୍କ ଭଉଣୀ


ଚମ୍ବଲର କୁଖ୍ୟାତ ମହିଳା ଡକାୟତ ତଥା ପରବର୍ତ୍ତୀ ସମୟରେ ସମାଜବାଦୀ ପାର୍ଟି ପକ୍ଷରୁ ଲୋକସଭାରେ ପ୍ରତିନିଧିତ୍ବ କରିଥିବା ବ୍ୟାଣ୍ଡିଟ୍‌ କୁଇନ୍‌ ଭାବେ ପରିଚିତ ଫୁଲନ୍‌ ଦେବୀଙ୍କ ଭଉଣୀ ରବିବାର ଏହି ଦଳରେ ଯୋଗ ଦେଇଛନ୍ତି। ଏଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ଫୁଲନ୍‌ଙ୍କ ଭଉଣୀ ରୁକ୍ମଣୀ ଦେବୀ ନିଶାଦ୍‌ ଏହି ଦଳରେ ସାମିଲ୍‌ ହୋଇଛନ୍ତି। ଏଥିସହ ସେ ଏକ ଛୋଟ ରାଜନୈତିକ ଦଳ ପ୍ରଗତିଶୀଳ ମାନବ ପାର୍ଟିକୁ ତ୍ୟାଗ କରିଛନ୍ତି। ନିଶାଦ୍‌ଙ୍କ ସହ ରମାକାନ୍ତ ଯାଦବ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତ ଲୋକସଭା ନିର୍ବାଚନ ପୂର୍ବରୁ ରମାକାନ୍ତ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। କିନ୍ତୁ ଗତ ଗୁରୁବାର ସେ କଂଗ୍ରେସରୁ ବହିଷ୍କୃତ ହେବା ପରେ ଏବେ ନିଜର ପୁରୁଣା ଦଳକୁ ବାହୁଡ଼ି ଆସିଛନ୍ତି।

ରମାକାନ୍ତ ଗତ ୧୯୯୬ରେ ସମାଜବାଦୀ ପାର୍ଟି ଟିକେଟ୍‌ରେ ଆଜମଗଡ଼ରୁ ସାଂସଦ ଭାବେ ନିର୍ବାଚନ ହୋଇଥିଲେ। ପରେ ୧୯୯୯ରେ ମଧ୍ୟ ଏହି ଆସନ ବଜାୟ ରଖିବାରେ ସକ୍ଷମ ହୋଇଥିଲେ। ଏହାପରେ ୨୦୦୪ରେ ଏହି ଆସନଟି ୨୦୦୪ରେ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ପ୍ରାର୍ଥୀଙ୍କ ନିକଟକୁ ଚାଲିଯାଇଥିଲା। ୨୦୦୯ରେ ଏଠାରୁ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ବର୍ତ୍ତମାନ ଅଖିଳେଶ ଏହି ଆସନରୁ ସାଂସଦ ଅଛନ୍ତି। ଗତ ଏପ୍ରିଲ୍‌-ମେ’ରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ବିଜେପିକୁ ରମାକାନ୍ତଙ୍କୁ ଟିକେଟ୍‌ ନ ଦେବାରୁ ସେ କଂଗ୍ରେସ କ୍ୟାମ୍ପ୍‌ରେ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟିରେ ଯୋଗ ଦେବା ପରେ ନିଶାଦ୍‌ ତାଙ୍କ ପ୍ରତିକ୍ରିୟାରେ ନିଜ ଘରକୁ ଫେରିବା ଭଳି ଅନୁଭୂତି ପାଇଥିବା କହିଛନ୍ତି। ସେହିପରି ରମାକାନ୍ତ ମଧ୍ୟ ସ୍ବଗୃହ ପ୍ରତ୍ୟାବର୍ତ୍ତନରେ ସନ୍ତୋଷ ପ୍ରକାଶ କରିବା ସହ ସେ ବର୍ତ୍ତମାନ ଅଖିଳେଶଙ୍କ ଯୋଦ୍ଧା ବୋଲି କହିଛନ୍ତି। ତେବେ ନିଶାଦ୍‌ ଉତ୍ତର ପ୍ରଦେଶର ଅନ୍ୟତମ ପଛୁଆ ସମ୍ପ୍ରଦାୟ ସହ ଜଡ଼ିତ। ତେଣୁ ନିଶାଦ୍‌ଙ୍କ ମାଧ୍ୟମରେ ସମାଜବାଦୀ ପାର୍ଟି ପଛୁଆ ବର୍ଗ ଭୋଟ୍‌ ହାସଲ କରିବା ପାଇଁ ଲକ୍ଷ୍ୟ ରଖିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ