କେରଳରେ ସିରିଏଲ୍‌ କିଲର୍‌ ମା’ ଗିରଫ: ବିଷ ଦେଇ ନେଇଛି ୬ ଜୀବନ


ନିକଟରେ କେରଳର ଜଣେ ମହିଳା ଓ ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ ସ୍ଥାନୀୟ ପୋଲିସ୍‌ ଗିରଫ କରିଥିବା ବେଳେ ଏବେ ଏହି ମହିଳା ଜଣକ କେଡ଼େ ଜଘନ୍ୟ କାଣ୍ଡ ଭିଆଇଛି, ତାହାର ପର୍ଦ୍ଦାଫାସ୍‌ ହୋଇଛି। ମହିଳା ଜଣକ ନିଜ ପରିବାର ୬ ଜଣ ଲୋକଙ୍କୁ ଖାଦ୍ୟରେ ବିଷ ମିଶାଇ ହତ୍ୟା କରିଛି। ଗତ ୨୦୦୨ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୨୦୧୬ରେ ସେ ଷଷ୍ଠ ହତ୍ୟାକାଣ୍ଡ ଭିଆଇଥିବା ପୋଲିସ୍‌ ସୂଚନା ଦେଇଛି। ଏହି ସିରିଏଲ୍‌ କିଲର୍‌ ମହିଳା ଜଣକର ନାମ ଜଲି ଥୋମାସ୍‌। ଜଲିର ସ୍ବାମୀ ରୟ ଥୋମାସ୍‌ ମଧ୍ୟ ଗତ ୨୦୧୧ରେ ସନ୍ଦେହଜନକ ସ୍ଥିତିରେ ମୃତ୍ୟୁବରଣ କରିଥିଲେ। ଏଥିରେ ମଧ୍ୟ ଜଲିର ଭୂମିକା ରହିଛି ବୋଲି ପୋଲିସ୍‌ ଛାନ୍‌ଭିନ୍‌ ପରେ ଜାଣିବାକୁ ପାଇଛି।

ଦୁଇ ମାସ ଧରି ପୋଲିସ୍‌ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଜଲି ସିରିଏଲ୍‌ କିଲର୍‌ ସାଜି ପରିବାରର ୬ ଜଣଙ୍କୁ ବିଷ ଦେଇ ହତ୍ୟା କରିଛି ବୋଲି ଜାଣିବାକୁ ପାଇଛି। ଏହି ମାମଲାରେ ଜଲିକୁ ସହଯୋଗ କରିଥିବା ତା’ର ବନ୍ଧୁ ଏମ. ମାଥ୍ୟୁ ଓ ପ୍ରାଜୁ କୁମାର ନାମକ ଅଳଙ୍କାର ବ୍ୟବସାୟୀକୁ ମଧ୍ୟ ଗିରଫ କରାଯାଇଛି। ପ୍ରାଜୁ ମାଧ୍ୟମରେ ମାଥ୍ୟୁ ସାଇନାଇଡ୍‌ ବିଷ ଯୋଗାଡ଼ କରିଥିବା ପୋଲିସ୍‌ ନିକଟରେ ପ୍ରମାଣ ରହିଛି। ୪୭ ବର୍ଷୀୟା ଜଲି ସର୍ବପ୍ରଥମେ ୨୦୦୨ରେ ନିଜର ବୋହୂ ଅନମ୍ମା ଥୋମାସ୍‌କୁ ହତ୍ୟା କରିଥିଲା। ଏହାପରେ ନିଜ ପୁଅ ଟମ୍‌ ଥୋମାସ୍‌କୁ ଗତ ୨୦୦୮ରେ, ୨୦୧୧ରେ ସ୍ବାମୀ ରୟ ଓ ୨୦୧୪ରେ ରୟଙ୍କ ଦାଦାଙ୍କୁ ହତ୍ୟା କରିଛି। ଦୁଇ ବର୍ଷର ବ୍ୟବଧାନ ପରେ ସେ ଆଉ ଜଣେ ସମ୍ପର୍କୀୟ ସିଲି ଓ ତା’ର ବର୍ଷକର ସନ୍ତାନକୁ ମଧ୍ୟ ବିଷ ଦେଇ ହତ୍ୟା କରିଛି ବୋଲି କୋଝିକୋଡି ଗ୍ରାମାଞ୍ଚଳ ଏସ୍‌ପି କେଜି ସାଇମନ୍‌ କହିଛନ୍ତି। 

ଏପରି ସିରିଏଲ୍‌ ହତ୍ୟାକାଣ୍ଡ ପଛରେ ଜଲିର ଅଭିପ୍ରାୟ କ’ଣ ଥିଲା, ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ପରକୀୟା ପ୍ରୀତି କିମ୍ବା ସମ୍ପତ୍ତିବାଡ଼ି ହଡ଼ପ କରିବା ଲୋଭରେ ଏପରି ଅଘଟଣ ଘଟାଇଥିବା ସନ୍ଦେହ କରାଯାଉଛି। ଆମେରିକାରେ ରହୁଥିବା ମୃତ ଟମ୍‌ ଥୋମାସ୍‌ଙ୍କ ପୁଅ ରୋଜି ଥୋମାସ୍‌ ଅଭିଯୋଗ କରିବା ପରେ ପୋଲିସ୍ ହତ୍ୟାକାଣ୍ଡର ସୁରାକ୍‌ ଖୋଜି ଶେଷରେ ଜଲି ପାଖରେ ପହଞ୍ଚିଥିଲା। ଜଲି ବି.କମ୍‌ ପାସ୍‌ କରିଥିଲେ ମଧ୍ୟ ନିଜକୁ ଏନ୍‌ଆଇଟି କୋଝିକୋଡିର ଜଣେ ଅଧ୍ୟାପିକା ବୋଲି ପରିଚୟ ଦେଇଆସୁଥିଲା। ନିଜ ପତିକୁ ମାରିବା ପରେ ଜଲି ଶାଜୁ ସାରିଆ ନାମକ ଜନେଅକ ବ୍ୟକ୍ତିକୁ ବିବାହ ମଧ୍ୟ କରିଥିଲା ବୋଲି ପୋଲିସ୍‌ ଜାଣିବାକୁ ପାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ